• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁବ ସରପଞ୍ଚଙ୍କ ଅଭିନବ ପ୍ରୟାସ l ପଞ୍ଚାୟତବାସୀଙ୍କ ପାଇଁ ନିଜ ସଞ୍ଚିତ ଅର୍ଥରୁ ଟ୍ରାକ୍ଟର କିଣି ପୂରଣ କଲେ ନିର୍ବାଚନ ପ୍ରତିଶୃତି l ଏଥିରେ ଆବର୍ଜନା ସଫା ହୋଇ ସ୍ୱଚ୍ଛ ହେବ ପଞ୍ଚାୟତ ରାସ୍ତାଘାଟ l କନିଷ୍ଠ ସରପଞ୍ଚଙ୍କ ଏପରି ଉଦ୍ୟମ ପାଇଁ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ହେଉଛି l ସମସ୍ତେ କହୁଛନ୍ତି ସରପଞ୍ଚ ହେବ ତ ଏମିତି l

 ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳା ଗ୍ରାମ ପଞ୍ଚାୟତର ସର୍ବ କନିଷ୍ଠ ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ l ନିର୍ବାଚନ ବେଳେ ପ୍ରତିଶୃତି ଦେଇଥିଲେ ନିଜ ପଞ୍ଚାୟତକୁ ସ୍ୱଚ୍ଛ ରଖିବେ l ସେଥିପାଇଁ ନିଜ ସଞ୍ଚିତ ଟଙ୍କାରେ ଏଇ ଟ୍ରାକ୍ଟରଟି କିଣିଛନ୍ତି , ଏବଂ ପଞ୍ଚାୟତ ଅର୍ଥରେ ବହୁତ ଗୁଡିଏ ଡଷ୍ଟବିନ ମଧ୍ୟ କିଣା ହୋଇଛି l ଡଷ୍ଟବିନ ଗୁଡିକୁ ସେ ନିଜେ ରାଜ ସୁନାଖଳା ବ୍ୟସ୍ତ ବହୁଳ ମାର୍କେଟରେ ରଖିଛନ୍ତି l ଉଦେଶ୍ୟ ହେଉଛି ଲୋକମାନେ ଆଉ ଅଳିଆ ଆବର୍ଜନା ଏଠି ସେଠି ନ ପକାଇ ଏଇ ଡଷ୍ଟବିନ ରେ ପକାଇବେ l ଆଉ ଟ୍ରାକ୍ଟରରେ ସହର ଠୁ ଦୂରରେ ପ୍ରତିଦିନ ଗୋଟିଏ ସ୍ଥାନରେ ପକାଇ ଦିଆଯିବ ଏହି ଆବର୍ଜନା l ଫଳରେ ସ୍ୱଚ୍ଛ ରହିବ ପରିବେଶ l

ଯୁବ ସରପଞ୍ଚ ଚିତ୍ତରଞ୍ଜନ ଏଭଳି ନିଆରା କାମ କରି ସମଗ୍ର ଜିଲ୍ଲାରେ ଚର୍ଚ୍ଚିତ ହୋଇଛନ୍ତି l ଏଥିପାଇଁ ଜଣେ ଡ୍ରାଇଭର ଏବଂ ଜଣେ ସୁଇପର ମଧ୍ୟ ନିଯୁକ୍ତ ହୋଇଛନ୍ତି । ପ୍ରତିଦିନ ଟ୍ରାକ୍ଟରରେ ଡଷ୍ଟବିନରୁ ଆବର୍ଜନା ନିଷ୍କାସନ କରାଯିବ l ରାଜ ସୁନାଖଳା ପଞ୍ଚାୟତରେ ୧୦ ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ ରାଜ୍ୟ ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ତାଲିକାଭୁକ୍ତ କରିଛନ୍ତି l ମାତ୍ର ଏପର୍ଯ୍ୟନ୍ତ ବିଜ୍ଞାପିତ ଅଞ୍ଚଳ ଘୋଷଣା ହୋଇ ପାରିନି ଏହି ପଞ୍ଚାୟତ l ଏପଟେ ଦୁର୍ଗାବଜାର ଭଳି ବହୁତ ବଡ଼ ବଜାର ଥିବାରୁ ବର୍ଷ ବର୍ଷ ଧରି ଅଳିଆ ଆବର୍ଜନା ପୂର୍ଣ୍ଣ ହୋଇ ରହୁଥିଲା ସଂପୃକ୍ତ ଅଞ୍ଚଳ l ତେଣୁ ଯୁବ ସରପଞ୍ଚ କରିଛନ୍ତି ଏଭଳି ନିଆରା କାମ l

ନିର୍ବାଚନ ବେଳେ ନେତାମାନେ ଲୋକଙ୍କ ମନ ଜିଣି ଭୋଟ ହାତେଇବାକୁ ମାଳମାଳ ପ୍ରତିଶୃତି ଦେଉଥିବା ବେଳେ ଭୋଟ ପରେ ଭୁଲି ଯାଆନ୍ତି ଏସବୁ l ମାତ୍ର ଯୁବ ସରପଞ୍ଚ ଭୁଲି ନାହାନ୍ତି ତାଙ୍କର ପ୍ରତିଶୃତି l ଅର୍ଥ ଯାଉ ପଛେ ସେ ପ୍ରତିଶ୍ରୁତି ପୂରଣ କରିଛନ୍ତି ।

ଆର୍ତ୍ତତ୍ରାଣ ପ୍ରଧାନ, ନୟାଗଡ଼