ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆଜି ହାଇଭୋଲଟେଜ୍ ଲଢ଼େଇ । ସୁପର ସଣ୍ଡେରେ ସୁପର ଫାଇଟ୍ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉପରେ କେବଳ ଭାରତ ନୁହେଁ ସାରା ବିଶ୍ବର କ୍ରିକେଟପ୍ରେମୀଙ୍କ ନଜର ରହିଛି । ଅପରାହ୍ଣ ସାଢେ ୨ଟାରେ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତି ସେମି ଫାଇନାଲକୁ ଏଣ୍ଟ୍ରି ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏଥିସହ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର କଡ଼ାଗଣ୍ଡା ବଦଲା ନେବ ।
ଅଧିକ ପଢ଼ନ୍ତୁ : ପାକିସ୍ତାନ ମାଟିରେ ଚାମ୍ପିଅନ୍ସ ଟ୍ରଫି ବେଳେ ବିରାଟ ଭୁଲ୍, ବାଜିଲା ଭାରତର ଜାତୀୟ ସଙ୍ଗୀତ
ଅନ୍ୟପଟେ ପାକିସ୍ତାନ ପାଇଁ କର ବା ମର ମ୍ୟାଚ୍ । ହାରିଲେ ଟୁର୍ଣ୍ଣାମେଣ୍ଟରୁ ଆଉଟ୍ ହେବ । ଏଥିପାଇଁ ଉଭୟ ଦଳ ସ୍ବତନ୍ତ୍ର ରଣନୀତି କରିଛନ୍ତି । ବାଂଲାଦେଶକୁ ପ୍ରଥମ ମ୍ୟାଚରେ ହରାଇଛି ଟିମ୍ ଇଣ୍ଡିଆ । ଜବରଦସ୍ତ ଫର୍ମରେ ରହିଛି ଟିମ୍ ଇଣ୍ଡିଆ । ଫର୍ମରେ ଅଛନ୍ତି ଦୁଇ ଓପନର ରୋହିତ, ଶୁବମନ । ଏମାନେ ଠିଆ ହେଲେ ବଡ଼ ସ୍କୋର ହେବା ନିଶ୍ଚିତ ।
ମିଡିଲ୍ ଅର୍ଡର ବିରାଟ, ଶ୍ରେୟସ ଓ ହାର୍ଦ୍ଦିକଙ୍କ କାନ୍ଧରେ । ଅକ୍ଷର ପଟେଲ୍, ରବୀନ୍ଦ୍ର ଜାଡେଜା ଠିକଣା ସମୟରେ ଦଳ ପାଇଁ ସବୁବେଳେ ଉପଯୋଗୀ ଇନିଂସ ଖେଳି ଆସିଛନ୍ତି । ସେହିପରି ବୋଲିଂରେ ପାକିସ୍ତାନ ପାଇଁ କାଳ ସାଜିବେ ସ୍ପିଡ୍ ଷ୍ଟାର ମହମ୍ମଦ ସାମି ଓ ହର୍ଷିତ ରାଣା । ସ୍ପିନରେ ଘାଇଲା କରିବେ ଅକ୍ଷର ପଟେଲ୍, କୁଳଦୀପ ଯାଦବ ଓ ରବିନ୍ଦ୍ର ଜାଡେଜା ।
ଅନ୍ୟପଟେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରି କର ବା ମର ପରିସ୍ଥିତିରେ ରହିଛି ଆୟୋଜକ ପାକିସ୍ତାନ । ଭାରତଠାରୁ ହାରିଲେ ମହମ୍ମଦ ରିଜୱାନଙ୍କ ଟିମ୍ ସେମିଫାଇନାଲ ରେସ୍ରୁ ଏକପ୍ରକାର ବାଦ୍ ପଡିବ । ତେଣୁ ଟୁର୍ଣ୍ଣାମେଣ୍ଟରେ ରହିବା ପାଇଁ ପୂରା ଦମ୍ ଖଟାଇପାରେ ଟିମ୍ ପାକିସ୍ତାନ । ଆହତ କାରଣରୁ ଦୁର୍ଦ୍ଦଷ ବ୍ୟାଟର ଫଖର ଜମାନ ସ୍କ୍ବାଡରୁ ବାଦ୍ ପଡିବା ପାକିସ୍ତାନ ପାଇଁ ବଡ଼ କ୍ଷତି । ତାଙ୍କ ସ୍ଥାନରେ ଇମାମ-ଉଲ୍-ହକଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିପାରେ ।