• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଘନ ଘନ ପାୱାର କଟ୍‌କୁ ନେଇ ଜନ ଅସନ୍ତୋଷ ପରେ ଚେତିଲେ ରାଜ୍ୟ ସରକାର । ଆଜି ସ୍ଥିତିର ସମୀକ୍ଷା କରି ଦିନରେ ପାୱର କଟ୍ ନକରିବା ଏବଂ ନିରିବଛିନ୍ନ ଭାବେ ବିଜୁଳି ଯୋଗାଇ ଦେବାକୁ ଡିସ୍‌କମ୍‌ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ତେବେ ବିଜୁଳି ବଳକା ରାଜ୍ୟ ବୋଲି ଦାବି କରୁଥିବା ଓଡ଼ିଶାରେ କାହିଁକି ନିଅଣ୍ଟ ପଡୁଛି ବିଦ୍ୟୁତ୍ ? କେବଳ ଦର୍ଲିପାଲି ଏନ୍‌ଟିପିସିର ଏକ ୟୁନିଟ୍ ଅଚଳ ହେବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ନା ଖରା ଦିନ ପାଇଁ ଦୂରଦୃଷ୍ଟିର ଅଭାବ, ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଗ୍ରୀ଼ଡ଼କୋ କହିଛି ଆକଳନ ବାହାରେ ଥିଲା ଏପ୍ରିଲ୍ ମାସର ଡିମାଣ୍ଡ ।

ଘନ ଘନ ବିଜୁଳି କାଟ୍ ଅଘୋଷିତ ଭାବେ ମନଇଛା ହେଉଥିବା ପାୱାର କଟ୍‌କୁ ନେଇ ବଢୁଛି ଅସନ୍ତୋଷ । ପ୍ରବଳ ଖରା ଓ ଗରମ ସମୟରେ ବିଜୁଳିର ଲୁଚକାଳି ଖେଳ ଲୋକଙ୍କୁ ଆକ୍ତାମାକ୍ତା କରିପକାଯାଉଛି । ଏ ଚିତ୍ର ରାୟଗଡା ସଦର ବ୍ଲକ ମାରିଗୁଡା ଗାଁର । ଏଠାକାର ଅନୀତା କଣ୍ଡାଗିରି ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ହେଲେ ପାଠପଢାରେ ବାଧକ ସାଜୁଛି ପାୱାର କଟ୍ । ବିଜୁଳି ଆଲୁଅ ଚାଲିଗଲେ ମୋବାଇଲ୍ ଲାଇଟ୍ ନହେଲେ ଡିବିରି ଆଲୁଅ ହିଁ ବିକଳ୍ପ ସାଜିଛି ।

ସେପଟେ ବାଲେଶ୍ୱର ଭୋଗରାଇ ଅଞ୍ଚଳରେ ବି ଦିନ-ରାତି ଘଣ୍ଟାଘଣ୍ଟା ବିଜୁଳି କାଟ୍ ହେଉଛି । ଏଠିବି ସ୍ଥାନୀୟ ଲୋକଙ୍କ ସହିତ ପରୀକ୍ଷା ଦେବାକୁ ଥିବା ପିଲାମାନେ ବେଶୀ ହଇରାଣ ହେଉଛନ୍ତି । ତେଣେ ବଣାଇ ଅଞ୍ଚଳରେ ଗରମ ଯୋଗଁ ଘରେ ରହିହେଉନଥିବାରୁ ଲୋକେ ଗଛ ତଳେ ଆଶ୍ରୟ ନେଉଛନ୍ତି ।

 

ସାରା ରାଜ୍ୟରେ ଘନଘନ ବିଜୁଳି କାଟ୍ ଓ ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବା ପରେ ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ର ସ୍ଥିତିର ସମୀକ୍ଷା କରିଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିରବଛିନ୍ନ ଭାବେ ବିଜୁଳି ଯୋଗାଇ ଦେବାକୁ ସେ ବିତରଣ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ତାତି ଓ ପିଲାଙ୍କ ପରୀକ୍ଷାକୁ ଦେଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଦିନବେଳା ବିଦ୍ୟୁତ୍ କାଟ ନକରିବାକୁ କୁହାଯାଇଛି । ଏହା ଛଡ଼ା ଅଧିକ ବିଜୁଳି ଉତ୍ପାଦନ ପାଇଁ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନିଗୁଡ଼ିକୁ କୁହଯାଇଛି ।

ରାଜ୍ୟରେ ଏବେ ପିକ୍ ଆୱାରରେ ୪ ହଜାରରୁ ୪ହଜାର ୪ଶହ ମେଗାୱାଟ୍ ବିଜୁଳି ଦରକାର ପଡୁଛି । ତେବେ ବର୍ତ୍ତମାନ ସ୍ଥିତିରେ ୪୫୦ ମେଗାୱାଟ୍ ବିଜୁଳି ନିଅଣ୍ଟ ପଡୁଛି । ତେବେ ଏସବୁ ଭିତରେ ଗ୍ରୀଡ୍‌କୋ କହିଛି ଯେ, ମେ ମାସରେ ବିଦ୍ୟୁତର ଯେତେ ଚାହିଦା ହୁଏ, ଏବର୍ଷ ତା ଯେ ଏପ୍ରିଲ୍ରୁ ଦରକାର ପଡ଼ିବ, ଯାହାକି ଆକଳନ କରିହେଲାନି ।

ତେବେ ବିଦ୍ୟୁତ୍ ବଳକା ରାଜ୍ୟ କହୁଥିବା ଓଡ଼ିଶା, କାହିଁକି ୨୪ ଘଣ୍ଟିଆ ବିଜୁଳି ଯୋଗାଣରେ ବିଫଳ? ସୁନ୍ଦରଗଡ଼ ଦର୍ଲିପାଲିରେ ଏନ୍‌ଟିପିସିର ଏକ ୟୁନିଟ୍ ଅଚଳ ହେବା ପରେ ସେଠାରୁ ଏବେ ୪ଶହ ମେଗାୱାଟ୍ ବିଜୁଳି ମିଳୁନାହିଁ । ଜଳବିଦ୍ୟୁତ ଉତ୍ପାଦନ କ୍ଷମତା ପ୍ରାୟ ୨୧ଶହ ମାଗାୱାଟ୍ ରହିଥିବାବେଳେ ମାତ୍ର ୫ରୁ ୬ଶହ ମେଗାୱାଟ୍ ହିଁ ଉତ୍ପାଦନ ହେଉଛି । ସେହିପରି କୋଇଲା ସଙ୍କଟ ଥିବାରୁ ଅନ୍ୟ ରାଜ୍ୟରୁ ପାୱର ଆଣିବାରେ ବି ସମସ୍ୟା ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ୬ମାସ ପୂର୍ବରୁ ଶକ୍ତି ବିଭାଗ ଯେଉଁ ଯୋଜନା କରିବା କଥା, ତାହା କରିନଥିବା କୁହଯାଉଛି ।

ରିପୋର୍ଟର- ମାଉଡି ବାରିକ, ଅଜିତ ଦାସ, ବିଜୟ ବରୁଆ, ବିବର୍ତ୍ତନ ପଣ୍ଡା ଓ ହରିହର ଚାନ୍ଦ