• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚଳଚଞ୍ଚଳ ରାଜଧାନୀରେ ଖାଁଖାଁ ରାସ୍ତାଘାଟ । ସୂର୍ଯ୍ୟଦେବଙ୍କ ଅଗ୍ନି ବର୍ଷା କାରଣରୁ ରାସ୍ତାକୁ ବାହାରିବାକୁ ସାହାସ କରିପାରୁନାହାନ୍ତି ଲୋକେ । ହେଲେ ଏଠି କିନ୍ତୁ ବିପରିତ ଚିତ୍ର । ଧୁ ଧୁ ଖରାକୁ ବଳି ଯାଉଛି ପେଟର ତାତି । ଖରାକୁ ଖାତିର ନକରି କାମରେ ଲାଗିଛନ୍ତି ଦିନ ମଜୁରିଆ । ଏମାନଙ୍କ ପାଇଁ ସାହାରା ପାଲଟିଛି ମୁଣ୍ଡରେ ବନ୍ଧା ହୋଇଥିବା ଗାମୁଛା ପଗଡି ଓ ପାଣି ବୋତଲ । ଦିନ ୧୧ଟା ପରେ କାମ କରିବାକୁ ବାରଣ କରାଯାଇଥିଲେ ମଧ୍ୟ ପେଟ ପାଇଁ ମୁଣ୍ଡଫଟା ଖରାରେ କାମ କରିବାକୁ ଏମାନେ ବାଧ୍ୟ ହେଉଛନ୍ତି ।

କଟକ ସହରରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି । ଦିନ ୧୦ଟା ପରେ ଏଠି ବାହାରକୁ ବାହାରିବା ମୁସ୍‌କିଲ । ଅତି ଅବଶ୍ୟକ ନଥିଲେ ଲୋକେ ଘରୁ ଗୋଡ କାଢୁ ନାହାନ୍ତି । ସପ୍ତାହେ ହେଲା ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରଭାବକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ରେଳ ଷ୍ଟେସନ ହେଉ କି ବସଷ୍ଟାଣ୍ଡ, ଯେଉଁମାନଙ୍କୁ ଜରୁରୀ କାମରେ ଯିବାକୁ ପଡୁଛି, ସେମାନଙ୍କ କଷ୍ଟ କହିଲେ ନସରେ । ଛାଇ ଟିକିଏ ଓ ପାଣି ମୁନ୍ଦାଏ ଲାଗି ଯାତ୍ରୀଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡୁଛି । କିଏ ଗଛ ତଳ ତ ଆଉ କିଏ ରାସ୍ତାକଡ଼ ଉଠା ଦୋକାନରେ ଛାଇ ଟିକେ ଖୋଜୁଛି ।

ଏତେ ତାତି ସତ୍ତ୍ୱେ ବି ବସଷ୍ଟାଣ୍ଡ ଗୁଡିକରେ ଜଳଛତ୍ର କି ବିଶ୍ରାମଗାର ବ୍ୟବସ୍ଥା ନାହିଁ । କଟକ ବାଦାମବାଡି ଓ ଭଦ୍ରକ ବସଷ୍ଟାଣ୍ଡରେ ହନ୍ତସସ୍ତ ହେଉଛନ୍ତି ଯାତ୍ରୀ । ଏପଟେ ତାତି ବଢିବା ପରେ ତରଭୂଜ, ସର୍ବତ ଓ ଲସି ଦୋକାନରେ ଗରାଖଙ୍କ ଭିଡ଼ ଦେଖିବାକୁ ମିଳୁଛି ।

 

ଏପଟେ ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ରାଜ୍ୟରେ ଖୋଲା ରହିଛି ସ୍କୁଲ । ତେବେ କେଉଁଠି ଶ୍ରେଣୀ ଗୃହରେ ପଙ୍ଖା ଚାଲୁନି ଓ ଆଉ କେଉଁଠି ବିଦ୍ୟୁତ୍‌କାଟ କାରଣରୁ ଝାଳ ସଢସଢ ଦେହରେ ପିଲା କେମିତି ପଢିବେ ପାଠ ତାକୁ ନେଇ ଉଠିଛି ପ୍ରଶ୍ନ । ଦିନ ସାଢେ ୧୦ରେ ସ୍କୁଲ ଛୁଟି ହେଉଛି, ତେବେ ସେତେବେଳକୁ ପାରଦ ୪୦ ଟପି ଯାଉଛି । ଶ୍ରେଣୀରେ ଗୃହରେ ପିଲା ଓ ଶିକ୍ଷକ ଶିକ୍ଷୟିତ୍ରୀ ଯେତିକି ଯନ୍ତ୍ରଣା ପାଉଛନ୍ତି, ତାଠୁ ଅଧିକ ଯନ୍ତ୍ରଣା ପାଉଛନ୍ତି ପିଲାଙ୍କୁ ନେବାକୁ ଆସି ସ୍କୁଲ ବାହାରେ ଅପେକ୍ଷା କରୁଥିବା ଅଭିଭାବକ ।

କାଳବୈଶାଖୀ ପ୍ରଭାବ ଯୋଗୁଁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିଥିଲା । ମାତ୍ର ୪ ଦିନ ହେଲା ପାରଦ କ୍ରମାଗତ ଚଢିବାରେ ଲାଗିଛି । ଆସନ୍ତା ଦିନରେ ତାପମାତ୍ରା ଆଉ ୩ରୁ ୫ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଫଳରେ ଅନୁଗୁଳ, ସୋନପୁର, ବୌଦ୍ଧ, କଟକ, ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।