• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା) : ମନ୍ଦିର ଓ ଐତିହାସିକ ସ୍ଥାନର ପେଣ୍ଠସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲା । ଏଠାରେ ଗୋଟିଏରୁ ଗୋଟିଏ ବଳି ପର୍ଯ୍ୟଟନସ୍ଥଳୀ ରହିଛି। କିଛି ପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ ପୀଠର ମାନ୍ୟତା ଦେଇ ସାରିଥିବା ବେଳେ ଏବେ ବି ଅନେକ ପୀଠ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ଏଭଳି ଏକ ପୀଠ ହେଉଛି ତରଭା କମସରାଠାରେ ଥିବା ରାଣୀଝୁଲା ପାହାଡ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ଏହି ପୀଠକୁ ଏବେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଦାବି ଉଠିଛି ।

ଚାରିଆଡେ ସବୁଜ ବନାନୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପୁରା ପରିବେଶ । ତ୍ରିକୋଣୀୟ ପାହାଡର ଶିଖରରୁ କୁଳୁକୁଳୁ ନାଦରେ ବହି ଆସୁଛି ଝରଣା । ଚାରିପଟେ ରହିଛି ବଣ ଓ ପର୍ବତମାଳା । ଶହ ଶହ ବର୍ଷର ଏହି ପୁରୁଣା ଐତିହାସିକ ପୀଠକୁ ଦେଖିବାକୁ ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟଟକ ଆସୁଥିବାବେଳେ ଶୀତ ଦିନରେ ଏଠାକୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କମସରା ଅଂଚଳରେ ରହିଛି ଏହି ପର୍ଯ୍ୟଟନ ପୀଠ ରାଣୀଝୁଲା ପାହାଡ । ଯେଉଁଠି ରହିଛି ଛୋଟ ବଡ ସାତଗୋଟି ଗୁମ୍ଫା । ଯାହାକି ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରଛି ।

ଇତିହାସ ପୃଷ୍ଠାରୁ ରାଣୀଝୁଲା ପାହାଡ଼

କମସଡ଼ାର ରାଣୀଝୁଲା ପାହାଡ଼ । ଏହି ପାହାଡ଼ର ସ୍ୱତନ୍ତ୍ର ଇତିହାସ ରହିଛି । ଇଂରେଜ ଶାସନ ସମୟରେ ସୋନପୁର ଦରବାରକୁ ଆକ୍ରମଣ କରି ମହାରାଜାକୁ ବନ୍ଦୀ କରାଯାଇଥିଲା । ସେତେବେଳେ ସୋନପୁରର ତତ୍କାଳୀନ ମହାରାଣୀକୁ ଏହି ପାହାଡର ଗୁମ୍ଫାରେ ଲୁଚାଯାଇଥିବା ଇତିହାସରେ ଉଲ୍ଲେଖ ରହିଛି । ଶତ୍ରୁ ମାନଙ୍କ ଭୟରେ ସୋନପୁର ମହାରାଣୀ ଆସି ଏଠାରେ ଆଶ୍ରୟ ନେଇଥିଲେ । ତତ୍କାଳୀନ କମସରା ଜମିଦାର ସହ ସୋନପୁର ମାହାରାଜାଙ୍କ ଭଲ ସମ୍ପର୍କ ରହିଥିବାରୁ ତାଙ୍କ ସହେଯାଗରେ ମହାରାଣୀଙ୍କୁ ଏହି ଗୁମ୍ଫାରେ ଗୋପନରେ ରଖାଯାଇଥିଲା । ରାଣୀ ଆସି ଏହି ପାହାଡ଼ରେ ରହିଥିବାରୁ ଏହାକୁ କୁହାଯାଉଛି ରାଣୀଝୁଲା ପାହାଡ଼ । ଏଣୁ ଐତିହାସିକ ଦୃଷ୍ଟିକୋଣରୁ ଏହି ପାହାଡ ବେଶ ମହତ୍ୱ ରଖେ ।

ରାଣୀଝୁଲା ପାହାଡ଼ରେ ମହାପ୍ରଭୁ ଶ୍ରୀରାମ ଓ ମହାଦେବଙ୍କର ପୂଜା କରାଯାଏ । ଏହି ପାହାଡର ଶିଖରରେ ଏବେ ପ୍ରଭୁ ରାମଚନ୍ଦ୍ର ପ୍ରତିମୂର୍ତ୍ତିକୁ ସ୍ଥାପନ କରିଛନ୍ତି ସ୍ଥାନୀୟ ଲୋକେ । ଆଗକୁ ଶିବ ମହାପ୍ରଭୁଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ସହ ଏହି ସ୍ଥାନକୁ ରମେଶ୍ୱର ନାମରେ ନାମିତ କରିବକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ତେଣୁ ଜଙ୍ଗଲ ବିଭାଗ ତରଫରୁ ଏହାର ଉନ୍ନତିକରଣ କରିବା ସହ ଏକ ଫରେଷ୍ଟ ପାର୍କ କରିବା ପାଇଁ ଦାବି କରାଯାଇଛି । ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏଭଳି ଏକ ପୀଠର ଉନ୍ନତି ସହ ଏହି ପୀଠକୁ ଏକ ପର୍ଯ୍ୟଟନ ପୀଠର ମାନ୍ୟତା ଦେବାକୁ ଦାବି ହୋଇଛି ।