• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଡ଼ମେର : ବିବାହରେ ବାପା ଦେଇଥିବା ଉପହାର ଟଙ୍କା ଦାନ କରିଦେଲେ ନବବିବାହିତା । ବାଳିକା ହଷ୍ଟେଲ ତିଆରି କରିବା ପାଇଁ ୭୫ ଲକ୍ଷ ଦେଇଦେଲେ । ଆଉ ଏଥିରେ ଉଭୟ ବାପା ଓ ସ୍ୱାମୀ ତାଙ୍କୁ ସହଯୋଗ କରିଛନ୍ତି । ରାଜସ୍ଥାନର ବାଡ଼ମେରରେ ଏକ ବିବାହ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଜଣେ ନବବିବାହିତା ବାଳିକା ହଷ୍ଟେଲ ପାଇଁ ଉପହାର ସ୍ୱରୂପ ବାପାଙ୍କ ଠାରୁ ମିଳିଥିବା ୭୫ ଲକ୍ଷ ଟଙ୍କା ଦାନ କରି ଦେଇଛନ୍ତି । ଆଉ ବାପା ମଧ୍ୟ ଖୁସି ଖୁସିରେ ଝିଅର ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି ଏବଂ ତାଙ୍କ ଇଚ୍ଛା ପୂରଣ କରି ସମାଜ ଆଗରେ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି । ଉଭୟ ବାପଝିଅଙ୍କ ଏହି ବଦାନ୍ୟତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି ।

ଅଞ୍ଜଳି ବାଡ଼ମେର ଜିଲ୍ଲାର କନୋଡ ଗାଁର ବାସିନ୍ଦା । ଆଉ ତାଙ୍କ ଗାଁରେ ଝିଅମାନଙ୍କ ପାଇଁ ଉଚ୍ଚଶିକ୍ଷା ସାତ ସପନ । ନବବିବାହିତା ଅଞ୍ଜଳିଙ୍କ ଏହି ପଦକ୍ଷେପ ପଛରେ ତାଙ୍କ ସଂଘର୍ଷର ଏକ ବଡ଼ କାହାଣୀ ରହିଛି । ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ସମସ୍ତଙ୍କ ପରି ସେ ମଧ୍ୟ ପାଠ ପଢ଼ିବା ପାଇଁ ଚାହୁଁଥିଲେ । ହେଲେ ବଢ଼ିଲା ଝିଅ ପାଠପଢ଼ି କ’ଣ କରିବ ବୋଲି କହି କେହି କେହି ଥଟ୍ଟା ପରିହାସ କରିବା ଆରମ୍ଭ କରିଥିଲେ । ପାଠପଢ଼ି ସେ କେଉଁ କଲେକ୍ଟର କିମ୍ବା ଏସପି ହୋଇଯିବ କି ବୋଲି କହୁଥିଲେ ।

ବାଳିକା ହଷ୍ଟେଲ ପାଇଁ ଅଞ୍ଜଳି ୭୫ ଲକ୍ଷ ଟଙ୍କା ଦାନ କରିଛନ୍ତି

ଯୋଧପୁରରେ ଅଞ୍ଜଳି ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିବା ପରେ ସେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଯାଇଥିଲେ । ସେଠାରେ ସ୍ନାତକୋତ୍ତର ସମାପ୍ତ କରିବାପରେ ବର୍ତ୍ତମାନ LLB ପଢ଼ୁଛନ୍ତି । ଏହାରି ଭିତରେ ନଭେମ୍ବର ୨୧ରେ ପ୍ରବୀଣ ସିଂଙ୍କ ସହ ଅଞ୍ଜଳିଙ୍କ ବିବାହ ସ୍ଥିର ହୋଇଥିଲା । ତେବେ ବିବାହରେ ଉପହାର ସ୍ୱରୂପ ୭୫ ଲକ୍ଷ ଟଙ୍କା ଦାବି କରିଥିଲେ ଅଞ୍ଜଳି, ଯେଉଁ ଟଙ୍କାରେ ସେ ହଷ୍ଟେଲ ତିଆରି କରିବାକୁ ଚାହୁଁଥିବା କଥା ମଧ୍ୟ କହିଥିଲେ । ଝିଅର ଇଚ୍ଛାକୁ ସମ୍ମାନ ଜଣାଇ ବିବାହ ଦିନ କନ୍ୟାଦାନରେ ଝିଅକୁ ୭୫ ଲକ୍ଷ ଦେଇଥିଲେ ।

ବାଳିକା ହଷ୍ଟେଲ ନିର୍ମାଣ ପାଇଁ ଅଞ୍ଜଳିଙ୍କ ପିତା କିଶୋର ସିଂ କନୋଡ ପୂର୍ବରୁ ଏକ କୋଟି ଟଙ୍କା ଦାନ କରିସାରିଛନ୍ତି । ୭୫ ଲକ୍ଷ ଟଙ୍କା ଅଧିକ ଦରକାର ପଡ଼ିବାରୁ ପ୍ରୋଜେକ୍ଟ ଅସଂପୂର୍ଣ୍ଣ ରହି ଯାଇଥିଲା । ଅଞ୍ଜଳି ଏସମ୍ପର୍କରେ ଜାଣିବା ପରେ କୌଣସି ବି ପରିସ୍ଥିତିରେ ହଷ୍ଟେଲ ନିର୍ମାଣ ଶେଷ କରିବା ପାଇଁ ଚିନ୍ତା କରିଥିଲେ । ଆଉ ବିବାହରେ ୭୫ ଲକ୍ଷ ଦେବା ପାଇଁ ବାପାଙ୍କୁ କହିଥିଲେ, ଯେଉଁ ଟଙ୍କା ଏବେ ସେ ବାଳିକା ହଷ୍ଟେଲ ପାଇଁ ଦାନ କରିଛନ୍ତି ।