• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଞ୍ଜ ନଇଁଲେ ଘାରୁଛି କୋକୁଆ ଭୟ । ଠେଙ୍ଗାବାଡି ଧରି ରାତିସାରା ଜଗି ରହୁଛନ୍ତି ଗାଁ ଲୋକେ । ଡକାୟତ ଗ୍ୟାଙ୍ଗ ମାତିଥିବା ଖବର ପ୍ରଚାର ପରେ କଳାହାଣ୍ଡି କୋକସରା ଓ ଗଞ୍ଜାମର ଆସିକା ଅଞ୍ଚଳରେ ଖେଳି ଯାଇଛି । ଅଜଣା ଆତଙ୍କ ଧନଜୀବନ ସୁରକ୍ଷା ଚିନ୍ତାରେ ଲୋକଙ୍କ ଆଖିରୁ ନିଦ ହଜିଯାଇଛି । ତେବେ ଗୁଜବକୁ ନେଇ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ପୋଲିସ କହିଛି ।

ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦର ଗାଁରେ ସୂର୍ଯ୍ୟାସ୍ତ ହେବା କ୍ଷଣି ଗାଁର ଛକ ଛକରେ ରୁଣ୍ଡ ହୋଇଛନ୍ତି ପିଲାଠୁ ବୁଢ଼ା । ମାସେ ହେବ ଏହି ଅଞ୍ଚଳରେ ମାତିଛନ୍ତି ଡକାୟତ ଗ୍ୟାଙ୍ଗ୍ ସେମାନଙ୍କ ଦୌରାତ୍ମ୍ୟ ବଢିଯାଇଛି । ଯେ ଘରେ ରହି ବି ଲୋକେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ତେଣୁ ଠେଙ୍ଗାବାଡ଼ି ଧରି ରାତି ତମାମ ଗାଁକୁ ଜଗି ରହୁଛନ୍ତି । ଦଳ ଦଳ ହୋଇ ଗାଁରେ ପଇଁତରା ବି ମାରୁଛନ୍ତି । ଡକାୟତଙ୍କ ସହ ମୁହାଁମୁହିଁ ହୋଇ ଦୁଇ ଜଣ ଆହତ ହୋଇଥିବା ଗାଁ ଲୋକେ କହିଛନ୍ତି । ଏହାସତ୍ତ୍ୱେ ବି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

କଳାହାଣ୍ଡି କୋକସରା ବ୍ଲକରେ ବି ସମାନ ସ୍ଥିତି । ଘୁମେରଗୁଡ଼ା ମାଝୀପଡ଼ା ସମେତ ଆଉ କିଛି ଗାଁରେ ଚୋରି ଓ ଡକାୟତି ସାଙ୍ଗକୁ କିଛି ଅଜଣା ଲୋକ ଆସି ଉତ୍ପାତ କରୁଥିବା ଖବର ମିଳିବା ପରେ ଲୋକେ ଆତଙ୍କିତ । ସଂଧ୍ୟା ନଇଁବା କ୍ଷଣି ସୃଷ୍ଟି ହେଉଛି ଭୟର ବାତାବରଣ । ତେଣୁ ଗାଁ ଲୋକେ ଠେଙ୍ଗାବାଡ଼ି ଧରି ରାତିସାରା ଗାଁକୁ ଜଗୁଛନ୍ତି । ଅଭିଯୋଗ ମିଳିବା ପରେ କୋକସରା ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଛି ।

ତେବେ ସବୁ ଅଞ୍ଚଳରେ ପୋଲିସ ପହଞ୍ଚି ପାରୁନଥିବାରୁ ଲୋକେ ନିଜେ ନିଜର ସୁରକ୍ଷା ବ୍ୟବସ୍ଥା କରିବାକୁ ବାଧ୍ୟ ହୋଇଛନ୍ତି । ଘଟଣାକୁ ନେଇ କିଛି ଦିନ ତଳେ ଲୋକେ ମୋଟେର ଫାଣ୍ଡି ଘେରାଉ କରିଥିଲେ । ତେବେ ଡକାୟତ ଗ୍ୟାଙ୍ଗ ମାତିଥିବା ନେଇ ଗୁଜବ ପ୍ରଚାର ହେଉଥିବା କହିଛି ଧର୍ମଗଡ଼ ପୋଲିସ । ସନ୍ଦିଗ୍ଧଙ୍କୁ ଦେଖିବା କ୍ଷଣି ପୋଲିସକୁ ଜଣାଇବାକୁ ଗାଁ ଲୋକଙ୍କୁ କୁହାଯାଇଛି ।

ୟ ସ୍ମାର୍ଟ ପୋଲିସ, ତୁରନ୍ତ ଯୋଗାଯୋଗ ଲାଗି ଭଳି କି ଭଳି ମୋବାଇଲ ଆପ୍ଲିକେସନ ଓ ତୁରନ୍ତ ସେବା ପହଞ୍ଚାଇବାକୁ କାହିଁ କେତେ ବ୍ୟବସ୍ଥା । ଏସବୁ ଭିତରେ ଲୋକେ ଠେଙ୍ଗାବାଡ଼ି ଧରି ଗାଁ ଜଗିବା କଥା ଟା ହଜମ ହେଉନି । ତେବେ ଅଭିଯୋଗ ସତ୍ତ୍ୱେ କଣ ପାଇଁ ପୋଲିସ, ଲୋକଙ୍କୁ ସୁରକ୍ଷା ପ୍ରଦାନରେ ବିଫଳ ହୋଇଛି ତାହା ବୁଝାପଡୁନି ।

ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା ଓ ଆସିକାରୁ ମନୋଜ ମୁନୀଙ୍କ ରିପୋର୍ଟ