• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାପରେ ତୁ ଭଲରେ ଅଛୁନା... କଣ ଖାଇଛୁ... ପାଖରେ ପଇସା ଅଛିନା... ଭିଡିଓ କଲରେ ପୁଅ ସହ କଥା ହେବାବେଳେ ବାହୁନି କାନ୍ଦୁଛି ମା’ । ଦିନ ନାହିଁ, ରାତି ନାହିଁ ସବୁ କିଛି ଏକାକାର ହୋଇଯାଇଛି ମାଆବାପାଙ୍କ ପାଇଁ । ଡାକ୍ତରୀ ପଢ଼ିବା ପାଇଁ ୨୦୨୦ରେ ୟୁକ୍ରେନର ଖାରକିଭ୍ ନେସନାଲ ମେଡିକାଲ ୟୁନିଭର୍ସିଟି ଯାଇଥିଲେ ରଶ୍ମୀରଞ୍ଜନ । ପାଠ ପଢ଼ି ପୁଅ ଲୋକଙ୍କ ସେବା କରିବ ବୋଲି ସମସ୍ତେ ଚିନ୍ତା କରିଥିଲେ  । ହେଲେ ରୁଷ ସହ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ରଶ୍ମୀଙ୍କ ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକ । 

ଦିନକ ପରେ ସେ ଘରକୁ ଆସିଥାନ୍ତେ । କିଭରୁ ନୂଆଦିଲ୍ଲୀ ପାଇଁ ବିମାନ ଟିକେଟ୍ କାଟିଥିଲେ । ଆଉ ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ରାଜଧାନୀ ଏକ୍ସପ୍ରେସରେ ବି ରିଜର୍ଭ କରି ଦେଇଥିଲେ । ତା ପରେ ପରିବାର ଲୋକଙ୍କୁ ଭେଟିଥାନ୍ତେ । ହେଲେ ରୁଷର ହଠାତ ବୋମା ବର୍ଷଣ ଯୋଗୁଁ ସରକାର କର୍ଫ୍ୟୁ ଲଗାଇଦେଲେ । ବିମାନ ସେବା ବି ବନ୍ଦ ହୋଇଗଲା । ସେହିଦିନରୁ ଅର୍ଥାତ ୨୪ ତାରିଖରୁ ଖାରକିଭରେ ଫସି ରହିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁସ୍ତଫାପୁର ପଞ୍ଚାୟତ ବେଲମଳାର ରଶ୍ମୀରଞ୍ଜନ ସ୍ୱାଇଁ।

ଯୁଦ୍ଧ ହେବା ଆଶଙ୍କା କରି ସେ ୨୫ ତାରିଖରେ ଭାରତ ଫେରି ଆସିବାକୁ ମନସ୍ଥ କରିଥିଲେ । ଏଥିପାଇଁ ପୁଅ ବ୍ୟାଙ୍କ ଆକାଉଣ୍ଟରେ ମାଆ ଲକ୍ଷେ ୫ହଜାର ଟଙ୍କା ଡିପୋଜିଟ୍ କରିଥିଲେ । ନୂଆଦିଲ୍ଲୀକୁ ବିମାନ ଟିକେଟ ଓ ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ରାଜଧାନୀ ଏକ୍ସପ୍ରେସରେ ଟିକେଟ ବୁକ୍ କରି ଦେଇଥିଲେ । ହେଲେ ୨୪ ତାରିଖରେ ରୁଷ ପକ୍ଷରୁ ହଠାତ ବୋମା ବର୍ଷଣ ଓ ଆକ୍ରମଣ ଯୋଗୁଁ ୟୁକ୍ରେନରୁ ଭାରତକୁ ବିମାନ ସେବା ଠପ୍ ହୋଇଯାଇଥିଲା । ତା ପରେ ସମସ୍ତେ ଫସି ରହିଥିଲେ ଖାରକିଭରେ ।

ବିମାନ ସେବା ବନ୍ଦ ହେବା ପରେ ଏକମାତ୍ର ଭରସା ଥିଲା ଟ୍ରେନ୍ । ପଡ଼ୋଶୀ ପୋଲାଣ୍ଡ,ରୋମାନିଆକୁ ଆସି ସେଠାରୁ ପୁଣି ଭାରତ ଫେରି ଫେରିବା ପାଇଁ ଯୋଜନା କରିଥିଲେ । ଏଥିଲାଗି ରୁମରେ ଥିବା ଖାଦ୍ୟ ସାମଗ୍ରୀ ସାରି ଦେଇ ଖାରକିଭ ମେଟ୍ରୋ ଷ୍ଟେସନରେ ପହଞ୍ଚି ଯାଇଥିଲେ ରଶ୍ମୀରଞ୍ଜନ ଓ ସାଥୀରେ ରହୁଥିବା ଆଉ ୩୦୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ। ମେଟ୍ରୋ ଷ୍ଟେସନରେ ପହଞ୍ଚିବା ପରେ ରୁଷ ପକ୍ଷରୁ ଖାରକିଭ ଉପରେ ହୋଇଥିଲା ଆକ୍ରମଣ । ଜୀବନ ଜିଇଁବା ଆଶାରେ ସମସ୍ତେ ସେଇଠାରେ ଅଟକି ରହିଛନ୍ତି । ପଦାକୁ ବାହାରି ହେଉନି । ପାଖରେ ଖାଦ୍ୟ ପଦାର୍ଥ ବି କିଛି ନାହିଁ । ଯାହାକିଛି ଶୁଖିଲା ଖାଦ୍ୟ ଥିଲା ସେଥିରେ ତିନିଦିନ ଚଳିଗଲେ । ଏବେ ପରିସ୍ଥିତି ଅସମ୍ଭାଳ । ବାହାରେ ଦୋକାନବଜାର ଖୋଲା ନାହିଁ କି ଏଟିଏମରେ ଟଙ୍କା ନାହିଁ । ଏ କଥା ଭିଡିଓ କଲରେ କହିବା ପରେ ଘର ଲୋକ ଆଉ ସମ୍ଭାଳି ହେଉନାହାନ୍ତି ।

ୟୁକ୍ରେନରେ ଥିବା ଲୋକଙ୍କୁ ଫେରାଇ ଆଣିବା ଲାଗି ଭାରତ ସରକାର ଉଦ୍ୟମ ଚଳାଇଛନ୍ତି । ରୋମାନିଆ, ପୋଲାଣ୍ଡ ଓ ହଙ୍ଗେରୀରୁ ବିମାନ ଆସୁଛି । ରଶ୍ମୀରଞ୍ଜନ ଓ ସାଥୀ ପିଲାମାନେ ୧୩୦୦ ରୁ ୧୬୦୦ କିଲୋମିଟର ଦୂରରେ ଥିବା ତିନି ଦେଶକୁ ଆସିଲେ ଯାଇ ଭାରତ ଆସିପାରିବେ । ବାହାରେ ବୋମା ଓ ରକେଟ ମାଡ଼ ହେଉଥିବାରୁ ଏତେ ଦୂର ଆସିବା ସମ୍ଭବ ହେଉନାହିଁ। ଏଣୁ ଭାରତ ସରକାର ଖାରକିଭରେ ରହୁଥିବା ପିଲାଙ୍କୁ ଉଦ୍ଧାର କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ନେବା ନିତାନ୍ତ ଜରୁରୀ ବୋଲି କହିଛନ୍ତି ପରିବାର ଲୋକେ । ଡାକ୍ତର ହେବାର ସ୍ୱପ୍ନ ଓ ଜୀବନ ଜିଇଁବାର ଇଛା ମଝିରେ ଫସି ରହିଛନ୍ତି ରଶ୍ମୀରଞ୍ଜନ ଓ ସାଥୀ ପିଲାମାନେ।

ଭଦ୍ରକରୁ ପାର୍ଥସାରଥୀ ନାୟକ