• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚମ ଧୁଡ଼ ଧୁଡ଼ ହେଲାଣି । କଥା କହିବାକୁ ବଳ ପାଉନି । ବେଳେ ବେଳେ କାନକୁ ମଧ୍ୟ ଭଲରେ ଶୁଣା ଯାଉନି । ତଥାପି ସମାଜର ଲୋକଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ନିଜ ସାମର୍ଥ୍ୟରେ କିଛି କରିବା ପାଇଁ ଅଣ୍ଟା ଭିଡିଛନ୍ତି ୮୪ ବର୍ଷୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ଅବସର ପରେ ପେନସନ ପଇସାରେ ନିଜ ଗାଁ ମୁଣ୍ଡରେ ଅବେହଳିତ ଅବସ୍ଥାରେ ପଡ଼ିଥିବା ଗାଧୁଆ ତୁଠର ନିର୍ମାଣ କରାଇଛନ୍ତି । ୬୦ ହଜାରରୁ ଅଧିକ ଟଙ୍କା ଦେଇ କଂକ୍ରିଟ ପାହାଚ ନିର୍ମାଣ କରି ଚର୍ଚ୍ଚାରେ ଅବସରପ୍ରାପ୍ତ ଚକବନ୍ଦୀ ଅଧିକାରୀ ରାମଚନ୍ଦ୍ର ଦାଶ।

୮୪ ବର୍ଷୀୟ ଅବସରପ୍ରାପ୍ତ ସରକାରୀ ଚକବନ୍ଦୀ ଅଧିକାରୀ ରାମଚନ୍ଦ୍ର ଦାଶ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳ-ମଢ଼ିଆଳୀ ପଞ୍ଚାୟତର ଅନ୍ତର୍ଗତ ବନ୍ଦାଳ ଗ୍ରାମରେ ଘର । ଭଲରେ ଚାଲି ପାରୁନଥିଲେ ସୁଦ୍ଧା ପରିଣତ ବୟସରେ ଲୋକଙ୍କ ଚିନ୍ତା ଘାରିଛି । ନିଜ ଗାଁ ମୁଣ୍ଡରେ ଥିବା ଥିବା ନଇରେ ଗାଧୁଆ ତୁଠ ନିର୍ମାଣ କରାଇଛନ୍ତି । ନିଜ ପେନସନ ଟଙ୍କାରୁ ପ୍ରାୟ ୬୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରି ଅଞ୍ଚଳବାସୀଙ୍କ ସୁବିଧା ପାଇଁ ନଦୀଘାଟରେ କଂକ୍ରିଟ ପାହାଚ ନିର୍ମାଣ କରିଛନ୍ତି ରାମଚନ୍ଦ୍ର। ଏହା ଦୀର୍ଘ ଦିନର ସମସ୍ୟା ହୋଇଥିବାରୁ ସ୍ଥାନୀୟ ପଞ୍ଚାୟତ ଓ ପ୍ରଶାସନକୁ ଅବଗତ କରିବା ପରେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଇ ନ ଥିଲେ। ଶେଷରେ ସବୁ ଦିଗରୁ ବିଫଳ ହେବା ପରେ ରାମଚନ୍ଦ୍ର ନିଜର ପେନସନ ଟଙ୍କାରେ ଏହି କାର୍ଯ୍ୟ କରିବାକୁ ସଂକଳ୍ପ ନେଲେ।

ଏହି ତୁଠ ଅନେକ ଦିନ ହେବ ବିପଜ୍ଜନକ ଅବସ୍ଥାରେ ପଡ଼ି ରହିଥିଲା । ଯୁଗ ପରିବର୍ତ୍ତନ ହେଲେବି ଆଜି ଯାଏଁ ଆଖପାଖ ଗାଁର ଲୋକେ ଏହି ଘାଟ ଉପରେ ସମ୍ପୂର୍ଣ ନିର୍ଭର କରନ୍ତି। ପ୍ରତିଦିନ ଗାଧୋଇବା ଓ ଶୌଚ ହେବାକୁ ଆସୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏସବୁ ଦେଖି ସହି ପାରି ନଥିଲେ ସମାଜସେବୀ ରାମଚନ୍ଦ୍ର । ସ୍ଥାନୀୟ ପ୍ରଶାସନ ତଥା ପଞ୍ଚାୟତକୁ ଅନେକଥର ଅବଗତ କଲେ ହେଲେ କିଛି ସୁଫଳ ପାଇଲେ ନାହି ।

ଶେଷରେ ନିଜସ୍ଵ ଉଦ୍ୟମରେ ଏକ କଂକ୍ରିଟ ପାହାଚ ନିର୍ମାଣ କରିବାକୁ ସ୍ଥିର କଲେ ରାମଚନ୍ଦ୍ର । ନିଜସ୍ୱ ପେନସନ ଟଙ୍କାରେ ଘାଟର ମରାମତି କରି ପାହାଚ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ । ତେବେ ଆଜିର ସମାଜରେ ରାମଚନ୍ଦ୍ରଙ୍କ ଭଳି ସମାଜସେବୀଙ୍କ ଏଭଳି ମହାନ୍ କାର୍ଯ୍ୟ ଦେଖି ଆଖ ପାଖ ଅଂଚଳର ଲୋକେ ତାଙ୍କର ପ୍ରଶଂସା କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଭଦ୍ରକରୁ ପାର୍ଥସାରଥୀ ନାୟକଙ୍କ ରିପୋର୍ଟ