• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବରଗଡ଼(ଦୀପକ ଶର୍ମା) : ସକ୍ଷମ ଭିନ୍ନକ୍ଷମ । କାହିରି ଉପରେ ବୋଝ ହେବାକୁ ଚାହାନ୍ତିନି । ସ୍ୱାଭିମାନର ସହ ବଞ୍ଚିବାର ଆଶା ବରଗଡ଼ର ଭିନ୍ନକ୍ଷମ ଯୁବକ ମଧୁସୂଦନ ବାଗଙ୍କୁ ବାଟ କଢ଼ାଉ ନେଉଛି । ପୋଲିଓ ଗ୍ରସ୍ତ ହୋଇ ଜନ୍ମରୁ ଭିନ୍ନକ୍ଷମ, ହେଲେ ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଆଗରେ ହାର ମାନିଛି ଭିନ୍ନକ୍ଷମତା । ଦିନଥିଲା ସେ ଶିକ୍ଷା ସହାୟକ ଭାବେ ପିଲାଙ୍କୁ ପାଠ ପଢ଼ାଉଥିଲେ । ୨୦୦୬ ମସିହାରେ ତାଙ୍କୁ ଚାକିରିରୁ ଛଟେଇ କରିଦିଆଗଲା । ତଥାପି ସେ ହାରିଯାଇନଥିଲେ । କିଛି ସାମଗ୍ରୀ କିଣି ଆଉ କିଛି ନିଜେ ତିଆରି କରି ଟ୍ରାଇ ସାଇକେଲରେ ଘର ଘର ବୁଲି ବିକ୍ରୟ କରି ପରିବାର ପୋଷଣ କରିବା ସହ ଅନ୍ୟ ମାନଙ୍କ ପାଇଁ ସେ ଏବେ ଉଦାହରଣ ପାଲଟିଛନ୍ତି ।

ବରଗଡ଼ ୱାର୍ଡ ନମ୍ୱର ୮ ଖଜୁରଟିକ୍ରାର ମଧୁସୂଦନ ବାଗ । ଜନ୍ମରୁ ଭିନ୍ନକ୍ଷମ । ବାଡ଼ି ଧରି ଚାଲିବାକୁ ପଡ଼େ । ହେଲେ ସେ କେବେ କାହା ଆଗରେ ହାତ ପାତି ନାହାନ୍ତି । ପାରୁପର୍ଯ୍ୟନ୍ତ ପରିବାର ପ୍ରତିପୋଷଣ ପାଇଁ ଚେଷ୍ଟା କରୁଛନ୍ତି । ଏବେ ଟ୍ରାଇ ସାଇକେଲ ପାଲଟିଛି ତାଙ୍କର ଜୀବନ ଜୀବିକାର ମାଧ୍ୟମ । ଟ୍ରାଇ ସାଇକେଲର ଚକ ଗଡ଼ିଲେ ତାଙ୍କର ଜୀବନ ଚକ ମଧ୍ୟ ଆଗକୁ ଗଡ଼ୁଛି । ପାପୋଛ, ଝାଡୁ,ଟଏଲେଟ ସଫା ବ୍ରସ, ଫିନାଇଲ, ବ୍ଲିଚିଂ ପାଉଡର, ମସିଣା, ପ୍ଲାଷ୍ଟିକ ଡବା, ବାଲ୍ଟି, ମଗ, ପିଲାଙ୍କ ଖେଳଣା ପରି ଜିନିଷରେ ଭର୍ତ୍ତି କରି ସକାଳୁ ଘରୁ ବାହାରି ଯାଆନ୍ତି ମଧୁସୂଦନ । ଟ୍ରାଇ ସାଇକେଲରେ ସେ ଘର ଘର ବୁଲି ଏସବୁ ଜିନିଷ ବିକ୍ରୟ କରି ପରିବାର ପୋଷଣ କରୁଛନ୍ତି । ଏଥି ମଧ୍ୟରୁ କିଛି ସାମଗ୍ରୀ ସେ ନିଜେ ସ୍ତ୍ରୀ ପ୍ରମିଳାଙ୍କ ସହ ମିଶି ତିଆରି କରିଥାନ୍ତି । ସବୁ ଜିନିଷ ବିକ୍ରୟ କରି ପୂର୍ବରୁ ଅଢେଇ ଶହରୁ ତିନି ଶହ ରୋଜଗାର ହେଉଥିଲା, ହେଲେ ଏବେ କିନ୍ତୁ ଦିନକୁ ଦେଢ଼ ଶହ ପର୍ଯ୍ୟନ୍ତ ରୋଜଗାର ହେଉଛି ।

ଦିନ ଥିଲା ମଧୁସୂଦନ ସରକାରୀ ସ୍କୁଲରେ ଶିକ୍ଷା ସହାୟକ ଭାବେ ପିଲାଙ୍କୁ ପାଠ ପଢ଼ାଉଥିଲେ । ତେବେ ୨୦୦୬ରେ ତାଙ୍କୁ ଚାକିରିରୁ ଛଟେଇ କରି ଦିଆଯାଇଥିଲା । ପରିବାର ପୋଷଣ ପାଇଁ ବରଗଡ଼ରେ ସେ ଧନ୍ଦା ମୂଳକ ତାଲିମ ନେଇ ଏସବୁ ସାମଗ୍ରୀ ତିଆରି କରିବା ସହ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟପାଇଁ ଉଦାହରଣ ପାଲଟିଛନ୍ତି । ତେବେ ଦୁଃଖର ବିଷୟ ଏହି ପରିବାରକୁ ଏପର୍ଯ୍ୟନ୍ତ ରାସନ କାର୍ଡ ଟିଏ ମିଳିପାରିନାହିଁ । ସରକାରୀ ସହାୟତା କହିଲେ ଭିନ୍ନକ୍ଷମ ଭତ୍ତା ବାବଦକୁ କେବଳ ୭୦୦ ଟଙ୍କା ମିଳୁଛି, ଏଯାଏ ତାଙ୍କୁ ଆବାସ ଘର ଟିଏ ମଧ୍ୟ ମିଳିପାରି ନାହିଁ । ଏମିତି ଦୁର୍ଦ୍ଦଶାରେ ପରିବାର ପୋଷଣ ପାଇଁ ତାଙ୍କୁ ଦିନସାରା ଟ୍ରାଇ ସାଇକେଲର ପେଡାଲ ମାରିବାକୁ ପଡିଥାଏ ।

ତେବେ ସରକାରୀ ସ୍ତରରେ ତାଙ୍କୁ ଗୋଟିଏ ଇ.ରିକ୍ସା ଯୋଗେଇ ଦେବାପାଇଁ ପରିବାର ଓ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି । ତେବେ ଏନେଇ ଆମେ ବରଗଡ଼ ଉପ ଜିଲ୍ଲାପାଳଙ୍କୁ ଭେଟିବା ପରେ ଶୀଘ୍ରରାସନ କାର୍ଡ ଯୋଗେଇ ଦେବା ସହ ଗୋଟିଏ ଇ-ରିକ୍ସା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ତେବେ ଭିନ୍ନକ୍ଷମ ମଧୁସୂଦଙ୍କୁ କେବେ ମିଳୁଛି ସରକାରୀ ସହାୟତା ତାହା ଦେଖିବାକୁ ବାକି ରହିଲା ।