• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିପଦରେ ଶ୍ରୀଜଗନ୍ନାଥ ଧାମର ପ୍ରବେଶ ପଥ- ଅଠରନଳା। ଏହି ଐତିହ୍ୟ ସେତୁର ଖମ୍ବ ଫାଟି ଆଁ କଲାଣି, ଭାସ୍କର୍ଯ୍ୟ ଭୁଷୁଡ଼ି ଗଲାଣି। ଏମିତିକି ଆବର୍ଜନା ପାଣି ପଶି ଗନ୍ଧରେ ଫାଟୁଛି ଅଠରନଳା ପରିବେଶ। ଏହାକୁ ନେଇ ବୁଦ୍ଧିଜୀବୀ ଓ ଗବେଷକ ଅସନ୍ତୋଷ ଝାଡ଼ିଥିବା ବେଳେ ASI କହିଛି, ସୃଷ୍ଟି ହୋଇଥିବା ଫାଟ ଯୋଗୁଁ କୌଣସି ବିପଦ ଆଶଙ୍କା ନାହିଁ। ଖୁବ୍‌ଶୀଘ୍ର ମରାମତି କରାଯିବ ।

ପୁରୀର ଐତିହ୍ୟପୂର୍ଣ୍ଣ ପ୍ରବେଶ ପଥ ଅଠର ନଳାରେ ଫାଟ ଜଳଜଳ। ରିଟେନିଂ ୱାଲ ବି ଦୁର୍ବଳ। ଅଠର ନଳାର ୫ ନମ୍ବର ଖମ୍ବରେ ଏକ ଲମ୍ବ ଫାଟ ରହିଥିବା ବେଳେ ୭ ନମ୍ବର ଓ ୧୭ ନମ୍ବର ଖମ୍ବରୁ ପଥର ଖସିପଡ଼ିଲାଣି। ଓଲଟା ପାହଚ ସଦୃଶ ଖଞ୍ଜା ହୋଇଥିବା ପଥର ବି ଫାଟିବା ଆରମ୍ଭ କଲାଣି। ମଗରମୁଣ୍ଡ, ସିଂହ ମୂର୍ତ୍ତି ଭଳି ଭାସ୍କର୍ଯ୍ୟ ଭାଙ୍ଗିରୁଜି ଗଲାଣି। ଜଗନ୍ନାଥ ଧାମରେ ପାଦ ଦେଉ ଦେଉ ପ୍ରତିଟି ଭକ୍ତ ମୁଣ୍ଡିଆ ମାରୁଥିବା ଏ ଏଣ୍ଟ୍ରି ୱେ’ ସୌନ୍ଦର୍ଯ୍ୟକରଣ ଉଜୁଡ଼ିଗଲାଣି। ଅଠରନଳା ସେତୁ ଖମ୍ବରେ ଓସ୍ତ ଓ ଅନ୍ୟ ଅନାବନା ଗଛ ଉଠି କାନ୍ଥକୁ କରିଦେଲାଣି ଆହୁରି ଦୁର୍ବଳ। ଖାଲି ସେତିକି ନୁହେଁ, ଏକଦା ରାଜ୍ୟ ସରକାର ନୌବିହାର ପରିକଳ୍ପନା କରିଥିବା ଅଠର ନଳା ମୂଷା ନଈରେ ସହରର ମଇଳା ଆବର୍ଜନା ପାଣି ମିଶୁଥିବାରୁ ପୂରା ପରିବେଶ ଗନ୍ଧରେ ଫାଟିପଡ଼ୁଛି। ଅଠରନଳାର ଏଭଳି ଅବସ୍ଥା ପାଇଁ ରାଜ୍ୟ ସରକାର ଓ ଏଏସ୍ଆଇକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ଓ ଗବେଷକ। 

ଇତିହାସ କହେ, ଦଶମ ଶତାବ୍ଦୀରେ କେଶରୀ ରାଜବଂଶ ସମ୍ରାଟ ମତ୍ସ୍ୟ କେଶରୀ ଅଠରନଳାକୁ ନିର୍ମାଣ କରିଥିଲେ । ଅନ୍ୟ ଏକ ମତ ଅନୁସାରେ, ଗଙ୍ଗବଂଶର ରାଜା ଭାନୁଦେବଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା ଅଠରନଳା ସେତୁ । ହଜାରେରୁ ଅଧିକ ବର୍ଷର ଏ ଐତିହ୍ୟ ସ୍ମାରକୀର ରକ୍ଷଣାବେକ୍ଷଣ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା- ଏଏସ୍ଆଇ ଅଧୀନରେ ରହିଛି । ୨୦୧୫ ନବକଳେବରରୁ ୨୦୨୦ ମଧ୍ୟରେ ୫ କୋଟି ଟଙ୍କା ଖର୍ଚ୍ଚ କରି ଏହାର ସୌନ୍ଦର୍ଯ୍ୟକରଣ ହୋଇଥିଲେ ବି ରକ୍ଷଣାବେକ୍ଷଣ ଅଭାବରୁ ଅଠରନଳା ଏବେ ଜରାଜୀର୍ଣ୍ଣ। ଏଏସ୍ଆଇ ଅଧୀକ୍ଷଣ ପ୍ରତ୍ନତତ୍ତ୍ବବିଦ୍ କହିଛନ୍ତି, ନିୟମିତ ବ୍ୟବଧାନରେ ଅଠରନଳା ସ୍ତମ୍ଭଗୁଡ଼ିକର ପଥର ଯୋଡ଼େଇ ସ୍ଥାନକୁ ଟ୍ରିଟମେଣ୍ଟ କରାଯାଏ। ଏବେ ଅଠରନଳାରେ କୌଣସି ବଡ଼ ଫାଟ ନାହିଁ କି ବ୍ରିଜ ପ୍ରତି ବିପଦ ବି ନାହିଁ । କେବଳ ପୁରୁଣା ପଥର ଜଏଣ୍ଟିଂରେ କିଛି କ୍ରାକ୍ ରହିଛି।

ଡକ୍ଟର ଦିବିଶଦ ବ୍ରଜସୁନ୍ଦର ଗଡ଼ନାୟକ, ଅଧୀକ୍ଷଣ ପୂରାତତ୍ତ୍ବବିଦ୍, ଏଏସ୍ଆଇଶ୍ରୀଜଗନ୍ନାଥ ଧାମର ପ୍ରବେଶ ପଥ- ଉଜୁଡ଼ା ଅଠରନଳା ଐତିହ୍ୟର ସରଂକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ କେତେଶୀଘ୍ର ଉଭୟ ରାଜ୍ୟ ସରକାର ଓ ଏଏସ୍ଆଇ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ପୁରୀରୁ ମଧୁସୂଦନ ମିଶ୍ର ଓ ଭୁବନେଶ୍ବରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ଓଟିଭି