• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨୦୨୩ରୁ ଲାଗୁ ହେବ ସ୍କ୍ରାପିଙ୍ଗ୍ ନୀତି । ଯେଉଁଥିରେ ୧୫ ବର୍ଷ ପୁରୁଣା ଯେଉଁ ଗାଡ଼ି ଫିଟନେସ୍ ଟେଷ୍ଟରେ ଫେଲ୍ ହେବ, ସେସବୁ ସ୍କ୍ରାପ୍ ପାଲଟିଯିବ । ଏଥିପାଇଁ ନିକଟରେ ରାଜ୍ୟ ସରକାର ଆଣିଛନ୍ତି ନୂଆ ସ୍କ୍ରାପିଙ୍ଗ୍ ପଲିସି । ହେଲେ ଏଇ ପଲିସିରେ ଯେଉଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା ହୋଇଛି, ତାହା ସମୁଦ୍ରକୁ ଶଙ୍ଖେ କହି ଗାଡ଼ି ମାଲିକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଖାଲି ସେତିକି ନୁହେଁ, ପଲିସିକୁ ବିରୋଧ କରି ଆସନ୍ତାମାସ ୧୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟକୁ ଓହ୍ଲାଇବାକୁ ବି ଚେତାବନୀ ଦେଇଛି ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ଫେଡେରେସନ୍ ।

ଭୁବନେଶ୍ୱର ବରଗଡ଼ ବ୍ରିଟ୍ କଲୋନିର ବଲ୍ଲଭ ସାହୁ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କର ୧୮ ବର୍ଷର ଗାଡ଼ି ହେଲେ, ଆଜି ବି ବଡି, ଇଞ୍ଜିନ୍ ପୂରା ଟିପଟପ୍ । ସବୁ ବେଳେ ତ ନୁହେଁ, କେତେବେଳେ କେମିତି ପରିବାର ସହ ବାହାରକୁ ଯିବା କଥା । ହେଲେ ନୂଆ ସ୍କ୍ରାପିଂ ପଲିସିରେ ଆଗକୁ ତାଙ୍କ କାର୍ କବାଡ଼ି ଖାନା ଯିବ । ତାଙ୍କ କହିବା କଥା ଗାଡ଼ି ସ୍କ୍ରାପ୍ ହେବା ପରେ ଗାଡ଼ି ମାଲିକଙ୍କୁ ସାର୍ଟିଫିକେଟ୍ ସହ ଏକ୍ସ-ସୋରୁମ୍ ମୂଲ୍ୟର ଯେଉଁ ୬ ପ୍ରତିଶତ ଅର୍ଥ ଦିଆଯିବାର ବ୍ୟବସ୍ଥା ରହିଛି, ତାହା କୋଉ କାମକୁ ନୁହଁ । ଅନ୍ତତଃ ଏହି ରାଶିକୁ ୨୦ରୁ ୨୫ ପ୍ରତିଶତକୁ ବୃଦ୍ଧି କରାଯିବାକୁ ଦାବି ହୋଇଛି ।

ସେହିପରି ବାଣିଜ୍ୟିକ ଗାଡ଼ି ଜରିଆରେ ପରିବାର ଚଳାଉଥିବା ସବୁ ପୁରୁଣା ଗାଡ଼ି ମାଲିକଙ୍କ ଭିତରେ ବି ଅସନ୍ତୋଷ ଦାନା ବାନ୍ଧୁଛି । ଏପରିକି ସ୍କ୍ରାପିଂ ପଲିସିକୁ ବିରୋଧ କରି ଟ୍ରକ୍ ଧର୍ମଘଟକୁ ଓହ୍ଲାଇବାକୁ ଘୋଷଣା କରିଛି ଓଡ଼ିଶା ଷ୍ଟେଟ୍ ଟ୍ରକ୍ ଓନର୍ସ ଫେଡେରେସନ୍ ସଂଘ । ଦାବି କରିଛି ପଲିସିରେ ପରିବର୍ତ୍ତନ ଆଣି ସରକାର ସ୍କ୍ରାପିଂ ହେବାକୁ ଥିବା ବାଣିଜ୍ୟିକ ଗାଡ଼ିର ବୟସକୁ ୧୫ ବର୍ଷ ବଦଳରେ ୨୦ ବର୍ଷ କରନ୍ତୁ । ଟିକସ ରିହାତିକୁ ୧୫ ପ୍ରତିଶତରୁ ୨୫ ପ୍ରତିଶତ ଏବଂ ସ୍କ୍ରାପ୍ ଭାଲ୍ୟକୁ ୬ ବଦଳରେ ୧୫ ପ୍ରତିଶତକୁ ବଢ଼ାଯାଉ । ଆସନ୍ତା ୩୧ ତାରିଖ ସୁଦ୍ଧା ସରକାର ଏହା ଉପରେ ବିଚାର ନକଲେ ଜାନୁଆରୀ ୧୧ ତାରିଖରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ମହାସଂଘ ।

ଓଡ଼ିଶା ସ୍କ୍ରାପିଙ୍ଗ୍ ପଲିସି ଅନୁସାରେ ରାଜ୍ୟରେ ଏବେ ୧୮ ଲକ୍ଷରୁ ଅଧିକ ପୁରୁଣା ଅନଫିଟ୍ ଗାଡ଼ି ରହିଛି, ଯାହାକି ସ୍କ୍ରାପ୍ ହେବ ଯୋଗ୍ୟ । ତେଣୁ ସଡ଼କ ଦୁର୍ଘଟଣା ହ୍ରାସ ସହ ପ୍ରଦୂଷଣ ମୁକ୍ତ ଯାତାୟତ ଲାଗି ଲାଗୁ ହୋଇଥିବା ନୂଆ ସ୍କ୍ରାପିଂ ନୀତି ପ୍ରତି ସମସ୍ତଙ୍କ ସହଯୋଗ ଦରକାର ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ।

କେନ୍ଦ୍ର ସରକାରଙ୍କ ସ୍କ୍ରାପେଜ୍ ନୀତି ଅନୁସାରେ, ୨୦୨୩ ଏପ୍ରିଲ ପହିଲାରୁ ଭାରିଯାନ ଓ ୨୦୨୩ ଜୁନ୍ ପହିଲାରୁ ଅନ୍ୟ ସମସ୍ତ ଯାନର ଫିଟନେସ୍ ଟେଷ୍ଟ କେବଳ ସ୍ୱୟଂକ୍ରିୟ ଟେଷ୍ଟିଂ ସେଣ୍ଟରରେ କରାଯିବ । ଯେଉଁ ଗାଡ଼ି ଏହି ଫିଟନେସରେ ବିଫଳ ହେବ, ସେହି ଗାଡ଼ିକୁ ସ୍କ୍ରାପ୍ କରାଯିବ ।