• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇରାନର ଦକ୍ଷିଣପନ୍ଥୀ ସରକାରଙ୍କ ନିଷ୍ଠୁର ପଦକ୍ଷେପ ସତ୍ତ୍ୱେ ପଛକୁ ନହଟିବାକୁ ପଣ କରିଛନ୍ତି ଆନ୍ଦୋଳନକାରୀ ।  ୧୯୭୯ରେ ଇସଲାମୀୟ ବିପ୍ଲବ ପର ଠାରୁ ଇରାନ ସରକାର ପ୍ରଥମ ଥର ଲାଗି ଏଭଳି ବିରୋଧର ସମ୍ମୁଖୀନ ହୋଇଛନ୍ତି  । ମହିଳାମାନେ ଖୋଲାଖୋଲି ହିଜାବ ବାଧ୍ୟତାମୂଳକ ନିର୍ଦ୍ଦେଶର ଅମାନ୍ୟ କରୁଥିବା ବେଳେ ବିଶ୍ୱବ୍ୟାପୀ ସେମାନଙ୍କୁ ସମର୍ଥନ ବଢିବାରେ ଲାଗିଛି । ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟତୋଲ୍ଲା ଖୋମିନିଙ୍କ ଭଉଣୀ ମଧ୍ୟ ହିଜାବ ଆନ୍ଦୋଳକୁ ସମର୍ଥନ କରିବା ସହ ଖୁବ୍ ଶୀଘ୍ର କଠୋରପନ୍ଥୀ ଇସଲାମୀୟ ସରକାରର ପତ୍ତନ ଘଟିବ ବୋଲି କହିଛନ୍ତି । 

ଇରାନରେ ଖୁବ୍ ଶୀଘ୍ର ପଡିବ ଅତ୍ୟାଚାରୀ ଆୟତୋଲ୍ଲା ଖୋମିନି ସରକାରର ଯବନିକା ଏଭଳି ଭବିଷ୍ୟବାଣୀ କରିଛନ୍ତି ଦେଶର ସର୍ବୋଚ୍ଚ ଧାର୍ମିକ ନେତା ଆୟତୋଲା ଖୋମିନିଙ୍କ ଭଉଣୀ ବଦ୍ରି ହୋସିନି । ଖୋମିନି ସରକାରର ନିଷ୍ଠୁରତାର ଶିକାର ହୋଇଥିବା ବଦ୍ରି ହୋସିନି ଖୋଲାଖୋଲି ଆନ୍ଦୋଳନକାରୀଙ୍କୁ ସମର୍ଥନ କରିଛନ୍ତି ।  ଭାଇ ଆୟତୋଲ୍ଲାଙ୍କ ଅତ୍ୟାଚାରର ସାମ୍ରାଜ୍ୟ ଶୀଘ୍ର ଧ୍ୱଂସ ହେବ, ସେ ଏହା ହିଁ କାମନା କରନ୍ତି ବୋଲି କହିଛନ୍ତି ବଦ୍ରି  । ଆନ୍ଦୋଳନକାରୀଙ୍କ ଉପରେ ସରକାର ଯେଉଁଭଳି ଦମନ ଚଳାଇଛନ୍ତି ଆଉ ବେଶି ଦିନ ନୁହଁ ।  ଭାଇଙ୍କ କାର୍ଯ୍ୟଧାରାକୁ ଘୋର ବିରୋଧ କରିବା ସହ ହିଜାବ ବିରୋଧୀ ଆନ୍ଦୋଳନରେ ପ୍ରାଣ ବଳି ଦେଇଥିବା ଲୋକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି ।   

 
ବଦ୍ରିଙ୍କ ସ୍ୱାମୀ ଅଲି ତେହେରାନି । ଆୟାତୋଲ୍ଲା ଖୋମିନିଙ୍କ ଜଣେ କଟୁ ସମାଲୋଚକ ଥିଲେ ।   ୧୯୮୦ ମସିହାରେ ଇରାନ-ଇରାକ ଯୁଦ୍ଧ ସମୟରେ ତାଙ୍କୁ ନିର୍ବାସନ ଦଣ୍ଡ ଭୋଗିବାକୁ ପଡିଥିଲା । ନିର୍ବାସନ ଦଣ୍ଡ ସରିବା ପରେ ୧୯୯୫ରେ ବଦ୍ରି ଓ ତେହେରାନି ଇରାନ ଫେରିଥିଲେ  ।  ହେଲେ ତାପରେ ବି ଦେହେରାନିଙ୍କୁ ପୁଣି ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା ।  ଗତ ଅକ୍ଟୋବର ମାସରେ ତାଙ୍କର ପରଲୋକ ଘଟିଥିଲା । ଏବେ ସ୍ୱାମୀଙ୍କ ପଥକୁ ଅନୁସରଣ କରିଛନ୍ତି ବଦ୍ରି,  ତାଙ୍କ ମନ୍ତବ୍ୟ ଆନ୍ଦୋଳନକାରୀଙ୍କୁ  ଉତ୍ସାହିତ କରିଛି   ।
 
ଗତ ସେପ୍ଟେମ୍ବର ୧୬ ତାରିଖ ୨୨ ବର୍ଷିୟା ଛାତ୍ରୀ ମାସା ଅମିନଙ୍କ ମୃତ୍ୟୁକୁ ନେଇ ଆନ୍ଦୋଳନ ଉଗ୍ର ହୋଇଥିଲା ।  ନିୟମ ମୁତାବକ ହିଜାବ ପିନ୍ଧି ନଥିବାରୁ ତାଙ୍କୁ ଇରାନର ନୈତିକତା ରକ୍ଷାକାରୀ ବାହିନୀ ହତ୍ୟା କରିଥିବା ଅଭିଯୋଗ ଉଠିଥିଲା । ସେବେ ଠାରୁ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି  । ବିଶ୍ୱବ୍ୟାପୀ ଇରାନ ସରକାର ନିନ୍ଦିତ ହୋଇଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କ ଉପରେ ଦମନଳୀଳା ଚଳାଇଛନ୍ତି ।  ପୋଲିସ କାର୍ଯ୍ୟାନୁଷ୍ଠାନରେ ଏଯାଏଁ ୪ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଆନ୍ଦୋଳନକାରୀଙ୍କୁ ସେଠିକାର ସରକାର ଗିରଫ କରିଛନ୍ତି ।  ସେମାନଙ୍କ ଭାଗ୍ୟ କଣ ହେବ ତାକୁ ନେଇ ସାରା ବିଶ୍ୱରେ ଉଦବେଗ ପ୍ରକାଶ ପାଉଛି ।