• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମା’ଙ୍କୁ ନେଇ ଅନେକ କଥା, ଅନେକ କାହାଣୀ । କାରଣ ମା’ ଓ ମମତାର କୌଣସି ପରିସୀମା ନାହିଁ । ସନ୍ତାନ ସନ୍ତତିଙ୍କ ପ୍ରତି ମା’ର ନିଃସ୍ୱାର୍ଥପର ସେବା ଓ ସମର୍ପଣ ଭାବ ଯୁଗେ ଯୁଗେ ପୂଜା ପାଇଆସୁଛି । ଆଜି ସେହି ମା’ଙ୍କୁ ସମ୍ମାନ ଜଣାଇ ସାରା ବିଶ୍ୱ ପାଳୁଛି, ଅନ୍ତର୍ଜାତୀୟ ମାତୃ ଦିବସ । ଏହି ଅବସରରେ ଆଜି ଦେଖିବା ୨ଟି କାହାଣୀ, ଗୋଟିଏରେ ରହିଛି ପିଲାଙ୍କ ପାଇଁ ଜଣେ ମାଆର ସଂଘର୍ଷର କଥା, ଆଉ ଏକ କାହାଣୀରେ ରହିଛି, କିନ୍ନର ହେଲେ ବି ନିରାଶ୍ରୟଙ୍କ ସେବା ଶୁଶ୍ରୁଷା କରି ସାଜିଛନ୍ତି ମା’ । ଏବଂ ସ୍ୱାମୀ ନାହାଁନ୍ତି କି ସମ୍ପର୍କୀୟ: ୩ ପିଲାଙ୍କୁ ମଣିଷ କରିବାକୁ ଏକା ଏକା ଲଢୁଛନ୍ତି ମୋହନାର ରୂପା ବୀର, ସେପଟେ ସେବା ଶୁଶ୍ରୁଷା କରି ଶହ ଶହ ଅସହାୟଙ୍କ ଜନନୀ ସାଜିଛନ୍ତି କିନ୍ନର ଚିନ୍ନୟୀ, ମାତୃ ଦିବସରେ ଏହି ୨ ସ୍ନେହମୟୀଙ୍କ ଜୀବନ୍ତ କାହାଣୀ ।

ବେଳେବେଳେ ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ । ମନ ଭିତରର ଯନ୍ତ୍ରଣା ଆଉ କୋହ ସବୁ, ଲୁହ ହୋଇ ଝରିଆସୁଛି ଆଖିବାଡ଼ ଡେଇଁ । ପ୍ରତ୍ୟେକ କଷ୍ଟ ଆଉ ୩ ପିଲାଙ୍କ ଦାୟିତ୍ୱକୁ ବୋଝେଇ ନିଜ ଅଧୁରା ସଂସାରର ଜଞ୍ଜାଳକୁ ସମ୍ଭାଳି ନେଉଥିବା ୟେ ବି ଜଣେ ମା’। ଗଜପତି ମୋହନା ବ୍ଲକ ଅନ୍ତରବା ଗାଁର ରୂପା ବୀର । କର୍କଟ ରୋଗରେ ସ୍ୱାମୀଙ୍କ ପରଲୋକ ପରଠୁ ନୁଖୁରା କେଶ ଆଉ ଅସଜଡ଼ା ବେଶ ଭଳି ତେଲ ଲୁଣର ସଂସାର ବି ବିଗିଡ଼ିଯାଇଛି । ପାଖରେ କେହି ଆତ୍ମୀୟ ସ୍ୱଜନ ବି ନାହାନ୍ତି ।

ତଥାପି ହାରିନାହାଁନ୍ତି ରୂପା । ୨ ପୁଅ ଆଉ ଗୋଟିଏ ଝିଅକୁ ଏକୁଟିଆ ପାଳିପୋଷି ମଣିଷ କରିବାର ସ୍ୱପ୍ନ ଆଗରେ ସବୁକିଛିକୁ ତୁଚ୍ଛ କରିଦେଇଛନ୍ତି । ଘରୁ ଗୋଡ଼ କାଢ଼ି ଗାଁର ଏକ ହୋଟେଲରେ ଅଇଁଠା ପ୍ଲେଟ ଉଠାଇବା ସହ ବାସନ ମାଜି ଯାହା ରୋଜଗାର କରୁଛନ୍ତି, ସେତିକିରେ ୩ ପିଲାଙ୍କ ସହ ଓଳିଏ ଖାଇ ଓଳିଏ ଉପାସରେ ରହିଲା ଭଳି ଅବସ୍ଥା ତାଙ୍କର । ସରକାରୀ ସହାୟତା କହିଲେ ଟଙ୍କା ୫ ଶହ ଏବଂ ୨୦ କେଜି ଚାଉଳ । ଘର ଖଣ୍ଡେ ନାହିଁ ବୋଲି ପର ଦୟାରେ ଏବଂ ପର ଜାଗାରେ କୁଡ଼ିଆ ଖଣ୍ଡେ କରି ୩ ପିଲାଙ୍କୁ ଧରି ସଂଘର୍ଷ କରୁଛନ୍ତି ମା’ ରୂପା ବୀର ।

ଅନୁଗୁଳର ଚିନ୍ମୟୀ । ଦିନେ ପରିଚୟ ଥିଲା ଗଗନ ବିହାରୀ ଦାସ । ଆଉ ଆଜି ଚିନ୍ନୟୀ ଦାସ । ଚିନ୍ମୟୀଙ୍କ କାହାଣୀରେ କିନ୍ତୁ ନାହିଁ ଗର୍ଭଧାରଣ କରି ମାତୃତ୍ୱ ଲଭିବାର କଥା । କିନ୍ତୁ ସାମାଜିକ ଦାୟିତ୍ୱ, ମଣିଷ ପଣିଆ ଏବଂ ସ୍ନେହଭରା ହୃଦୟ ପାଇଁ ଅନେକଙ୍କ ଲାଗି ବନିଯାଇଛନ୍ତି ମମତାମୟୀ ମା’ । ଦୁଃଖୀ, ଦରିଦ୍ର, ଅବହେଳିତ, ନିଷ୍ପେସିତ, ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ଦୁଃଖ ଦେଖିଲେ ଯେତେବେଳେ ହୃଦୟ ତରଳିଯାଏ । ସହାୟତା ପାଇଁ ପହଞ୍ଚିଯାଏ ତାଙ୍କର ଦୁଇ ହାତ ।

ସେଥିପାଇଁ ତ କିନ୍ନର ହୋଇଥିଲେ ବି କେହି କେବେ ଭିନ୍ନ ଦୃଷ୍ଟିରେ ଦେଖିନାହାଁନ୍ତି ତାଙ୍କୁ । ଇଚ୍ଛା ଥିଲା ମଡେଲିଂ କରିବାକୁ, କିନ୍ତୁ କିନ୍ନର ବୋଲି ସାମାଜିକ, ଆର୍ଥିକ, ପାରିବାରିକ ପ୍ରତିବନ୍ଧକ ଭିତରେ ବଦଳିଗଲା ସବୁକିଛି । ସମୟକ୍ରମେ ଜଗତସିଂପୁର ଜିଲ୍ଲାରେ ଥିବା ପୈତୃକ ଗାଁ ପୋଷଲରୁ ଅନୁଗୁଳକୁ ଚାଲିଆସିଥିଲେ ଚିନ୍ମୟୀ । କେବେ ଟ୍ରକରେ ହେଲପର ସାଜି ତ କେବେ ବରଯାତ୍ରାରେ ନାଚି ରୋଜଗାର କରିବା ପରେ ଏକ ଲେଡିଜ କର୍ଣ୍ଣର କରିଛନ୍ତି ସେ । ସେଥିରୁ ଯାହା ଆୟ ହୁଏ, ତାକୁ ସମାଜସେବାରେ ଖର୍ଚ୍ଚ କରିଆସୁଛନ୍ତି ଚିନ୍ମୟୀ ।

୩ ପିଲାଙ୍କୁ ଦାନା ଯୋଗାଡ଼ ପାଇଁ ମା’ ରୂପା ବୀରଙ୍କ ସଂଘର୍ଷ ଏବଂ କିନ୍ନର ହୋଇଥିଲେ ବି ସେବା ଶୁଶ୍ରୁଷା କରି ଶହ ଶହ ଅସହାୟଙ୍କ ଜନନୀ ସାଜିଥିବା ଚିନ୍ମୟୀଙ୍କ ପ୍ରଚେଷ୍ଟା, ବିଶ୍ୱ ମାତୃ ଦିବସ ଅବସରରେ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

  • Reported by:
  • BIRAJA DAS , Mihir Jati