• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟର ଆଉ ୧୪ ଜିଲ୍ଲାରେ ଗଠନ ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା SDC । ୨୩ ଜିଲ୍ଲାକୁ ବଢ଼ିଲା କଳେବର । ହେଲେ ଆଦିବାସୀଙ୍କ ବିକାଶ ଲାଗି ଗଠନ ହୋଇଥିବା ଏସବୁ SDCର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ଆଦିବାସୀ । ଏପଟେ ନୂଆ SDC ଗଠନକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିରୋଧୀଙ୍କ ଅଭିଯୋଗ, ଜନଜାତିଙ୍କ ପ୍ରତି ନାହିଁ ସରକାରଙ୍କ ଆନ୍ତରିତକା । ସାଧାରଣ ନିର୍ବାଚନ ପୂର୍ବରୁ କେବଳ ଅସନ୍ତୁଷ୍ଟଙ୍କ ଥଇଥାନ ଲାଗି ଖୋଲାଯାଉଛି SDC ।

କାହା ସ୍ୱାର୍ଥରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ? ଆଦିବାସୀଙ୍କ ବିକାଶ ନା ଭୋଟ୍ ବ୍ୟାଙ୍କ ? ଏସ୍‌ଡିସି ନାଁରେ ଆଦିବାସୀଙ୍କୁ ଭୁଆଁ ବୁଲାଉନାହାନ୍ତି ତ’ ସରକାର ? ଆଦିବାସୀଙ୍କ ନିଜସ୍ୱ ପରିଚୟ ଓ ସଂସ୍କୃତିକୁ ବଜାୟ ରଖିବାକୁ ୨୦୧୮ରେ ୯ଟି ଜିଲ୍ଲାରେ ଶୁଭାରମ୍ଭ ହୋଇଥିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ । ହେଲେ ୨୦୧୯ ନିର୍ବାଚନ ପରେ ଆଦିବାସୀଙ୍କ ବିକାଶ କଥା ଭୁଲିଗଲେ ସରକାର । ହୋଇପାରିଲାନି ଆଦିବାସୀଙ୍କ ଉନ୍ନତି । ଏସବୁ ଭିତରେ ୨୪ ନିର୍ବାଚନ ପୂର୍ବରୁ ପୁଣି ୧୪ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ହେଲେ ଆଦିବାସୀଙ୍କ ଅଭିଯୋଗ, ନିର୍ବାଚନ ପାଖେଇ ଆସିଲେ, ଆଦିବାସୀଙ୍କ କଥା ମନେ ପଡ଼େ ସରକାରଙ୍କର । ଏହା କେବଳ ନିର୍ବାଚନୀ ଥୋପ । ପୂର୍ବରୁ ୯ ଜିଲ୍ଲାରେ ଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେବଳ ରାଜନୈତିକ ଫାଇଦା ପାଇଁ ହିଁ ବ୍ୟବହାର ହେଉଛି । ଏହା ଏବେ କେବଳ ନିଜ ଦଳର କର୍ମୀଙ୍କୁ ଠିକା କାମ ଯୋଗାଣ ଲାଗି ଉଦ୍ଦିଷ୍ଟ ।

ଏପଟେ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି । କଂଗ୍ରେସ କହିଛି, ଏବେ ବିଜେଡିରେ ଅନେକ ଅସନ୍ତୁଷ୍ଟ ନେତା ଅଛନ୍ତି । ନିର୍ବାଚନ ପୂର୍ବରୁ ସେମାନଙ୍କୁ ଲଲିପପ୍ ଧରାଇ ଥଇଥାନ କରିବାକୁ ଏ ସ୍ୱତନ୍ତ୍ର ବିକାଶ ପରିଷଦ । ବିଜେପି କହିଛି, ଏ ସରକାରର କେବେ ବି ଜନଜାତିଙ୍କ ପ୍ରତି କୌଣସି ଆନ୍ତରିକତା ନାହିଁ । ଯାହାର ଜବାବ ରଖିଛନ୍ତି ଏସ୍‌ଡିସିର ଉପଦେଷ୍ଟା ପ୍ରଦୀପ ମାଝୀ ।

ରାଜ୍ୟ ଜନସଂଖ୍ୟାର ପ୍ରାୟ ୨୪ ପ୍ରତିଶତ ଆଦିବାସୀ ହୋଇଥିବା ବେଳେ ସେମାନଙ୍କ ସଂସ୍କୃତି, ପରଂପରା ଓ ଐତିହ୍ୟର ସଂରକ୍ଷଣ ଉଦ୍ଦେଶ୍ୟରେ SDC ଗଠନ କରାଯାଇଛି ।