• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଶିବକୁମାର ନା ସିଦ୍ଦରମେୟା? କିଏ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ। ବିଧାନସଭା ନିର୍ବାଚନରେ କଂଗ୍ରେସର ଆଖି ଝଲସା ବିଜୟ ପରେ ସମସ୍ତଙ୍କ ଫୋକସ୍ ଏହା ଉପରେ। ଏଥିପାଇଁ ଦଳ ଏକ ତିନିଜଣିଆ ପର୍ଯ୍ୟବେକ୍ଷକ ଟିମ୍ ନିଯୁକ୍ତ କରିଥିବା ବେଳେ, ସେପଟେ ସଂଧ୍ୟାରେ ବସୁଛି କଂଗ୍ରେସ୍ ବିଧାୟକ ଦଳ ବୈଠକ।

ଗୋଟେପଟେ ବରିଷ୍ଠ ଓ ବିଚକ୍ଷଣ ପ୍ରଶାସନିକ ଦକ୍ଷତା ଥିବା ନେତା ସିଦ୍ଦରମେୟା। ଅନ୍ୟପଟେ ବିଧାନସଭା ନିର୍ବାଚନରେ ଅସମ୍ଭବକୁ ସମ୍ଭବ କରିଥିବା ଦକ୍ଷ ନେତା ଡି.କେ. ଶିବକୁମାର। ଏ ଦୁହିଁଙ୍କ ଭିତରୁ କାହାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ବାଛିବ କଂଗ୍ରେସ? ଏମାନଙ୍କ ଭିତରୁ କିଏ ହେବେ ସାଢ଼େ ୬ କୋଟି କର୍ଣ୍ଣାଟକବାସୀଙ୍କ ମୁଖିଆ ? ବିଧାନସଭା ନିର୍ବାଚନରେ ଅଭୂତପୂର୍ବ ସଫଳତା ପରେଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଦ୍ବନ୍ଦ୍ବରେ ଦଳ।

କାରଣ ସିଏମ୍ ପଦ ଲାଗି ଏବେ ଦୌଡ଼ରେ ଦୁଇ ପ୍ରମୁଖ ଦାବିଦାର। ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଅନ୍ୟଜଣେ ରାଜ୍ୟ ପିସିସି ସଭାପତି ଡିକେ ଶିବକୁମାର। ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବା ଲାଗି ନିଜ ନିଜ ସମର୍ଥକଙ୍କ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା। ଆଜି ବେଙ୍ଗାଲୁରୁର ବିଭିନ୍ନ ଅଞ୍ଚଳରେ ଉଭୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ହେବା ସମର୍ଥନରେ ପୋଷ୍ଟର ମାରିଛନ୍ତି ସମର୍ଥକ।

ସେହିଭଳି ଦୁହିଁଙ୍କ ବାସଭବନକୁ ସମର୍ଥିତ ବିଧାୟକମାନଙ୍କ ଯିବା ଆସିବା ଲାଗି ରହିଛି। ଏହାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଥିିବାରୁ ସିଦ୍ଦରମେୟାଙ୍କ ସହ ତାଙ୍କର ଆଦୌ କୌଣସି ମତ ପାର୍ଥକ୍ୟ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି ଶିବକୁମାର।

ଏବେ ନଜର ପକାନ୍ତୁ, କାହାର ପଲ୍ଲା ଭାରି। ଡିକେ ଶିବକୁମାରଙ୍କଠାରୁ ବରିଷ୍ଠ ଓ ଅଭିଜ୍ଞ ସିଦ୍ଦରମୈୟା ୨୦୧୩ରୁ ୨୦୧୮ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ପ୍ରଶାସନ ଚଳାଇବାରେ ତାଙ୍କର ପୂର୍ଣ୍ଣ ଦକ୍ଷତା ଓ ଦୀର୍ଘ ଅଭିଜ୍ଞତା ରହିଛି। ସେ କର୍ଣ୍ଣାଟକର ତୃତୀୟ ବୃହତ ଜନସଂଖ୍ୟା କୁରୁବା ସମୁଦାୟରୁ ପ୍ରତିନିଧିତ୍ବ କରୁଛନ୍ତି। ରାଜ୍ୟରେ ଘୋଷଣାପତ୍ର ପ୍ରତିଶ୍ରୁତି ପୂରଣରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିିଥିବା ସିଦ୍ଦରମୟାଙ୍କ ପାଇଁ ଏହା ହୁଏତ ଶେଷ ସୁଯୋଗ।

ସେପଟେ ବିଚକ୍ଷଣ ସାଂଗଠନିକ ଦକ୍ଷତା ସହ ବିଜେପିକୁ ଟକ୍କର ଦେବା ଭଳି ରଣନୀତି ପ୍ରସ୍ତୁତ କରିପାରୁଥିବା ଶିବକୁମାର କଂଗ୍ରେସର ଟ୍ରବୁଲସୁଟର ଭାବେ ଜଣାଶୁଣା। ନିର୍ବାଚନରେ ବିଜୟୀ ହୋଇଥିବା ଅଧିକାଂଶ ବିଧାୟକଙ୍କ ଉପରେ ତାଙ୍କ ପ୍ରଭାବ ରହିଛି । ଗତ ୪ ବର୍ଷ ଧରି ସଂଗଠନ ସମ୍ଭାଳିବା ଓ ସମସ୍ତଙ୍କୁ ଏକଜୁଟ୍ କରି କର୍ଣ୍ଣାଟକରେ କଂଗ୍ରେସ ମୁହଁରେ ହସ ଫୁଟାଇଛନ୍ତି ସେ। ଏହାରି ଭିତରେ ଦ୍ବନ୍ଦ୍ବରେ ଥିବା କଂଗ୍ରେସ ମୁଖ୍ୟମନ୍ତ୍ରୀ ଚୟନ ଲାଗି କର୍ଣ୍ଣାଟକରେ ଏକ ୩ ଜଣିଆ ପର୍ଯ୍ୟବେକ୍ଷକ ଦଳ ନିଯୁକ୍ତ କରିଛନ୍ତି ସଭାପତି ମଲ୍ଲିକାର୍ଜୁନ ଖଡଗେ।

ସେପଟେ ଉଭୟ ନେତାଙ୍କ ଭିତରୁ କାହାକୁ ଅସନ୍ତୁଷ୍ଟ ନକରିବା ଲାଗି ଦଳ ଉଭୟଙ୍କୁ ଅଢେଇ ବର୍ଷ ଲେଖାଏଁ କ୍ଷମତାଶୀନ କରିବା ଫଣ୍ଡା ବି ଆପଣାଇପାରେ ବୋଲି ଚର୍ଚ୍ଚା ହେଉଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରେସରେ ସିଦ୍ଦରମେୟା ଓ ଶିବକୁମାର ନାଁ ଆଗରେ ଥିଲେ ବି ଏମବି ପାଟିଲ, ଜି ପରମେଶ୍ୱର ମଧ୍ୟ ଆଗ୍ରହୀ ଥିବା ସୂଚନା ମିଳିଛି।