• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ମଣ୍ଡିରେ ପଡି ରହିଛି ଶହ ଶହ ବସ୍ତା ଧାନ । ଦିନରେ ଖରା ମାଡ, ରାତିରେ ହାଡଭଙ୍ଗା ଜାଡ । ଖୋଲା ଆକାଶ ତଳେ କଷ୍ଟ ଅର୍ଜିତ ଅମଳ ଧାନକୁ ଜଗି ରହିଛି ଚାଷୀ । ଏଭଳି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ୍ ବରି ପଂଚାୟତର ଚଣ୍ଡିଘର ସେବା ସମବାୟ ସମିତିରେ ଦେଖିବାକୁ ମିଳିଛି । ଧାନ ବିକ୍ରି ପାଇଁ ୧୫ ତାରିଖରେ ଟୋକନ ପାଇଥିଲେ ଚାଷୀ ।

ହେଲେ ଏଯାଏଁ ବିକ୍ରି କରିପାରୁ ନାହାଁନ୍ତି । କାରଣ, ୧୨ ଦିନ ହେଲାଣି ଆନ୍ଦୋଳନରେ ବସିଛନ୍ତି ସେବା ସମବାୟ ସମିତିର ଶହ ଶହ କର୍ମଚାରୀ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ।

ରେମୁଣା ବ୍ଲକ କୁରୁଡା ସେବା ସମବାୟ ସମିତିରେ ତାଲା ଝୁଲୁଛି । ଏଠାରେ ପାଖାପାଖି ହଜାରେ ଚାଷୀ ନାଁ ପଞ୍ଜିକୃତ କରିଛନ୍ତି । ତାଭିତରୁ କିଛି ଜଣଙ୍କର ଟୋକନ ପାଇ ଧାନ ବିକ୍ରୀ ଅବଧି ସରିଗଲାଣି । ହେଲେ ଏଯାଏଁ ଧାନ ଯେମିତି ସେମିତି ରହିଛି । ବାଲେଶ୍ୱର ଜିଲ୍ଲାରେ ୯୦ ହଜାର ୫୧୫ ଜଣ ଚାଷୀ ଧାନ ବିକ୍ରି ପାଇଁ ନାଁ ପଞ୍ଜିକୃତ କରିଛନ୍ତି । ୧୭ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ହେଲେ ମାତ୍ର ୬୨ ଜଣଙ୍କଠାରୁ ୨ ହଜାର କୁଇଣ୍ଟାଲ ଧାନ କିଣିଛି ଆରଏମ୍‌ସି । ବାଲେଶ୍ୱର ଜିଲ୍ଲାରେ ୧୪୩ ଓ ଭଦ୍ରକ ଜିଲ୍ଲାରେ ୧୦୮ଟି ସେବା ସମବାୟ ସମିତି ଥିବା ବେଳେ ଗୋଟିଏ ବି ଖୋଲିପାରିନି ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ୍ ମାୟାବର୍ହା ମଣ୍ଡିରେ ବି ଅଚଳାବସ୍ଥା । ଶୀତ କାକରରେ ୧୫ ଦିନ ହେଲାଣି ଅମଳ ଧାନର ଜଗୁଆଳୀ ସାଜିଛି ଚାଷୀ । ପାଲ ଘୋଡାଇ ଧାନ କିଣା ତାରିଖକୁ ଅନାଇ ରହିଛି । ଟୋକନ ମିଳିସାରିଛି, ହେଲେ ମଣ୍ଡିକୁ ଆସୁନାହାଁନ୍ତି ମିଲର । ଖୋଲା ଆକାଶ ତଳେ ଗଦା ହୋଇ ରହିଛି ୨ ହଜାରରୁ ଅଧିକ ବସ୍ତା ଧାନ । ସେପଟେ ଧାନର ଅଭାବୀ ବିକ୍ରି ଓ ମିଲ୍ ମାଲିକଙ୍କ ଦ୍ୱାରା କଟନୀ ଛଟନୀ ହେଉଥିବା ଅଭିଯୋଗ ଆଣି ସମ୍ବଲପୁରରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀ ଧାରଣା ଦେଇଛନ୍ତି । ଆଗକୁ ଧାନ ସଂଗ୍ରହ ବ୍ୟବସ୍ଥା ବ୍ୟବସ୍ଥିତ ନହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ଚାଷୀ ଚେତାବନୀ ଦେଇଛନ୍ତି ।

ମଣ୍ଡିରେ ଧାନବିକ୍ରିକୁ ନେଇ ଅବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ସେ କହିଛନ୍ତି, ରାଜ୍ୟରେ ମିଲର୍ସ-ବିଜେଡି ମଧୁଚନ୍ଦ୍ରିକା ଚାଲିଛି । ଓଡ଼ିଶାବାସୀଙ୍କ ସହ ବିଜେଡି ଧୋକାବାଜି କରୁଛି । ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଟୋକନ ବ୍ୟବସ୍ଥା ଓ ଟେକନୋଲଜି ଦୃଷ୍ଟିରୁ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ସୁଚାରୁ ରୂପେ ଚାଲିଛି ।