• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଛାଇ କେବେ ସାଥ୍ ଛାଡ଼େନି ବୋଲି ସଭିଏଁ ଜାଣନ୍ତି । ହେଲେ ଆଜି ଭୁବନେଶ୍ୱରରେ ପିଛା ଛାଡ଼ିଦେଲା ଛାଇ । ୨ ମିନିଟ୍ ପାଇଁ ପୂରାପୂରି ଉଭେଇଗଲା । ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ବିଜ୍ଞାନର ଏମିତି ଚମତ୍କାରର ସାକ୍ଷୀ ପାଲଟିଥିଲେ ଶହ ଶହ ପିଲା ଓ ଅଭିଭାବକ ।

ଛାଇ-ଆଲୁଅର ଅଦ୍ଭୁତ ଖେଳ । ସକାଳୁ ଛାଇ ଥିଲା, ମଧ୍ୟାହ୍ନରେ ଉଭେଇଗଲା । ଦୁଇ ମିନିଟ୍ ପାଇଁ ଭୁବନେଶ୍ୱର ପାଲଟିଲା ଛାୟାଶୂନ୍ୟ ସହର । ଆଉ ଏ ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବାକୁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ହୋଇଥିଲା ସ୍ୱତନ୍ତ୍ର ଆୟୋଜନ । ପାଳନ ହୋଇଥିଲା ଜିରୋ ସ୍ୟାଡୋ ଡେ ବା ଶୂନ୍ୟ ଛାୟା ଦିବସ । ପ୍ଲାନେଟାରିୟମ ପରିସରରେ ସକାଳୁ ସ୍ୱଚ୍ଛ କାଚ ଉପରେ ବିଭିନ୍ନ ବସ୍ତୁକୁ ଖରାରେ ରଖାଯାଇଥିଲା ଓ ଏହାର ଛାଇକୁ ଅନୁଧ୍ୟାନ କରାଯାଇଥିଲା ।

ଦିନ ୧୧ଟା ପୂର୍ବରୁ ବସ୍ତୁଗୁଡ଼ିକର ଛାଇ ମୋଟା ଥିଲା । ହେଲେ ସମୟ ବଢ଼ିବା ସହ ଧୀରେ ଧୀରେ ଛାଇ ପତଳା ହେବାରେ ଲାଗିଲା । ପୂର୍ବାହ୍ନ ୧୧ଟା ୪୩ରେ ହଠାତ୍ ଏକଦମ୍ ଛୋଟ ହୋଇଗଲା ଛାଇ । ଲାଗିଲା ଯେମିତି ଛାଇ ବିଲକୁଲ ହିଁ ନାହିଁ । ଏମିତିକି ପିଲାଙ୍କୁ ନେଇ ହୋଇଥିବା ଗୋଲାକାର ମାନବ ଶୃଙ୍ଖଳରେ ଶରୀରର ଛାଇ ନଥିଲା ଭଳି ଲାଗୁଥିଲା । ଯାହାକି ପିଲାଙ୍କଠାରୁ ନେଇ ଅଭିଭାବକଙ୍କ ଯାଏଁ, ସଭିଁଙ୍କ ମନରେ ସୃଷ୍ଟି କରିଥିଲା କୌତୁହଳ ।

ଏବେ ପ୍ରଶ୍ନ, କାହିଁକି ଉଭେଇଗଲା ଛାଇ ? କ’ଣ ଏହା ପଛର ରହସ୍ୟ ? ପଠାଣୀ ସାମନ୍ତ ପ୍ଲାନେଟାରିୟମ ଉପ-ନିର୍ଦ୍ଦେଶକଙ୍କ ମତରେ, କୌଣସି ବସ୍ତୁ ଉପରେ ଆଲୋକ କିମ୍ବା ସୂର୍ଯ୍ୟ କିରଣ ପଡ଼ିଲେ ଛାଇ ନିଶ୍ଚୟ ସୃଷ୍ଟି ହେବ । ସୂର୍ଯ୍ୟ କିରଣ ତୀର୍ଯ୍ୟକ୍ ରହିଲେ ଲମ୍ବା ଛାଇ ସୃଷ୍ଟି ହୁଏ । ବସ୍ତୁର ମୁଣ୍ଡ ଉପରେ ଅର୍ଥାତ୍ ପୃଥିବୀ ପୃଷ୍ଠ ସହ ୯୦ ଡିଗ୍ରୀରେ ସୂର୍ଯ୍ୟ ରହିଲେ, ଛାଇ ବସ୍ତୁର ଠିକ୍ ତଳେ ରହିଯାଏ । ପୃଥିବୀ ପୃଷ୍ଠ ଉପରେ କେବଳ କର୍କଟ କ୍ରାନ୍ତି ଓ ମକର କ୍ରାନ୍ତି ମଧ୍ୟରେ ଥିବା ଅଞ୍ଚଳଗୁଡ଼ିକରେ ବର୍ଷକୁ ଦୁଇ ଦିନ ମଧ୍ୟାହ୍ନ ବେଳକୁ ସୂର୍ଯ୍ୟ ବସ୍ତୁର ଠିକ୍ ଉପରେ ରହିଥାଏ । ଫଳରେ ଏହି ଦୁଇ ଦିନର କିଛି ସମୟ ବସ୍ତୁର କୌଣସି ଛାଇ ଦେଖାଯାଇ ନଥାଏ।

ଭୁବନେଶ୍ୱରରେ ପୁଣିଥରେ ଜୁଲାଇ ୨୨ରେ ଶୂନ୍ୟ ଛାୟା ଦେଖାଯିବାକୁ ଥିବାବେଳେ କଟକରେ ଆସନ୍ତାକାଲି ଓ ଜୁଲାଇ ୨୧, ବୁର୍ଲାରେ ମେ’ ୨୮ ଓ ଜୁଲାଇ ୧୫, ରାଉରକେଲାରେ ଜୁନ୍ ୨ ଓ ଜୁଲାଇ ୧୦, ବଲାଙ୍ଗୀରରେ ମେ’ ୨୩ ଓ ଜୁଲାଇ ୨୦ରେ ଶୂନ୍ୟ ଛାୟା ଦେଖିବାକୁ ମିଳିବ ।

  • Reported by:
  • KAPILENDRA PRADHAN