/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684681812.jpg)
Minister Naba Das
ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଏଯାଏଁ ରହସ୍ୟ ତ ଉନ୍ମୋଚନ ହୋଇପାରିଲାନି, ତେଣେ ସପ୍ତାହେ ପରେ ଘଟଣାକୁ ୧୨୦ ଦିନ ପୂରିବାକୁ ଯାଉଥିବାବେଳେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ବି ଦାଖଲ କରିପାରିନି । ଯାହାକି ହତ୍ୟାକାରୀକୁ ଖସାଇବାର ଏକ ଚକ୍ରାନ୍ତ ହୋଇଥାଇପାରେ ବୋଲି ଝାରସୁଗୁଡ଼ାବାସୀ ସନ୍ଦେହ କରୁଥିବାବେଳେ ଆଇନଜୀବୀ କହିଲେଣି, ତଦନ୍ତକାରୀ ସଂସ୍ଥା ଜାଣିଶୁଣି ସମୟ ଗଡ଼ାଉ ଥାଇପାରେ।
ଜାନୁଆରୀ ୨୯ , ୨୦୨୩..ସ୍ପଷ୍ଟ ଦିବାଲୋକ ଓ ଭରପୁର ସମର୍ଥକ ଥିବାସତ୍ତ୍ବେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା କଲା ପୋଲିସ ଏଏସ୍ଆଇ ଗୋପାଳ ଦାସ । ପଶ୍ଚିମ ଓଡ଼ିଶାର ଏ ଟାଣୁଆ ନେତାଙ୍କ ହତ୍ୟାକୁ ଆସନ୍ତା ମେ ୨୮ ତାରିଖରେ ପୂରିବ ୧୨୦ ଦିନ । ହେଲେ ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଦାଖଲ କରି ପାରିଲାନି ମାମଲାର ଚାର୍ଜସିଟ୍ । ଯାହାକୁ ନେଇ ଝାରସୁଗୁଡ଼ାବାସୀ ଓ ବୁଦ୍ଧିଜୀବୀଙ୍କ ମନରେ ବଢୁଛି ଅସନ୍ତୋଷ । ଏମିତିକି କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ନେଇ ବି ସୃଷ୍ଟି ହୋଇଛି ଶଙ୍କା । ତା’ସହ ସେମାନଙ୍କ ପ୍ରଶ୍ନ- ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ ଦାସ କରିଥିବା ହତ୍ୟା ରହସ୍ୟ କ୍ରାଇମବ୍ରାଞ୍ଚ ଭେଦିପାରୁନି ନା ଭେଦିବାକୁ ଚାହୁଁନି ? କାହିଁକି ଏତେ ଦିନ ହେଲା ଗୋପାଳର କ୍ରାଇମ୍ ମୋଟିଭକୁ ଧରିପାରୁନି ତଦନ୍ତକାରୀ ସଂସ୍ଥା ?
ଗୋପାଳ କେବଳ ଏକ ମୋହରା ଓ ନବଙ୍କ ହତ୍ୟା ପଛରେ ବହୁ ବଡ଼ ବଡ଼ ଲୋକଙ୍କ ହାତ ଥିବା ଓ ବିରାଟ ଷଡ଼ଯନ୍ତ୍ର ହୋଇଥିବାର ସନ୍ଦେହ କରୁଛନ୍ତି ଅଞ୍ଚଳବାସୀ । ଏମିତିକି ୟା ଭିତରେ ନବ ଦାସଙ୍କ ଝିଅ ଦୀପାଳି ଦାସ ଝାରସୁଗୁଡ଼ା ଉପନିର୍ବାଚନ ଜିତି ବିଧାୟିକା ହୋଇ ସାରିଥିଲେ ବି ସେ ବାପାଙ୍କ ହତ୍ୟାର ରହସ୍ୟ ଉନ୍ମୋଚନ ପ୍ରତି ବ୍ୟଗ୍ରତା ପ୍ରକାଶ ନକରିବାକୁ ନେଇ ବି ଉଠିଛି ପ୍ରଶ୍ନ ।
ଆଇନ୍ କହୁଛି କୌଣସି ଅପରାଧର ୧୨୦ ଦିନ ଭିତରେ ପୋଲିସ ହେଉ କି ଅନ୍ୟ ତଦନ୍ତକାରୀ ସଂସ୍ଥା ମୁଦଲା ବିରୋଧରେ ଚାର୍ଜସିଟ୍ ଦାଖଲ କରିବା କଥା । ନଚେତ୍ ଧାରା ୧୬୭ର ସବସେକସନ (୨) ସିଆରପିସିରେ ଅଭିଯୁକ୍ତ ଜାମିନ୍ ପାଇଯିବ ଓ ମାମଲାରୁ ମୁକୁଳି ଯିବାର ବି ଯଥେଷ୍ଟ ସମ୍ଭାବନା ରହିଛି । ଏଠି ପ୍ରଶ୍ନ କାହିଁକି ଚାର୍ଜସିଟ୍ ଦେବାରେ ବିଳମ୍ବ କରୁଛି କ୍ରାଇମବ୍ରାଞ୍ଚ ? ହତ୍ୟାକାଣ୍ଡ ସ୍ଥଳରୁ ଅଭିଯୁକ୍ତକୁ ଧରିଛି ଓ ତିନିଟି ପର୍ଯ୍ୟାୟରେ ୧୩ ଦିନ ରିମାଣ୍ଡରେ ନେଇ ପଚରାଉଚରା ବି କରିଛି ।
ଖାଲି ସେତିକି ନୁହେଁ ଗୁଜରାଟରେ ନାର୍କୋ ଟେଷ୍ଟ ମଧ୍ୟ କରାଇଛି । ତଥାପି କାହିଁକି ରହସ୍ୟ ଉନ୍ମୋଚନ କରିପାରୁନି । ତେଣେ ଗୋପାଳକୁ ପାଗଳ ବୋଲି ପ୍ରମାଣିତ କରିବାକୁ କ୍ରାଇମବ୍ରାଞ୍ଚର ସବୁ ଉଦ୍ୟମ ଫସର ଫାଟିଯାଇଛି। ତେଣେ ଚାର୍ଜସିଟ୍ ଦାଖଲରେ ବିଳମ୍ବ ମୁଦଲାକୁ ଖସାଇବାରେ କ୍ରାଇମବ୍ରାଞ୍ଚର ଏକ ଅଭିସନ୍ଧି ବୋଲି ଧରାଯିବ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ । ତେଣେ ପୂର୍ବତନ ପୋଲିସ ଡିଜି କହିଛନ୍ତି ହୁଏତ ତଦନ୍ତର ଅଧିକ ତଥ୍ୟ ହାସଲ ପାଇଁ ଚାର୍ଜସିଟ୍ ଦାଖଲ ବିଳମ୍ବ ହୋଇଥାଇପାରେ, ତେବେ ନିର୍ଦ୍ଧାରିତ ସମୟରେ ଏହା ଦାଖଲ କରିନପାରିଲେ ଏଥିପାଇଁ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ ।
ତେବେ ଏ ସଂପର୍କରେ ନବ ଦାସଙ୍କ ଝିଅ ଦୀପାଳି ଦାସ କିମ୍ବା କ୍ରାଇମବ୍ରାଞ୍ଚର ପ୍ରତିକ୍ରିୟା ହସ୍ତଗତ ହୋଇପାରିନି । ତେବେ ଦେଖିବାର କଥା ହେଭିୱେଟ୍ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ ପାଇଁ ଆଉ କେତେ ଦିନ ଲାଗୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)