Advertisment

Olive Ridley: ଗହୀରମଥାର ମୋହ ଛାଡ଼ିପାରି ନାହାନ୍ତି ମା' କଇଁଛ, ୧୦ ଅଲିଭରିଡଲେଙ୍କ ଡେଣାରେ ୨୦୨୧ର ଟ୍ୟାଗ୍

ବାଟ ହୁଡ଼ାଇ ପାରେନି ଅଥଳ ସମୁଦ୍ର। ଦିଗ ହଜାଇ ପାରେନି ମହାସାଗର। ଆଶ୍ଚର୍ଯ୍ୟର କଥା, ଶହ ଶହ ନଟିକାଲ୍ ମାଇଲ୍ ଅତିକ୍ରମ କରି କେମିତି କେଜାଣି ନିଜ ପୁରୁଣା ଅନ୍ତୁଡ଼ିଶାଳକୁ ଖୋଜି ନିଅନ୍ତି ଅଲିଭ ରିଡଲେ କଇଁଛ।

author-image
Saroj Kumar Jena
undefined

olive ridley

ବାଟ ହୁଡ଼ାଇ ପାରେନି ଅଥଳ ସମୁଦ୍ର। ଦିଗ ହଜାଇ ପାରେନି ମହାସାଗର। ଆଶ୍ଚର୍ଯ୍ୟର କଥା, ଶହ ଶହ ନଟିକାଲ୍ ମାଇଲ୍ ଅତିକ୍ରମ କରି କେମିତି କେଜାଣି ନିଜ ପୁରୁଣା ଅନ୍ତୁଡ଼ିଶାଳକୁ ଖୋଜି ନିଅନ୍ତି ଅଲିଭ ରିଡଲେ କଇଁଛ। ଏହା ପୁଣିଥରେ ପ୍ରମାଣ କରିଛି ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ତଥା ବିଶ୍ବର ସର୍ବବୃହତ ଅଲିଭ ରିଡଲେ ଅଣ୍ଡାଦାନସ୍ଥଳ ଗହୀର ମଥା।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିବା ଅଲିଭ ରିଡଲେ କଇଁଛଙ୍କ ଫ୍ଲିପର୍ ବା ଡେଣାରେ ଲାଗିଛି ଧାତବ ଟ୍ୟାଗ୍। ଏସବୁ ଏବେ ଲାଗିନି। ୪ ବର୍ଷ ତଳେ ଲାଗିଥିଲା ୟୁନିକ୍ ନମ୍ବର ଲେଖାଥିବା ଏସବୁ ମେଟାଲିକ୍ ଟ୍ୟାଗ୍ । ୨୦୨୧ ମାର୍ଚ୍ଚରେ ଗହୀରମଥାର ନାସି-୧ ଓ ନାସି-୨ ଦ୍ବୀପକୁ ଅଣ୍ଡାଦାନ ପାଇଁ ଆସିଥିବା ଲକ୍ଷ ଲକ୍ଷ କଇଁଛଙ୍କ ମଧ୍ୟରୁ, କିଛି କଇଁଛଙ୍କ ଦେହରେ ଏହି ଭଳି ଟ୍ୟାଗ୍ ଲଗାଇଥିଲା ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ। ଆଉ ଆଶ୍ଚର୍ଯ୍ୟଜନକ ଭାବେ, ଏବର୍ଷ ସେଇ ଏକା ସ୍ଥାନକୁ ଆସିଥିବା ୧୦ଟି ମାଆ କଇଁଛଙ୍କ ଡେଣାରେ ଏହାକୁ ଠାବ କରାଯାଇଛି। ଯାହାକି ଅଲିଭରିଡଲେ କଇଁଛମାନେ ଗୋଟିଏ ସ୍ଥାନକୁ ବାରମ୍ବାର ଅଣ୍ଡା ଦେବାକୁ ଫେରିଥାନ୍ତି ବୋଲି ପୁଣି ଥରେ ପ୍ରମାଣିତ କରିଛି। ଆଉ କିଛି ଗବେଷକ ଦାବି କରନ୍ତି, କଇଁଛ ମାନେ ଯେଉଁ ଉପକୂଳରେ ଅଣ୍ଡାରୁ ଫୁଟିଥାନ୍ତି, ବଡ଼ ହୋଇ ପୁଣି ସେଠାକୁ ନିଜେ ଅଣ୍ଡା ଦେବାକୁ ଫେରିଥାନ୍ତି।

ଏବର୍ଷ ଗହୀରମଥାକୁ ପୂର୍ବ ବର୍ଷ ଅପେକ୍ଷା ୧୦-୧୫ ଦିନ ବିଳମ୍ବରେ କଇଁଛମାନେ ଆସିଥିଲେ ବି, ସେମାନଙ୍କ ସଂଖ୍ୟା ୭ ବର୍ଷର ରେକର୍ଡ ଭାଙ୍ଗିଛି। ମାର୍ଚ୍ଚ ୫ରୁ ୧୦ ତାରିଖ ଭିତରେ ଗହୀରମଥାରେ ଏଥର ଏକାଠି ହୋଇଛନ୍ତି ୬ ଲକ୍ଷ ୬୦ ହଜାର କଇଁଛ। ଜନବସତିଶୂନ୍ୟ ୪ କିଲୋମିଟର ବ୍ୟାପୀ ଏକକୂଳା ଦ୍ବୀପ। ୩୦-୪୦ ବର୍ଷ ପରେ କଇଁଛଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇଛି। ତେବେ ଏତେ ସଂଖ୍ୟକ କଇଁଛ ଓଡ଼ିଶାକୁ କେଉଁଠୁ ଆସନ୍ତି, ଅଣ୍ଡାଦାନ ପରେ କୁଆଡ଼େ ଯାଆନ୍ତି, ସେମାନଙ୍କ ଗତିବିଧି ଜାଣିବା ପାଇଁ ଏବର୍ଷ ଗହୀରମଥାରେ ୨ଟି କଇଁଛକୁ ସାଟେଲାଇଟ୍ ଟାଗିଂ କରାଯାଇଥିବା ପିସିସିଏଫ୍ କହିଛନ୍ତି ।

Advertisment

୪୫ ଦିନ ତଳେ ଗହୀରମଥା ବାବୁବଳିକୁ ସଅଳ ସଅଳ ଆସିଥିବା ମାଆ କଇଁଛଙ୍କ ଅଣ୍ଡା ଫୁଟିବା ପରେ, ଶାବକଙ୍କ ପ୍ରଥମ ବ୍ୟାଚ୍ ଗତକାଲି ସମୁଦ୍ରକୁ ଫେରିଛନ୍ତି। ତେବେ ଆଉ ପ୍ରାୟ ଦେଢ଼ମାସ ପରେ ଏଠାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ବାହାରିବେ କଇଁଛଙ୍କ ନୂଆ ପିଢ଼ି। ହୁଏତ ସେମାନଙ୍କ ମନରେ ବି ଛାପି ହୋଇଯିବ ଗହୀରମଥାର ଅଭୂଲା ଠିକଣା।

ଅଧିକ ପଢ଼ନ୍ତୁ: ଥମୁନି ଅଚ୍ୟୁତ ସାମନ୍ତଙ୍କ ପୁରୁଣା ଖୋଇ: କିସ୍ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଢାଲ କରି ଗଣମାଧ୍ୟମକୁ ଟାର୍ଗେଟ୍

Olive Ridley Turtles
Advertisment
Advertisment