• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ପାଣିରେ ବୁଡ଼ି ଦିନକୁ ୫ ଜୀବନ ଯାଉଛି । ଅକାରଣରେ ହଜିଯାଉଛି ଅମୂଲ୍ୟ ଜୀବନ । ଆଉ ପ୍ରତି ବର୍ଷ ପାଣିରେ ବୁଡ଼ି ଜୀବନ ଯାଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାନସଭାରେ ଏମିତି ଉତ୍ତର ରଖିଛନ୍ତି ଖୋଦ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଏପଟେ ବିଶେଷଜ୍ଞଙ୍କ ମତ, ସହରୀକରଣ ଓ ପହଁରା ନଶିଖିବା, ଏଭଳି ମୃତ୍ୟୁ ପଛର ମୁଖ୍ୟ କାରଣ ।

ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ରଖିଥିବା ତଥ୍ୟ କହୁଛି, ୨୦୨୦ ଓ ୨୦୨୧ ମସିହାରେ ରାଜ୍ୟରେ ପ୍ରତିଦିନ ହାରାହାରି ପ୍ରାୟ ୫ ଜଣଙ୍କର ପାଣିରେ ବୁଡ଼ି ଜୀବନ ଯାଇଛି । ୨୦୨୦ରେ ରାଜ୍ୟରେ ପାଣିରେ ବୁଡ଼ି ୧ ହଜାର ୮୪୦ ଜଣଙ୍କ ଜୀବନ ଯାଇଛି । ସେହିପରି ୨୦୨୧ରେ ୧ ହଜାର ୮୦୫ ଜଣଙ୍କ ଜୀବନ ନେଇଛି ପାଣି ।୨୦୧୬ରୁ ୨୦୨୧ ମଧ୍ୟରେ ୬ ବର୍ଷରେ ପାଣିରେ ବୁଡ଼ି ରାଜ୍ୟରେ ମୋଟ ୮ ହଜାର ୫୦୬ ଜଣଙ୍କ ମୃତ୍ୟୁ ହୋଇଛି ।

ତଥ୍ୟ ଅନୁସାରେ, ୨୦୧୬ ପରଠାରୁ ରାଜ୍ୟରେ ପାଣିରେ ବୁଡ଼ି ମୃତ୍ୟୁ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମୟୁରଭଞ୍ଜ, କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାରେ ପାଣିରେ ବୁଡ଼ି ଜୀବନ ଯାଉଥିବା ଲୋକଙ୍କ ସଂଖ୍ୟା ଅଧିକ । ଏସବୁ ଜିଲ୍ଲାରେ ଗଲା ୨ ବର୍ଷ ହେଲା ପ୍ରତି ବର୍ଷ ଶହେରୁ ଅଧିକ ଲୋକ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି । ଏନେଇ ବିଶେଷଜ୍ଞଙ୍କ ମତ, ସହରୀକରଣ ବଢ଼ିବା ଯୋଗୁଁ ଏବେକାର ଯୁବପୀଢ଼ି ପହଁରା ଶିଖିବା ଭୁଲିଯାଇଛନ୍ତି । ଯେତେବେଳେ ସେମାନେ କୌଣସି ସ୍ଥାନରେ ନଦୀ, ଝରଣା କିମ୍ବା ସମୁଦ୍ର ଦେଖୁଛନ୍ତି, ପାଣିରେ ଗାଧୋଇବା ବେଳେ ଜୀବନ ଯାଉଛି ।

ତେଣୁ ଏନେଇ ଅଧିକ ସଚେତନତା ସୃଷ୍ଟି ସହ ଅଭିଭାବକ ନିଜ ପିଲାଙ୍କୁ ପହଁରା ଶିଖାଇବା ଆବଶ୍ୟକ । ପାଠ୍ୟ ପୁସ୍ତକ ଜରିଆରେ ଏନେଇ ଛାତ୍ରଛାତ୍ରୀଙ୍କୁ ସଚେତନତାର ଆବଶ୍ୟକତା ରହିଛି ବୋଲି ମଧ୍ୟ ମତ ଦେଇଛନ୍ତି ବିଶେଷଜ୍ଞ ।

ନିକଟରେ ପୁରୀ ଦିଗବାରେଣି ଖୁଣ୍ଟି ବେଳାଭୂମିରେ ଗାଧୋଉଥିବା ବେଳେ ଭାସିଯାଇଥିଲେ ୩ ପର୍ଯ୍ୟଟକ ଭାସିଯାଇଥିଲା । ସେଥି ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ଜୀବନ ଯାଇଥିଲା । ଖାଲି ସେତିକି ନୁହେଁ, ଅଗଷ୍ଟ ୭ ତାରିଖରେ ହୀରାକୁଦ ଡ୍ୟାମରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଚାଲିଯାଇଥିଲା ୨ ଏମସିଏଲ ଅଧିକାରୀଙ୍କ ଜୀବନ ।