• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଭୁବନେଶ୍ୱରର ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ଚହଟରାୟ ବୃଦ୍ଧ ବୟସରେ ମାତ୍ର ୩୯୯ ଟଙ୍କା ଫେରିପାଇବା ଆଶାରେ ଦୌଡ଼ୁଛନ୍ତି ଖଣ୍ଡଗିରିରେ ଥିବା ଖୋର୍ଦ୍ଧା କଞ୍ଜୁମର କୋର୍ଟକୁ । କଥା ୩୯୯ ଟଙ୍କାର ନୁହଁ । ଲଢ଼େଇ ହକ୍‌ର । ଝାଳବୁହା ପଇସା ଫେରି ପାଇବାର । ଫୋନ୍‌ରେ ୩୯୯ ଟଙ୍କା ରିଚାର୍ଜ କରି ସେବା ପାଇବାରେ ବିଫଳ ହେବାରୁ ପ୍ରଥମେ ରିଟେଲର, ପରେ କମ୍ପାନି ଗ୍ରାହକ ସେବା କେନ୍ଦ୍ର ପରେ ପୋଲିସ ଆଉ ଏବେ ଶେଷରେ ନିରାଶ ହୋଇ କଞ୍ଜୁମର କୋର୍ଟର ନେଇଛନ୍ତି ଆଶ୍ରୟ । କିନ୍ତୁ ଏ ଭରସା ରହିବ ତ ? ନ୍ୟାୟ ପାଇବେ ତ ଲକ୍ଷ୍ମୀଧର ?

କାରଣ ନ୍ୟାୟ ଲାଗି ଦୌଡ଼ି ଆସୁଥିବା ଖୋର୍ଦ୍ଧା କଞ୍ଜୁମର କୋର୍ଟ ପ୍ରାୟତଃ ଅଚଳ । ୩ ଜଣିଆ ଖଣ୍ଡପୀଠର ସଭାପତି ଓ ଜଣେ ସଦସ୍ୟଙ୍କ ପଦ ଖାଲି ପଡ଼ିଛି । ସମାନ ଅବସ୍ଥା ରାଜ୍ୟର ସବୁ କଞ୍ଜୁମର ଫୋରମ୍‌ରେ । ଖାଉଟି ନ୍ୟାୟ ପାଇଁ ଦୌଡ଼ି ଆସୁଥିଲେ ବି ନିରାଶ ହୋଇ ଫେରୁଛନ୍ତି ।

ଆଜି ଖାଉଟି ଅଧିକାର ଦିବସ । କିନ୍ତୁ ଖାଉଟିଙ୍କୁ ନ୍ୟାୟ ଦେବାକୁ ଖୋଲିଥିବା ରାଜ୍ୟ ଖାଉଟି ବିବାଦ ସମାଧାନ ଫୋରମଗୁଡ଼ିକରେ ନାହାନ୍ତିି ବିଚାରପତି ଓ ସଦସ୍ୟ । ଆଜି କି କାଲି ନୁହଁ, ବର୍ଷ ବର୍ଷ ଧରି ଖାଲି ପଡ଼ିଛି ପଦବୀ । ଷ୍ଟେଟ୍ ବାର କଞ୍ଜୁମର ଆସୋସିଏସନ୍ ସମ୍ପାଦକଙ୍କ ସୂଚନା ଅନୁସାରେ, କଟକରେ ଥିବା ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗ ଖଣ୍ଡପୀଠରେ ୭ ଜଣ ସଦସ୍ୟ ରହିବେ ଓ ଅତି କମ୍‌ରେ ୩ ଜଣ ସଦସ୍ୟ ଥିଲେ ଖଣ୍ଡପୀଠ ଚାଲିପାରିବ । ହେଲେ ସଭାପତିଙ୍କୁ ଛାଡ଼ି ଦେଲେ ସବୁ ପଦବୀ ଖାଲି । ଜିଲ୍ଲା ଫୋରମ୍‌ଗୁଡ଼ିକର ଅବସ୍ଥା ବି ନ କହିବା ଭଲ । ରାଜ୍ୟର ୩୧ଟି ଜିଲ୍ଲା ଖାଉଟି ବିବାଦ ସମାଧାନ ମଞ୍ଚରେ ୯୩ ଜଣ ସଦସ୍ୟ ରହିବା କଥା । କିନ୍ତୁ ଏବେ ସେଥିରୁ ୮୩ ପଦବୀ ଖାଲି ପଡ଼ିଛି ।

ଖାଉଟିଙ୍କୁ ନ୍ୟାୟ ଦେବାକୁ ଆଇନ୍ ଅଛି । କୋର୍ଟ ବି ଅଛି । କିନ୍ତୁ ରାଜ୍ୟ କଂଞ୍ଜୁମର କୋର୍ଟର ଅବସ୍ଥା ଯାହା, ସେଥିରୁ ଖାଉଟି କେମିତି ନ୍ୟାୟ ପାଉଥିବେ, ତାହା ଜଳଜଳ ଦିଶୁଛି ।