• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଲିସଠୁ ନ୍ୟାୟ ଭିକ୍ଷା କରି ନିରାଶ ହେବାରୁ ପୁଣି ଜୀବନ ହାରିଲେ ଆଉ ଜଣେ ଯୁବକ । ଗତକାଲି ଗଞ୍ଜାମ ଏସପି ଅଫିସ ଆଗରେ ଦେହରେ ପେଟ୍ରୋଲ ଢାଳି ଗୁରୁତର ହୋଇଥିବା ରମ୍ଭା ଥାନା ବୋରିଗାଁରୁ ଯୁବକ ବାଦଲ ସାହୁଙ୍କର ଆଜି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ କେବଳ ବାଦଲ ନୁହଁନ୍ତି, ଗଲା ୨ ବର୍ଷରେ ଗଞ୍ଜାମ ପୋଲିସ ଜିଲ୍ଲାରେ ଏମିତି ୩-୩ଟି ଘଟଣାର ପୁନରାବୃତ୍ତି ପରେ ପ୍ରଶ୍ନ ଉଠୁଛି କଣ ନ୍ୟାୟ ପାଇଁ ପୋଲିସ ଉପରେ ଭରସା ଜୁଟାଇ ନପାରି ଏମିତି ଚରମ ପଦକ୍ଷେପ ନେଉଛନ୍ତି କି ସାଧାରଣ ଜନତା?

୨୦୨୦ ଜାନୁଆରୀ ୨୦ ବ୍ରହ୍ମପୁର ଗୋଳନ୍ଥରା ଥାନାକୁ ନ୍ୟାୟ ପାଇଁ ଆସି ନିଜକୁ ଜାଳିଦେଲେ ସନ୍ତୋଷ ସାମନ୍ତରା । ୨୦୨୦ ଫେବ୍ରୁଆରୀ ୧୨ ଅନ୍ୟାୟର ପ୍ରତିବାଦ କରି ବ୍ରହ୍ମପୁର ଏସପି ଅଫିସ ପରିସରରେ ନିଜ ଦେହରେ ନିଆଁଲଗାଇ ଆଖିବୁଜିଦେଲେ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର । ଆଉ ଗତକାଲି ପୁଣି ଏପରି ଘଟଣା ଘଟିଛି । ଗଞ୍ଜାମ ଏସପି ଅଫିସ ସାମ୍ନାରେ ଦେହରେ ପେଟ୍ରୋଲ ଢାଳି ଜଳିଗଲେ ରମ୍ଭା ଥାନା ବୋରିଗାଁର ୨୬ ବର୍ଷୀୟ ଯୁବକ ବାଦଲ ସାହୁ ।

ଗଲା ୨ ବର୍ଷ ଭିତରେ ଏମିତି ତିନି-ତିନିଟି ଘଟଣାକୁ ନେଇ ଉଠିଛି ପ୍ରଶ୍ନ । କୁହାଯାଉଛି, ଗ୍ରାମବାସୀଙ୍କ ଦ୍ୱାରା ଏକଘରିକିଆ ହୋଇ ସାମାଜିକ ବାସନ୍ଦର ଶିକାର ହୋଇଥିଲେ ବାଦଲଙ୍କ ପରିବାର । ପୂର୍ବରୁ ଏନେଇ ତାଙ୍କ ପରିବାର ରମ୍ଭା ଥାନାରେ ଅଭିଯୋଗ ବି କରିଥିଲେ । ବାରମ୍ବାର ଥାନାକୁ ଦୌଡ୍ ଦୌଡି ନିରାଶ ହେବା ପରେ ଗତକାଲି ଏସପି ଅଫିସ ଆଗରେ ଏଭଳି ଚରମ ପଦକ୍ଷେପ ନେଇଥିଲେ ବାଦଲ ।

ଗାଁ ଲୋକଙ୍କୁ ଗାଳିଗୁଲଜ ନେଇ ବାଦଲଙ୍କ ବିରୋଧରେ ଗାଁ ଲୋକ ଗତ ଏପ୍ରିଲ ୨୪ରେ ହୁମା ଫାଣ୍ଡିରେ ଏତଲା ଦେଇଥିଲେ । ପୋଲିସ ଏ ମାମଲାରେ ତାଙ୍କୁ ତାଗିଦ କରି ପରେ ପିଆର ବଣ୍ଡରେ ଛାଡ଼ି ଦେଇଥିଲା । ତେବେ ବାଦଲଙ୍କ ପରିବାର ଗାଁ ମୁରବୀଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଆରୋପ ।

ଗାଁ ଲୋକ ବର୍ଷ ବର୍ଷ ଧରି ତାଙ୍କ ପରିବାରକୁ ଖାଲି ନିଆଁ ପାଣି ବାସନ୍ଦ କରନଥିଲେ, ସେମାନଙ୍କ ନାଁରେ ଥାନାରେ ଏତଲା ଦେଇଥିବାରୁ ହତ୍ୟା ଧମକ ବି ଦେଇଥିବା କହିଛନ୍ତି ବାଦଲଙ୍କ ସାନ ଭାଇ । ମାତ୍ର ପୋଲିସ ପାଖରେ ଏ ନେଇ କିଛି ସୂଚନା ନଥିବା କହିଛନ୍ତି ଗଞ୍ଜାମ ଏସପି । ପୁରା ଘଟଣାକୁ ଦେଖିଲେ ବିବାଦ ସମାଧାନ ନେଇ ପୋଲିସ ସେତେଟା ତତ୍ପର ନଥିବା ସ୍ପଷ୍ଟ ହେଉଛି ।