ଦକ୍ଷ ପ୍ରଜାପତିଙ୍କର ଦୁଇ ଝିଅ । ଜଣକର ନାମ ହେଲା କଦ୍ରୁ ଓ ଅନ୍ୟଜଣକର ବିନତା । ବିବାହ ବୟସ ହେଲା ପରେ ଦୁଇ ଝିଅଙ୍କୁ ଦକ୍ଷ ପ୍ରଜାପତି ମହାନ ତପସ୍ୱୀ କଶ୍ୟପଙ୍କୁ ବିବାହ ଦେଲେ । ଦୁଇ ପତ୍ନୀଙ୍କ ବ୍ୟବହାର ଓ ସେବାରେ ଖୁସି ହେଇ ଥରେ କଶ୍ୟପ ଋଷି ସେମାନଙ୍କୁ ଗୋଟେ ଗୋଟେ ବର ମାଗିବାକୁ କହିଲେ । ବର କଥା ଶୁଣି ଦୁଇ ଭଉଣୀ ବଡ଼ ଖୁସି ହେଇଗଲେ । କଦ୍ରୁ ଏକାପରି ଦିଶୁଥିବା ହଜାରେ ନାଗ ପୁତ୍ର ସନ୍ତାନଙ୍କ ମା ହେବାର ବର ମାଗିଲେ। ବିନତା ମାତ୍ର ଦୁଇ ବଳଶାଳୀ ପୁଅଙ୍କ ମା ହେବାକୁ ବର ମାଗିଲେ । କଶ୍ୟପ ଦୁଇ ପତ୍ନୀଙ୍କ ଇଚ୍ଛା ଶୁଣିସାରିଲା ପରେ କହିଲେ 'ତଥାସ୍ତୁ' ।
ଦୁଇ ପତ୍ନୀଙ୍କ ମନକାମନା ପୁରଣ କରିସାରି କଶ୍ୟପ ଋଷି ତପସ୍ୟା କରିବାକୁ ଜଙ୍ଗଲକୁ ବାହାରିଗଲେ ।
କିଛି ଦିନ ବିତିଗଲା ପରେ କଦ୍ରୁଙ୍କ ଗର୍ଭରୁ ହଜାରେ ଅଣ୍ଡା ଓ ବିନତାଙ୍କ ଗର୍ଭରୁ ଦୁଇଟି ଅଣ୍ଡା ଜନ୍ମ ହେଲେ । ପାଞ୍ଚ ହଜାର ବର୍ଷ ବିତିଗଲା ପରେ ଦିନେ କଦ୍ରୁଙ୍କ ହଜାରେ ଅଣ୍ଡା ଫୁଟି ହଜାରେ ନାଗପିଲା ବାହାରକୁ ଆସିଲେ । କିନ୍ତୁ ବିନତାଙ୍କ ଅଣ୍ଡା ଫୁଟିବାର କିଛି ବି ଲକ୍ଷଣ ଦିଶୁନଥାଏ । କଦ୍ରୁଙ୍କ ନାଗ ପିଲାମାନଙ୍କୁ ଦେଖି ଓ ନିଜ ଅଣ୍ଡା ଦୁଇଟି ଫୁଟୁନଥିବାର ଦେଖି ବିନତାଙ୍କ ମନରେ ଇର୍ଷା ଜାତ ହେଲା । ଦିନେ ଧୈର୍ଯ୍ୟହରା ହେଇ ଅଣ୍ଡାର ଅବସ୍ଥା ଜାଣିବାକୁ ସେ ଗୋଟେ ଅଣ୍ଡାକୁ ଫଟେଇ ଦେଲେ । ସେତବେଳକୁ ଅଣ୍ଡା ଭିତରର ଶାବକର ପୂର୍ଣ୍ଣାଙ୍ଗ ବିକାଶ ହେଇନଥାଏ । ଉପରି ଭାଗର ବିକାଶ ହେଇଥିବା ବେଳେ ନିମ୍ନ ଭାଗର ବିକାଶ ବାକି ଥାଏ। ନିଜର ପୂର୍ଣ୍ଣାଙ୍ଗ ବିକାଶ ପୂର୍ବରୁ ଧୈର୍ଯ୍ୟହରା ହେଇ ଅଣ୍ଡା ଫୁଟେଇ ଦେଇଥିବାରୁ ଅଣ୍ଡାରେ ଥିବା ଶାବକ, ବିରକ୍ତି ଓ ରାଗରେ ବିନତାଙ୍କୁ ଦାସୀ ହେବାର ଅଭିଶାପ ଦେଲା । କହିଲା ତମେ ଯଦି ଆଉ ପାଞ୍ଚଶ ବର୍ଷ ଧୈର୍ଯ୍ୟର ସହ ଅପେକ୍ଷା କରିବ ତେବେ ଅନ୍ୟ ଅଣ୍ଡାରୁ ପୁଅଟିଏ ବାହାରିବ । ସେଇ ପୁଅ ହିଁ ତୁମକୁ ତୁମ ଦାସତ୍ୱରୁ ମୁକ୍ତ କରିବ ଓ ମୋ ଅଭିଶାପରୁ ତୁମେ ମୁକ୍ତ ହେବ । ତେଣୁ ତୁମକୁ ଅନ୍ୟ ଅଣ୍ଡାଟିର ଉପଯୁକ୍ତ ଯତ୍ନ ନେବାକୁ ହେବ । ଏତିକି କହି ସେ ଶିଶୁଟି ଆକାଶକୁ ଉଡ଼ିଗଲା । ସେ ଶିଶୁଟିର ନାମ ହେଲା ଅରୁଣ ।
ସୂର୍ଯ୍ୟଦେବଙ୍କୁ ପ୍ରତିଦିନ ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ଗତି କରିବାକୁ ହୁଏ । ତାଙ୍କର ପ୍ରଚଣ୍ଡ ତାପ ଓ ଆଲୋକକୁ ସହ୍ୟକରି ତାଙ୍କ ରଥକୁ ଚାଳନା କରିବାକୁ ଜଣେ ସାରଥିର ଆବଶ୍ୟକତା ଥାଏ । ବିନତା ପୁତ୍ର ଅରୁଣ ସୂର୍ଯ୍ୟଦେବଙ୍କ ରଥର ସାରଥି ହେଲେ । ଅରୁଣଙ୍କ ଦେହର ବର୍ଣ୍ଣ ହେଲା ସୁନେଲି ମିଶା ଲାଲ୍ । ଯେହେତୁ ସକାଳେ ଆକାଶକୁ ସୂର୍ଯ୍ୟଦେବଙ୍କ ଆଗରୁ ଅରୁଣଙ୍କ ଆଗମନ ହୁଏ, ସେଥିପାଇଁ ସକାଳର ଆକାଶ ସୁନେଲି ମିଶା ଲାଲ ଦିଶେ । ଯାହାକୁ ଅରୁଣ ରଙ୍ଗର ଆକାଶ କୁହାଯାଏ ।
ଦେବତା ଓ ଦାନବମାନେ ମିଶି ସମୁଦ୍ର ମନ୍ଥନ କରିଥିବା ସମୟରେ ସେଠୁ ଅମୃତ ସହ ଆହୁରି ଅନେକ ଚିଜ ବାହାରିଥିଲା । ସେ ଅନେକ ମଧ୍ୟରେ ଧଳା ରଙ୍ଗର ଉଚୈଶ୍ରବା ନାମକ ଘୋଡ଼ାଟିଏ ବି ଥିଲା । ଥରେ ଦୁଇ ଭଉଣୀ ବସି କଥା ହେଉଥିବା ବେଳେ, ବିନତାଙ୍କୁ କଦ୍ରୁ ପଚାରିଲେ - କହ ତ, ସେ ଉଚୈଶ୍ରବା ଘୋଡ଼ାଟା କୋଉ ରଙ୍ଗର? ବିନତା ବିଳମ୍ବ ନକରି ତୁରନ୍ତ ଘୋଡ଼ାର ରଙ୍ଗ ଧଳା ବୋଲି କହିଲେ । କଦ୍ରୁ ପୁଣି ପଚାରିଲେ ତୁ ଜାଣିଛୁ କି ଦେହ ଧଳା ଥିଲେ ବି ସେ ଘୋଡ଼ାର ଲାଞ୍ଜଟି କଳା ବୋଲି । ବିନତା କହିଲେ, ନା ନା ମୋ ଜାଣିବାରେ ଉଚୈଶ୍ରବା ଘୋଡ଼ା ଗୋଟାପଣ ଧଳା । କଳାର ବିନ୍ଦୁଟିଏ ବି ତା' ଦେହରେ ନାହିଁ ।
ଏଥର ଓଠ ଧାରରେ ରହସ୍ୟମୟ ସ୍ମିତ ହସ ଧାରେ ଖେଳେଇ କଦ୍ରୁ କହିଲେ, ଦେଖ୍ ବିନତା, ତୁ କହୁଛୁ ଘୋଡ଼ାର ରଙ୍ଗ ଧଳା ଓ ଲାଞ୍ଜ ବି ଧଳା । ମୁଁ କହୁଛି, ଘୋଡ଼ାର ରଙ୍ଗ ଧଳା କିନ୍ତୁ ଲାଞ୍ଜଟି କଳା । ଆମ ଭିତରେ ଅଧିକ ଯୁକ୍ତି ତର୍କ କରି ଲାଭ ନାହିଁ । ଚାଲ ଦୁହେଁ ସେ ଘୋଡ଼ାକୁ କାଲି ଦେଖିବାକୁ ଯିବା । କିନ୍ତୁ ତା' ଆଗରୁ ସର୍ତ୍ତ ଗୋଟିଏ ରହିବ । ଯାହା କଥା ଭୁଲ୍ ବୋଲି ପ୍ରମାଣିତ ହେବ ସେ ଅନ୍ୟ ପାଖରେ ଦାସୀ ହେଇ ରହିବ । ବିନତା ଭଉଣୀର କଥାରେ ହଁ ଭରିଲେ ।
ଦୁଇ ଭଉଣୀ ଉଚୈଶ୍ରବା ଘୋଡ଼ାକୁ ଦେଖି ଯିବାକୁ ବାହାରିବା ଭିତରେ କଦ୍ରୁ ତାଙ୍କ ନିଜର ନାଗପୁତ୍ରମାନଙ୍କୁ ଆଦେଶ ଦେଲେ ଯେ, ସେମାନେ ତୁରନ୍ତ ଯାଇ ଉଚୈଶ୍ରବା ଘୋଡ଼ାର ଲାଞ୍ଜରେ ଏମିତି ଗୁଡେଇହେଇ ରୁହନ୍ତୁ ଯେମିତି ଲାଗିବ ଘୋଡ଼ାର ଲାଞ୍ଜଟି ଧଳା ନୁହେଁ କଳା ରଙ୍ଗର । କିନ୍ତୁ ନାଗମାନେ ସେମାନଙ୍କ ମାଆଙ୍କୁ ପ୍ରଥମେ ଏମିତି ମିଥ୍ୟାଚାର କରିବାକୁ ସିଧାସଳଖ ମନା କରିଦେଲେ । ନିଜ ପୁଅମାନେ ସାହାଯ୍ୟ କରିବାକୁ ମନା କରିବାରୁ, କଦ୍ରୁ ଭୀଷଣ ରାଗିଗଲେ । ତାଙ୍କର ଡର ଥିଲା ସତକଥା ଜଣା ପଡିଗଲେ ତାଙ୍କୁ ବିନତାଙ୍କ ପାଖରେ ଦାସୀ ହୋଇ ରହିବାକୁ ପଡିବ । ତାଙ୍କ କଥା ଅମାନ୍ୟ କରୁଥିବାରୁ ସେ ନାଗମାନଙ୍କୁ ଜଳନ୍ତା ନିଆଁରେ ପୋଡ଼ି ହୋଇ ମରିବ ବୋଲି ଅଭିଶାପ ଦେଇଦେଲେ । ନାଗମାନେ ଆପଣା ମାଆଙ୍କ ଅଭିଶାପରୁ ବଞ୍ଚିବା ପାଇଁ ପରଦିନ ଦୁଇ ଭଉଣୀ ଘୋଡ଼ା ପାଖରେ ପହଞ୍ଚିଲା ବେଳକୁ ଘୋଡ଼ାର ଲାଞ୍ଜକୁ କଳା କରିସାରିଥିଲେ । ଦୁଇ ଭଉଣୀଙ୍କ ଭିତରେ ପଡ଼ିଥିବା ସର୍ତ୍ତ ମତେ ବିନତା ଏବେ ହାରିଗଲେ ଓ ପୂର୍ବ ସର୍ତ୍ତ ଅନୁସାରେ ତାଙ୍କୁ କଦ୍ରୁଙ୍କ ପାଖରେ ଦାସୀ ହେଇ ରହିବାକୁ ପଡ଼ିଲା।
ଠିକ ପାଞ୍ଚଶବର୍ଷ ବିତିଗଲା ପରେ ଦିନେ ବିନତାଙ୍କ ଅନ୍ୟ ଅଣ୍ଡାଟି ଫୁଟିଲା । ସେତବେଳକୁ ବିନତା ଦାସୀ ହେଇ କଦ୍ରୁଙ୍କ ପାଖରେ ଖଟୁଛନ୍ତି । ଅଣ୍ଡାଟି ତା'ର ଆପଣା ଛାଏଁ ଫୁଟିଲା । ସେଥିରୁ ବାହାରିଲେ ପକ୍ଷୀରାଜ ଗରୁଡ଼, ଯିଏକି ପରେ ଭଗବାନ ବିଷ୍ଣୁଙ୍କ ବାହାନ ହେଲେ । ଗରୁଡ଼ ଯେବେ ତାଙ୍କ ମା ବିନତାଙ୍କ ପାଖକୁ ଫେରିଲେ ସେବେ ଦେଖିଲେ ଯେ ତାଙ୍କ ମା ଜଣେ ଦାସୀ ଭାବରେ ଜୀବନ ଅତିବାହିତ କରୁଛନ୍ତି । ତାପରେ ସେ କଦ୍ରୁ ଓ ଅନ୍ୟ ନାଗ ଭାଇମାନଙ୍କୁ ପଚାରିଲେ ଯେ, ସେ କ’ଣ କଲେ ସେମାନେ ତାଙ୍କ ମାଆଙ୍କୁ ଦାସୀପଣରୁ ମୁକ୍ତ କରିବେ । ଗରୁଡ଼ ତାଙ୍କ ମା'ଙ୍କ ମୁକ୍ତି ପାଇଁ କିଛି ବି ଅସାଧ୍ୟ ସାଧନ କରିବାକୁ ରାଜି ଥିଲେ ।
ନାଗ ପିଲାଏ ଓ ସେମାନଙ୍କ ମା କଦ୍ରୁଙ୍କ ମନରେ ଅମୃତ ସେବନ କରି ଦେବତାଙ୍କ ପରି ଅମର ହେବାର ଇଚ୍ଛା ଥାଏ । ତେଣୁ ଯେତେବେଳେ ଗରୁଡ଼ ତାଙ୍କ ମା'ଙ୍କ ପାଇଁ କିଛି ଵି କରିବାକୁ ରାଜି ସେତେବେଳେ ସେମାନେ ଗରୁଡ଼ଙ୍କୁ କହିଲେ, ହେ ବିନତା ପୁତ୍ର! ପାରିବ ଯଦି ଆମମାନଙ୍କୁ ସ୍ୱର୍ଗରୁ ଅମୃତ ମୁନ୍ଦାଏ ଆଣିକି ଦିଅ ।
ଗରୁଡ଼ କାଳ ବିଳମ୍ବ ନକରି ସ୍ୱର୍ଗକୁ ଉଡିଗଲେ ।
ଗରୁଡ଼ ଜାଣିଥିଲେ ଅମୃତ ଦେବତାମାନଙ୍କ ପାଖରେ ଅଛି ଓ ଅମୃତ ଆଣିବାକୁ ହେଲେ ସେମାନଙ୍କ ସହ ପ୍ରଥମେ ଯୁଦ୍ଧ କରିବାକୁ ହେବ । ଯୁଦ୍ଧ ପାଇଁ ଅମାପ ଶକ୍ତିର ଆବଶ୍ୟକତା ଅଛି । ସେଥିପାଇଁ ପ୍ରଥମେ ଭଲରେ କିଛି ଖାଇବା ଦରକାର । ବିନତା ପୁଅକୁ କହିଥିଲେ, ସେ ଯିବା ବେଳେ ସମୁଦ୍ର ମଝିରେ ଏକ ସ୍ଥାନ ପଡ଼ିବ । ସେଠାରେ ହଜାର ହଜାର ନିଷାଦ ବାସ କରନ୍ତି । ସେଇ ନିଷାଦମାନଙ୍କୁ ଖାଇ ଗରୁଡ଼ ନିଜର କ୍ଷୁଧା ନିବାରଣ କରିପାରିବେ । ମା ଠିକଣା ଦେଇଥିବା ସେ ସ୍ଥାନରେ ଗରୁଡ଼ ପହଞ୍ଚିଲେ ଓ ମନ ଇଚ୍ଛା ନିଷାଦମାନଙ୍କୁ ଖାଇ ସେଠୁ ପ୍ରସ୍ଥାନ କଲେ । ବାଟରେ ଗରୁଡ଼ଙ୍କର ତାଙ୍କ ପିତା କଶ୍ୟପ ମୁନିଙ୍କ ସହ ଦେଖାହେଲା । ହଜାରେ ସଂଖ୍ୟାରେ ନିଷାଦମାନଙ୍କୁ ଖାଇଲା ପରେ ବି ଗରୁଡ଼ଙ୍କର ପେଟ ପୁରିନଥାଏ । ତେଣୁ କଶ୍ୟପ ମୁନି ପୁତ୍ର ଗରୁଡ଼ଙ୍କୁ ଏକ ହ୍ରଦର ସନ୍ଧାନ ଦେଲେ । କହିଲେ, ପରସ୍ପରକୁ ଅଭିଶାପ ଦେଇ ସେଇ ହ୍ରଦରେ ହାତୀ ଓ କଇଁଛ ପାଲଟିଥିବା ଦୁଇ ଭାଇ ରହୁଛନ୍ତି । ନିଜ ନିଜ ଭିତରେ ଅନବରତ କଳହରେ ବ୍ୟସ୍ତ ଥିବା ସେଇ ଦୁଇ ଭାଇଙ୍କୁ ଖାଇ ଗରୁଡ଼ ତାଙ୍କ ଅଶାନ୍ତ କ୍ଷୁଧାକୁ ଶାନ୍ତ କରନ୍ତୁ ।
ଗରୁଡ଼ ତୁରନ୍ତ ସେ ହ୍ରଦରେ ପହଞ୍ଚି ହାତୀ ଓ କଇଁଛ ଦିଇ ଭାଇଙ୍କୁ ଦୁଇ ଚଞ୍ଚୁରେ ଉଠେଇ ଆକାଶ ମାର୍ଗକୁ ଉଠିଗଲେ । ସେତିକିବେଳେ ତାଙ୍କ ଆଖିରେ ଏକ ବିଶାଳ ବରଗଛ ପଡିଲା । ଗରୁଡ଼ ସେ ବରଗଛ ଡାଳରେ ବସି ଖାଦ୍ୟ ଖାଇବାର ଯୋଜନା କରି ଯେମିତି ଗଛର ଏକ ଉଚ୍ଚ ଡାଳରେ ପାଦ ଦେଇଛନ୍ତି, ତାଙ୍କ ଓଜନ ସମ୍ଭାଳି ନପାରି ଡାଳଟି ହଠାତ୍ ଭାଙ୍ଗିଗଲା । ଗରୁଡ଼ ଦେଖିଲେ ସେଇ ଭଙ୍ଗା ଡାଳରେ ବାଳଖିଲ୍ୟ ଋଷିମାନେ ତଳଆଡକୁ ମୁଣ୍ଡ ରଖି ଝୁଲି ରହି ତପସ୍ୟା କରୁଛନ୍ତି । ଋଷିମାନଙ୍କ ତପସ୍ୟା ଯେପରି ଭଙ୍ଗ ନହୁଏ ସେଥିପାଇଁ ତାଙ୍କୁ ସେ ବିରାଟ ଡାଳଟି ମାଟିରେ ପଡିବା ଆଗରୁ ତାକୁ ତୋଳି ରଖିବାକୁ ହେଲା । ଆକାଶରେ ଉଡିବା ସମୟରେ ବି ତାଙ୍କୁ ବିରାଟ ବିରାଟ ହାତୀ ଓ କଇଁଚ ଦୁଇ ଭାଇଙ୍କ ସହ ସେ ଭଙ୍ଗା ଡାଳକୁ ବି ସମ୍ଭାଳିବାକୁ ହେଲା ।
ଏଥର ଗରୁଡ଼ ଏକ ଉଚ୍ଚ ପାହାଡ଼ ଉପରେ ପହଞ୍ଚିଲେ ଓ ପାହାଡ଼ ଉପରେ ଖାଦ୍ୟ ଖାଇସାରି ଅମୃତ ସନ୍ଧାନରେ ସ୍ୱର୍ଗରାଜ୍ୟକୁ ବାହାରିଲେ ।
ଦେବତାମାନେ ଗରୁଡ଼ଙ୍କୁ ସହଜରେ ଏମିତି ଅମୃତ ଭାଣ୍ଡ ଦେଇଦେବେ ଅବା କେମିତି? ସେଥିପଇଁ ଗରୁଡ଼ଙ୍କୁ ଇନ୍ଦ୍ର ଓ ଅନ୍ୟ ଦେବତାଙ୍କ ସହ ପ୍ରଥମେ ଘମାଘୋଟ ଲଢ଼େଇ କରିବାକୁ ହେଲା । ଦେବତାମାନଙ୍କୁ ଯୁଦ୍ଧରେ ପରାସ୍ତ କରିସାରି ଶେଷରେ ଗରୁଡ଼ ଅଗ୍ନି, ଚକ୍ର ଓ ବିଷଧର ସରୀସୃପ ତତ୍ତ୍ୱାବଧାନରେ ସୁରକ୍ଷିତ ଥିବା ଅମୃତକୁ ଧରି ସେଠୁ ବାହାରି ଆସିଲେ । ଫେରିବା ବାଟରେ ବିଷ୍ଣୁଙ୍କ ସହ ତାଙ୍କର ଦେଖା ହେଲା । ଗରୁଡ଼ଙ୍କୁ ସେଇଠି ବିଷ୍ଣୁ ବିନା ଅମୃତ ସେବନରେ ଅମର ରହିବାର ବର ଦେଲେ ଓ ବଦଳରେ ଗରୁଡ଼ ବିଷ୍ଣୁଙ୍କ ବାହାନ ହେବେ ବୋଲି କଥା ଦେଲେ ।
ଗରୁଡ଼ ଚାହୁଁନଥିଲେ କଦ୍ରୁଙ୍କ ହଜାରେ ନାଗ ପିଲା ଅମୃତ ସେବନ କରି ଅମର ହୁଅନ୍ତୁ । ସେ ପ୍ରକୃତରେ ପ୍ରଥମେ ତାଙ୍କ ମାଆ ବିନତାଙ୍କୁ ଦାସୀ ହେବାରୁ ମୁକ୍ତି ଦେବାକୁ ଚାହୁଁଥିଲେ । ଗରୁଡ଼ ସାଙ୍ଗରେ ଆଣିଥିବା ଅମୃତକୁ କୁଶ ଉପରେ ରଖିସାରି, ସେ ନାଗ ପିଲାମାନଙ୍କ ପାଖରେ ପ୍ରଥମେ ସର୍ତ୍ତ ଅନୁସାରେ ତାଙ୍କ ମା'ଙ୍କୁ ମୁକ୍ତ କରିବାକୁ ଅନୁରୋଧ କଲେ । ମାଆ ବିନତା ମୁକ୍ତ ହେଲାପରେ ସେ ନାଗମାନଙ୍କୁ କହିଲେ, ଅମୃତ ସେବନ ଆଗରୁ ସେମାନଙ୍କୁ ସ୍ନାନ ଓ ପୂଜା ଆଦି କରିବାକୁ ହେବ । ଅମୃତ ପରି ପବିତ୍ର ଜିନିଷକୁ ନିଜେ ଶୁଦ୍ଧ ନହୋଇ ସେବନ କରାଯାଇ ପାରିବନି । ନାଗମାନେ ସ୍ନାନ କରିବାକୁ ବାହାରିଯିବା ପରେ ପୂର୍ବ ଯୋଜନା ମୁତାବକ ଦେବରାଜ ଇନ୍ଦ୍ର ଅମୃତକୁ ସ୍ୱର୍ଗକୁ ଫେରେଇନେଲେ । ନାଗମାନେ ସ୍ନାନ ସାରି ପହଞ୍ଚି ଦେଖିଲେ ଠିକଣା ଯାଗାରେ ଅମୃତ ଭାଣ୍ଡଟି ଆଉ ନାହଁ । ସେମାନେ ବ୍ୟସ୍ତ ବିବ୍ରତ ହୋଇ କିଛି ସମୟ ଆଗରୁ ଅମୃତ ଭାଣ୍ଡକୁ ରଖାଯାଇଥିବା କୁଶଘାସ ସବୁକୁ ଚାଟିବାକୁ ଲାଗିଲେ । ଅମୃତ ତ ମିଳିଲାନି ବରଂ କୁଶର ଧାରୁଆ ଦାଢରେ ସେମାନଙ୍କ ଜିଭ ଚିରି ଦୁଇ ଫାଳ ହେଇଗଲା । ସେଇଦିନରୁ ସାପମାନଙ୍କର ଜିଭ ଦୁଇ କେନା ହୋଇ ରହିଛି । କିଛି ସମୟ ପାଇଁ ହେଉ ପଛେ ଅମୃତ ରହିଥିବା କାରଣରୁ ଅମୃତର ସ୍ପର୍ଶରେ କୁଶ ଘାସ ସବୁଦିନ ପାଇଁ ପବିତ୍ର ହୋଇଗଲା । ସେଥିପାଇଁ ବିଭିନ୍ନ ପୂଜାରେ ଆଜି ବି କୁଶ ଘାସ ବ୍ୟବହୃତ ହେଉଛି ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)