• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ହସ୍ତିନାପୁରରେ ଯୁବରାଜ ଦୁର୍ଯ୍ୟୋଧନ, ତାଙ୍କ ଅନ୍ତରଙ୍ଗ ବନ୍ଧୁ ଅଙ୍ଗ ରାଜା କର୍ଣ୍ଣ, ମାମୁଁ ଶକୁନି ଓ ଅନ୍ୟ କିଛି ଅନ୍ତରଙ୍ଗ ଭାଇ ବସି କଥା ହେଉଥିବା ବେଳେ ସେମାନଙ୍କ ବିଶ୍ୱସ୍ଥ ଚର ଆସି ସେଇଠି ପହଞ୍ଚିଲା । ଚର ଯାହା ଖବର ଦେଲା ସେଥିରେ ସମସ୍ତେ ଏକେବାର ଆଶ୍ଚର୍ଯ୍ୟ ହୋଇଗଲେ। ଚର କହିଲା ପାଣ୍ଡବ ପାଞ୍ଚଭାଇ ବଞ୍ଚିଛନ୍ତି । ତାପରେ ଯାଇଁ ସମସ୍ତେ ଜାଣିଲେ ସେଦିନ ଦ୍ରୁପଦଙ୍କ ରାଜଧାନୀରେ, ପ୍ରତିଯୋଗିତାରେ ଲକ୍ଷ୍ଯ ସାଧନ କରି ପାଞ୍ଚାଳୀକୁ ଯିଏ ଜିତିଥିଲେ ସେ ଅର୍ଜୁନ ଥିଲେ । ଗଛ ଓପାଡି କୁରୁସେନାଙ୍କୁ ଯିଏ ଘଉଡେଇ ଦେଇଥିଲେ ସେ ଭୀମସେନ ।

ଦୁର୍ଯ୍ୟୋଧନ ଓ ତାଙ୍କ ବନ୍ଧୁମାନେ ଜାଣିଲେ ଏତେଦିନ ଧରି ସେମାନେ ଭ୍ରମରେ ଥିଲେ ଯେ, ପାଣ୍ଡବ ପରିବାର ନିଆଁରେ ପୋଡି ହୋଇ ମରିଯାଇଛନ୍ତି । ଅଥଚ ସେମାନେ ବ୍ରାହ୍ଣଣର ଛଦ୍ମବେଶ ଧରି ଏତେଦିନ ଲୁଚି ଲୁଚି ବୁଲୁଥିଲେ । ଏବେ ପାଞ୍ଚ ଭାଇ ମିଳିମିଶି ଜଣକୁ ବାହା ହୋଇଛନ୍ତି। ଏବେ ପାଣ୍ଡଵ ଭାଇମାନେ ଏକା ନୁହଁନ୍ତି । ସେମାନେ ଏବେ ଶକ୍ତିଶାଳୀ ଦ୍ରୁପଦଙ୍କ ଜ୍ୱାଇଁ । ଦ୍ରୁପଦଙ୍କ ପୁଅ ଧୃଷ୍ଟଦ୍ୟୁମ୍ନ ଓ ଶ୍ରୀଖଣ୍ଡୀ ଆଦି ଯୁଦ୍ଧ ବିଦ୍ୟାରେ ବେଶ ପାରଙ୍ଗମ । 

ଦୁର୍ଯ୍ୟୋଧନ, ଶକୁନି, ଅଶ୍ୱତ୍ଥମା, ଶଲ୍ୟ ଓ କର୍ଣ୍ଣ ଆଦି ପରସ୍ପରକୁ ଦୋଷ ଦିଆ ନିଆ କରୁଥିବା ବେଳେ ସେପଟେ ମାଡ ଖାଇ ଗର୍ବି କୁରୁସେନା ଅପଦସ୍ଥ ହୋଇ ପାଞ୍ଚାଳରୁ ଫେରିଛନ୍ତି ଓ ପାଣ୍ଡବମାନଙ୍କ ବିବାହ ଦ୍ରୁପଦଙ୍କ ଝିଅ ଦ୍ରୌପଦୀଙ୍କ ସହ ହୋଇଛି ବୋଲି ଖବର ପାଇ, ବିଦୁର ବଡ ଖୁସି । ଖୁସି ହୋଇ ସେ ହସ୍ତିନାପୁରର ରାଜା ଧୃତରାଷ୍ଟ୍ରଙ୍କ ପାଖରେ ପହଞ୍ଚି କହିଲେ ମହାରାଜ ଆପଣଙ୍କ ପାଇଁ ଗୋଟେ ଖୁସିର ଖବର ଅଛି । ଧୃତରାଷ୍ଟ୍ର ଭାବିନେଲେ ତାଙ୍କ ପୁଅ ଦୁର୍ଯ୍ୟୋଧନ ବୋଧେ ପ୍ରତିଯୋଗିତାରେ ଦ୍ରୁପଦଙ୍କ ଝିଅକୁ ଜୟ କରି ଫେରିଛି । କିନ୍ତୁ ବିଦୁର କହିଲେ ଦୁର୍ଯ୍ୟୋଧନ ନୁହଁନ୍ତି ପାଣ୍ଡବମାନେ ବଞ୍ଚିଛନ୍ତି ଓ ସେମାନେ ହିଁ ପ୍ରତିଯୋଗିତା ଜିତିଛନ୍ତି । ନିଜ ପୁତୁରାମାନେ ବଞ୍ଚିଛନ୍ତି ଓ ଭଲରେ ଅଛନ୍ତି ବୋଲି ଖବର ପାଇ ଧୃତରାଷ୍ଟ୍ର ଆନନ୍ଦ ପ୍ରକଟ କଲେ ।

MahabharatMahabharat

ସେତିକିବେଳେ ଧୃତରାଷ୍ଟ୍ରଙ୍କ ପାଖରେ ଦୁର୍ଯ୍ୟୋଧନ ଓ କର୍ଣ୍ଣ ଆସି ପହଞ୍ଚିଲେ । ବିଦୁର ବାହାରି ଗଲାପରେ ଦୁର୍ଯ୍ୟୋଧନ ବିରକ୍ତ ଭାବ ନେଇ ଧୃତରାଷ୍ଟ୍ରଙ୍କୁ କହିଲେ ପାଣ୍ଡବମାନେ ବଞ୍ଚିଛନ୍ତି ଶୁଣି ଆପଣ ଏତେ ଆନନ୍ଦ ହେବାରେ କ'ଣ ଅଛି? ପୁତ୍ର ପ୍ରେମରେ ଅନ୍ଧ ଧୃତରାଷ୍ଟ କହିଲେ, ପୁଅ, ବିଦୁରଙ୍କ ଆଗରେ ମୋତେ ସେମିତି ହିଁ କହିବାକୁ ହେବ । ମୋ ମନ କଥା ସେ ଜାଣିବା ଦରକାର ନାହିଁ । ତେବେ ସେ କଥା ଛାଡ । ତୁମେ ଦୁହେଁ କ'ଣ ପାଇଁ ଆସିଥିଲ ସେ କଥା କୁହ । 

ପାଣ୍ଡବମାନଙ୍କ ଅସ୍ତିତ୍ୱ ଦୁର୍ଯ୍ୟୋଧନଙ୍କୁ ଅସ୍ଥିର କରି ପକାଉଥିଲା । ସେ ଚାହୁଁଥିଲେ କେମିତି କ'ଣ କରି ପାଣ୍ଡବମାନଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟେଇ ଦେବାକୁ । ଉତ୍ତେଜନା ଓ ଅସ୍ଥିରତାରେ ସେ କହିଲେ, ମୁଁ ଭାବୁଛି ଚାଲ ସେ ଭୀମସେନଙ୍କୁ ଆଗ ମାରି ପକାଇବା । ଭୀମ ନଥିଲେ ଅନ୍ୟମାନଙ୍କୁ ମାରିବା କିଛି ବଡ କଥା ନୁହେଁ । ନହେଲେ କୁନ୍ତୀ ପୁତ୍ର ଓ ମାଦ୍ରୀ ପୁତ୍ରଙ୍କ ଭିତରେ ଚର ଲଗେଇ ଅବିଶ୍ୱାସର ବିଷ ଭରିଦେବା । ନହେଲେ ଚାଲ ରାଜା ଦ୍ରୁପଦଙ୍କ ଉପରେ କୁଟନୈତିକ ଚାପ ପ୍ରୟୋଗ କରିବା, ଯେମିତି ସେ ପାଣ୍ଡବମାନଙ୍କୁ ଆଉ ବେଶି ସମୟ ଆଶ୍ରୟ ଦେବେନି । ଦୌପଦୀଙ୍କୁ ମିଛ ସତ କଥା କହି ପାଣ୍ଡବ ଭାଇମାନଙ୍କ ପାଖରୁ ଅନ୍ତର କରିଦେବା । 

ଦୁର୍ଯ୍ୟୋଧନଙ୍କ କଥାରେ କିନ୍ତୁ କର୍ଣ୍ଣ ରାଜି ହେଲେନି । ସେ କହିଲେ ବନ୍ଧୁ ତରତରରେ ଏପରି ପିଲାଳିଆ ନିଷ୍ପତ୍ତି ନେଲେ କିଛି ବି ଲାଭ ହେବନି । ଆଗରୁ ଅନେକଥର ତୁମେ ସେପରି ପ୍ରଚେଷ୍ଟା କରି ଅସଫଳ ହୋଇଛ। ତାପରେ ସେ ଦୁର୍ଯ୍ୟୋଧନଙ୍କର ଗୋଟି ଗୋଟି ପ୍ରସ୍ତାବକୁ ଯୁକ୍ତିର ସହ କାଟି ଏକ ନୂଆ ପ୍ରସ୍ଥାବ ଦେଲେ । କହିଲେ ଆମେ ଯଦି ତୁରନ୍ତ ପାଞ୍ଚାଳ ଦେଶ ଆକ୍ରମଣ କରନ୍ତେ ତେବେ ହୁଏତ କିଛି ଲାଭ ହୁଅନ୍ତା । ପାଣ୍ଡବ ଓ ଦ୍ରୁପଦ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଆମେ ଯଦି ଅତର୍କିତ ଆକ୍ରମଣ କରନ୍ତେ ତେବେ ସମସ୍ତଙ୍କୁ ପରାଜିତ କରି ବନ୍ଦୀ କରି ପାରନ୍ତେ । ସେମାନେ ସେମାନଙ୍କ ମିତ୍ର ଦେଶମାନଙ୍କ ପାଖରୁ ସାହାଯ୍ୟ ସହଯୋଗ ପାଇଲା ପୂର୍ବରୁ ପରାଜିତ ହୁଅନ୍ତେ । ବିରାଟ କୁରୁସେନା ଓ ଆମମାନଙ୍କ ପରି ବୀରମାନଙ୍କ ଆଗରେ ସେମାନେ ବେଶି ସମୟ ଠିଆ ହୋଇ ପାରିବେନି । 

କର୍ଣ୍ଣଙ୍କ କଥା ଦୁର୍ଯ୍ୟୋଧନଙ୍କୁ ଠିକ୍ ଲାଗିଲା । ଧୃତରାଷ୍ଟ୍ର କହିଲେ ଯୁଦ୍ଧ ପାଇଁ ମୁଁ ଏକା ନିଷ୍ପତ୍ତି ନେଇପାରିବିନି । ସେଥିପାଇଁ ମୋତେ ଭୀଷ୍ମ, ଦ୍ରୋଣ ଓ କୃପ ଆଦିଙ୍କ ସହ କଥା ହେବାକୁ ହେବ । ପାଣ୍ଡବମାନଙ୍କ ସହ ଯୁଦ୍ଧ କଥା ଶୁଣି ପିତାମହ ଭୀଷ୍ମ ସିଧା ମନା କରିଦେଲେ । କହିଲେ ମୋ ପାଖରେ ପଣ୍ଡୁ ପୁତ୍ର ଓ ଧୃତରାଷ୍ଟ୍ରଙ୍କ ପୁତ୍ର ସମାନ । ମୁଁ ଏପରି ଅଯଥା ଓ ଅଧର୍ମର ପକ୍ଷ କେବେବି ଦେବିନି। ତାପରେ ଦୁର୍ଯ୍ୟୋଧନଙ୍କୁ ଭୀଷ୍ମ କହିଲେ, ତୁମେ ଯେମିତି ନିଜକୁ ଏ ରାଜ୍ୟ ଓ ରାଜସିଂହାସନର ଉତ୍ତରାଧିକାରୀ ଭାବୁଛ, ସେମାନେ ବି ଠିକ୍ ସେମିତି ଭାବୁଛନ୍ତି । ତୁମ ବାପା ସିଂହାସନରେ ବସିବା ପୂର୍ବରୁ ପାଣ୍ଡବମାନଙ୍କ ବାପା ପଣ୍ଡୁ ହସ୍ତିନାପୁରର ରାଜା ଥିଲେ ।

ନ୍ୟାୟତଃ ତୁମମାନଙ୍କର ଏ ଦେଶ ଉପରେ ଯେତିକି ଅଧିକାର ଅଛି, ସେମାନଙ୍କର ବି ଅଛି । ତାପରେ ଭୀଷ୍ମ, ରାଜା ଧୃତରାଷ୍ଟ୍ରଙ୍କୁ କହିଲେ ଏବେ ଏମିତି ସମୟରେ ଦେଶରୁ ଭାଗେ ପାଣ୍ଡବମାନଙ୍କୁ ଦେଇଦେବା ଉଚିତ । ସେଥିରେ ସମସ୍ତଙ୍କର ମଙ୍ଗଳ ହେବ । ସେଠାରେ ଉପସ୍ଥିତ ଥିବା ଆଚାର୍ଯ୍ୟ ଦ୍ରୋଣାଚାର୍ଯ୍ୟ ମଧ୍ୟ ଭୀଷ୍ମଙ୍କ ସହ ଏକମତ ହୋଇ ସେଇ ଏକା କଥା ଧୃତରାଷ୍ଟ୍ରଙ୍କୁ କହିଲେ । ଆହୁରି କହିଲେ ଏବେ ତୁମେ ଯୁଦ୍ଧ କରି ଶକ୍ତିଶାଳୀ ପାଣ୍ଡବ ପାଞ୍ଚ ଭାଇ ଓ ତାଙ୍କ ବନ୍ଧୁମାନଙ୍କୁ ପରାଜିତ କରିପାରିବନି। ହେ ରାଜା, ଯୁବକମାନଙ୍କ କ୍ରୋଧ ଓ ଉତ୍ତେଜନାରେ ପ୍ରଭାବିତ ହୋଇ ଅବାଟରେ ଓ ଅଧର୍ମ ପଥରେ ଆଦୌ ପାଦ ରଖନି । ପୁରୋଚନ ଓ ଜତୁଗୃହ ଘଟଣାରେ ତୁମେମାନେ ଦେଶର ଜନତାଙ୍କ ଆଖିରେ ଯେଉଁ ତଳକୁ ଖସି ସାରିଛ, ତାର ପ୍ରାୟଶ୍ଚିତ କର । ବରଂ ଖୁସି ହୁଅ ଯେ ପାଣ୍ଡବମାନେ ଭଲରେ ଭଲରେ ନିଶ୍ଚିନ୍ତ ବିପଦରୁ ଖସି ଆସିଛନ୍ତି । ସେ ସୁଯୋଗକୁ ଏମିତି ହାତଛଡା କରନି । 

ଦୁର୍ଯ୍ୟୋଧନ, କର୍ଣ୍ଣ ଓ ଶକୁନି ଏପରି ପ୍ରସ୍ତାବକୁ ତଥାପି ବିରୋଧ କରୁଥାନ୍ତି । କିନ୍ତୁ ରାଜସଭାର ବରିଷ୍ଠ ସଦସ୍ୟମାନଙ୍କ ଉପଦେଶକୁ ଧୃତରାଷ୍ଟ୍ର ମାନିନେଲେ ଓ ବିଦୁରଙ୍କୁ ଆଦେଶ ଦେଲେ ପାଞ୍ଚାଳ ଦେଶକୁ ଯାଇ ରାଜା ଦୃପଦଙ୍କ ସହ ବନ୍ଧୁ ଭାବରେ କଥା ହୋଇ ପଣ୍ଡୁଙ୍କ ପରିବାରକୁ ହସ୍ତିନାପୁରକୁ ସ୍ୱାଗତ କରି ଡାକିଆଣ । ଏଥର ସେମାନେ ନିଜ ଘରକୁ ଫେରିଆସନ୍ତୁ । 

ରାଜାଙ୍କ ଆଦେଶ ପାଇ ବିଦୁର ବଡ଼ ଆନନ୍ଦରେ ଦ୍ରୁପଦ ଓ ପାଣ୍ଡବମାନଙ୍କ ପାଇଁ ଅନେକ ମୂଲ୍ୟବାନ ଉପଢୌକନ ଧରି ପାଞ୍ଚାଳ ଦେଶରେ ଯାଇଁ ପହଞ୍ଚିଲେ । ବିଦୁରଙ୍କୁ ଦେଖି ପାଣ୍ଡବ ଭାଇମାନେ ତାଙ୍କ ପଦ ବନ୍ଦନା କଲେ ଓ ରାଜା ଦ୍ରୁପଦ ଯଥାରୀତି ବିଦୁରଙ୍କୁ ରାଜକୀୟ ସମ୍ମାନ ଦେଲେ । ବିଦୁର ଦେଖିଲେ ସେଠି ଯଦୁପତି କୃଷ୍ଣ ମଧ୍ୟ ଉପସ୍ଥିତ ଅଛନ୍ତି । ବିଦୁର ସମ୍ମାନର ସହ କୃଷ୍ଣଙ୍କୁ ପ୍ରଣାମ କଲେ । ତାପରେ ଆଦର ଅଭ୍ୟର୍ଥନା ପର୍ବ ସରିଲା ପରେ ବିଦୁର ତାଙ୍କ ଆସିବାର ଅସଲ ଉଦ୍ଦେଶ୍ୟ କହିଲେ । କହିଲେ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟଙ୍କ ସହ ରାଜା ଧୃତରାଷ୍ଟ୍ର ବି ଚାହାଁନ୍ତି ପାଣ୍ଡବମାନେ ସେମାନଙ୍କ ନିଜ ଦେଶକୁ ଏଥର ଫେରି ଆସନ୍ତୁ । 

ଯୁଧିଷ୍ଠିର ସେମାନଙ୍କ ହସ୍ତିନାପୁରକୁ ଫେରିବା ପ୍ରସ୍ଥାବ ନେଇ ରାଜା ଦ୍ରୁପଦ ଓ କୃଷ୍ଣଙ୍କ ମତାମତ ଲୋଡିଲେ । ସେ ଦୁହେଁ ରାଜି ହେଲାପରେ ବିଦୁରଙ୍କ ସହ ପଞ୍ଚୁ ପାଣ୍ଡବ, ମାଆ କୁନ୍ତୀ ଓ ପତ୍ନୀ ଦ୍ରୌପଦୀ ହସ୍ତିନା ନଗରୀକୁ ଆସିବାକୁ ବାହାରିଲେ । 

ହସ୍ତିନା ନଗରୀରେ ପ୍ରବେଶ ପୂର୍ବରୁ ରାଜା ଧୃତରାଷ୍ଟ୍ରଙ୍କ ନିର୍ଦ୍ଦେଶରେ ରାଜସଭାର ଅନେକ ମାଣ୍ୟଗଣ ପାରିଷଦ ସେମାନଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରି ରହିଥିଲେ । ଆଚାର୍ଯ୍ୟ ଦ୍ରୋଣ, କୃପ, ବିକର୍ଣ୍ଣ ଓ ଚିତ୍ରସେନ ଆଦି ମଧ୍ୟ ଉପସ୍ଥିତ ଥାଆନ୍ତି । ତା ସାଙ୍ଗକୁ ପାଣ୍ଡ ମାନଙ୍କୁ ଭଲ ପାଉଥିବା ଶହ ଶହ ନଗରବାସୀ ବି ଆସି ରାସ୍ତାର ଦୁଇ ପାଖରେ ଛିଡା ହୋଇଥାନ୍ତି । ପାଣ୍ଡବ ପରିବାର ବିଦୁରଙ୍କ ସହ ନଗରୀ ଭିତରେ ପ୍ରବେଶ କରୁ କରୁ ସେମାନେ ଆନନ୍ଦରେ ଉଚ୍ଚ ସ୍ୱରରେ ସ୍ୱାଗତ କଲେ । ପାଣ୍ଡବମାନଙ୍କ ଜୟ ଜୟ ଧ୍ୱନୀରେ ହସ୍ତିନା ପୁରର ଆକାଶ ପ୍ରକମ୍ପିତ ହେବାକୁ ଲାଗିଲା। 

ରାଜନଗରରେ ପହଞ୍ଚି କିଛି ସମୟ ବିଶ୍ରାମ ନେଲାପରେ ସେମାନେ ରାଜା ଧୃତରାଷ୍ଟ୍ରଙ୍କୁ ଦେଖା କଲେ । ରାଜା ଧୃତରାଷ୍ଟ୍ରଙ୍କ ପାଖରେ ପିତାମହ ଭୀଷ୍ମ ଓ ଆଚାର୍ଯ୍ୟ ଦ୍ରୋଣ ଉପସ୍ଥିତ ଥାଆନ୍ତି । ପାଞ୍ଚ ଭାଇ ମିଶି ଗୁରୁଜନମାନଙ୍କୁ ଯଥାମାନ୍ୟ ସମ୍ମାନ ଜଣାଇଲେ। ଭୀଷ୍ମ ଅନେକ ଦିନ ପରେ ତାଙ୍କ ନାତିମାନଙ୍କୁ ଦେଖୁଥିଲେ । ସମସ୍ତଙ୍କୁ ଥରେ ଲେଖା ସେ ଆଲିଙ୍ଗନ କରି ସେ ତାଙ୍କ ସ୍ନେହ ଓ ଶ୍ରଦ୍ଧା ଜଣାଇଲେ । 

କିଛି ସମୟ ପରେ ଧୃତରାଷ୍ଟ୍ର ପାଣ୍ଡବ ଭାଇମାନଙ୍କୁ କହିଲେ ତୁମେମାନେ ସମସ୍ତେ ମୋର ଅତ୍ୟନ୍ତ ପ୍ରିୟ । ମୋ ଭାଇର ପୁଅ । ତେଣୁ ମୁଁ ଚାହେଁ ତୁମେ ସବୁ ଭଲରେ ରୁହ । ସୁଖ ସମୃଦ୍ଧି ଓ ସମ୍ମାନର ସହ ବଞ୍ଚିରୁହ । ସେଥିପାଇଁ ମୁଁ ବଡମାନଙ୍କ ଉପଦେଶକୁ ଧ୍ୟାନରେ ରଖି ନିଷ୍ପତ୍ତି ନେଇଛି, ଆଜିଠାରୁ ତୁମର ଅଧା ଦେଶ । ଏବେ ଖାଣ୍ଡବପ୍ରସ୍ଥକୁ ରାଜଧାନୀ କର । ନୂଆ ନଗରୀ ତିଆରି କର ଓ ଆନନ୍ଦରେ ରାଜା ହୋଇ ରାଜ୍ୟ ଶାସନ କର । 

ପାଣ୍ଡବମାନେ ଜାଣିଥିଲେ ଅପନ୍ତରା ଖାଣ୍ଡବପ୍ରସ୍ଥକୁ ସେମାନଙ୍କୁ ଦେଇ ରାଜା ସମୃଦ୍ଧ ହସ୍ତିନାପୁରକୁ ନିଜ ପାଖରେ ରଖିଲେ । ଏପରି ଏକ ଏକପାଖିଆ ନିଷ୍ପତ୍ତିକୁ ଭୀମସେନ ମାନିବାକୁ ରାଜି ନଥିଲେ । ପାଣ୍ଡବମାନେ ଦୁଃଖୀ ଥିଲେ । କିନ୍ତୁ କୃଷ୍ଣ ସେମାନଙ୍କୁ ବୁଝେଇ କହିଲେ ଏଥିରେ ମନ ଦୁଃଖ କରିବାର କିଛି ନାହିଁ । ତୁମକୁ ରାଜ୍ୟରୁ ଅଧା ମିଳିଛି । ସଠିକ୍ ଯୋଜନା କରିପାରିଲେ ଅପନ୍ତରାରେ ବି ସୁନ୍ଦର ନଗରୀ ଗଢା ଯାଇପାରିବ । ସବୁବେଳେ ଜୀବନକୁ ନୂଆ କରି ଆରମ୍ଭ କରିବାକୁ ପ୍ରସ୍ତୁତ ରୁହ । ଯୁଧିଷ୍ଠିର ମଧ୍ୟ ସାନ ଭାଇମାନଙ୍କୁ ବୁଝେଇଲେ ମଣିଷ ଜୀବନରେ ମାନସିକ ଶାନ୍ତି ହିଁ ବଡ କଥା । ହସ୍ତିନାପୁରର ଦୁଷ୍ଟ ଶକ୍ତିମାନଙ୍କ ପାଖରୁ ଆମେ ଯଥା ସମ୍ଭବ ଯେତେ ଦୂରେଇ ରହିବା, ସେତେ ଭଲରେ ରହିବା। ଆମେ ଧର୍ମର ରାସ୍ତାରେ ଅଛେ । ତେଣୁ ଭାଗ୍ୟ ନିଶ୍ଚୟ ଆମ ସହ ରହିବ । ବ୍ୟସ୍ତ ହୁଅନି, ସେଇ ଧର୍ମ ହିଁ ଆମକୁ ସଠିକ୍ ରାସ୍ତା ସବୁବେଳେ ଦେଖାଇବ । 

ଏବେ ପାଣ୍ଡବମାନଙ୍କ ପାଖରେ ସବୁଠାରୁ ବଡ କାମ ଥିଲା ଅନୁନ୍ନତ ଓ ଅପନ୍ତରା ଖାଣ୍ଡବପ୍ରସ୍ଥକୁ କେମିତି ବାସ ଉପଯୋଗୀ କରିବେ । କେମିତି ନଗର ନିର୍ମାଣ କରିବେ । କିଏ କରିବ ସହଯୋଗ? କେମିତି ସବୁକିଛି ଆରମ୍ଭ ହେବ ଶୂନରୁ?

OTV is now on Whatsapp

Join and get latest news update delivered to you via whatsapp

Join Now