Advertisment

Mahabharat Story: ରାଜକୁମାରମାନଙ୍କ ଅସ୍ତ୍ର ପ୍ରତିଯୋଗିତା ଓ ଅଜଣା ଯୁବକଙ୍କ ଆକସ୍ମିକ ରାଜା ହେବାର କାହାଣୀ

କିଏ ସେହି ଅଜଣା ଯୁବକ ଯିଏ ପୃଥିବୀର ଶ୍ରେଷ୍ଠ ଧନୁର୍ଦ୍ଧରଙ୍କ ସହ ପ୍ରତିଯୋଗିତାକୁ ଓଲ୍ଲାଇବାକୁ ଆହ୍ୱାନ କରିପାରିଲା? ପୁଣି କଣ ପାଇଁ ସେ ଅଜଣା ଯୁବକକୁ ସେଇଠି ସୁଯୋଗରୁ ବଞ୍ଚିତ କରାଗଲା? ପୁଣି କେମିତି ହଠାତ ତାଙ୍କୁ ମିଳିଲା ରାଜଗାଦି? କିଏ ସେହି ଯୁବକ? ପରିଚୟ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।

author-image
Ramakanta Samantaray
ଅଦ୍ୟତନ ହୋଇଛି
The arms race of the princes

The arms race of the princes

ପାଣ୍ଡବ ପାଞ୍ଚ ଭାଇ ଓ କୌରବ ଶହେ ଭାଇଙ୍କର ଆଚାର୍ଯ୍ୟ ଦ୍ରୋଣଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଶିକ୍ଷା ସମାପ୍ତ ହେଲା । ଆଚାର୍ଯ୍ୟ ଦ୍ରୋଣ ଦିନେ ପିତାମହ ଭୀଷ୍ମ, ଆଚାର୍ଯ୍ୟ କୃପ, ବିଦୁର ଓ ହସ୍ତିନାର ମହାରାଜା ଧୃତରାଷ୍ଟ୍ରଙ୍କ ସହ କଥା ହୋଇ ଦିନ ଗୋଟେ ନିର୍ଦ୍ଧାରଣ କଲେ । ସେଇଦିନ ତାଙ୍କ ଶିଷ୍ୟମାନେ ସମସ୍ତ ନଗରବାସୀ ଓ ରାଜ ପରିବାର ଆଗରେ ନିଜ ନିଜର ଅସ୍ତ୍ର ଚାଳନାର କଳା କୌଶଳ ପ୍ରଦର୍ଶନ କରିବେ ।

Advertisment

ସେଥିପାଇଁ ଗ୍ରହ ନକ୍ଷତ୍ର ଅନୁସାରେ ତିଥି ସ୍ଥିର କରାଗଲା । ନଗର ବାହାରେ ରାଜ ପରିବାର ଓ ନିମନ୍ତ୍ରୀତ ଅତିଥି ଓ ପ୍ରଜାମାନଙ୍କ ପାଇଁ ଅଲଗା ଅଲଗା ବିଶାଳ ମଣ୍ଡପମାନ ତିଆରି କରାଗଲା ।

ଶେଷରେ ନିର୍ଦ୍ଧାରିତ ଦିନରେ ନିର୍ଦ୍ଧାରିତ ସମୟରେ ସମସ୍ତେ ଏକତ୍ରୀତ ହେଲେ । ପଞ୍ଚୁ ପାଣ୍ଡବ ଓ କୌରବ ଶହେ ଭାଇ ପହଞ୍ଚିଲା ପରେ ପ୍ରଜାମାନେ ପ୍ରବଳ କୋଳାହଳ ଆରମ୍ଭ କରିଦେଲେ । ରାଜା ଧୃତରାଷ୍ଟ୍ର କିଛି ଦେଖିପାରୁନଥିଲେ ମଧ୍ୟ କୋଳାହଳ ଶୁଣୁଥିଲେ ଓ ପାଖରେ ବସିଥିବା ବିଦୁରଙ୍କୁ କ'ଣ କ'ଣ ହେଉଛି ତା'ର ବିବରଣୀ ଦେବାକୁ କହୁଥିଲେ । ବାଦ୍ୟକାରମାନେ ବୀର ବାଦ୍ୟ ବାଦନ କରି ପରିବେଶରେ ଉତ୍କଣ୍ଠା ଓ ଉଚ୍ଚାଟନ ଭରିଦେଇଥାନ୍ତି ।

Advertisment

ଆଖଡା ପରିସର ଭିତରକୁ ପ୍ରଥମେ ମଧ୍ୟମ ପାଣ୍ଡବ ଭୀମ ଓ ଦୁର୍ଯ୍ୟୋଧନ ଗଦା ବୁଲାଇ ପ୍ରବେଶ କଲେ । ଗଦା ଯୁ୍ଦ୍ଧରେ ଏକେ ଆରକୁ ବଳିୟାର । ଉପସ୍ଥିତ ନାଗରବାସୀ ଏବେ ଦୁଇ ଭାଗରେ ବିଭକ୍ତ ହେଇଗଲେ । କିଛି ଭୀମଙ୍କ ପ୍ରତି ଆନୁଗତ୍ୟ ଜଣାଇ ତାଙ୍କର ଜୟ ଜୟକାର କଲେ ତ ଆଉ ଅଧେ ଦୁର୍ଯ୍ୟୋଧନଙ୍କୁ ଉତ୍ସାହିତ କରିବାକୁ ତାଙ୍କ ନାମରେ ଜୟ ଜୟକାର କଲେ । ଆଚାର୍ଯ୍ୟ ଦ୍ରୋଣ ପରିବେଶରେ ଉତ୍ତେଜନା ଭରିଯିବା ଦେଖି ଭୀମ ଓ ଦୁର୍ଯ୍ୟୋଧନଙ୍କ ଗଦା ଯୁଦ୍ଧକୁ ବାତିଲ କରି ତାଙ୍କ ପ୍ରିୟ ଶିଷ୍ୟ ଅର୍ଜୁନଙ୍କୁ ତାଙ୍କ ଧର୍ନୁବିଦ୍ୟାର କୌଶଳ ଦେଖାଇବାକୁ ଆଦେଶ ଦେଲେ ।

ଯୁଦ୍ଧ ବିଦ୍ୟାରେ ଅନ୍ୟ ସମସ୍ତଙ୍କ ଠାରୁ ଶ୍ରେଷ୍ଠ ଅର୍ଜୁନ ସାଧନା କରିଥିବା ଅନେକ ପ୍ରକାର ବିଦ୍ୟା ସେଠି ପ୍ରଦର୍ଶନ କଲେ । ଅର୍ଜୁନ ଅଗ୍ନି ଅସ୍ତ୍ରରେ ଅଗ୍ନି ସୃଷ୍ଟି କଲେ, ବରୁଣାସ୍ତ୍ରରେ ପାଣି ଓ ବାୟବ୍ୟ ଅସ୍ତ୍ରରେ ପବନ ସୃଷ୍ଟି କଲେ । ଅନ୍ତର୍ଦ୍ଧନ ଅସ୍ତ୍ର ପ୍ରୟୋଗରେ ସବୁକିଛିକୁ ଅର୍ନ୍ତଦ୍ଧାନ କଲେ ତ ଆହୁରି ଅନେକ ପ୍ରକାରର ଲକ୍ଷ୍ଯ ଭେଦ ବାଣ ପ୍ରୟୋଗ କରି ଉପସ୍ଥିତ ସମସ୍ତଙ୍କୁ ଚକିତ କରିଦେଲେ।

ଅର୍ଜୁନଙ୍କ ବୀରତ୍ୱ ପ୍ରଦର୍ଶନରେ ପାଣ୍ଡବଙ୍କ ସହ ଗୁରୁ ଦ୍ରୋଣ, ପିତାମହ ଭୀଷ୍ମ, ବିଦୁର, ଆଚାର୍ଯ୍ୟ କୃପ ଓ ମାଆ କୁନ୍ତୀ ବଡ ଆନନ୍ଦିତ ହେଲେ । ବିଦୁରଙ୍କ ବର୍ଣ୍ଣନା ଶୁଣି ରାଜା ଧୃତରାଷ୍ଟ୍ର ବି ଆନନ୍ଦ ପ୍ରକଟ କଲେ । ଅନ୍ୟମାନେ ଖୁସି ହେଲାବେଳେ କିନ୍ତୁ କୌରବ ଭାଇମାନଙ୍କ ଭିତରେ ନୈରାଶ୍ୟ ଭରିଯାଇଥିଲା ।

The arms race of the princes ରାଜକୁମାରମାନଙ୍କ ଅସ୍ତ୍ର ପ୍ରତିଯୋଗିତା

ସେଦିନର କାର୍ଯ୍ୟକ୍ରମ ସରିବାକୁ ବସିଲାଣି । ବାଦ୍ୟକାରମାନଙ୍କ ବାଦ୍ୟ ବାଦନ ନୀରବ ହୋଇ ଆସୁଥାଏ । ଉପସ୍ଥିତ ନଗରବାସୀଙ୍କ କୋଳାହଳ ଚୁପ ହେଇ ଆସୁଥାଏ । ସେତିକିବେଳେ ହଠାତ୍ ତୋରଣ ପାଖରୁ ଅଦିନିଆ ଘଡ଼ଘଡ଼ି ପରି ଧନୁର ଟଙ୍କାର ଓ ଅସ୍ତ୍ରର ଝଙ୍କାର ଶୁଣିବାକୁ ମିଳିଲା । ଉପସ୍ଥିତ ସମସ୍ତେ ତୋରଣ ଦିଗରେ ଚାହିଁଲେ । ଦେଖିଲେ ସୂର୍ଯ୍ୟଙ୍କ ତେଜରେ ତେଜୀୟାନ ଓ ନିଜକୁ ବିଭିନ୍ନ ପ୍ରକାର ଅସ୍ତ୍ର-ଶସ୍ତ୍ରରେ ସଜେଇ ଜଣେ ଯୁବକ ଦୃତ ପଦପାଦରେ ଆଖଡା ଭିତରକୁ ପଶିଆସୁଛି । ଯୁବକର ଛାତିରେ କବଚ ଓ କାନରେ କୁଣ୍ଡଳ ଅପରାହଣର ସୂର୍ଯ୍ୟାଲୋକରେ ଝଲ ମଲ କରୁଛି । କେହି ଜାଣନ୍ତିନି ସେ କିଏ । କୋଉଠୁ ଆସିଛି ସେ ଅଜଣା ଯୁବକ? କେହି କିଛି କହିବା ଆଗରୁ ସେ ଯୁବକ ଜଣକ ଅର୍ଜୁନଙ୍କୁ ଲକ୍ଷ୍ଯ କରି କହିଲେ- ହେ ବୀର ଫାଲଗୁନି, ତୁମେ ଏଇଠି ଯେତେ ଯାହା ଅସ୍ତ୍ର ବିଦ୍ୟା ଦେଖେଇଲ ସେଥିରେ ଅନ୍ୟ କେହି ଆଶ୍ଚର୍ଯ୍ୟ ହେଇପାରେ। କିନ୍ତୁ ମୁଁ ଆଦୌ ଚକିତ ନୁହେଁ । ମୁଁ ତୁମ ଠାରୁ ଅଧିକ ସୁଚାରୁରୁପେ ଏ ସମସ୍ତ ବିଦ୍ୟା ପ୍ରଦର୍ଶନ କରିପାରିବି । ପାରିବ ଯଦି ମୋ ସାଙ୍ଗରେ ପ୍ରତ୍ୟକ୍ଷ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୁଅ । ମୋ ସହ ପ୍ରତିଯୋଗିତା ଜିତି ନିଜକୁ ବଡ ଧନୁର୍ଧର ଭାବରେ ପ୍ରମାଣିତ କର ।

କେହି କିଛି କହିବା ଆଗରୁ କୌରବ ଭାଇମାନେ ବଡ ଖୁସି ହେଇଗଲେ । ସେମାନେ ବୁଝିଗଲେ କେହି ଜଣେ ତ ଅଛି ଅର୍ଜୁନ ସହ ଧନୁ ବାଣ ଧରି ସମ୍ମୁଖ ଯୁଦ୍ଧରେ ଠିଆ ହେବାକୁ । ସଙ୍ଗେ ସଙ୍ଗେ ଦୁର୍ଯ୍ୟୋଧନ ସେ ଯୁବକଙ୍କୁ ସମର୍ଥନ କଲେ ଓ ଆଚାର୍ଯ୍ୟ ଦ୍ରୋଣଙ୍କୁ ଅନୁରୋଧ କରି କହିଲେ ଏବେ ସେ ଦୁହିଁଙ୍କ ଭିତରେ ପ୍ରତିଯୋଗିତା ଶୀଘ୍ର ଆରମ୍ଭ କରାଯାଉ । ତା ଭିତରେ ସେ ଯୁବକ ଓ ଅର୍ଜୁନଙ୍କ ଭିତରେ କିଛି ବାକ୍ୟ ବିନିମୟ ବି ହେଲା । ଦୁହେଁ ଦୁହିଁଙ୍କି ଚେତାବନୀ ଦେବାକୁ ଲାଗିଲେ । ଆଚାର୍ଯ୍ୟ ଦ୍ରୋଣଙ୍କ ଅନୁମତିରେ ଦୁହେଁ ଯେତେବେଳେ ଅସ୍ତ୍ର ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଲେ ସେତିକିବେଳେ ଆଚାର୍ଯ୍ୟ କୃପ ସେ ଯୁବକଙ୍କୁ ପ୍ରଶ୍ନ କଲେ । କହିଲେ ହେ ଆଜ୍ଞାତ ଯୁବକ, ପଣ୍ଡୁ ପୁତ୍ର ଅର୍ଜୁନ କ୍ଷତ୍ରୀୟ କୂଳରେ ଜନ୍ମ ହେଇଛନ୍ତି । ଆମେ ତୁମର ପରିଚୟ ଓ ବଂଶ କିମ୍ବା କୁଳ ପରିଚୟ ଏଯାଏଁ ଜାଣିନୁ । ପ୍ରଥମେ ତୁମ କୋଉ କ୍ଷତ୍ରୀୟ ବଂଶରେ ଜନ୍ମ ନେଇଛ ତା'ର ପରିଚୟ ଦିଅ । ତାପରେ ପ୍ରତିଯୋଗିତାରେ ଭାଗ ନେବ ।

ସେ ଯୁବକ ଜଣକ ତାଙ୍କ ପରିଚୟ ଦେବା ଆଗରୁ ଜଣେ କିନ୍ତୁ ସେ ଆସିବାବେଳରୁ ତାଙ୍କୁ ଚିହ୍ନି ସାରିଥିଲେ । ସେ ହେଉଛନ୍ତି ପାଣ୍ଡବମାନଙ୍କ ମାତା କୁନ୍ତୀ । କବଚ ଓ କୁଣ୍ଡଳ ପିନ୍ଧିଥିବା ଯୁବକ ଯେ ତାଙ୍କ ବଡ ପୁଅ, ସେ କଥା ସେ ଜାଣି ସାରିଥିଲେ । ଏକଦା କୁମାରୀ ବୟସରେ ସେ ଏଇ ପୁଅକୁ ସୂର୍ଯ୍ୟଙ୍କ ଔରସରୁ ଜନ୍ମ କରି ଲୋକ ଲଜ୍ଜା ଭୟରେ କାଠ ବାକ୍ସରେ ପୁରେଇ ନଦୀରେ ଭସେଇ ଦେଇଥିଲେ । ଭରା ସଭାରେ ଆଜି ସେଇ ପୁଅ ତାଙ୍କ ପାଖକୁ ଫେରି ଆସିଛି । ଭରା ସଭାରେ ତାକୁ ତା'ର ବଂଶ ପରିଚୟ ମଗାଯାଉଛି । ସେ ପୁଣି ଆସିଛି ନିଜ ସାନ ଭାଇ ସାଙ୍ଗରେ ଅସ୍ତ୍ର ପ୍ରତିଯୋଗିତାରେ ଭାଗ ନେବାକୁ । ଅଥଚ ସେ କିଛି ବି କହିପାରୁନାହାଁନ୍ତି । କାହାକୁ ବି କିଛି କହିପାରୁ ନାହାଁନ୍ତି । କୁନ୍ତିଙ୍କର ମୁଣ୍ଡ ବୁଲେଇ ଦେଲା । ସେ ମୁର୍ଚ୍ଛା ହେଇ ପଡିଗଲେ । ବିଦୁର ତୁରନ୍ତ ତାଙ୍କୁ ପରିଚାରିକାମାନଙ୍କ ସହାୟତାରେ ମଣ୍ଡପରୁ ରାଜନଅରୁ ନେଇଗଲେ । ରାଜ ବୈଦ୍ୟକୁ ଖବର ଦିଆଗଲା ।

ସେପଟେ କୃପଙ୍କ ପରିଚୟ ପ୍ରଶ୍ନର କିଛି ବି ଉତ୍ତର ଦେଇପାରିଲେନି ସେ ଯୁବକ । ତାଙ୍କ ମୁଖର ତେଜ ସାମାନ୍ୟ ମଳିନ ପଡିଗଲା । ସେ ନୀରବ ରହିଗଲେ । ସେତିକିବେଳେ ରଥ ଚାଳକ ଅଧିରଥ ସେଇଠି ପହଞ୍ଚିଲେ ଓ କୌରବ ଏବଂ ପାଣ୍ଡଵ ଭାଇମାନଙ୍କ ସହ ତାଙ୍କ ପୁଅକୁ ଦେଖି ଖୁସି ହୋଇଗଲେ । ଅଧୀରଥ ସେ ଅଜଣା ଯୁବକଙ୍କୁ କର୍ଣ୍ଣ ନାମରେ ସମ୍ବୋଧନ କରୁଥାନ୍ତି । ତାପରେ ଅନ୍ୟମାନଙ୍କୁ ପରିଚୟ କରାଇବାକୁ କହିଲେ ଏ ମୋ ପୁଅ କର୍ଣ୍ଣ । ଏମିତି ଜଣେ ବୀର ପୁଅ ପାଇ ସେ ଖୁସି ।

The arms race of the princesରାଜକୁମାରମାନଙ୍କ ଅସ୍ତ୍ର ପ୍ରତିଯୋଗିତା

ଅଧିରଥଙ୍କ କଥା ଶୁଣି ଏବେ ସମସ୍ତେ ଜାଣିଗଲେ ଯୁବକ ଜଣଙ୍କର ନାମ କର୍ଣ୍ଣ ଓ ସେ ଜଣେ ସୂତ ପୂତ୍ର । କଥାଟି ଜାଣିଲା ପରେ ଭୀମ ପ୍ରଥମେ ଚିତ୍କାର କରି କହିଲେ ଜଣେ ସୂତ ପୁତ୍ର କେମିତି ଅର୍ଜୁନଙ୍କ ସହ ଅସ୍ତ୍ର ଧରି ପ୍ରତିଯୋଗିତାରେ ଭାଗ ନେବ? ସେ କଥା ଏଠି ସମ୍ଭବ ହେଇପାରିବନି । ହେ କର୍ଣ୍ଣ, ତୁମର କ୍ଷତ୍ରୀୟ ବୀର ଅର୍ଜୁନଙ୍କୁ ହାତରେ ମାରିବାର ଭାଗ୍ୟ ନାହିଁ । ତୁମେ ତୁମ ସମାସ୍କନ୍ଦ ବଂଶରେ କାହାକୁ ଖୋଜ । ଦୁର୍ଯ୍ୟୋଧନ କହିଲେ ବୀରତ୍ୱ ଦେଖାଇବାକୁ ଏ ବଂଶ ପରିଚୟରେ କ'ଣ ଅଛି? କିଏ ବୀର ଓ କିଏ ବେଶି ପାରିବାର ସେକଥା ସେମାନଙ୍କ ଅସ୍ତ୍ର ଚାଳନାର କୌଶଳ ହିଁ କହିବ । ଏଥର ଯୁଧିଷ୍ଠିର ଛିଡାହେଲେ ଓ କହିଲେ ଧର୍ମ ଅନୁସାରେ ଜଣେ ତା'ର ପିତାର ପରିଚୟରେ ପରିଚିତ। କର୍ଣ୍ଣଙ୍କର ପିତା ଜଣେ ରଥ ଚାଳକ। ତେଣୁ ସେ କ୍ଷତ୍ରୀୟ ନୁହଁନ୍ତି।

କର୍ଣ୍ଣ କହିବାକୁ ଚାହୁଁଥିଲେ, କେଉଁ ବଂଶରେ ସେ ଜନ୍ମ ନେଲେ ତାହା ତାଙ୍କ ହାତରେ ନଥିଲା କିନ୍ତୁ ପୁରୁଷାର୍ଥ ତ ସେ ନିଜେ ନିଜ ପାଇଁ ରୋଜଗାର କରିଛନ୍ତି । କିନ୍ତୁ ସେ କିଛି କହିଲେନି । ନୀରବ ରହିବାକୁ ଠିକ୍ ମନେକଲେ ।

ଦୁର୍ଯ୍ୟୋଧନ କିନ୍ତୁ କର୍ଣ୍ଣଙ୍କୁ ତାଙ୍କ ପାଖରୁ ଅନ୍ତର କରିବାକୁ ଚାହୁଁ ନଥିଲେ । ସେ ଜାଣିଥିଲେ ପାଣ୍ଡବମାନଙ୍କ ପ୍ରତିପକ୍ଷରେ ଛିଡା ହେବାକୁ ତାଙ୍କର କର୍ଣ୍ଣଙ୍କ ପରି ଜଣେ ବୀର ଯୋଦ୍ଧା ଓ ଧନୁର୍ଧରର ଆବଶ୍ୟକତା ଅଛି । ଦୁର୍ଯ୍ୟୋଧନ ତାପରେ କର୍ଣ୍ଣଙ୍କୁ ଆଲିଙ୍ଗନ କରି କହିଲେ ସେ ଜଣେ ବୀରର ଅପମାନ ସହି ପାରିବେନି । ସାଙ୍ଗେ ସାଙ୍ଗେ ସେ ରାଜା ଧୃତରାଷ୍ଟ୍ରଙ୍କ ପାଖକୁ ଗଲେ ଓ କହିଲେ ତାଙ୍କ ମିତ୍ର କର୍ଣ୍ଣଙ୍କୁ ଏକ ଦେଶର ରାଜା କାରାଯାଉ । କାରଣ ରାଜା ହେଲା ପରେ ତାଙ୍କୁ ଆଉ କେହି ଅପମାନିତ କରିପାରିବେନି ।

ଧୃତରାଷ୍ଟ୍ର ସତର ଅନ୍ଧ ଥିଲେ ଓ ତା ସାଙ୍ଗରେ ପୁତ୍ର ପ୍ରେମରେ ବି ବି ଅନ୍ଧ ଥିଲେ । ସେ ଦୁର୍ଯ୍ୟୋଧନଙ୍କୁ କିଛି କହିପାରିଲେନି । ପୁଅର କଥା ମାନି କର୍ଣ୍ଣଙ୍କୁ ଅଙ୍ଗ ଦେଶର ରାଜା କରେଇଦେଲେ । ଦୁର୍ଯ୍ୟୋଧନ କହିଲେ ଅଙ୍ଗ ନରେଶ କର୍ଣ୍ଣ ତାଙ୍କର ବନ୍ଧୁ । ତେଣୁ ତାଙ୍କୁ ଆଉ କେହି ସୂତ ପୁତ୍ର କହି ଅପମାନିତ କରିପାରିବେନି । ତାଙ୍କୁ ଅପମାନ କରିବା ଅର୍ଥ ମୋତେ ଅପମାନିତ କରିବା ପରି କଥା ହେବ ।

ପାଣ୍ଡବମାନେ ଏପରି ପରିସ୍ଥିତିକୁ ଅବଶ୍ୟ ବିରୋଧ କଲେ । କିନ୍ତୁ ତାଙ୍କ କଥା ଶୁଣୁଛି କିଏ । ପରିବେଶ ଅସନ୍ତୁଳିତ ହେଇ ସାରିଥିଲା। ସେଠାରେ ଉପସ୍ଥିତ ପିତାମହ ଭୀଷ୍ମ, ଆଚାର୍ଯ୍ୟ କୃପ, ଆଚାର୍ଯ୍ୟ ଦ୍ରୋଣ ବୁଝିପାରୁଥିଲେ ଏ ତ ଆରମ୍ଭ ମାତ୍ର । ଆଗକୁ ଆଗକୁ ଆହୁରି ଭୀଷଣ ସମୟ ଆସୁଛି । କାଳ ସ୍ରୋତ ଆଗରେ ଛିଡା ହେଲା ବେଳକୁ କିଏ ରହିବ କିଏ ଭାସିଯିବ କାହାକୁ ବି ଜଣା ନାହିଁ।

ସନ୍ଧ୍ୟା ନଇଁ ଆସୁଥିଲା । ତାଙ୍କରି ସାମ୍ନାରେ ତାଙ୍କ ନାତିମାନେ ପରସ୍ପରଙ୍କ ଭିତରେ ଏପରି ଝିକା ଟଣା କଳିଗୋଳକୁ ଆଗକୁ ନବଢାଇବାକୁ ପ୍ରତିଯୋଗିତା ଶେଷ ହେଲା ବୋଲି ଭୀଷ୍ମ ଘୋଷଣା କଲେ । ତାପରେ ସମସ୍ତେ ନିଜ ନିଜ ଘରକୁ ଫେରିବାକୁ ବାହାରିଲେ ।

ଆଖଡା ସ୍ଥାନରୁ ବାହାରି ଗଲା ବେଳକୁ କର୍ଣ୍ଣ ଧିର ସ୍ୱରରେ ଦୁର୍ଯ୍ୟୋଧନଙ୍କୁ ପଚାରିଲେ କ'ଣ ପାଇଁ ତାଙ୍କୁ ଏ ଅପମାନରୁ ବଞ୍ଚାଇଲେ ସେ । ପ୍ରତିବଦଳରେ କ'ଣ ଚାହାଁନ୍ତି ତାଙ୍କ ଠାରୁ । ଧିର ସ୍ୱରରେ ଦୁର୍ଯ୍ୟୋଧନ ଉତ୍ତର ଫେରାଇ କହିଲେ, କେବଳ ନିରୋଳା ବନ୍ଧୁତା ପାଇଁ । ତା ପୁଣି ସବୁଦିନ ପାଇଁ । ଖୁସିରେ କର୍ଣ୍ଣ ଭିଡିଧରିଲେ ଦୁର୍ଯ୍ୟୋଧନଙ୍କୁ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Mahabharata Special Story Mahabharat Story
Advertisment
Advertisment