ଇକ୍ଷାକୁ ବଂଶରେ କଳ୍ମାଷପାଦ ନାମରେ ଜଣେ ବଡ ପ୍ରତାପୀ ରାଜା ଥିଲେ। ଥରେ ସେ ତାଙ୍କ ସୈନ୍ୟ ସାମନ୍ତ ଧରି ଏକ ସରୁଆ ରାସ୍ତା ପାର କରୁଥାନ୍ତି। ବିପରୀତ ଦିଗରୁ ମହାନ ଋଷି ବଶିଷ୍ଠଙ୍କର ଶହେ ପୁଅଙ୍କ ଭିତରୁ ବଡପୁଅ ତପସ୍ୱୀ ଶକ୍ତି ଆସୁଥାନ୍ତି। ରାସ୍ତା ଏତେ ସଂକୀର୍ଣ୍ଣ ଯେ ଦୁଇଜଣ ପରସ୍ପରକୁ ଅତିକ୍ରମ କରିପାରିବେନି। କାହାକୁ ବି ଜଣକୁ ହେଲେ ପଛକୁ ଫେରିବାକୁ ହେବ। ରାଜା ଆଦେଶ ଦେବା ସ୍ୱରରେ ଶକ୍ତିଙ୍କୁ କହିଲେ - ହେ ବ୍ରାହ୍ମଣ ତୁମେ କ'ଣ ଜାଣିପାରୁନ ଜଣେ ରାଜା ଏବେ ରାସ୍ତା ଅତିକ୍ରମ କରୁଛନ୍ତି? ତେଣୁ ତୁରନ୍ତ ପଛକୁ ଫେରିଯାଅ ଓ ଆମକୁ ରାସ୍ତା ଛାଡ।
ଅଧିକ ପଢ଼ନ୍ତୁ: ଦେବକନ୍ୟାଙ୍କ ମର୍ତ୍ତ୍ୟଲୋକରେ ବିବାହ ଓ ଜଣେ ରାଜାଙ୍କର ତପସ୍ୱୀ ହେବାର କାହାଣୀ
ଶକ୍ତି ପଛକୁ ଫେରିବାକୁ ଚାହୁଁନଥିଲେ। ଏଥିରେ ରାଜା କଳ୍ମାଷପାଦ ବିରକ୍ତ ହୋଇ ଅତ୍ୟନ୍ତ କ୍ରୋଧର ସହ ତାଙ୍କ ଚାବୁକରେ ତପସ୍ୱୀ ଶକ୍ତିଙ୍କୁ ପ୍ରହାର କରିବାକୁ ଲାଗିଲେ । କ୍ରୋଧର ଆବେଶରେ ଆସି ରାଜାଙ୍କର ଏପରି ବ୍ୟବହାରରେ ତପସ୍ୱୀ ଶକ୍ତି ରାଜାଙ୍କୁ ତତକ୍ଷଣାତ୍ ଅଭିଶାପ ଦେଲେ । କହିଲେ ହେ ରାଜା, ଗର୍ବ ଓ କ୍ରୋଧରେ ଅନ୍ଧ ହୋଇ ତୁମେ ତୁମର ହିତାହତ ଜ୍ଞାନ ହରେଇ ରାକ୍ଷସ ପରି ବ୍ୟବହାର କଲ। ମୁଁ ଅଭିଶାପ ଦେଉଛି ତୁମେ ସତକୁ ସତ ଜଣେ ରାକ୍ଷସ ହୋଇଯାଅ । ଏବେ ମୋ ସାମ୍ନାରୁ ଅପସରି ଯାଅ ଓ ପୃଥିବୀ ସାରା ଘୁରିବୁଲି ମଣିଷ ମାଂସ ଖାଇବାକୁ ଖୋଜି ବୁଲ।
ରାଜା ଓ ଶକ୍ତିଙ୍କ ଭିତରେ ଏହି ଯୁକ୍ତତର୍କ ଲାଗିଥିବା ବେଳେ ଜଙ୍ଗଲର ସେଇ ରାସ୍ତାରେ ବିଶ୍ୱାମିତ୍ର ଯାଉଥିଲେ । ଘଟଣା ଦେଖି ସେ ନିଜକୁ ଲୁଚେଇ ରଖି ପରିସ୍ଥିତି ଅନୁଧ୍ୟାନ କରୁଥାନ୍ତି । ନନ୍ଦିନୀ ଗାଈ ଘଟଣା ପରଠୁ ତାଙ୍କର ବ୍ରହ୍ମର୍ଷି ବଶିଷ୍ଠଙ୍କ ପ୍ରତି ଅସୂୟା ଭାବ ରହିଥାଏ। ସେ ଯେତବେଳେ ରାଜା କଳ୍ମାଷପାଦଙ୍କୁ ବଶିଷ୍ଠଙ୍କ ପୁଅ ଶକ୍ତି ଅଭିଶାପ ଦେବା ଶୁଣିଲେ ସାଙ୍ଗେ ସାଙ୍ଗେ ଏକ ରାକ୍ଷସକୁ ରାଜାଙ୍କ ଶରୀର ଭିତରେ ପ୍ରବେଶ କରିବାକୁ ଆଦେଶ ଦେଲେ । ଶକ୍ତିଙ୍କ ଅଭିଶାପ ଓ ବିଶ୍ୱାମିତ୍ରଙ୍କ ଆଦେଶ ପାଇ କିଙ୍କର ନାମକ ରାକ୍ଷସ ରାଜାଙ୍କ ଶରୀରରେ ପ୍ରବେଶ କରିଗଲା।
ତାପରେ ଯିଏ ଯାହାର ରାସ୍ତାରେ ସେଠୁ ଚାଲିଗଲେ। ଅଭିଶାପ ପାଇ ଜଙ୍ଗଲରେ ରାଜା ବୁଲୁଥିବା ବେଳେ ତାଙ୍କର ଜଣେ ବ୍ରାହ୍ମଣଙ୍କ ସହ ଦେଖା ହେଲା । ବ୍ରାହ୍ମଣ ଜଣକ ଭୋକରେ ଥାଆନ୍ତି। ରାଜାଙ୍କୁ ଦେଖି ସେ ବ୍ରାହ୍ମଣ ଖାଇବାକୁ କିଛି ମାଂସ ମାଗିଲେ । ରାଜା କଳ୍ମାଷପାଦ ସେ ବ୍ରାହ୍ମଣକୁ କହିଲେ, ହେ ବୀପ୍ରବର ଆପଣ ଏଇଠି ଅପେକ୍ଷା କରିଥାନ୍ତୁ । ମୁଁ ଫେରିଲାବେଳେ ଆପଣଙ୍କ ପାଇଁ କିଛି ମାଂସ ଆଣିଦେବି । କିନ୍ତୁ ରାଜାଙ୍କ ଭିତରେ ତ ରାକ୍ଷସ ଥିଲା । ରାଜା ତେଣୁ ଖୁବ ଶୀଘ୍ର ସେ ବ୍ରାହ୍ମଣଙ୍କ କଥା ଭୁଲିଯାଇ ତାଙ୍କ ଉଆସକୁ ଫେରିଗଲେ । ଅଧ ରାତିରେ ଯେତେବେଳେ ତାଙ୍କର ଏ କଥା ମନେ ପଡିଲା, ସେତେବେଳେ ସେ ନିଜ ରାନ୍ଧୁଣିଆକୁ ଡାକି କହିଲେ ଯା, ଶୀଘ୍ର କିଛି ମାଂସ ରାନ୍ଧି ଜଙ୍ଗଲରେ ମୋତେ ଅପେକ୍ଷା କରିଥିବା ସେ ବ୍ରାହ୍ମଣଙ୍କୁ ଦେଇଆସ। ରାତି ବେଳା ବିଚରା ରାନ୍ଧୁଣିଆ ଖୋଜି ଖୋଜି କୌଣସି ଜୀବ ଜନ୍ତୁର ମାଂସ ପାଇଲାନି। ନିରାଶ ହେଇ ଆସି ରାଜାଙ୍କୁ କହିବାରୁ ରାକ୍ଷସ ସବାର ହେଇଥିବା ରାଜା କଳ୍ମାଷପାଦ ରାନ୍ଧୁଣିଆକୁ ତତକ୍ଷଣାତ ନିର୍ଦ୍ଦେଶ ଦେଇ କହିଲେ, ଯା ମଣିଷ ମାଂସ ଆଣି ରାନ୍ଧି ସେ ବ୍ରାହ୍ମଣକୁ ଦେଇ ଆସ । ରାଜାଙ୍କ ନିର୍ଦେଶରେ ରାନ୍ଧୁଣିଆ ଜହ୍ଲାଦ ପାଖରୁ କିଛି ମଣିଷ ମାଂସ ଆଣି ତାକୁ ଭଲରେ ରାନ୍ଧି କିଛି ଭାତ ସାଙ୍ଗରେ ଜଙ୍ଗଲରେ ଅପେକ୍ଷା କରିଥିବା ବ୍ରାହ୍ମଣଙ୍କ ପାଖରେ ଯାଇ ପହଞ୍ଚିଲା । ଖାଦ୍ୟକୁ ଦେଖୁ ଦେଖୁ ସେ ବ୍ରାହ୍ମଣ ଜଣକ ଜାଣିଗଲେ ରାନ୍ଧୁଣିଆ ରାଜାଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କ ପାଇଁ ଅଖାଦ୍ୟ ମଣିଷ ମାଂସ ରାନ୍ଧିକି ଆଣି ଆସିଛି । ସେ ଭୀଷଣ ଭବରେ ରାଗିଗଲେ ଓ ସଙ୍ଗେ ସଙ୍ଗେ ରାଜାଙ୍କ ଉଦ୍ଦେଶରେ ଅଭିଶାପ ଦେଇ କହିଲେ ଯୋଉ ମୁର୍ଖ ଅପଗଣ୍ଡ ରାଜା ଏ ମଣିଷ ମାଂସ ପରି ଅଖାଦ୍ୟ ଜଣେ ବେଦଜ୍ଞ ବ୍ରାହ୍ମଣ ପାଖକୁ ପଠେଇଛି ସେ ନିଜେ ମଣିଷ ମାଂସ ଖାଉ । ଆଜିଠୁ ମଣିଷ ମାଂସ ତାର ପ୍ରିୟ ଖାଦ୍ୟ ହେଉ ।
ଅଧିକ ପଢ଼ନ୍ତୁ: ଜଳୁଥିବା ଯଜ୍ଞ କୁଣ୍ଡରୁ ଜନ୍ମିଥିବା ଭାଇ ଭଉଣୀ ଓ ଗର୍ବୀ ଗନ୍ଧର୍ବର ପରାଜୟ କଥା
ଆଗରୁ ତପସ୍ୱୀ ଶକ୍ତିଙ୍କ ରାକ୍ଷସ ହେବାର ଅଭିଶାପ ଓ ଏବେ ବ୍ରାହ୍ମଣଙ୍କ ଅଭିଶାପ ପରେ ରାଜା କଳ୍ମାଷପାଦଙ୍କୁ ଦୁଇ ଦୁଇଟି ଅଭିଶାପ ଧରି ବଞ୍ଚିବାକୁ ହେଲା । ତାଙ୍କ ଭିତରେ ଥିବା ରାକ୍ଷସ ଅଧିକ ବଳଶାଳୀ ହୋଇଉଠିଲା । ତାପରେ ସିଧା ସଳଖ ଅଭିଶପ୍ତ କଳ୍ମାଷପାଦ ବଶିଷ୍ଠଙ୍କ ପୁତ୍ର ଶକ୍ତିଙ୍କ ପାଖରେ ପହଞ୍ଚି କହିଲେ, ହେ ବ୍ରାହ୍ମଣ ତୁମେ ମୋତେ ମଣିଷ ମାଂସ ଖାଇବାକୁ ଅଭିଶାପ ଦେଇଥିଲ । ଅନ୍ୟକୁ କାହିଁକି, ଆଜି ତୁମକୁ ଖାଇ ମୁଁ ମୋର ମଣିଷ ମାଂସ ଖିଆ କାମ ଆରମ୍ଭ କରିବି । ଶକ୍ତି କିଛି କହିବା ଆଗରୁ ରାଜା ତପସ୍ୱୀଙ୍କ ଉପରକୁ ଝପଟି ପଡିଲେ ଓ ଜଙ୍ଗଲୀ ବାଘ ଖାଇବା ପରି ଶକ୍ତିଙ୍କୁ ଖାଇବାକୁ ଲାଗିଲେ । ଶକ୍ତିଙ୍କୁ ଖାଇ ସାରିଲା ପରେ କଳ୍ମାଷପାଦ ଏଥର ବଶିଷ୍ଠଙ୍କ ଅନ୍ୟ ପୁଅମାନଙ୍କୁ ଗୋଟା ଗୋଟା କରି ଖାଇଲେ । ବଶିଷ୍ଠ ଋଷିଙ୍କ ଶହେ ପୁଅରୁ କାହାକୁ ଜଣକୁ ବି ସେ ଛାଡିଲେନି ।
ଅଧିକ ପଢ଼ନ୍ତୁ: ଦୁଇ ବିଧବା ବୋହୂଙ୍କ ପୁତ୍ର ପ୍ରାପ୍ତି ଓ ଜଣେ ଅନ୍ଧ ରାଜପୁତ୍ରଙ୍କ ଜନ୍ମ ବୃତ୍ତାନ୍ତ
ଖୁବ ଶୀଘ୍ର ବଶିଷ୍ଠ ଋଷି ଜାଣିଲେ ବିଶ୍ୱାମିତ୍ରଙ୍କ ଷଡ଼ଯନ୍ତ୍ରରେ ସେ ତାଙ୍କର ପୁଅମାନଙ୍କୁ ହରେଇଛନ୍ତି । ଏକଥା ଜାଣି ବଶିଷ୍ଠ ଦୁଃଖରେ ଭାଙ୍ଗିପଡିଲେ । ତାଙ୍କୁ ତାଙ୍କ ଜୀବନ ଅସାର ଲାଗିଲା । ଲାଗିଲା ଆଉ ଏ ଜୀବନର ମୂଲ୍ୟ କ'ଣ ରହିଲା? ଏ ଜୀବନ ରଖି ଲାଭ ଆଉ କ'ଣ ? ତେଣୁ ସେ ମେରୁ ପର୍ବତର ସବୁଠାରୁ ଉଚ୍ଚା ଶୃଙ୍ଗ ଆରୋହଣ କଲେ ଓ ସେଉଠୁ ତଳକୁ ଡେଇଁପଡିଲେ । କିନ୍ତୁ ଏତେ ଉଚ୍ଚରୁ ଆସି ତଳେ ପଡିଲା ବେଳକୁ ତାଙ୍କର କୌଣସି କ୍ଷତି ହେଲାନି । ଆକାଶରୁ ମାଟି ଉପରେ ସେ ତୁଳା ପ୍ରମାଣେ ପଡିଲେ। ପାହାଡରୁ ଡେଇଁ କିଛି ଲାଭ ହେଲାନି ବୋଲି ବ୍ରହ୍ମର୍ଷି ବଶିଷ୍ଠ ଜଙ୍ଗଲରେ ନିଆଁ ଲଗେଇ ତା' ଭିତରେ ପଶିଗଲେ । ଅଗ୍ନିଦେବ ବଶିଷ୍ଠଙ୍କୁ ଜାଳିବେ କ'ଣ ବରଂ ତାଙ୍କ ଶିଖାକୁ ଥଣ୍ଡା ଓ ଶୀତଳ କରିଦେଲେ । ନିଆଁରେ କିଛି ହେଲାନି ବୋଲି ବଶିଷ୍ଠ ଏଥର ନିଜ ବେକରେ ଓଜନିଆ ପଥର ଗୋଟେ ବାନ୍ଧି ଗଭୀର ସମୁଦ୍ର ଭିତରକୁ ଝାସ ଦେଲେ । ସେଠାରେ ବି କିଛି ଫଳ ଫଳିଲାନି । ବରୁଣ ଦେବତା ସମୁଦ୍ରର ଲହଡିରେ ଦୋଳିରେ ଝୁଲିଲା ପରି ତାଙ୍କୁ ନିରାପଦରେ ଆଣି କୂଳରେ ଛାଡିଦେଲେ । ତାପରେ ସେ ଭୀଷଣ ବନ୍ୟା ପ୍ରବାହିତ ହେଉଥିବା ଏକ ନଦୀରେ ନିଜକୁ ଫାସରେ ବାନ୍ଧି ବୁଡିବାକୁ ଚେଷ୍ଟା କରି ମଧ୍ୟ ଅସଫଳ ହେଲେ । ତାଙ୍କୁ ପାଶମୁକ୍ତ କରିଥିବାରୁ ବଶିଷ୍ଠ ସେ ନଦୀର ନାଁ ଦେଲେ ବିପାଶ । ତାପରେ ବଶିଷ୍ଠ ହିମାଳୟର ଏକ ଭୟଙ୍କର ସ୍ରୋତସ୍ୱିନୀ ନଦୀ ହୀମବତୀ ଭିତରକୁ ପଶିବାରୁ ନଦୀ ତାଙ୍କୁ ସମ୍ମାନ ଜଣେଇ ଶତଧା ବିଭକ୍ତ ହେଇଗଲା । ସେଇ ଦିନୁ ସେ ନଦୀର ନାମ ଶତଦ୍ରୁ ହେଲା ।
ଶରୀର ତ୍ୟାଗର ଅନେକ ଉପାୟ କଲା ପରେ ବି କିଛି ନହେବାରୁ ବଶିଷ୍ଠ ତାଙ୍କ ଆଶ୍ରମକୁ ବାର ବର୍ଷ ପରେ ଫେରିଆସିଲେ । ଦିନେ ଆଶ୍ରମରେ ହଠାତ୍ ସେ ବେଦ ଧ୍ୱନୀ ଶୁଣିବାକୁ ପାଇଲେ । ଋଷିଙ୍କୁ ଲାଗିଲା ତାଙ୍କ ବଡପୁଅ ଶକ୍ତି ଯେପରି ବେଦଧ୍ୱନୀ କରୁଛି । ବେଦ ପାଠ କିଏ କରୁଛି ଖୋଜିବାକୁ ବାହାରି ବଶିଷ୍ଠ ସେଠି କାହାକୁ ବି ପାଇଲେନି । ବଡ ପୁଅ ଶକ୍ତିର ବିଧବା ପତ୍ନୀ ଅଦୃଶ୍ୟନ୍ତୀକୁ ପଚାରିଲାରୁ ସେ କହିଲେ ଶକ୍ତିଙ୍କ ଔରସରୁ ତାଙ୍କ ଗର୍ଭରେ ବାର ବର୍ଷ ହେଲାଣି ବଢୁଥିବା ସନ୍ତାନ ହିଁ ବେଦ ପାଠ କରୁଛି । ରାକ୍ଷସ ରାଜା କଳ୍ମାଷପାଦର ଭୟରେ ସେ ଆଜିଯାଏ ବାହାରକୁ ବାହାରିନି।
ଦିନେ ଜଙ୍ଗଲରେ ବଶିଷ୍ଠ ଓ ତାଙ୍କ ବୋହୂ ଅଦୃଶ୍ୟନ୍ତୀଙ୍କ ସହ ରାକ୍ଷସ କଳ୍ମାଷପାଦର ଆକସ୍ମିକ ଦେଖା ହେଇଗଲା । ଏଯାଏଁ ରାକ୍ଷସକୁ ଲୁଚିରହିଥିବା ଅଦୃଶ୍ୟନ୍ତୀ ହଠାତ୍ ରାକ୍ଷସକୁ ସାମ୍ନାରେ ଦେଖି ଭୟ କଲେ ଓ ଭାବିଲେ ଏବେ ରାକ୍ଷସ ତାଙ୍କ ପେଟର ପିଲାକୁ ହୁଏତ ମାରିପକାଇବ। କଳ୍ମାଷପାଦ ବଶିଷ୍ଠ ଓ ଅଦୃଶ୍ୟନ୍ତୀଙ୍କୁ ଦେଖି ହିଂସ୍ର ଭାବ ନେଇ ସେମାନଙ୍କ ଆଡକୁ ଝପଟି ଆସିଲା । ପାଖକୁ ଆସିବାରୁ ଋଷି ତା' ଉପରେ ତତକ୍ଷଣାତ୍ ମନ୍ତ୍ର ପାଣି ସିଞ୍ଚିଦେଲେ । ବଶିଷ୍ଠଙ୍କ ମନ୍ତ୍ର ଶକ୍ତିରେ, ବିଶ୍ୱାମିତ୍ରଙ୍କ ନିର୍ଦ୍ଦେଶରେ ରାଜା କଳ୍ମାଷପାଦଙ୍କ ଭିତରେ ଥିବା କିଙ୍କର ରାକ୍ଷସ ବାହାରକୁ ବାହାରି ଗଲା । ରାକ୍ଷସ ବାହାରିଯିବା ପରେ କଳ୍ମାଷପାଦ ପୁଣି ତାଙ୍କର ପୂର୍ବାବସ୍ଥାକୁ ଫେରିଆସିଲେ ଓ ତାଙ୍କୁ ପୁର୍ନଜନ୍ମ ଦେଇଥିବା ବ୍ରହ୍ମର୍ଷିଙ୍କ ପାଦ ତଳେ ପଡିଗଲେ । ତାପରେ ରାଜା କଳ୍ମାଷପାଦ ବ୍ରହ୍ମର୍ଷି ବଶିଷ୍ଠଙ୍କୁ ଅନୁରୋଧ କଲେ ଯେ ଋଷି ତାଙ୍କ ରାଜଧାନୀ ଚାଲନ୍ତୁ ଓ ଅନ୍ୟ ଏକ ଅଭିଶାପରୁ ମୁକ୍ତିଦେଇ ତାଙ୍କ ବଂଶ ରକ୍ଷାରେ ସହଯୋଗ କରନ୍ତୁ ।
ଗନ୍ଧର୍ବ ଅଙ୍ଗାରପର୍ଣ୍ଣଙ୍କ ଏ କାହାଣୀ ଶୁଣି ଅର୍ଜୁନ ପଚାରିଲେ, ହେ ବନ୍ଧୁ ବଶିଷ୍ଠ ଋଷି ପୁଣି ରାଜା କଳ୍ମାଷପାଦଙ୍କ ବଂଶ ରକ୍ଷା କେମିତି କରିବେ? ଅନ୍ୟ କୋଉ ଅଭିଶାପ କଥା ପୁଣି ରାଜା କହିଲେ? କିଏ, କାହିଁକି ଓ କେବେ ରାଜାଙ୍କୁ ଅଭିଶାପ ଦେଇଥିଲା? ସେ କଥା ସବୁ ମୋତେ ଦୟାକରି କୁହ ।
ଅର୍ଜୁନଙ୍କ ପ୍ରଶ୍ନ ଶୁଣି ଗନ୍ଧର୍ବ ଅଙ୍ଗାରପର୍ଣ୍ଣ ଆଉ ଏକ କାହାଣୀ କହିଲେ ।
ଯେତେବେଳେ ରାଜା କଳ୍ମାଷପାଦ ଅଭିଶାପ ପାଇ ରାକ୍ଷସ ହୋଇ ଜଙ୍ଗଲରେ ବୁଲୁଥିଲେ ସେତେବେଳେ ଦିନେ ସେ ଘନ ଜଙ୍ଗଲ ଭିତରେ ଜଣେ ବ୍ରାହ୍ମଣ ଓ ତାଙ୍କ ପତ୍ନୀ ରତି କ୍ରୀଡା କରୁଥିବାର ଦେଖିଲେ । ରାକ୍ଷସକୁ ଦେଖି ସେ ବ୍ରାହ୍ମଣ ଦମ୍ପତି ଭୟରେ ଉଠି ଛିଡାହୋଇ ସେଠୁ ଧାଇଁ ପଳେଇବାର ଉପକ୍ରମ କରିବା ଭିତରେ ଭୋକରେ ଥିବା କଳ୍ମାଷପାଦ ସେ ବ୍ରାହ୍ମଣକୁ ତା' ପତ୍ନୀଙ୍କ କୌଣସି ଅନୁରୋଧ ନଶୁଣି ସେଇଠି ଚଟ୍ କରି ଖାଇଦେଲେ । ସ୍ୱାମୀଙ୍କ ଆକସ୍ମିକ ବିୟୋଗରେ ମ୍ରୀୟମାଣ ବ୍ରାହ୍ମଣୀ କଳ୍ମାଷପାଦଙ୍କୁ ଅଭିଶାପ ଦେଇ କହିଲେ - ରେ ମୂଢ ଦୁଷ୍ଟ ବୁଦ୍ଧି ରାକ୍ଷସ, ଶୁଣ, ରତିକ୍ରୀଡା ଅଧାରେ କାହାକୁ ହତ୍ୟା କରାଯାଏନି । ମୁଁ ଏବେ ତୋତେ ଅଭିଶାପ ଦେଉଛି, ତୁ ଯେବେବି କାହା ସହ ମିଳିତ ହେବାକୁ ଚେଷ୍ଟା କରିବୁ ସେଇ କ୍ଷଣରେ ତୋର ମୃତ୍ୟୁ ହେବ। ଏତିକି କହି ସେ ବ୍ରାହ୍ମଣୀ ଅଗ୍ନିରେ ପ୍ରବେଶ କରି ନିଜ ଜୀବନ ହାରିଲେ । ବ୍ରାହ୍ମଣୀର ଅଭିଶାପ ପାଇଁ ରାଜା କୌଣସି ନାରୀ ସହ ମିଳିତ ହେଉନଥାନ୍ତି । ଶାପ ମୁକ୍ତି ପରେ ବି କଳ୍ମାଷପାଦଙ୍କର ସେ ଅଭିଶାପ କଥା ମନେ ଥିଲା । ସେଯାଏଁ ରାଜାଙ୍କର କୌଣସି ଉତ୍ତରାଧିକାରୀ ନଥିଲେ । ସେଥିପାଇଁ ରାଜା ସେଦିନ ବ୍ରହ୍ମର୍ଷି ବଶିଷ୍ଠଙ୍କୁ ଅନୁରୋଧ କରିଥିଲେ ତାଙ୍କ ରାଜଧାନୀକୁ ଆସି ତାଙ୍କ ରାଣୀଙ୍କ ସହ ମିଳିତ ହୋଇ ତାଙ୍କ ଉତ୍ତରାଧିକାରୀକୁ ଜନ୍ମ ଦେବାକୁ ।
କଳ୍ମାଷପାଦ ରାକ୍ଷସ ହେବାର ଅଭିଶାପରୁ ମୁକ୍ତ ହେଲା ପରେ ଶକ୍ତିଙ୍କ ପତ୍ନୀ ଅଦୃଶ୍ୟନ୍ତୀଙ୍କ ଗର୍ଭରୁ ଏଥର ପିଲାଟି ନିର୍ଭୟରେ ଜନ୍ମ ନେଲା । ବଶିଷ୍ଠ ତା'ର ନାମ ରଖିଲେ ପରାଶର ।
ଅଙ୍ଗାରପର୍ଣ୍ଣ ଗନ୍ଧର୍ବ ଅର୍ଜୁନଙ୍କୁ ପୂରା କାହାଣୀ କହିସାରିଲା ପରେ କହିଲେ, ସେଇ ପରାଶର ହିଁ ବ୍ୟାସ ଦେବଙ୍କ ପିତା । ଯେଉଁ ବ୍ୟାସ ଦେବଙ୍କ ଔରସରୁ କୁରୁ ବଂଶର ଧୃତରାଷ୍ଟ୍ର, ପଣ୍ଡୁ ଓ ବିଦୁର ଦିନେ ଜନ୍ମ ନେଇଥିଲେ ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)