Advertisment

ଶେଷ ନିଦ୍ରାରେ କବି ହରପ୍ରସାଦ ପରିଛା ପଟନାୟକ

ପରଲୋକରେ କବି ଡ. ହରପ୍ରସାଦ ପରିଛା ପଟନାୟକ। ସେ ଦୀର୍ଘ କିଛିଦିନ ହେବ ଅସୁସ୍ଥ ଥିଲେ। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
Haraprasad Paricha Patanaik no more

Haraprasad Paricha Patanaik no more

ଆଉ ନାହାନ୍ତି ବିଶିଷ୍ଟ କବି, ସମାଲୋଚକ ତଥା ସମ୍ପାଦକ ଡ. ହରପ୍ରସାଦ ପରିଛା ପଟନାୟକ। ସେ ଦୀର୍ଘ କିଛିଦିନ ହେବ ଅସୁସ୍ଥ ଥିଲେ। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ସମୟରେ ପତ୍ନୀ ଓ ଦୁଇ ପୁଅ ତାଙ୍କ ପାଖରେ ଥିଲେ।

Advertisment

ସ୍ୱର୍ଗତଃ ପଟନାୟକ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ୨୦ରୁ ଅଧିକ ବହି ଲେଖିଛନ୍ତି। ନିଜର ସାହିତ୍ୟ କୃତି ପାଇଁ ସେ ୨୦୧୨ ରେ (ନଷ୍ଟ ହୋଇଯିବାର ମୋହ) ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୧୮ରେ ଉତ୍କଳ ସାହିତ୍ୟ ସମାଜ ଦ୍ୱାରା ସମ୍ମାନଜନକ ‘ଗଙ୍ଗାଧର ମେହେର କବିତା ସମ୍ମାନ’ ସମେତ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଥିଲେ । ଏହାଛଡା ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ ଭାନୁଜୀ ରାଓ ସ୍ମାରକୀ ପୁରସ୍କାର(୨୦୨୦), ସାରଳା ସାହିତ୍ୟ ସଂସଦ ଦ୍ୱାରା ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି। ‘ଆହେ ସାହୁକାର, ମୋର ଚାଉଳ କେଜିଏ ଦରକାର’ ଏବଂ ‘ଦୁଲୁମିଆଁ ପ୍ରତି କୁକୁଡ଼ାର ଉକ୍ତି’ ତାଙ୍କର ବହୁ ଚର୍ଚ୍ଚିତ କବିତା ଥିଲା।

ତାଙ୍କ ରଚିତ କବିତା ମଧ୍ୟରେ ପିଙ୍କି କଥା (୧୯୭୬) ଏକା ଏକା ସନ୍ୟାସୀ (୧୯୮୧), ଅଥୟ ସୂର୍ଯ୍ୟ (୧୯୯୦), ଆୟୁଷ୍ମାନ ସମୟ (୧୯୯୫), ସବୁ ଅନ୍ଧାର ଆଜି ରାତିରେ (୧୯୯୬), ଜୀବନ ଜଙ୍ଘା (୨୦୦୪), ଅରଣ୍ୟରେ ଯେତେ ଦିନ (୨୦୦୭), ନଷ୍ଟ ହୋଇଯିବାର ମୋହ, ସବୁଦିନର କବିତା ଅନୁବାଦ, ନିରବତାର ସ୍ୱର(ଗ୍ରୀକ୍ କବିତାଗୁଡ଼ିକର ଓଡ଼ିଆ ଅନୁବାଦ) (୧୯୭୮)କବିତା ଆଦି ରହିଛି ।

Advertisment

ଅନୁବାଦ ସାହିତ୍ୟରେ ମଧ୍ୟ ସ୍ୱର୍ଗତ ପରିଛା ପଟନାୟକଙ୍କ ବିଶେଷ ଦକ୍ଷତା ଥିଲା। ରମାକାନ୍ତ ରଥଙ୍କ କିଛି କବିତାର ଇଂରାଜୀ ଅନୁବାଦ (୧୯୮୯), ହୃଷୀକେଶ ପଣ୍ଡାଙ୍କ ଗପର ଇଂରାଜୀ ଅନୁବାଦ ଓ ସମ୍ପାଦନା (୧୯୯୦), କବି ସୀତାକାନ୍ତ ମହାପାତ୍ର ଓ ଅନ୍ୟମାନଙ୍କ ସହ ଓଡ଼ିଆ କବିତାର ଇଂରାଜୀ ଅନୁବାଦ, ସୂର୍ଯ୍ୟତୃଷ୍ଣା (କବି ସୀତାକାନ୍ତ ମହାପାତ୍ରଙ୍କ ସମ୍ପାଦନାରେ ଅନ୍ୟମାନଙ୍କ ସହ ମେସିଡୋନିଆ କବିତାର ଓଡ଼ିଆ ଅନୁବାଦ) ସମ୍ପାଦନା କରିଥିଲେ ସ୍ୱର୍ଗତ ପରିଛା ପଟନାୟକ।

୧୯୭୫ ରେ ଏକାଡେମିକ୍ ଭାବରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ପଟନାୟକ ବିଜେବି କଲେଜ ସମେତ ବିଭିନ୍ନ ସରକାରୀ କଲେଜରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ଏହାଛଡା ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଏବଂ ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନର ନିର୍ଦ୍ଦେଶକ ଥିଲେ।

ଶେଷ ସମୟରେ ଓଡ଼ିଆ ଦୈନିକ ଖବରକାଗଜ ‘ସର୍ବସାଧାରଣ’ର ମୁଖ୍ୟ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ନବେ ଦଶକର ଶେଷ ଭାଗରେ ଇଷ୍ଟର୍ଣ୍ଣ ମିଡିଆର ଦୈନିକ ଇଂରାଜୀ ଖବର କାଗଜ ‘ସନ୍ ଟାଇମ୍ସ’ରେ ମଧ୍ୟ ଜଡିତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Odisha News
Advertisment
Advertisment