• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୟୁକ୍ରେନ୍ ସୀମାରେ ସମରାଭ୍ୟାସକୁ ନେଇ କଳ୍ପନାଜଳ୍ପନା

  • ୟୁକ୍ରେନ ଅକ୍ତିଆର ପାଇଁ ଅସ୍ତ୍ରଶସ୍ତ୍ର ଠୁଳ କରୁଛି କି ଋଷିଆ?

ୟୁକ୍ରେନ ବିବାଦକୁ ନେଇ ଯୁଦ୍ଧ ଆସନ୍ନ ଥିବା ବେଳେ ଆରମ୍ଭ ହୋଇଛି ଋଷିଆ ଓ ବେଲାରୁଷର ୧୦ ଦିନିଆ ମିଳିତ ସମରାଭ୍ୟାସ । ଏଠାରେ ମୁତୟନ ଅସ୍ତ୍ରଶସ୍ତ୍ରରୁ ଋଷିଆ ୟୁକ୍ରେନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତି ସାରିଥିବା ପ୍ରତିରକ୍ଷା ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।

ୟୁକ୍ରେନ ପ୍ରସଙ୍ଗକୁ ନେଇ ଲାଗିଯିବ କି ଯୁଦ୍ଧ ? ଋଷିଆ ବିପକ୍ଷରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ କି ଆମେରିକା ଓ ନାଟୋ । ୟୁକ୍ରେନ ଛାଡ଼ି ପଳାଇ ଆସିବା ଲାଗି ଆମେରିକୀୟ ନାଗରିକଙ୍କୁ ରାଷ୍ଟ୍ରପତି ବାଇଡେନଙ୍କ ସତର୍କବାଣୀ ପରେ ପ୍ରକାଶ ପାଇଛି ଏମିତି ଆଶଙ୍କା । ସେପଟେ ବର୍ଲିନରେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଆଲୋଚନା ବିଫଳ ହୋଇଥିବା ବେଳେ ବ୍ରିଟେନ ପ୍ରତିରକ୍ଷା ସଚିବ ଓ ବୈଦେଶିକ ସଚିବ ମସ୍କୋରେ ପହଞ୍ଚି ଋଷ ପ୍ରତିପକ୍ଷଙ୍କ ସହ ଆଲୋଚନା କରୁଛନ୍ତି । ତେଣେ ୟୁକ୍ରେନ ସ୍ଥିତି ଅତି ହୋଇପଡିଥିବା କହିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ।

ପୂର୍ବତନ ସୋଭିଏତ୍ ରିପବ୍ଳିକ ୟୁକ୍ରେନ ଉପରେ ବଳପୂର୍ବକ କବଜା କରିବେ କି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ? ଆମେରିକା ଓ ନାଟୋର ଚେତାବନୀ ସତ୍ତ୍ୱେ ସାମରିକ କାର୍ଯ୍ୟାନୁଷ୍ଠାନ କରିବେ କି ପୁତିନ ? ୟୁକ୍ରେନ ବିବାଦକୁ ନେଇ ସମଗ୍ର ୟୁରୋପରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଯୁଦ୍ଧ ଆଶଙ୍କା ବଢାଇଛି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ମନ୍ତବ୍ୟ । NBCକୁ ସାକ୍ଷାତକାର ଦେଇ ବାଇଡେନ୍ ୟୁକ୍ରେନ୍ ଛାଡି ଚାଲି ଆସିବାକୁ ସବୁ ଆମେରିକୀୟ ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି । ବିଶ୍ୱର ଏକ ଶକ୍ତିଶାଳୀ ରାଷ୍ଟ୍ର ସହ ଆମେରିକା ମୁହାଁମୁହିଁ ସ୍ଥିତିରେ ରହିଛି । କୌଣସି ମୁହୂର୍ତ୍ତରେ କିଛି ବି ଘଟିପାରେ ।

ତେଣୁ ନିଜ ନିଜର ସୁରକ୍ଷା ଦୃଷ୍ଟିରୁ ୟୁକ୍ରେନରୁ ପଳାଇ ଆସିବାକୁ ନିଜ ଦେଶର ନାଗରିକଙ୍କୁ କହିଛନ୍ତି ରାଷ୍ଟ୍ରପତି ବାଇଡେନ୍ । ଯଦି ଯୁଦ୍ଧ ଆରମ୍ଭ ହୁଏ, ତେବେ ସ୍ଥିତି ଭୟାନକ ହେବ । ଏଭଳିସ୍ଥିତିରେ ସାଧାରଣ ନାଗରିକଙ୍କୁ ଉଦ୍ଧାର ଲାଗି ସୈନ୍ୟଙ୍କୁ ପଠାଇହେବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ତେବେ ବାଇଡେନଙ୍କ ଏଭଳି ମନ୍ତବ୍ୟକୁ ନେଇ ପ୍ରକାଶ ପାଇଛି ଉଦବେଗ । ୟୁକ୍ରେନ ବିବାଦର ସମାଧାନ କଣ ଯୁଦ୍ଧ କି ବୋଲି ପ୍ରଶ୍ନ ଉଠିଛି । ତେବେ ୟୁକ୍ରେନ ଅଧିକାର ଭଳି ଭୁଲ ପୁତିନ୍ କରିବେ ନାହିଁ ବୋଲି ତାଙ୍କ ଆଶା ଥିବା ବାଇଡେନ୍ କହିଛନ୍ତି ।

ସେପଟେ ଯୁଦ୍ଧ ଏଡ଼ାଇବା ଲାଗି କୂଟନୈତିକ ଉଦ୍ୟମ ଜାରି ରହିଛି । ଗତ ଗୁରୁବାର ବର୍ଲିନରେ ଫ୍ରାନ୍ସ, ଓ ଜର୍ମାନୀ ଅଧିକାରୀଙ୍କ ଉପସ୍ଥିତିରେ ୟୁକ୍ରେନ ଓ ଋଷିଆ ମଧ୍ୟରେ ବୈଠକ ହୋଇଥିଲା । ତେବେ ଏଥିରେ କୌଣସି ସହମତି ହୋଇପାରିନି । ସେହିପରି ମସ୍କୋରେ ବ୍ରିଟିଶ ବୈଦେଶିକ ସଚିବ ଲିଜ୍ ଟ୍ରସ୍ ଓ ଋଷ ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାବରୋଭଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ବି ସଫଳ ହୋଇନି । ଜଣେ ମୁକ ଓ ଜଣେ ବଧିର ମଧ୍ୟରେ ଯେଭଳି ଆଲୋଚନା ହୁଏ ଟ୍ରସଙ୍କ ସହ ତାଙ୍କ ଆଲୋଚନା ଠିକ୍ ସେମିତି ଥିଲା ବୋଲି କହିଛନ୍ତି ଲାଭରୋଭ୍ । ଏହାପରେ ବ୍ରିଟିଶ ପ୍ରତିରକ୍ଷା ସଚିବ ବେନ୍ ଓ୍ୱାଲେସ୍ ମସ୍କୋରେ ପହଞ୍ଚି ଆଲୋଚନାକୁ ଆଗେଇ ନେବା ଲାଗି ଚେଷ୍ଟା କରୁଛନ୍ତି ।

ଅନ୍ୟପକ୍ଷରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୂର୍ବ ୟୁରୋପୀୟ ଦେଶଗୁଡ଼ିକ ଗସ୍ତ କରିବା ସହ ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ବାଟ ବାହାର କରିବାକୁ ଉଦ୍ୟମ କରୁଛନ୍ତି । ୟୁକ୍ରେନ ବିବାଦ ସବୁଠୁ ଜଟିଳ ସ୍ଥିତିରେ ପହଞ୍ଚିଥିବା ନାଟୋ ମୁଖ୍ୟାଳୟ ଗସ୍ତ ଅବସରରେ କହିଛନ୍ତି ଜନସନ୍ । ତେବେ ଯଦି ଯୁଦ୍ଧ ହୁଏ ବ୍ରିଟେନ୍ ଏଥିରେ ସିଧାସଳଖ ସଂପୃକ୍ତ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ଯୁଦ୍ଧ କାରଣରୁ ସୃଷ୍ଟି ହେବାକୁ ଯାଉଥିବା ମାନବୀୟ ସଂକଟର ମୁକାବିଲା ଲାଗି ବ୍ରିଟେନ୍ ହଜାରେ ସୈନ୍ୟଙ୍କୁ ଷ୍ଟାଣ୍ଡ-ବାଏରେ ରଖିଛି ।

ୟୁକ୍ରେନ ବିବାଦକୁ ନେଇ ଯୁଦ୍ଧ ଆସନ୍ନ ଥିବା ବେଳେ ଋଷିଆ ଓ ବେଲାଋଷର ମିଳିତ ସମରାଭ୍ୟାସ ୟୁକ୍ରେନ ସୀମାକୁ ଲାଗିଥିବା ବେଲାରୁଷରେ ଏହି ୧୦ ଦିନିଆ ସମରାଭ୍ୟାସ ଆରମ୍ଭ ହୋଇଛି । ଏଠାରେ ମୁତୟନ ଅସ୍ତ୍ରଶସ୍ତ୍ରରୁ ଋଷିଆ ୟୁକ୍ରେନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତି ସାରିଥିବା ପ୍ରତିରକ୍ଷା ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ତେବେ ଋଷିଆ ଏଭଳି ଆଶଙ୍କାକୁ ମୂଳରୁ ଖଣ୍ଡନ କରିଆସୁଥିବା ବେଳେ ୟୁକ୍ରେନ ଉପରେ କବଜା କରିବାର କୌଣସି ଯୋଜନା ନାହିଁ ବୋଲି ରାଷ୍ଟ୍ରପତି ପୁତିନ ବାରମ୍ବାର କହିଆସୁଛନ୍ତି । ଏହାସତ୍ତ୍ୱେ ଆମେରିକା ଓ ନାଟୋ ତାଙ୍କ କଥାକୁ ବିଶ୍ୱାସ କରୁନାହାନ୍ତି । ଏଭଳି ସ୍ଥିତିରେ ଉଭୟ ପକ୍ଷଙ୍କ ଆଭିମୁଖ୍ୟ ଉପରେ ସାରା ବିଶ୍ୱର ନଜର ରହିଛି ।

ୟୁକ୍ରେନ ସୀମାଠୁ ମାତ୍ର ହଜାରେ କିଲୋମିଟର ଦୂରରେ ଘନିଷ୍ଠ ସହଯୋଗୀ ବେଲାରୁଷ ଓ ଋଷିଆର ମିଳିତ ସମରାଭ୍ୟାସ । ପୂର୍ବତନ ସୋଭିଏତ୍ ରିପବ୍ଲିକଗୁଡିକର ମିଶ୍ରଣ ଲକ୍ଷ୍ୟରେ ଦୁଇ ଦେଶକୁ ନେଇ ଗଠିତ ୟୁନିୟନ୍ ଷ୍ଟେଟ୍ ପକ୍ଷରୁ ଆରମ୍ଭ ହୋଇଛି ଏହି ୧୦ ଦିନିଆ ସମରାଭ୍ୟାସ । ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡାର୍ ଲୁକାସେଙ୍କୋ ପୁତିନଙ୍କ ଘନିଷ୍ଠ ହୋଇଥିବା ବେଳେ ୟୁକ୍ରେନ୍ ପ୍ରତି ବଢିଛି ବିପଦ । ଋଷସୈନ୍ୟ ୟୁକ୍ରେନ ସୀମାର ଅତି ନିକଟରେ ଥିବାରୁ ଏହାକୁ ଅଧିକାର କରିବା ଲାଗି ପୁତିନଙ୍କୁ ବିଶେଷ ଅସୁବିଧା ହେବନି ବୋଲି କୁହାଯାଉଛି । ସେହିପରି ବ୍ଲାକ୍ ସି ଏବଂ ସି ଅଫ୍ ଆଜୋଭ୍ରେ ବି ଋଷ ନୌସେନା ସମରାଭ୍ୟାସ କରୁଛି । ସୋଭିଏତ୍ ୟୁନିୟନ ବିଖଣ୍ଡିତ ହେବା ସମୟରେ ବ୍ଲାକ୍ ସିରେ ଥିବା ନୌସେନାକୁ ଦୁଇ ଦେଶ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ତେବେ ଋଷ- ସମରାଭ୍ୟାସ ବିନା କାରଣରେ ଉତ୍ତେଜନାକୁ ବଢାଉଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି ।

ତେବେ ସମରାଭ୍ୟାସ ସହ ୟୁକ୍ରେନ ବିବାଦର କୌଣସି ସଂପର୍କ ନାହିଁ ବୋଲି କହିଛି ମସ୍କୋ । ଋଷ ଓ ବେଲାରୁଷ ସୀମା ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଥିବା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ଶତ୍ରୁ ଆକ୍ରମଣ ହେଲେ ଏହାକୁ ପରାହତ କରିବା, ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଞ୍ଜାମ ପରିବହନକୁ ରୋକିବା ଏବଂ ସୀମାର ସୁରକ୍ଷା ଲାଗି ଏହି ସମରାଭ୍ୟାସ କରାଯାଉଥିବା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । ଅନ୍ୟପକ୍ଷରେ ୟୁକ୍ରେନ ଅଧିକାର କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ବାରମ୍ବାର କହିଆସୁଛନ୍ତି ପୁତିନ୍ । ୟୁକ୍ରେନ ଆଳରେ ଆମେରିକା ଓ ନାଟୋ ଋଷ ଉପରେ ଯୁଦ୍ଧ ଲଦିଦେବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି ।

ପୂର୍ବତନ ସୋଭିଏତ୍ ରିପବ୍ଳିକ୍ ୟୁକ୍ରେନରେ ଋଷିଆର ସାମରିକ ଓ ଅର୍ଥନୈତିକ ସ୍ୱାର୍ଥ ରହିଛି । ତାସହିତ ଦୁଇ ଦେଶର ସାମାଜିକ ଚଳଣି ଓ ସଂସ୍କୃତି ବି ସମାନ । ତେଣୁ ଏଠାରେ ବସବାସ କରୁଥିବା ଋଷୀୟ ନାଗରିକ ଋଷ ସହିତ ୟୁକ୍ରେନ୍ର ବିଲୟ ଚାହୁଁଛନ୍ତି । ମାତ୍ର ୟୁକ୍ରେନ ସରକାର ୟୁରୋପୀୟ ସଂଘ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ଏବଂ ନାଟୋରେ ସାମିଲ ହେବା ଲାଗି ଯୋଜନା ରଖିଛନ୍ତି, ଯାହାକୁ ଋଷ ରାଷ୍ଟ୍ରପତି ପୁତିନ ବିରୋଧ କରିବା ସହ ଏପରି ନକରିବାକୁ ୟୁକ୍ରେନକୁ ଚେତାଇ ଦେଇଛନ୍ତି ।

ସେହିପରି ୟୁକ୍ରେନକୁ ଗୋଷ୍ଠୀରେ ସାମିଲ ନକରିବା ଲାଗି ୟୁରୋପୀୟ ସଂଘ ଓ ନାଟୋ ଠାରୁ ଲିଖିତ ପ୍ରତିଶ୍ରୁତି ଚାହୁଁଛନ୍ତି । ତେବେ ୟୁରୋପୀୟ ସଂଘ ଓ ଏହାର ସହଯୋଗୀ ଆମେରିକା, ପୁତିନଙ୍କ ଦାବିକୁ ଅଗ୍ରାହ୍ୟ କରିଦେବା ପରେ ବିବାଦ ଜଟିଳ ହୋଇଛି । ପୁତିନ ୟୁକ୍ରେନ ସୀମାରେ ଲକ୍ଷେ ୩୫ ହଜାରରୁ ଅଧିକ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ମୁତୟନ କରିଥିବାରୁ ସେ କେତେବେଳେ ବି ୟୁକ୍ରେନ କବଜା ଲାଗି ସେନାକୁ ଆଦେଶ ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।