• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବହୁ ଚର୍ଚ୍ଚିତ ପାଟଣାଗଡର ପାର୍ସଲବୋମା ଘଟଣାକୁ ସାତବର୍ଷ ପୂରିଛି । ସାତବର୍ଷ ଭିତରେ ପାର୍ସଲ ବୋମାକୁ ନେଇ ଜାତୀୟ ସ୍ତରରେ ଖବର ହେବା ସାଂଗକୁ ସିନେମା ହୋଇ ରୁପେଲି ପରଦାକୁ ଆସିଛି । ଆଉ ଘଟଣାର ଏକମାତ୍ର ଅଭିଯୁକ୍ତ ପୁଜିଂଲାଲ ମେହେର ବି ଜେଲ ଭିତରେ ଥାଇ ସାମ୍ବାଦିକତା ପାଠ ପଢିସାରିଛି । କିନ୍ତୁ ଏସବୁ ଭିତରେ ଆଗକୁ ବଢିଛି ନ୍ୟାୟିକ ପ୍ରକ୍ରିୟା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ....ମାସକ ଭିତରେ ଶୁଣାଣି କର...। ତେଣୁ ତ୍ବରାନ୍ବିତ ହୋଇଛି, ପାର୍ସଲ ବୋମାର ଶୁଣାଣି । ଆଉ ମାତ୍ର ମାସେ କି ଦୁଇ ମାସ ଭିତରେ ଶୁଣାଣି ଶେଷ ହେବ । ତଦନ୍ତକାରୀ ସଂସ୍ଥା ତରଫରୁ ସାକ୍ଷ୍ୟଗ୍ରହଣ ସରିଛି । କେବଳ ଅଭିଯୁକ୍ତ ପୁଜିଂଲାଲର ବୟାନ ରେକର୍ଡ ବାକି ଅଛି । ତେଣୁ ଖୁବଶୀଘ୍ର ଆସିପାରେ ପାର୍ସଲ ବୋମାର ଅନ୍ତିମ ଶୁଣାଣି । ନ୍ୟାୟ ଅପେକ୍ଷାରେ ପ୍ରଫେସର ଦଂପତି । 

୨୦୧୮ ମସିହା, ଫେବୃୟାରୀ ୨୩ ତାରିଖ । ଅପରାହ୍ନରେ ପାର୍ସଲରେ ହୋଇଥିଲା ବିସ୍ଫୋରଣ । ଘର ଭିତରେ ହୋଇଥିବା ଏତେ ବଡ ବିସ୍ଫୋରଣ ପୂରା ଦେଶକୁ ଦୋହଲାଇ ଦେଇଥିଲା । ହାତରୁ ବାହାଘରର ମେହେନ୍ଦୀ ଲିଭିନଥିବା ନବବଧୂ, ରୀମାରାଣୀଙ୍କର ମଥାରୁ ସିନ୍ଦୂର ଲିଭିଗଲା ! ବିସ୍ଫୋରଣରେ ପୋଡି ହୋଇ ଆଖିବୁଜିଲେ, ନବବିବାହିତ ଇଂଜିନିୟର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣୀ । ଘଟଣାକୁ ନେଇ କେବଳ ରାଜ୍ୟ ନୁହେଁ, ପୂରା ଦେଶରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ଘଟଣାକୁ ସାତ ବର୍ଷ ପୂରିଛି । ଅନେକ ଜାମିନ ଆବେଦନ ପରେ ବି ଜେଲ ଭିତରେ ଘଟଣାର ଏକମାତ୍ର ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହେର । ନ୍ୟାୟ ଅପେକ୍ଷାରେ ପ୍ରଫେସର ଦଂପତି । ପ୍ରଫେସର ରବୀନ୍ଦ୍ର ସାହୁ ଓ ତାଙ୍କ ସ୍ତ୍ରୀ ସଂଯୁକ୍ତା ସାହୁ ଏବେ ଚାକିରୀରୁ ଅବସର ନେଇସାରିଛନ୍ତି । ଏକମାତ୍ର ପୁଅକୁ ହରାଇ ସାତ ବର୍ଷ ଧରି ଏକାନ୍ତ ଜୀବନ ବଞ୍ଚୁଛନ୍ତି । କେବଳ ଏଇଥିପାଇଁ ପୁଅ ମୃତ୍ୟୁ ପାଇଁ ଦାୟୀ ଜେଲ ଭିତରେ ଥିବା ଅଭିଯୁକ୍ତର ଦଣ୍ଡ ଦେଖିବା ପାଇଁ । ଆଜି ବି ପ୍ରଫେସର ଦଂପତିଙ୍କ ଆଖିରୁ ଲୁହ ଝରୁଛି । ଛାତିରେ ଛାତିଏ କୋହ । ଗୁମୁରି ଗୁମୁରି ପୁଅକୁ ଖୋଜୁଛନ୍ତି ବାପାମାଆ ...। ସାମାନ୍ୟ ଅଧ୍ୟକ୍ଷ ପଦକୁ ନେଇ ପାର୍ସଲ ବୋମାଦ୍ବାରା ପ୍ରତିଶୋଧ ନେଇଥିଲା ପୁଜିଂଲାଲ । ଏବେ ଅନ୍ତିମ ପର୍ଯ୍ୟାୟରେ ନ୍ୟାୟିକ ପ୍ରକ୍ରିୟା । ମୃତ ଇଂଜିନିୟରଙ୍କ ବାପା କହୁଛନ୍ତି, ଅଭିଯୁକ୍ତ ଫାଶୀ ଦଣ୍ଡ ପାଇଲେ ଖୁସି ହେବି । ପୁଂଜିଲାଲଙ୍କ ଓକିଲଙ୍କ କହିବା କଥା , ୬୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ସରିଯାଇଛି । ପୁଜିଂଲାଲଙ୍କ ବୟାନ ରେକର୍ଡ ପାଇଁ ତାରିଖ ଧାର୍ଯ୍ୟ ହୋଇସାରିଛି । ଗୋଟିଏ କିମ୍ବା ଦୁଇ ମାସ ଭିତରେ କେସର ଅନ୍ତିମ ଶୁଣାଣି ହେବ । 

ଅଧିକ ପଢ଼ନ୍ତୁ: ଅଶାନ୍ତ ପୁରୀ, ସାମାନ୍ୟ ବଚସାରୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ଏବେ ଆସନ୍ତୁ ନଜର ପକାଇବା ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାର ତଦନ୍ତ ପ୍ରକ୍ରିୟା ଉପରେ । ୨୦୧୮ ମସିହା ଫେବୃୟାରୀ ୧୮ ତାରିଖରେ ଇଂଜିନିୟର ସୌମ୍ୟଶେଖର ସାହୁ ଓ ରୀମାରାଣୀଙ୍କ ବିବାହ ହୋଇଥିଲା । ୨୦ ତାରିଖରେ ବାହାଘର ଭୋଜି ହୋଇଥିଲା । ଭୋଜିରେ ବି ଯୋଗଦେଇଥିଲା ଅଭିଯୁକ୍ତ ପୁଜିଂଲାଲ । କିନ୍ତୁ ୨୩ ତାରିଖ  ରାୟପୁରରୁ ସ୍କାଏକିଙ୍ଗ କୋରିଅର ଯୋଗେ ପହଞ୍ଚିଥିଲା ପାର୍ସଲ । ଖୋଲୁ ଖୋଲୁ ବିସ୍ପୋରଣ ହେଲା ପାର୍ସଲ । ଗୁରୁତର ଅବସ୍ଥାରେ ସୌମ୍ୟଶେଖର, ରୀମାରାଣୀ ଓ ଜେଜେମା ଜେମାମଣୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ଆଖି ବୁଜିଲେ ସୌମ୍ୟଶେଖର ଓ ଜେମାମଣୀ । ତଦନ୍ତ ଆରମ୍ଭ କଲା ବଲାଙ୍ଗିର ପୋଲିସ । ଗୋଟିଏ ମାସ ଧରି ପୋଲିସର ତଦନ୍ତ ପରେ ତଦନ୍ତଭାର ନେଇଥିଲା କ୍ରାଇମବ୍ରାଞ୍ଚ । ବିଭିନ୍ନ ତଥ୍ୟ ପ୍ରମାଣକୁ ଆଧାର କରି ଘଟଣାର ଏକମାତ୍ର ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଜିଂଲାଲ ମେହେରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କ୍ରାଇମବ୍ରାଞ୍ଚ । ଜେଲ ଭିତରେ ସାମ୍ବାଦିକତା ଡିଗ୍ରୀ ହାସଲ କରିଛି ଅଭିଯୁକ୍ତ ପୁଂଜିଲାଲ । 

 ମାମଲାର ଶୁଣାଣିରେ ଅହେତୁକ ବିଳମ୍ବ ହେଉଥିବାରୁ ଅନେକ ଥର  ହାଇକୋର୍ଟଙ୍କ ପାଖରେ ଜାମିନ ଆବେଦନ କରିଥିଲେ ପୁଂଜିଲାଲ । କିନ୍ତୁ ବାରବାର ଜାମିନ ଖାରଜ ହେଲା ପରେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥଲା ।  ଶୁଣାଣୀ କରି ଗୋଟିଏ ମାସ ଭିତରେ ମାମଲାର ଫଇସଲା କରିବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର ଶେଷ ହେବ ଶୁଣାଣି । ମୃତ ସୌମ୍ୟଶେଖରଙ୍କ ମା‌ଆ କହିଛନ୍ତି ଅଭିଯୁକ୍ତକୁ ଫାଶୀ ଠାରୁ ଅଧିକ ଦଣ୍ଡ ମିଳୁ । କିନ୍ତୁ ପୁଂଜିଲାଲର ଓକିଲ ପ୍ରତିକ୍ରିୟା ଦେଇ କହିଛନ୍ତି, ଘଟଣାରେ ଅଭିଯୁକ୍ତ ବିରୋଧରେ ପ୍ରମାଣ ନାହିଁ । 

ଅଧିକ ପଢ଼ନ୍ତୁ: ରାଉଲକେଲାରେ ଫୁଟିଲା ଗୁଳି, ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

  • Reported by:
  • MANARANJAN JOSHI

OTV is now on Whatsapp

Join and get latest news update delivered to you via whatsapp

Join Now