• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଖିକୁ ଦିଶୁନି…ଦୁନିଆର ଚିତ୍ର ଦେଖିବାକୁ ତାଙ୍କ ପାଖରେ କିଛି ନାହିଁ । କିନ୍ତୁ ସେ ହାର ମାନିନାହାନ୍ତି କି କାହା ଉପରେ ନିର୍ଭର କରି ବସିଯାଇନାହାନ୍ତି । ଭଗବାନ ସିନା ଆଖି ଦେଇନି କିନ୍ତୁ କଣ୍ଠରେ ଭରି ଦେଇଛି ମିଠା ସ୍ୱର । ସେଇଥି ଲାଗି ତ ସକାଳୁ ସଂଜ ଯାଏଁ ଗୀତ ଗାଇଗାଇ ଯାହା ଯେତିକି ରୋଜଗାର ହେଲା ସେତିକିରେ ଚଳୁଛି ପୂରା ପରିବାର ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପାଳଝାଡି ଗାଁର ରଘୁନାଥ ଜାନି । ଦୃଷ୍ଟିବାଧିତ ହୋଇ ମଧ୍ୟ ଗାଁକୁ ଗାଁ ବୁଲି ଘୁଡିକି ବାଜା ବଜାଇ ଭିକ୍ଷାବୃତ୍ତି କରି ପରିବାର ପ୍ରତି ପୋଷଣ କରୁଛନ୍ତି ରଘୁନାଥ ଜାନି । ଖାଲି ଗଞ୍ଜାମ କି ଗଜପତି ନୁହେଁ ବରଂ ପୁରୀ, କଟକ, ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶ ପଲାସା ଆଦି ଅଞ୍ଚଳରେ ବୁଲିବୁଲି ରଘୁନାଥ ପାରମ୍ପରିକ ବାଜା ବଜାଇବା ସହିତ ସୁନ୍ଦର କଣ୍ଠରେ ଭଜନ, ଆଧୁନିକ ଗୀତ ଗାଇ ଭିକ୍ଷା ବୃତ୍ତି କରନ୍ତି । ଆଉ ଯିଏ ଯାହା ଦେଲା ସେତିକିରେ ନିଜ ପେଟ ପୋଷିବା ସହିତ ପରିବାର ବି ଚଳାଉଛନ୍ତି ।

ରଘୁନାଥଙ୍କ ପରିବାର କହିଲେ ସ୍ତ୍ରୀ ଓ ଦୁଇ ପୁଅ । ନିଜେ ଦୃଷ୍ଟିବାଧିତ ହେବା ପରେ ବି ଦୁଃଖ କରୁନାହାନ୍ତି ବରଂ କେମିତି ନିଜ ଦମ୍‌ରେ ରୋଜଗାର କରିପାରିବେ ସେନେଇ କରୁଛନ୍ତି ପ୍ରୟାସ । ଆଖିକୁ ଦିଶୁନି...ତେଣୁ ଏ ଦୁନିଆରେ ଚଳିବା କେତେ ଯେ କଷ୍ଟ ତାହା ଆପଣ ଅନୁମାନ କରିପାରୁଥିବେ । ରଘୁନାଥ ଦୃଷ୍ଚିବାଧିତ ହେବା ପରେ ବି ସବୁ ସରକାରୀ ସହାୟତା ତାଙ୍କ ପାଖରେ ପହଞ୍ଚିପାରିନି । ସହାୟତା କହିଲେ ମାସକୁ କଳାକାର ଭତ୍ତା ବାବଦରେ ମିଳୁଛି ମାତ୍ର ୧୨ ଶହ ଟଙ୍କା ।

ଆଜିକା ମହରଗ ଯୁଗରେ ଜିନିଷ ପତ୍ରର ଯୋଉ ଦର ଏତିକି ଟଙ୍କାରେ ସେ କେମିତି ଚଳିବେ ଥିରେ ଚିନ୍ତାକରନ୍ତୁ । ଜାଣି ଆଶ୍ଚର୍ଯ୍ୟ ହେବେ କି, ଆଜି ନୁହେଁ ବରଂ ୨୦ ବର୍ଷ ହେଲାଣି ଏମିତି ଗୀତ ଗାଇଗାଇ ନିଜର ପେଟ ପୋଷୁଛନ୍ତି ରଘୁନାଥ । ବର୍ତ୍ତମାନ ଆକାଶରୁ ନିଆଁ ବର୍ଷୁଛି ହେଲେ ବି ଗରମକୁ ଖାତିର ନକରି ରାସ୍ତାରେ ବୁଲିବୁଲି ଏମିତି ଗାଉଛନ୍ତି ଗୀତ । ବାସ୍‌ ରଘୁନାଥଙ୍କ ବାଜା ଓ ଗୀତ ଶୁଣିବା ମାତ୍ରେ ଲୋକଙ୍କର ଗହଳି ଲାଗେ । ଆଉ ଯିଏ ଯାହା ପାଏ ଦିଏ । ଆଉ ସେତିକିରେ ହସଖୁସିରେ ଚଳେ ତାଙ୍କ ପରିବାର । ତେବେ ତାଙ୍କୁ ସରକାରୀ ସହାୟତା ମିଳିବା ସହ ଘର ଖଣ୍ଡିଏ ଦେଲେ ରଘୁନାଥଙ୍କ ଦୂର ହୋଇପାରିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

 

  • Reported by:
  • Mihir Jati