• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାପ ଥିଲା ପୁଅ ସଭାରେ ହାରେନି । ପିତା ସ୍ୱର୍ଗ, ପିତା ଧର୍ମ, ପିତା ହିଁ ପରମ ତପ..ପିତରି ପ୍ରିତିମା ପର୍ଣ୍ଣେ ପ୍ରିୟନ୍ତେ ସର୍ବଦେବତା । ଏସବୁ ଶାସ୍ତ୍ର କଥା ଆଜି ଦୁନିଆରେ ଯେମିତି ମୂଲ୍ୟହୀନ । ଆଜି ବିଶ୍ୱ ପିତୃ ଦିବସ । ନିଜ ବାପାଙ୍କୁ ନେଇ ଗର୍ବ କରୁଛନ୍ତି ପୁଅ ଝିଅ । କିଏ ଚଳନ୍ତି ଠାକୁର କହୁଛନ୍ତି ତ ଆଉ କିଏ ସୁପର ହିରୋ ? ହେଲେ ସବୁ ବାପାଙ୍କ ଭାଗ୍ୟରେ ଏ ସମ୍ମାନ ନଥାଏ ।

ଫୁଙ୍ଗୁଳା ଦେହରେ ବସିଥିବା ଜଣେ ବାପାଙ୍କ କାହାଣୀ ଶୁଣିଲେ ଆଖିରେ ଜକାଇ ଆସିବ ଲୁହ । ସଂପତି କହିଲେ ଖଣ୍ଡେ ପ୍ଲାଷ୍ଟିକ ଚେୟାର ଆଉ ଗୋଟେ ଛିଣ୍ଡା ମଶିଣା, ଆଉ ସଂପର୍କୀୟ ହେଲେ ଜରାଶ୍ରମର ଅଚିହ୍ନା ଦୁଃଖି ମଣିଷ । ସବୁ ବାପାଙ୍କ ପରି ସେ ବି ପୁଅ ପାଇଁ ଶହେ ମାନସିକ କରିଥିଲେ । ଆଶା କରିଥିଲେ ବୁଢା ବୟସରେ ପୁଅ ସାହାରା ହେବ । ଶେଷ ସମୟଟା ନାତିନାତୁଣୀଙ୍କ ସହ ହସଖେଳରେ କଟିଯିବ । ହେଲେ ଆଜି ଜରାଶ୍ରମରେ ଜୀବନ କାଟୁଛନ୍ତି ।

କାରଣ ପୁଅକୁ ବଡ଼ମଣିଷ କରିବାକୁ ଜୀବନ ଯାକ ସଳିତା ପରି ଜଳିଲେ ହେଲେ ମୁଣ୍ଡକୁ ହାତ ପାଇବା ପରେ ଆଉ ପଚାରୁନି ପୁଅ । ପାଳିପୋଷି ପୁଅକୁ ମଣିଷ କଲା ପରେ ପୁଅ ବଡ଼ବାବୁ ତ ବନିଲା ହେଲେ ବିବେକ ଶୂନ୍ୟ ହୋଇଗଲା । ଶୀତତାପ ନିୟନ୍ତ୍ରିତ ଘରେ କେମିତି ବା ବୁଢାବାପାଙ୍କୁ ରଖିବ ? ସେଥିପାଇଁ ବାପାଙ୍କ ସ୍ଥାନ ଏବେ ଜରାଶ୍ରମରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ପୁଅ ନୁହେଁ ସେହି ବୃଦ୍ଧଙ୍କର ପତ୍ନୀ ମଧ୍ୟ ମୋଟା ଅଙ୍କର ଦରମା ପାଉଛନ୍ତି । ହେଲେ କେହି ପଚାରୁ ନାହାନ୍ତି । ଏମିତି କି ଦେଖିଲେ ବି କଥା ହେଉ ନାହାଁନ୍ତି । ବରଂ ଦେବତୁଲ୍ୟ ମଣିଷଙ୍କୁ ମିଥ୍ୟା ମାମଲାରେ ଛନ୍ଦିବାକୁ ପଛାଉ ନାହାଁନ୍ତି ।

କେବଳ ଜଗତସିଂହପୁର ରଘୁନାଥପୁରର ରବୀନ୍ଦ୍ରଙ୍କର ନୁହେଁ ସମାନ କାହାଣୀ ଜରାଶ୍ରମର ଅନ୍ୟ ଅନ୍ତେବାସୀଙ୍କର ମଧ୍ୟ । କଣ୍ଟାପଡ଼ା ଶାସନର ସୁବଳ ସେଠୀ । ତାଙ୍କର ବି ସମସ୍ତେ ଅଛନ୍ତି ହେଲେ କେହି ନାହାନ୍ତି । ପ୍ରତି ମୁହୂର୍ତ୍ତରେ କେବଳ ଦୁଃଖ ଯନ୍ତ୍ରଣାରେ ଦିନ କାଟିବା ସହ ପୁରୁଣା କଥାକୁ ମନେପକାଇ ବଂଚୁଛନ୍ତି । କୋହଭରା କଣ୍ଠରେ ସବୁ ବଖାଣୁଥିଲେ ବି ପିଲା କି ପରିବାର ପ୍ରତି ପାଟିରୁ ବାହାରୁନି ପଦିଏ ଅମଙ୍ଗଳ କଥା । ମନଦୁଃଖରେ କହୁଛନ୍ତି ଆଉ କେତେ ଦିନ ଯେ ବଂଚିବୁ, ଏଇ ଜରାଶ୍ରମରେ ସରିଯିବ ଦିନସବୁ । ଇଶ୍ନର ସେମାନଙ୍କୁ ଭଲରେ ରଖନ୍ତୁ । ସତେ ଯେମିତି ବାପା ହେବା ସେମାନଙ୍କ ପାଇଁ ହୋଇଯାଇଛି ଅଭିଶାପ ।

 

  • Reported by:
  • BINAY MISHRA