• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

‘ବାପା’, ଏମିତି ଏକ ଶବ୍ଦ ଯାହା ଜିଇଁବା ପାଇଁ ଯଥେଷ୍ଟ । ନିଜ ସନ୍ତାନଙ୍କୁ ସଫଳ କରିବାକୁ ସେ ସାଜିଥାନ୍ତି ସାରଥୀ । ଠିକ୍‌ ତାଳଚେରର ଜଣେ ବାପା ଯିଏ ନିଜ ଝିଅକୁ ପଠା ପଢାଇବାକୁ ସମାଜ ସହ ଲଢ଼ିବାକୁ ପଛାଇ ନାହାନ୍ତି । ପାଦରେ ଜୋତା ପିନ୍ଧାଇବାଠୁ ଆରମ୍ଭ କରି ହାତ ଧରି ସ୍କୁଲ୍ ଛାଡ଼ିବା ପର୍ଯ୍ୟନ୍ତ ସବୁ କରନ୍ତି ବାପା ।

ଅନୁଗୁଳ ତାଳଚେର ବ୍ଲକରେ ରହିଥିବା ଡେରାମୁଣ୍ଡା ବସ୍ତିରେ ରୁହନ୍ତି ନୀର ମୁଣ୍ଡାଙ୍କ ପରିବାର । ସ୍ତ୍ରୀ ଗୁରୁବାରି ଓ ଝିଅ ପ୍ରମିଳାଙ୍କୁ ନେଇ ନିରଙ୍କ ଛୋଟିଆ ସଂସାର । ବସ୍ତିର ପ୍ରାୟ ସମସ୍ତେ ଶ୍ରମିକ ଶ୍ରେଣୀର ହୋଇଥିବାରୁ ଝିଅଙ୍କୁ ପାଠ ପଢେଇବା ତ ଦୂରର କଥା... ଅଧିକାଂଶ ଲୋକ ସ୍କୁଲ୍ ମାଟି ମାଡ଼ିନାହାନ୍ତି । ତେବେ ଦିନ ମଜୁରୀଆ ଭାବେ କାମ କରୁଥିଲେ ବି ଝିଅକୁ ପାଠ ପଢାଇ ଶିକ୍ଷିତ କରିବାକୁ ସ୍ୱପ୍ନ ଦେଖିଥିଲେ ନୀର । ଆଉ ଏଥିପାଇଁ ସେ କାହାରି କଥା ଶୁଣିନଥିଲେ ।

ହଠାତ୍ ଦିନେ ନୀରଙ୍କ ସ୍ୱପ୍ନଙ୍କୁ ଶକ୍ତ ଝଟକା ଲାଗିଥିଲା । ସ୍କୁଲରୁ ଫେରୁଥିବାବେଳେ ଏକ ଦୁର୍ଘଟଣାରେ ଝିଅର ଗୋଟିଏ ଗୋଡ଼ କଟିଗଲା । ଡାହାଣ ଗୋଡକୁ କାଟିବାକୁ ନିଷ୍ପତ୍ତି ନେଲେ ଡାକ୍ତର । ସମସ୍ତେ ଭାବିଲେ ଝିଅର ପାଠ ପଢାରେ ଡୋରି ଲାଗିଗଲା । କିନ୍ତୁ ହାର୍ ମାନିବାକୁ ପ୍ରସ୍ତୁତ ନଥିଲେ ବାପା । ଝିଅର ଚିକିତ୍ସା ସାରି ଘରକୁ ଫେରିଥିଲେ, ଆଉ ମନୋବଳ ଦୃଢ଼ କରିଥିଲେ । ଝିଅର ଗୋଟିଏ ଗୋଡ କଟି ଗଲେ କଣ ହେବ ବାପାଙ୍କ ସାହାରାରେ ହୋଇ ପୁଣି ପାଠ ପଢିଲା ଝିଅ ପ୍ରମିଳା ।

ପ୍ରାୟ ୪ ବର୍ଷ ପରେ ଝିଅ ମାଟ୍ରିକ୍ ପରୀକ୍ଷା ଦେଲା । ଆଉ ୬୦୦ରୁ ୪୪୬ ମାର୍କ ରଖି ସ୍କୁଲ ଓ ମୁଣ୍ଡାବସ୍ତି ପାଇଁ ଉଦାହରଣ ପାଲଟିଛନ୍ତି । ଏବେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅନୁଗୁଳୁ ଜିଲ୍ଲାପାଳ ମଧ୍ୟ ପ୍ରମିଳାଙ୍କୁ ପୁରସ୍କୃତ କରିଛନ୍ତି । ପ୍ରମିଳା ନିଜ ସଫଳତାର ଶ୍ରେୟ ଦେଇଛନ୍ତି ବାପାଙ୍କୁ । କହିଛନ୍ତି ବାପାଙ୍କ ସହଯୋଗ ପାଇଁ ଏହା ସମ୍ଭବ ହୋଇଛି ।

 

 

 

  • Reported by:
  • MANIL MOHARANA