• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗାଁ ଦାଣ୍ଡରେ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଭୋଗ ଡାଲା ବଢ଼ା ହୋଇଛି । ପଣା ପାଣି ଦିଅଆ ଚାଲିଛି । ଘଣ୍ଟ ଘଣ୍ଟା, ଗିନି, ଖୋଳ-କରତାଳ ବାଜୁଛି । ମାଆଙ୍କ ପୂଜାର୍ଚ୍ଚନା ପରେ ପଣା ହାଣ୍ଡି ମୁଣ୍ଡେଇ ଗାଁଟା ଯାକର ଲୋକଙ୍କୁ ନେଇ ଚାଲିଛି ଶୋଭାଯାତ୍ରା ଓ ଗାଁ ପରିକ୍ରମା । ଏ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ଗାଁରେ । ସେମାନଙ୍କ ଉଦ୍ଦେଶ୍ୟ ଠାକୁରାଣୀଙ୍କୁ ଯେ କୌଣସି ମତେ ଶାନ୍ତି କରିବାକୁ ହେବ, ନହେଲେ ଗାଈ ଗୋରୁଙ୍କୁ ଆଉ ବଂଚେଇ ହେବନି ।

ଏଇ କିଛି ଦିନ ହେଲା ଖଲିଙ୍ଗି ଗାଁରେ ମାତିଛି ଲମ୍ପି ଭାଇରସ୍ । ଗାଈଗୋରୁ, ଛେଳି, ମଈଁଷିଙ୍କୁ ଦ୍ରୁତ ସଂକ୍ରମିତ କରୁଥିବା ଏଇ ଚର୍ମ ରୋଗରେ ପଡ଼ି ୟା ଭିତରେ ଗାଁର ଅଧିକାଂଶ ଗାଈଗୋରୁ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ଦେହ ସାରା ନାଲି ନାଲି ଫୋଟକା ଭଳି ଫଳିଯିବା ସହ ଗାଈଗୋରୁ ଅତ୍ୟଧିକ ଜ୍ୱରରେ ପଡ଼ି ଏମିତି ଧକୋଉଛନ୍ତି । କେବଳ ସେତିକି ନୁହେଁ, ନିକଟରେ ଅଜଣା ଯନ୍ତୁ ଆକ୍ରମଣରେ ଗାଁର ଜଣଙ୍କ ୨୦ରୁ ଅଧିକ ଛେଳିଙ୍କର ମୃତ୍ୟୁ ପରେ ଲୋକେ ଆହୁରି ଭୟଭୀତ ହୋଇ ପଡ଼ିଛନ୍ତି । ଲମ୍ପି ବ୍ୟାପିବା ପରେ ପଶୁ ଡାକ୍ତର ଆସି ଚିକିତ୍ସା ତ କରୁଛନ୍ତି, ହେଲେ ରୋଗ ମାଡ଼ି ଚାଲିଛି । ତେଣୁ ବାଧ୍ୟ ହୋଇ ଗାଈ ଗୋରୁଙ୍କ ଜୀବନ ବଂଚେଇବାକୁ ଏମିତି ପୂଜାପାଠର ଅନ୍ଧବିଶ୍ୱାସକୁ ଆପଣେଇଛନ୍ତି ଗାଁ ଲୋକେ ।

କେବଳ ଖଲିଙ୍ଗି ନୁହେଁ ସାନଖେମୁଣ୍ଡି ବ୍ଲକର ଏରେଣ୍ଡ୍ରା, ଆଡ଼ପଡ଼ା, ସାହାସପୁର, ଜଗନ୍ନାଥପୁର, ରାମଚନ୍ଦ୍ରପୁର, ଡେଙ୍ଗାଉସ୍ତ, ପୋଡ଼ାମାରି ଭଳି ବହୁ ଗାଁରେ ଗାଈଗୋରୁଙ୍କ ଦେହରେ ଅତି ସଂକ୍ରାମକ ଶ୍ରେଣୀରେ ଆସୁଥିବା ଲମ୍ପି ଚର୍ମରୋଗ ଦ୍ରୁତ ଗତିରେ ମାଡ଼ିଚାଲିଛି । ତେଣୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସେପଟେ ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ କହିବା କଥା, ସଂକ୍ରମଣ ରୋକିବାକୁ ଆକ୍ରାନ୍ତ ଗାଈଗୋରୁଙ୍କୁ ସଂଗରୋଧରେ ରଖାଯିବା ଆବଶ୍ୟକତା ରହିଛି । ହେଲେ ଏହା ସମ୍ଭବ ହୋଇ ପାରୁନି ।

ତେବେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଛି । ଚିକିତ୍ସା ପରେ ବହୁ ସଂକ୍ରମିତ ଗୋରୁ ସଂପୂର୍ଣ୍ଣ ସୁସ୍ଥ ବି ହେଉଛନ୍ତି । ତେବେ ଲମ୍ପି ରୋଗରେ ମୃତ୍ୟୁ ସଂଖ୍ୟା କମ୍ । ତେଣୁ ଆତଙ୍କିତ ନହୋଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସଂକ୍ରମିତ ଗାଈଗୋରୁଙ୍କ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।