ଗତ କିଛି ବର୍ଷ ମଧ୍ୟରେ, ଲୋକମାନେ ଯୋଗକୁ ସେମାନଙ୍କ ଜୀବନର ଏକ ଅଂଶ କରିପାରିଛନ୍ତି। ବିଶେଷକରି କରୋନା କାଳରେ ଲୋକମାନେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଏବଂ ସୁସ୍ଥ ରହିବା ପାଇଁ ନିୟମିତ ଭାବରେ ଯୋଗ ଅଭ୍ୟାସ କରିବା ଆରମ୍ଭ କରିଥିଲେ। ଯୋଗକୁ ସାରା ବିଶ୍ୱରେ ପ୍ରାସାର କରିବାର ଶ୍ରେୟ ଭାରତକୁ ଯାଉଛି। ଭାରତର ପ୍ରାଚୀନ ଗ୍ରନ୍ଥରେ ଥିବା ଯୋଗ ଆଜି ବିଶ୍ୱ ଦ୍ୱାରା ଗ୍ରହଣ କରାଯାଇଛି। ଲୋକମାନଙ୍କୁ ଯୋଗ ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ୍ ୨୧କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି।
ତେବେ ଯୋଗ ସହିତ ଜଡିତ ଜରୁରୀ ଜିନିଷ ମଧ୍ୟରେ ଯୋଗ ମ୍ୟାଟ୍ ଅନ୍ୟତମ। ପ୍ରାଚୀନ କାଳରେ ସାଧୁ-ସନ୍ଥ ଯୋଗ ମ୍ୟାଟ୍ ଭଳି ଜିନିଷ ବ୍ୟବହାର କରୁ ନଥିଲେ। କିନ୍ତୁ ବର୍ତ୍ତମାନ ଯେଉଁମାନେ ଯୋଗ ଅଭ୍ୟାସ କରୁଛନ୍ତି ସେମାନଙ୍କ ପାଇଁ ଯୋଗ ମ୍ୟାଟ୍ ଆବଶ୍ୟକ ହୋଇପଡିଛି। କିନ୍ତୁ ଆପଣ ଜାଣନ୍ତି କି ଯୋଗ ମ୍ୟାଟ୍ର ଆବଶ୍ୟକତା ପ୍ରଥମେ କିଏ ଅନୁଭବ କରିଥିଲେ? ଯୋଗ ମ୍ୟାଟ୍ କେବେ ଏବଂ କିଏ ବ୍ୟବହାର କରିଥିଲେ? ଆସନ୍ତୁ ଯୋଗ ମ୍ୟାଟ୍ର ଇତିହାସ ଜାଣିନେବା।
ଯୋଗ ମ୍ୟାଟ୍ କ’ଣ:
ଯେଉଁମାନେ ନିୟମିତ ଯୋଗକୁ ଗମ୍ଭୀରତାର ସହ କରନ୍ତି, ସେମାନଙ୍କ ପାଇଁ ଯୋଗ ମ୍ୟାଟ୍ ନିହାତି ଦରକାର। ପଡିଯିବା କିମ୍ବା କୌଣସି ପ୍ରକାରର ଆଘାତକୁ ରୋକିବା ପାଇଁ ଯୋଗ ମ୍ୟାଟ୍ର ଆବଶ୍ୟକତା ରହିଛି। ଆସନ ବେଳେ ଦୀର୍ଘ ସମୟ ଧରି ନିଜକୁ ସନ୍ତୁଳିତ କରି ରଖିବା ପାଇଁ ଯୋଗ ମ୍ୟାଟ୍ ସାହାଯ୍ୟ କରେ।
ଯୋଗ ମ୍ୟାଟ୍ର ଇତିହାସ:
ଋଷି-ମୁନି ଯୁଗରୁ ହିଁ ଯୋଗ ଆରମ୍ଭ ହୋଇଛି। ସାଧୁ-ସନ୍ଥମାନେ ପାହାଡ, ହିମାଳୟ ଶିଖର, ଜଙ୍ଗଲ ଏବଂ ଗୁମ୍ଫା ଇତ୍ୟାଦିରେ ଯୋଗ କରୁଥିଲେ। କିନ୍ତୁ ସେତେବେଳେ ଯୋଗ ମ୍ୟାଟ୍ ନଥିଲା। ସେମାନେ ଭୂମି ଉପରେ ହିଁ ଯୋଗ କରୁଥିଲେ। ୧୯୭୦ ଦଶକରେ ଲୋକମାନେ ଯୋଗ କରିବା ପାଇଁ ଜରି ବା ଚଟେଇ ବ୍ୟବହାର କଲେ। ପରେ ଜରି ଏବଂ ଚଟେଇ ବଦଳରେ ରବର ମ୍ୟାଟ୍ ବ୍ୟବହାର କରାଗଲା।
ପ୍ରଥମ ଥର ଯୋଗ ମ୍ୟାଟ୍ ବ୍ୟବହାର:
ପ୍ରଥମ ଥର ପାଇଁ ଯୋଗ ଗୁରୁ ବିକେଏସ୍ ଆୟାଙ୍ଗର୍ ଯୋଗ ମ୍ୟାଟ୍ର ଆବଶ୍ୟକତାକୁ ହୃଦୟଙ୍ଗମ କରିଥିଲେ। ଏହାପୂର୍ବରୁ ସେ ଅନ୍ୟ ଲୋକଙ୍କ ପରି ଭୂମିରେ କମ୍ବଳ ପକାଇ ଯୋଗ ମଧ୍ୟ କରୁଥିଲେ। କିନ୍ତୁ ୧୯୬୦ରେ ଯୋଗ ଗୁରୁ ବି.କେ.ଏସ୍ ଆୟାଙ୍ଗର୍ ଯୋଗ କ୍ଲାସ ନେବା ପାଇଁ ୟୁରୋପର ଦେଶକୁ ଯାଇଥିଲେ। ଇଉରୋପୀୟ ଅର୍ଥାତ୍ ବିଦେଶୀ ଛାତ୍ରମାନେ ଚଟାଣରେ ଠିଆ ହୋଇ ଆସନ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଚଟାଣରେ ଖାଲି ପାଦରେ ଯୋଗ ଯୋଗ କରିବାରେ ବିଦେଶୀମାନେ ଖସିଯିବାର ଅନୁଭବ କରୁଥିଲେ। ଫଳରେ ଯୋଗରେ ଏକାଗ୍ରତା ଆସିବାରେ ଅସୁବିଧା ହେଲା। ଏଇଠୁ ତାଙ୍କର ଯୋଗ ମ୍ୟାଟ୍ର ବିଚାର ମନକୁ ଆସିଥିଲା।
ଥରେ ଯୋଗ ଗୁରୁ ଜର୍ମାନୀରେ ଥିଲେ, ଯେଉଁଠାରେ ସେ ଯୋଗ କରିବା ବେଳେ ଚଟାଣରୁ ଖସିପଡିଥାନ୍ତେ, କିନ୍ତୁ କାର୍ପେଟ୍ ତଳେ ରଖାଯାଇଥିବା ଏକ ରବରର ଚଟେଇ ତାଙ୍କୁ ରକ୍ଷା କରିଥିଲା। ପରେ ସେ କମ୍ବଳ କାଢି ରବର ମ୍ୟାଟ୍ ବ୍ୟବହାର କଲେ।
ଭାରତରେ ତିଆରି ହେଉନି ଯୋଗ ମ୍ୟାଟ୍:
ଭାରତ ଯୋଗ ଗୁରୁ ପାଲଟିଛି। ଭାରତରୁ ଯୋଗର ପ୍ରଚାର ପ୍ରସାର ହୋଇଥିଲା। ଯୋଗ ମ୍ୟାଟ୍ର ଆବଶ୍ୟକତାକୁ ଅନୁଭବ କରି ଆୟଙ୍ଗର ଏହାକୁ ବ୍ୟବହାର କରିବା ଆରମ୍ଭ କଲେ, କିନ୍ତୁ ଆଶ୍ଚର୍ଯ୍ୟର କଥା, ଯୋଗ ମ୍ୟାଟ୍ଗୁଡିକ ଏଯାଏ ଭାରତରେ ତିଆରି ହୋଇପାରିନି। ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଚାଇନାରୁ ଯୋଗ ମ୍ୟାଟ୍ ଆମଦାନୀ କରାଯାଇଥିଲା। ଯେଉଁଥିପାଇଁ ଭାରତ ୯୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା।