/odishatv-khabar/media/post_attachments/uploadimage/library/16_9/16_9_0/Typhus_1694620123.jpg)
Typhus
ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ଆତଙ୍କ। ବିଷାକ୍ତ କୀଟ କାମୁଡ଼ାରେ ଗଲାଣି ୫ ଜଣଙ୍କ ଜୀବନ। ଡେଙ୍ଗୁ ଓ ମ୍ୟାଲେରିଆ ପରେ ଗଲା କିଛି ମାସ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖାଦେଇଛି ଏ ସ୍କ୍ରବ୍ ଟାଇଫସ ସଂକ୍ରମଣ । ତେବେ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲା। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ତଥ୍ୟ କହୁଛି, ବରଗଡ଼ ଜିଲ୍ଲାର ଅତାବିରା, ଭେଡେନ୍, ବରପାଲି ବ୍ଳକ୍ ରୁ ଜଣେ ଲେଖାଏଁ ଏବଂ ସୋହେଲା ବ୍ଲକରୁ ୨ ଜଣ ଆକ୍ରାନ୍ତ ଏଥିରେ ମୃତ୍ୟୁ ହେଲାଣି।
ଏପଟେ ଜିଲ୍ଲାରେ ଏ ସଂକ୍ରମଣର ବ୍ୟାପୁଥିବା ନଜରକୁ ଆସିବା ପରେ ରୋଗ ଚିହ୍ନଟ ପାଇଁ ଆରମ୍ଭ ହୋଇଛି ନିୟମିତ ଟେଷ୍ଟିଂ ପ୍ରକ୍ରିୟା। ଗତ ଅଗଷ୍ଟରେ ଜିଲ୍ଲାରେ ମୋଟ ୧୬୮ ଜଣଙ୍କ ରକ୍ତ ପରୀକ୍ଷା ହୋଇଥିଲେ ବି କାହାରି ରିପୋର୍ଟ ପଜିଟିଭ୍ ଆସିନଥିଲା। ହେଲେ ସେପଟେମ୍ବରରେ ହୋଇଥିବା ୧୪୨ ନମୁନାରୁ ୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ଏହା ଚିନ୍ତା ବଢାଇଛି।
ଏବେ ଜାଣନ୍ତୁ କଣ ଏ ସ୍କ୍ରବ୍ ଟାଇଫସ୍ ? ସ୍ୱାସ୍ଥ୍ୟ ବିଜ୍ଞାନୀଙ୍କ ମତରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ, ଚିଗର୍ସ ନାମକ ଏକ କୀଟ କାମୁଡ଼ାରୁ ଆରମ୍ଭ ହୋଇଥାଏ । ସର୍ବସାଧାରଣ ପୋଖରୀ, ବିଲବାଡ଼ି ଓ ଜଙ୍ଗଲକୁ ଯାଉଥିବା ଲୋକେ ହିଁ ଏଥିରେ ଅଧିକ ମାତ୍ରାରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ। ଏ ପୋକ କାମୁଡ଼ିବା ମାତ୍ରେ କ୍ଷତ ସ୍ଥାନରେ ଏକ ଘା ସୃଷ୍ଟି ହୋଇ ସଂପୃକ୍ତ ସ୍ଥାନରେ ଚର୍ମ କଳା ପଡ଼ିଯାଏ। ପରେ ଏହା ଶରୀରକୁ ସଂକ୍ରମିତ ହୋଇ ଜ୍ୱର, ମୁଣ୍ଡବିନ୍ଧା, ଦେହପୀଡ଼ା, ତଳି ପେଟରେ ଯନ୍ତ୍ରଣା ଓ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ଭଳି ଲକ୍ଷଣ ପ୍ରକାଶ ପାଏ।
ରୋଗ ନିରୁପଣରେ ବିଳମ୍ବ ହେଲେ ଜୀବନ ଯିବାର ଆଶଙ୍କା ବି ଥାଏ। ତେବେ ତୁରନ୍ତ ନିରୁପଣ ହୋଇପାରିଲେ, ଏହାର ଚିକିତ୍ସା ଅତି ସାଧାରଣ ବୋଲି କହିଛନ୍ତି ଡାକ୍ତର।
ପ୍ରଥମେ ଜାପାନରୁ ଠାବ ହୋଇଥିବା ଏ ସଂକ୍ରମଣ ଗଲା କିଛି ବର୍ଷ ଧରି ଓଡ଼ିଶାରେ ମଧ୍ୟ ଲକ୍ଷ୍ୟ କରାଯାଇ ଆସୁଛି। ସାଧାରଣ ଜୁଲାଇରୁ ନଭେମ୍ବର ମାସ ଭିତରେ ଏ ସଂକ୍ରମଣ ବ୍ୟାପୀଥାଏ। ଚଳିତବର୍ଷ ବରଗଡ଼ ଓ ସୁନ୍ଦରଗଡ଼ ବ୍ୟତୀତ କେନ୍ଦୁଝର ଓ ନବରଙ୍ଗପୁରରୁ କିଛି ଲୋକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)