ମାନସିକ ଅବସାଦ ରୋଗକୁ ଆଧୁନିକ ଚିକିତ୍ସା ବିଜ୍ଞାନରେ ଡିପ୍ରେସନ୍ ବୋଲି କୁହାଯାଏ। ଏହା ଏକ ସରଳ ମାନସିକ ରୋଗ ହେଲେ ମଧ୍ୟ ଏହି ମାନସିକ ଅବସ୍ଥାର ପରିଣାମ ଅନେକ ସମୟରେ ଦୁଃଖଦାୟକ ହୋଇଥାଏ। ଅର୍ଥାତ୍ ମାନସିକ ଅବସାଦଗ୍ରସ୍ତ ପୁରୁଷ ବା ସ୍ତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାର ଦେଖାଯାଇଥାଏ।
ଡିପ୍ରେସନର ଲକ୍ଷଣ
ମାନସିକ ଅବସାଦଗ୍ରସ୍ତ ରୋଗୀଠାରେ କେତେକ ଲକ୍ଷଣ ଦେଖାଯାଇଥାଏ, ଯଥା- ରୋଗୀ ସବୁବେଳେ ଚିନ୍ତା ଓ ନିରାଶା ମଧ୍ୟରେ ବୁଡ଼ିରହେ। ନିଜେ ହୀନମନ୍ୟତା ଅନୁଭବ କରେ। ସ୍ୱାଭାବିକ ଜୀବନକ୍ରିୟା ଅର୍ଥାତ୍ ଦୈନନ୍ଦିନ କାର୍ଯ୍ୟ କରିବାରେ ରୋଗୀର ଆଗ୍ରହ ରହେ ନାହିଁ ଏବଂ ଯୌନକ୍ରିୟାରେ ଅଋଚି ଦେଖାଦିଏ, ମୁଣ୍ଡବ୍ୟଥା, ପେଟ ସମ୍ବନ୍ଧୀୟ ବିକାର, ଉଚ୍ଚ ରକ୍ତଚାପ, ସ୍ତ୍ରୀ ମାନଙ୍କଠାରେ ମାସିକ ଧର୍ମରେ ଅନିୟମିତତା, ଶାରୀରିକ ଦୁର୍ବଳତା ଓ କ୍ଳାନ୍ତି, ପାଚନ ଶକ୍ତି ଦୁର୍ବଳ ହେବା, ଆଡୁସାଡ଼ୁ ବାଜେ କଥା କହିବା ଅର୍ଥାତ୍ ଅପ୍ରାସଙ୍ଗିକ କଥା କହିବା, କଥା-କଥାରେ କ୍ରୋଧ ଓ ବିରକ୍ତି ପ୍ରକାଶ କରିବା ଆଦି ଲକ୍ଷଣମାନ ରୋଗୀଠାରେ ଦେଖାଯାଏ।
Also Read
ଏହାଛଡ଼ା ଅଧିକାଂଶ ଅବସାଦଗ୍ରସ୍ତ ରୋଗୀଙ୍କୁ ଗଭୀର ନିଦ ଆସେ ନାହିଁ, ନିଦରେ ବେଳେବେଳେ ଦୁଃସ୍ୱପ୍ନ ଆସେ ଏବଂ ଅର୍ଦ୍ଧରାତ୍ରି ସମୟରେ ରୋଗୀର ନିଦ ଭାଙ୍ଗିଯାଏ। ତେଣୁ ସକାଳୁ ଉଠିଲେ ରୋଗୀ ସମ୍ପୂର୍ଣ ସତେଜତା ଅନୁଭବ କରିପାରେ ନାହିଁ। ଏହି କାରଣରୁ ରୋଗୀର ଆଖିରେ ସର୍ବଦା ନିଦ ଭରି ରହେ। ଏହି ନିଦ୍ରାଗତ ଅସ୍ଵାଭାବିକତା ବ୍ୟତୀତ ରୋଗୀର ଚାଲିଚଳନ, ଚିନ୍ତା ଓ ବିଚାରରେ ମଧ୍ୟ ପରିବର୍ତ୍ତନ ପରିଲକ୍ଷିତ ହୁଏ। ବିଶେଷତଃ ଅବସାଦଗ୍ରସ୍ତ ବ୍ୟକ୍ତି ସବୁବେଳେ ଅନ୍ଧାରୁଆ ଘରେ ରହିବାକୁ ପସନ୍ଦ କରେ, ସମୂହ ବା ଗୋଷ୍ଠୀରେ କଥାବାର୍ତ୍ତା କରିବାକୁ ଭୟ କରେ।
ଠିକ୍ ସମୟରେ କୌଣସି ନିର୍ଣ୍ଣୟ ନେଇପାରେ ନାହିଁ। ସର୍ବୋପରି ରୋଗୀର ମନରେ ନକାରାତ୍ମକ ବିଚାର ଆସେ ଏବଂ ପ୍ରତ୍ୟେକ କଥା ବା କାର୍ଯ୍ୟରେ ମନ୍ଦ ଦେଖୁଥାଏ। ଏହି ରୋଗର ଚରମ ଅବସ୍ଥାରେ ରୋଗୀର ଭୋକ କମ୍ ହୁଏ ଏବଂ ଅଳ୍ପ କାର୍ଯ୍ୟରେ ସେ କ୍ଲାନ୍ତି ଅନୁଭବ କରେ। ନିଜ ଜୀବନ ନିରର୍ଥକ ବୋଲି ରୋଗୀ ଭାବିବାକୁ ଲାଗେ ଏବଂ ତା ମନରେ ଆତ୍ମହତ୍ୟା ତଥା ନିଜ ମୃତ୍ୟୁର ବିଚାର ଆସିଥାଏ। ଶେଷରେ ରୋଗୀ ଅନେକ କ୍ଷେତ୍ରରେ ଏଭଳି ଚରମ ପଦକ୍ଷେପ ନେବାର ଦେଖାଯାଇଥାଏ।
ଡିପ୍ରେସନ୍ ରୋଗର କାରଣ
ଡିପ୍ରେସନ୍ ଭୋଗୁଥିବା ମନୁଷ୍ୟଠାରେ କୁଣ୍ଠା, ହତାଶା ଏବଂ ନିରାଶା ଦେଖା ଯାଇଥାଏ। ଆଧୁନିକ ବ୍ୟସ୍ତ ଜଞ୍ଜାଳମୟ ଜୀବନ ଶୈଳୀ ମଧ୍ୟରେ ମନୁଷ୍ୟକୁ ଆର୍ଥିକ, ସାମାଜିକ, ପାରିବାରିକ ଏବଂ ନୈତିକତା ଆଦି ସମସ୍ତ କ୍ଷେତ୍ରରେ କିଛି-ନା-କିଛି ସମସ୍ୟା ବା ଦ୍ଵନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେତେବେଳେ ବ୍ୟକ୍ତି ଏହିସବୁ ମାନସିକ ଦ୍ଵନ୍ଦ୍ୱ ବା ସମସ୍ୟାର ଉପଯୁକ୍ତ ସମାଧାନ ପାଇପାରେ ନାହିଁ ସେତେବେଳେ ମାନସିକ ଅଶାନ୍ତି ସୃଷ୍ଟି ହୁଏ। ଏଭଳି ସ୍ଥିତିରେ ମନୁଷ୍ୟ ନିଜକୁ ଅନେକ ସମୟରେ ଶକ୍ତିହୀନ ଅନୁଭବ କରେ। କୌଣସି କାର୍ଯ୍ୟରେ ମନ ଲାଗେ ନାହିଁ ତଥା ସର୍ବଦା ଭୟଭୀତ ରହେ।
ଯେତେବେଳେ ଏହି ଭୟ କୌଣସି ବସ୍ତୁ ବା ଅବସ୍ଥା ପାଇଁ କେନ୍ଦ୍ରିତ ହୋଇଯାଏ, ତାହାକୁ ଫୋବିଆ (Fobia) କୁହାଯାଏ। ଉଦାହରଣ ସ୍ୱରୂପ, ଦୁଃଖ ଓ ରୋଗର ଭୟ, ପାପର ଭୟ, ମୃତ୍ୟୁର ଭୟ, ମର୍ଯ୍ୟାଦା ଓ ପ୍ରତିଷ୍ଠାହାନିର ଭୟ ଓ ଭିଡ଼ ତଥା ପ୍ରଦୂଷଣ ପ୍ରତି ଭୟ ଇତ୍ୟାଦି ବ୍ୟକ୍ତିର ମନମସ୍ତିଷ୍କରେ ଗଭୀର ଭାବେ ରହି ଅବସାଦର କାରଣ ହୋଇଥାଏ। ଏହା ବ୍ୟତୀତ ଅଧୂକ ଉଦବେଗ, କ୍ରୋଧ, ଭୟ, ସାମାଜିକ ବିଷମତା ଅର୍ଥାତ୍ ସାହି ପଡ଼ିଶା ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ପ୍ରତିକୂଳତା, ଆର୍ଥିକ ଅଭାବ, ଦାମ୍ପତ୍ୟ ଓ ପାରିବାରିକ ଜୀବନରେ ଅଶାନ୍ତି ଓ କଳହ, ପ୍ରେମରେ ବିଫଳତା, କର୍ମକ୍ଷେତ୍ରରେ ବିଫଳତା, ନିଜ ପ୍ରତି ଅନ୍ୟମାନଙ୍କର ଉପେକ୍ଷା, ଅବହେଳା ଓ ତିରସ୍କାର, ଯୌନ ଜୀବନରେ ବିଫଳତା ଓ ଧୂମପାନ ତଥା ନିଶାଦ୍ରବ୍ୟ ସେବନର ଅଭ୍ୟାସ ଇତ୍ୟାଦି ଯାବତୀୟ କାରଣ ମନୁଷ୍ୟ ମଧ୍ୟରେ କ୍ରମଶଃ ମାନସିକ ଅବସାଦ ପାଇଁ ଦାୟୀ।
ଡିପ୍ରେସନରୁ ମୁକୁଳିବାର ଉପାୟ
ଡିପ୍ରେସନ୍ ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ରୋଗୀ ନିଜେ ଯତ୍ନଶୀଳ ହେବା ଆବଶ୍ୟକ। ମାନସିକ ଦୁଃଖ ଓ ଅଶାନ୍ତି ଦୀର୍ଘ ସମୟ ରହି ଯେପରି ଅବସାଦର ରୂପ ନନିଏ, ସେଥିପାଇଁ ରୋଗୀ ସତର୍କ ରହିବା ଉଚିତ୍। ଯଦି କାହାରିକୁ ସାଧାରଣ ଡିପ୍ରେସନ ହୋଇଛି ତାହା ହେଲେ ପାରିବାରିକ ପରିଚର୍ଯ୍ୟା ଦ୍ଵାରା ତାହାକୁ ଦୂର କରାଯାଇ ପାରିବ। କିନ୍ତୁ ଯଦି କୌଣସି ବ୍ୟକ୍ତିକୁ ଏହା ଗମ୍ଭୀର ରୂପେ ହୋଇଛି ତେବେ ତାଙ୍କ ବିଷୟରେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ବିଧେୟ।
ତେବେ ଏଠାରେ ମନେ ରଖିବା ଉଚିତ ଯେ, ଔଷଧ ଦ୍ଵାରା ଏହାକୁ କିଛି ସମୟ ପାଇଁ ଦବାଇ ଦିଆଯାଇପାରେ, କିନ୍ତୁ ତାହା ସ୍ଥାୟୀ ଉପଶମ ହୋଇନଥାଏ। ତାହାଛଡ଼ା ଏଲୋପାଥ୍ ଔଷଧର ପ୍ରତିକୂଳ ପ୍ରଭାବ ମଧ୍ୟ ରୋଗୀର କ୍ଷତି କରିପାରେ। ସମସ୍ତ ରୋଗୀଙ୍କ ପାଇଁ ଔଷଧର ଆବଶ୍ୟକତା ନଥାଏ। ନିୟମିତ ଶୃଙ୍ଖଳିତ ଜୀବନଯାପନ ଦ୍ଵାରା ଏହି ସମସ୍ୟାକୁ ସ୍ୱତଃ ଦୂର କରାଯାଇ ପାରିବ। ଏଥିପାଇଁ କେତୋଟି ବିଶେଷ କଥା ଉପରେ ଧ୍ୟାନ ଦେବା ଉଚିତ୍।
ଯଥା- ନିଜର ଦୈନିକ ଦିନଚର୍ଯ୍ୟାକୁ ନିୟମିତ କରନ୍ତୁ, ନିଜର କ୍ଷମତା ବା ସାମର୍ଥ୍ୟଠାରୁ ଅଧିକ କୌଣସି କାର୍ଯ୍ୟ ବା ଯୋଜନା କରନ୍ତୁ ନାହିଁ। ସାମର୍ଥ୍ୟଠାରୁ ଅଧିକ ଉଚ୍ଚାଭିଳାଷ ପୋଷଣ କରନ୍ତୁ ନାହିଁ, ଈର୍ଷ୍ୟା, ଦ୍ୱେଷ, ଅହଂଭାବ, ପରନିନ୍ଦା ଓ ଛନ୍ଦ-କପଟ ଆଦି ନୈତିକତା-ବିରୋଧି ଭାବ ମନର ପୋଷଣ କରନ୍ତୁ ନାହିଁ। ମାଦକଦ୍ରବ୍ୟର ଅଭ୍ୟାସ ରଖନ୍ତୁ ନାହିଁ, ମନୋରଞ୍ଜନ, ଖେଳକୁଦ, ନୂତନ ସ୍ଥାନ ଭ୍ରମଣ ଆଦି ଦ୍ଵାରା ପାରିବାରିକ ସ୍ନେହପ୍ରୀତି ବାଣ୍ଟନ୍ତୁ, ସମସ୍ତ ସମସ୍ୟା ଓ ଦୁଃଖକୁ ନିଜ ମଧ୍ୟରେ ଲୁଚାଇ ରଖନ୍ତୁ ନାହିଁ ଏବଂ ସର୍ବମୟ କର୍ତ୍ତା ଈଶ୍ଵରଙ୍କର ଅପାର କରୁଣାପ୍ରତି ଆସ୍ଥା ରଖ୍ ନିଜକୁ ସମର୍ପଣ ଭାବନାରେ ମଣ୍ଡିତ କରନ୍ତୁ।
ଈଷ୍ଟ ସ୍ମରଣ, ଦେବଦର୍ଶନ, ସତସଙ୍ଗ ଏବଂ ସ୍ୱାଧ୍ୟାୟ ଆଦି ଆଧ୍ୟାତ୍ମିକ କର୍ମରେ ଅବସର ସମୟରେ ନିଜକୁ ନିୟୋଜିତ କରନ୍ତୁ ତଥା ନିଜ ଦ୍ୱାରା ହୋଇଥିବା ଭୁଲକୁ ସ୍ଵୀକାର କରି ପୁନର୍ବାର ଯେପରି ତାହାର ନହୁଏ ସେଥିପ୍ରତି ସଂକଳ୍ପବଦ୍ଧ ହୁଅନ୍ତୁ। ଏହିସବୁ ଶୁଦ୍ଧ ଓ ସାତ୍ତ୍ଵିକ ଭାବନା ଏବଂ ଶୃଙ୍ଖଳିତ ଜୀବନ ଦ୍ୱାରା ମାନସିକ ପବିତ୍ରତା ଓ ଆନ୍ତରିକ ଶାନ୍ତି ଲାଭ ହୋଇଥାଏ। ଆହୁରି ମଧ୍ୟ ନିଜକୁ ଯଥାସମ୍ଭବ ସାମାଜିକ କାର୍ଯ୍ୟକଳାପରେ ସାମିଲ କରିବାକୁ ଆଗ୍ରହୀ ହୁଅନ୍ତୁ। ଏହାଦ୍ଵାରା ସାମାଜିକ ସମ୍ପର୍କ ଉତ୍ତମ ହେବ। କାରଣ ଉତ୍ତମ ସ୍ଵାସ୍ଥ୍ୟ କହିଲେ କେବଳ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ବୁଝାଇ ନଥାଏ, ସାମାଜିକ ସୁସ୍ଥତା ମଧ୍ୟ ଏହାର ଅନ୍ୟଏକ ଅଭିନ୍ନ ଅଙ୍ଗ।
(ସୌଜନ୍ୟ- ଡାକ୍ତର ଦୀନବନ୍ଧୁ ମହାରଣା)