Advertisment

ମନେ ପଡ଼ନ୍ତି ସ୍ୱର୍ଗତ ନନ୍ଦ ସାର୍‌ ଓ ଡି. ପ୍ରକାଶ ରାଓ

ସିଏ ଅଫେରା ରାଇଜର ଅତିଥି ହୋଇ ବି ଅମର । ବଖାଣିବା ଦରକାର ନାହିଁ ତାଙ୍କ ପରିଚୟ । ବିଷମ ପରିସ୍ଥିତିରେ ବି ଏମାନେ ଶିକ୍ଷାଦାନ ଭଳି ମହତ ଲକ୍ଷ୍ୟରୁ ବିଚ୍ୟୁତ ହୋଇନାହାଁନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Teacher’s day 2022

ଏମିତି ତ ଭାରତ ବର୍ଷରେ ଗୁରୁ ପୂଜନ ପରମ୍ପରା ବେଶ୍ ପ୍ରାଚୀନ ଓ ପୁରୁଣା, ହେଲେ ଜ୍ଞାନ ରୂପୀ ଆଲୋକର ବର୍ତ୍ତିକା ଦେଖାଇଥିବା ଗୁରୁମାନେ ଅବର୍ତ୍ତମାନରେ ବି କିଭଳି ଅପାଶୋରା, ତାହାର ଦୁଇଟି ସଦ୍ୟ ଚିତ୍ର ଆମେ ସଂଗ୍ରହ କରିଛୁ । ବିଷମ ପରିସ୍ଥିତିରେ ବି କେମିତି ଶିକ୍ଷାଦାନ ଭଳି ମହତ ଲକ୍ଷ୍ୟରୁ ଏମାନେ ବିଚ୍ୟୁତ ହୋଇନାହାଁନ୍ତି ।

Advertisment

ସିଏ ଅଫେରା ରାଇଜର ଅତିଥି ହୋଇ ବି ଅମର । ବଖାଣିବା ଦରକାର ନାହିଁ ତାଙ୍କ ପରିଚୟ । ଅତି ସଂକ୍ଷେପରେ ସେ ହେଉଛନ୍ତି ଯାଜପୁର ଜିଲ୍ଲାର ନିପଟ ମଫସଲ ଗାଁ କନ୍ତିରାରୁ ରାଷ୍ଟ୍ରପତି ଭବନ ଯାଇ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ସ୍ୱର୍ଗତ ନନ୍ଦ ସାର୍ । ବିନା ମୂଲ୍ୟରେ ବିଦ୍ୟା ରୂପକ ମହାଧନକୁ ଦୀର୍ଘ ୭୫ବର୍ଷ ଧରି ନିରବଛିନ୍ନ ଭାବେ ମଣିଷ ତିଆରି କାରଖାନାରେ ବାଣ୍ଟି ଚାଲିଥିବା ସେ ମହାମଣିଷ ନନ୍ଦ କିଶୋର ପୃଷ୍ଟିଙ୍କୁ କେମିତି ବା ଭୁଲିହେବ ।

ପବିତ୍ର ଗୁରୁ ଦିବସରେ କରୋନାରେ ସଂକ୍ରମିତ ହୋଇ ଗତବର୍ଷ ଡିସେମ୍ବର ୭ ତାରିଖରେ ନନ୍ଦ ସାର୍‌ଙ୍କ ନିଧନ ପରଠୁ ଆଉ ତାଙ୍କ ସାଧନାର ପୂଣ୍ୟସ୍ଥଳୀରେ ପଣିକିଆ ଡାକ ଶୁଭୁନି ସତ, ହେଲେ ହେଲେ ସେ ବୁଣି ଯାଇଥିବା ଶିକ୍ଷାର ମଞ୍ଜିସବୁ ମହାଦ୍ରୁମ ପାଲଟିବା ପରେ କଣ ଭୁଲି ପାରିବେ ତାଙ୍କ ଶିକ୍ଷାର ମହାନ ସାଧକ ନନ୍ଦ ଅବଧାନେଙ୍କୁ ।

Advertisment

ସେମିତି ଅବର୍ତ୍ତମାନରେ ଥାଇ ବି ପ୍ରଜ୍ୱଳିତ ଦୀପର ଶିଖା ସମ ଝଟକୁଥିବା ଅନନ୍ୟ ବ୍ୟକ୍ତିତ୍ୱ ତଥା ମହାନ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । ସାକ୍ଷାତ ଈଶ୍ୱର ଆସନରେ ବସାଇଥିବା ପିଲାମାନେ କେମିତି ବା ଭୁଲନ୍ତେ ସେମାନଙ୍କ ଆଲୋକର ଅମଳିନ ବର୍ତ୍ତିକାକୁ । ପ୍ରକାଶଙ୍କ ଅନବଦ୍ୟ କୃତି କଟକର ଆଶ୍ୱାସନା ଅନୁଷ୍ଠାନରେ ଆଜି ଯେତେବେଳେ ଗୁରୁ ବନ୍ଦନାର ପଂକ୍ତି ପରେ ପଂକ୍ତି ଆବୃତ୍ତି ଚାଲିଥିଲା, ଲାଗୁଥିଲା ଆରପାରିରେ ଥାଇ ବି ଅମର ପ୍ରକାଶ ରାଓ ।

ସେମିତି ହାତରେ ବାଡ଼ି ଖଣ୍ଡେକୁ ଭରଷା କରି ଧରି ବାଟ ଚାଲୁଥିବା ୮୫ ବର୍ଷିୟା ବୃଦ୍ଧା ଜଣକ ବି ବିଷମ ପରିସ୍ଥିତିରେ ଓହରି ଯାଇନଥିଲେ ନିସ୍ୱାର୍ଥପର ଶିକ୍ଷାଦାନର ଝୁଙ୍କ୍‌ରୁ । ମାହାଙ୍ଗା ଜାତିପାରିଲୋ ଗାଁରେ ଗୁରୁମା ଭାବେ ପରିଚିତ ମାଳତୀ ଦାସଙ୍କୁ ଆଜି ବି ମିଳୁଛି ଅଜସ୍ର ସମ୍ମାନ । ତିନି ପିଢ଼ି ଧରି ଶିକ୍ଷାଦାନର ନିରବଛିନ୍ନ ଧାରାରେ ତାଙ୍କ ହାତରେ ମଣିଷ ହୋଇଥିବା ସେଦିନର ପିଲାମାନେ ଆଜି ପାଦଛୁଇଁ ଆଶିର୍ବାଦ ନେବାକୁ ଭୁଲୁନାହାନ୍ତି । ତେବେ ମାଳତୀଙ୍କ ଚାଟଶାଳୀ ଆଜି ଜରାଜୀର୍ଣ୍ଣ ।

ସେହିପରି ଦିବ୍ୟାଙ୍ଗ ହୋଇ ବି ସୁନାର ଭବିଷ୍ୟତକୁ ସାକାର କରିବାକୁ ଲାଗି ପଡ଼ିଥିବା ଶିକ୍ଷକ ଜଣକ ହେଲେ ଶ୍ରୀନାଥ ମୁର୍ମୁ । ମୟୁରଭଞ୍ଜ ଜିଲ୍ଲା କୁସୁମ ଘାଟିର ଅପହଞ୍ଚ ଇଲାକାରେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାର ପଣ କରିଥିବା ଏହି ଶିକ୍ଷକଙ୍କ ଶପଥ ସତେ ଯେମିତି ଆଜିର ଶିକ୍ଷକମାନଙ୍କ ପାଇଁ ନିଷ୍ଠା ଓ ତ୍ୟାଗର ଅନନ୍ୟ ଉଦାହରଣ ।

(ରିପୋର୍ଟ- ଯାଜପୁରରୁ ଜନ୍ମେଞ୍ଜୟ ଦାସ, କଟକରୁ ବିଶ୍ୱଜିତ୍ ଆଚାର୍ଯ୍ୟ, ବାରିପଦାରୁ ମାଣିକଲାଲ ପାଣି ଓ ସାଲେପୁରରୁ ମନୋଜ ଆଚାର୍ଯ୍ୟ)

Special Story Teacher’s Day 2022
Advertisment
Advertisment