• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍ ଦିନ ପୀଡ଼ିତା ଗାଏବ୍ । ହେଲେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଦୁଇ ଦିନ ପରେ ହଠାତ୍ ପୀଡ଼ିତାଙ୍କ ଆକସ୍ମିକ ଆବିର୍ଭାବ । ଏହି ଘଟଣାକ୍ରମ ପାରାଦୀପ ଗଣଦୁଷ୍କର୍ମ ଅଭିଯୋଗ ମାମଲାକୁ ଅଧିକ ରହସ୍ୟମୟ କରିଛି । ଟିଆଇ ପରେଡ୍ ଦିନ ହିଁ ପୀଡ଼ିତା ନିଖୋଜ ଏକ ସଂଯୋଗ ନା ଅନ୍ୟ କିଛି କାରଣ ରହିଛି? ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପୀଡ଼ିତା କହିଛନ୍ତି, ଲୋକଙ୍କ ଟାହିଟାପରା ସହି ନପାରି ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ । ତେବେ ଏନେଇ ପୋଲିସ୍ କିନ୍ତୁ କ୍ୟାମେରା ଆଗରେ ମୁହଁ ଖୋଲୁନାହିଁ ।

ରହସ୍ୟଜନକ ହୋଇପଡ଼ିଛି ପାରାଦୀପ ଗଣଦୁଷ୍କର୍ମ ମାମଲା । ଆଗରୁ ୨ ଅଭିଯୁକ୍ତଙ୍କ ଟେଷ୍ଟ ଆଇଡେଣ୍ଟିଫିକେସନ୍ ବା ଟିଆଇ ପରେଡ୍ ସରିଥିବା ବେଳେ ବାକି ୨ ଅଭିଯୁକ୍ତଙ୍କ ଟିଆଇ ପରେଡ୍ ଶନିବାର ହେବାର ଥିଲା । ହେଲେ ଠିକ୍ ସେହି ଦିନ ହିଁ ପୀଡ଼ିତା ନିଖୋଜ ।

ପୀଡ଼ିତା ବାପାଙ୍କ କହିବା ଅନୁସାରେ ଝିଅ ଆଶାକର୍ମୀ ହୋଇଥିବାରୁ ଡ୍ୟୁଟି କରିବାକୁ ବାହାରକୁ ଯାଇଥିଲେ । ଘରକୁ ନ ଫେରିବାରୁ ଜଟାଧାରମୁହାଣ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବାପା । ସେପଟେ ପୀଡ଼ିତା ନ ପହଞ୍ଚିବାରୁ ହୋଇପାରିନଥିଲା ଟିଆଇ ପରେଡ୍ । ହେଲେ ହଠାତ୍ ଆଜି ନିଜେ ପରିବାର ଲୋକଙ୍କୁ ଫୋନ୍ କରି ଘରକୁ ଫେରିଛନ୍ତି ପୀଡ଼ିତା । ସେ କହିଛନ୍ତି, ଶନିବାର ଡ୍ୟୁଟିକୁ ଯାଇଥିବା ବେଳେ ଗଣଦୁଷ୍କର୍ମ ଘଟଣାକୁ ନେଇ ତାଙ୍କୁ ଟାହିଟାପରା ଶୁଣିବାକୁ ପଡ଼ିଥିଲା । ଏଥିରେ ମର୍ମାହତ ହୋଇ ଜୀବନ ହାରିବାକୁ ସେ ନିଷ୍ପତ୍ତି ନେଇଥିଲେ । ହେଲେ କୁଜଙ୍ଗ ଚଟୁଆ ନିକଟ ରେଳ ଧାରଣାରୁ ତାଙ୍କୁ ଦୁଇଜଣ ଯୁବକ ଉଦ୍ଧାର କରିଥିଲେ ।

 

ଝିଅ ଘରକୁ ଫେରିବା ପରେ ତାଙ୍କୁ ନେଇ ଥାନାକୁ ଯାଇଥିଲେ ବାପା । କାରଣ ସେହି ଥାନାରେ ଝିଅ ନିଖୋଜ ହୋଇଥିବାର ସେ ଅଭିଯୋଗ କରିଥିଲେ । ଏବେ ଝିଅ ମିଳିଥିବା ପୋଲିସକୁ ସେ ଅବଗତ କରାଇଛନ୍ତି । ସେପଟେ ଏ ସଂପର୍କରେ କ୍ୟାମେରା ଆଗରେ ପୋଲିସ ମୁହଁ ଖୋଲିନଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ଥାନା ପକ୍ଷରୁ କୁହାଯାଇଛି ।

ଗତ ଅଗଷ୍ଟ ୨୬ରେ ୪ ଜଣ ଯୁବକ, ପୀଡ଼ିତାଙ୍କୁ ଏକ କାର୍‌ରେ ଅପହରଣ କରି ନେହରୁ ବଙ୍ଗଳା ଅଞ୍ଚଳରେ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ଗିରଫ ହେବା ପରେ ସମସ୍ତ ଅଭିଯୁକ୍ତ ଏବେ କୁଜଙ୍ଗ ସବ୍‌ଜେଲ୍‌ରେ ଅଛନ୍ତି । ତେବେ ଟିଆଇ ପରେଡ୍‌ର ଠିକ୍ ପୂର୍ବଦିନ ପୀଡ଼ିତା ହଠାତ୍ ନିଖୋଜ ହେବା ଓ ଟିଆଇ ପରେଡ୍ ହୋଇନପାରିବା, ସୃଷ୍ଟି କରିଛି ଅନେକ ସନ୍ଦେହ ।

ପୀଡ଼ିତାଙ୍କ ଉପରେ କୌଣସି ଚାପ ପଡୁନି ତ? ଟିଆଇ ପରେଡ୍‌କୁ ସେ ଯେମିତି ଆସିନପାରିବେ, ସେଥିପାଇଁ ଅଭିଯୁକ୍ତଙ୍କ ପକ୍ଷରୁ ଏହା ଏକ ଷଡ଼ଯନ୍ତ୍ର ନୁହେଁ ତ ? ନା ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ନିଜେ ଚାହୁଁ ନାହାନ୍ତି, ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

(ରିପୋର୍ଟ- ରମାକାନ୍ତ ନାୟକ, ପାରାଦୀପ)