• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶୀତଳଭଣ୍ଡାରରୁ ବାହାରିଲା ଅଧ୍ୟାପକ ମରୁଡ଼ି ମୁକାବିଲା ସୂତ୍ର । ଉଚ୍ଚଶିକ୍ଷା ବିଭାଗକୁ ଇ- ଲେକ୍ଚର ବ୍ୟବସ୍ଥା ଭରସା । ତିନିବର୍ଷ ତଳେ ଆରମ୍ଭ ହୋଇଥିବା ଇ- ଲେକ୍ଚର ବ୍ୟବସ୍ଥାକୁ ପୁଣିଥରେ ସଚଳ କରି ଏଦିଗରେ ପିଲାଙ୍କୁ ପ୍ରୋତ୍ସାହିତ କରିବାକୁ ବିଭାଗ ନେଲା ପଦକ୍ଷେପ । ସେପଟେ ଅଧ୍ୟାପକ ନଥିବାରୁ କ୍ଲାସ ରୁମ୍ ଶିକ୍ଷା ବାଧାପ୍ରାପ୍ତ ହେଉଥିବାରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅସନ୍ତୁଷ୍ଟ । ବିନା କ୍ଲାସ୍ ରୁମ୍ ଶିକ୍ଷାଦାନରେ ଇ-ଲେକଚର କେତେ ସଫଳତା ପାଇବ ତାକୁ ନେଇ ଉଠିଛି ପ୍ରଶ୍ନ ।

ଉଚ୍ଚଶିକ୍ଷାରେ ଇ-ଲେକଚର୍ ଫଣ୍ଡା । କ୍ଲାସରୁମ୍ ପାଠ ସହ ଡାଉଟ କ୍ଲିୟର ପାଇଁ । ଇ-ଲେକଚର ବ୍ୟବସ୍ଥାରେ ଶିକ୍ଷା ଗ୍ରହଣ କରିବେ ଛାତ୍ରଛାତ୍ରୀ ।ଏନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ସରକାରଙ୍କ ନିର୍ଦ୍ଦେଶ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସବୁ ବିଶ୍ୱବିଦ୍ୟାଳୟ କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ଅଛି ଯେ, ଇ-ଲେକଚର ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରାଯାଉ । ୨୦୨୧ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ ଏହି ପୋର୍ଟାଲ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଥିଲେ ବି ଏହାର ବ୍ୟବହାର ସେତେଟା ହେଉନି ।

ତେଣୁ ଛାତ୍ରଛାତ୍ରୀମାନେ କିପରି ଏହାର ଅଧିକ ସୁଯୋଗ ଉଠାଇ ପାରିବେ ସେନେଇ କଲେଜଗୁଡିକୁ ନିର୍ଦ୍ଦେଶ ଦେଇଛି ବିଭାଗ । vtputkal.odisha.gov.in ପୋର୍ଟାଲରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସେମିଷ୍ଟରର ୧୧ଟି ବିଷୟରେ ଲେକଚର ଅପଲୋଡ କରାଯାଇଛି । ପିଲାମାନେ ଏହାକୁ ଡାଉନଲୋଡ୍ କରି ଶିକ୍ଷାଗ୍ରହଣ କରିପାରିବେ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କହିବା କଥା ଟେକ୍ନୋଲୋଜି ଯୁଗରେ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବେଶ୍ ଉପାଦେୟ ହୋଇପାରିବ ।

ସେପଟେ ୨୦୨୧ରୁ ଏହି ଇ-ଲେକ୍ଚର ବ୍ୟବସ୍ଥା ଉପଲବ୍ଧ ଥିଲେ ବି କାହିଁକି ପିଲା ଏବାବଦରେ ସଚେତନ ନଥିଲେ ତାକୁ ନେଇ ପ୍ରଶ୍ନ । ଇ-ଲେକ୍ଚର ଯେ ଉପାନ୍ତ ଅଞ୍ଚଳରେ ସାତ ସପନ ସେଥିରେ ଦ୍ୱିମତ ନାହିଁ । ରାଜ୍ୟରେ ଥିବା ପ୍ରାୟ ୪ ଶହ ଡିଗ୍ରୀ କଲେଜରେ ପାଖାପାଖି ୫୦ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି । ବଡ଼ କଥା ହେଲା, ସରକାରୀ ଡିଗ୍ରୀ କଲେଜଗୁଡିକରେ ପ୍ରାୟ ୬୦ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡିଛି । ଅଧ୍ୟାପକ ପଦବୀ ପୂରଣ ନକରି ଇ-ଲେକଚର ବ୍ୟବସ୍ଥାକୁ ଉଚ୍ଚ ଶିକ୍ଷା ବିଭାଗ କାହିଁକି ହଠାତ୍ ଗୁରୁତ୍ବ ଦେଲା ବୋଲି ପ୍ରଶ୍ନ କରିଛି ଅଧ୍ୟାପକ ସଂଘ ।

ଗୋଟିଏ ପଟେ ଅଧ୍ୟାପକ ମରୁଡି ଆଉ ଆରପଟେ ଇ-ଲେକଚର୍ ଥିଓରୀ । ଉଚ୍ଚଶିକ୍ଷା ବିଭାଗର ଏଭଳି ପ୍ରୟାସ କେତେ ସଫଳ ହେବ, ବିନା କ୍ଲାସ୍ ରୁମ୍ ଶିକ୍ଷାରେ ପିଲାଙ୍କ ପାଇଁ ଏହା କେତେ ଲାଭଦାୟକ ହେବ ତାକୁ ନେଇ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉଭୟେ ସନ୍ଦିହାନ ।

  • Reported by:
  • DEBASHISH MOHANTY , JAGDISH DAS