Advertisment

ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିନ, ଜାମାତାଙ୍କ ପାଇଁ ମିଥିଳାରୁ ଆସିଲା ମଙ୍ଗଳଭାର

ରାମଲାଲାଙ୍କ ପାଇଁ ମିଥିଳାରୁ ଆସିଲା ମଙ୍ଗଳ ଭାର। ଜାମାତାଙ୍କ ପାଇଁ ଉପହାର ପଠାଇଲେ ମିଥିଳାବାସୀ। ଭାରତୀୟ ପରଂପରା ଅନୁସାରେ ଝିଅର ଶାଶୁଘରେ କୌଣସି ଶୁଭ କାର୍ଯ୍ୟ ହେଲେ ବାପଘରୁ ଆସିଥାଏ ଭଳି କି ଭଳି ଭାର।

author-image
Santosh Kumar Sahoo
undefined

Ayodhya Ram Mandir

ପାଖେଇ ଆସୁଛି ଦିବ୍ୟ ମୁହୂର୍ତ୍ତ । ୫ ଶହ ବର୍ଷ ପରେ କେବଳ ଭବ୍ୟ ମନ୍ଦିରକୁ ନୁହେଁ, ନିଜ ଜନ୍ମସ୍ଥଳୀ ମୂଳ ଆସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା। ଏଥିପାଇଁ ସାରା ଦେଶ ଉତ୍ସାହିତ ଥିବା ବେଳେ, ମନ୍ଦିର ସାଜସଜ୍ଜା ବି ଆରମ୍ଭ ହୋଇଗଲାଣି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ମାତା ସୀତାଙ୍କ ବାପଘର ମିଥିଳାରୁ ଅଯୋଧ୍ୟାକୁ ଆସିଛି ବହୁମୂଲ୍ୟ ଭାର। ସେପଟେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ, ସାରା ଦେଶର ବିଭିନ୍ନ ମନ୍ଦିରରେ ଆରମ୍ଭ ହୋଇଛି ସ୍ୱଚ୍ଛତା ଅଭିଯାନ।

Advertisment

ରାମଲାଲାଙ୍କ ପାଇଁ ମିଥିଳାରୁ ଆସିଲା ମଙ୍ଗଳ ଭାର। ଜାମାତାଙ୍କ ପାଇଁ ଉପହାର ପଠାଇଲେ ମିଥିଳାବାସୀ। ଭାରତୀୟ ପରଂପରା ଅନୁସାରେ ଝିଅର ଶାଶୁଘରେ କୌଣସି ଶୁଭ କାର୍ଯ୍ୟ ହେଲେ ବାପଘରୁ ଆସିଥାଏ ଭଳି କି ଭଳି ଭାର। ଆଗକୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ, ଏହି ବିଧିରୁ ମୈଥିଳୀ ବା ମାତା ସୀତାଙ୍କ ବାପଘର ବାଦ୍ ଯିବ କିପରି ? ତେଣୁ ବିହାରର ମିଥିଳାରୁ ଅଯୋଧ୍ୟାକୁ ଆସିଛି ବିଭିନ୍ନ ବହୁମୂଲ୍ୟ ଭାର। ଖୁବ୍ ଆଡ଼ମ୍ବର ସହକାରେ ନିଜ ଜ୍ୱାଇଁଙ୍କ ପାଇଁ ରୁପାର କଠଉ, ଅଳଙ୍କାର, ବାସନକୁସନ ଓ ଖାଦ୍ୟ ସାମଗ୍ରୀ ପଠାଇଛନ୍ତି ମିଥିଳାବାସୀ। ସୀତାମଢ଼ି ପୁନୌରା ଧାମରୁ ଏହିସବୁ ବହୁମୂଲ୍ୟ ଉପହାର ସହିତ ସୀତାକୁଣ୍ଡର ପବିତ୍ର ଜଳ ଓ ମାତା ସୀତାଙ୍କ ଜନ୍ମଭୂମିର ମାଟି ବି ଆସିଛି ଅଯୋଧ୍ୟାକୁ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମହାସଚିବ ଚମ୍ପତ ରାୟ ସହର୍ଷ ଏହି ସବୁ ଉପହାର ଗ୍ରହଣ କହିଛନ୍ତି।

ଆଉ ସପ୍ତାହେ ପରେ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା । ତା ପୂର୍ବରୁ ସରିଆସିଲାଣି ସମସ୍ତ ପ୍ରସ୍ତୁତି। ରାମମନ୍ଦିରର ଶୋଭା ବଢ଼ାଇବ କାରୁକାର୍ଯ୍ୟପୂର୍ଣ୍ଣ କବାଟ । ଅଯୋଧ୍ୟା ରାମମନ୍ଦିର ନିର୍ମାଣରେ ନିୟୋଜିତ ଓଡ଼ିଆ ଇଞ୍ଜିନିୟର ପ୍ରଫୁଲ୍ଲ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଏବେ କେବଳ ମନ୍ଦିର ସଫାସୁତୁରା ଏବଂ ସାଜସଜ୍ଜା ଚାଲିଛି । ୧୧ଟି ସୁନା କବାଟ ଲାଗିସାରିଲାଣି । ପ୍ରାଣପ୍ରତିଷ୍ଠା ପୂର୍ବରୁ ବାକିତକ କବାଟ ଲାଗିଯିବ ଏବଂ ସୁରକ୍ଷା ଦୃଷ୍ଟିରୁ ଠିକ୍ ଶେଷ ମୁହୂର୍ତ୍ତରେ ଗର୍ଭଗୃହ ସିଂହାସନ ଉପରେ ସୁନା ଛାଉଣୀ ହେବ। ଯଜ୍ଞ ମଣ୍ଡପ ପ୍ରସ୍ତୁତ ହୋଇଯାଇଛି । ୧୬ ତାରିଖରୁ ଯଜ୍ଞ ଆରମ୍ଭ ହେବ। ସେପଟେ ଅଯୋଧ୍ୟା ଆସିବାକୁ ଥିବା ରାମଭକ୍ତଙ୍କ ପାଇଁ ଚଟାପଟ୍ ପ୍ରସାଦ ପ୍ରସ୍ତୁତ କରିବାକୁ ବିଭିନ୍ନ ମେସିନ୍ ବି ଆସି ସାରିଛି । ସେଗୁଡ଼ିକୁ ପୂଜା କରି ରାମକାର୍ଯ୍ୟ ପାଇଁ ଗ୍ରହଣ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମହାସଚିବ ଚମ୍ପତ ରାୟ।

Advertisment

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଦେଶର ସବୁ ମନ୍ଦିରରେ ଆଳତୀ, ଭଜନ-କୀର୍ତ୍ତନ ଓ ପ୍ରସାଦ ବଣ୍ଟନ କରିବାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହାର ସପ୍ତାହେ ପୂର୍ବରୁ ଧର୍ମସ୍ଥଳୀ ଓ ତୀର୍ଥସ୍ଥାନଗୁଡ଼ିକରେ ଆରମ୍ଭ ହୋଇଛି ସ୍ୱଚ୍ଛତା ଅଭିଯାନ। ଗତ ଶୁକ୍ରବାର ନିଜେ ପ୍ରଧାନମନ୍ତ୍ରୀ ମୋଦି ବାଲଟି ଓ ପୋଛା ଧରି ନାସିକର କାଲାରାମ ମନ୍ଦିର ପ୍ରାଙ୍ଗଣ ସଫା କରିଥିଲେ । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦିଲ୍ଲୀ କରୋଲବାଗ ସ୍ଥିତ ଗୁରୁ ରବିଦାସ ମନ୍ଦିରରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କରି ଏହି ଅଭିଯାନକୁ ଆଗେଇ ନେଇଛନ୍ତି। ଏପଟେ ବୌଦ୍ଧ ମହାନଦୀ ଆଳତି ଘାଟ ସହିତ ଐତିହାସିକ ଚନ୍ଦ୍ରଚୂଡ଼ ମନ୍ଦିର ପରିସରରେ ସାମୁହିକ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୀଠରେ ସଫେଇ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ସେପଟେ ବାଲେଶ୍ୱର ବାରବାଟି ନିକଟସ୍ଥ ଆଖଡ଼ାପଦା ରାଜବାଟି ଠାରେ ଘରେ ଘରେ ବୁଲି ନିମନ୍ତ୍ରଣ ପତ୍ର ବାଣ୍ଟିବା ସହ ଝାଡ଼େଶ୍ୱର ମନ୍ଦିର ସଫେଇ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରାମଲାଲାଙ୍କୁ ମୂଳ ଆସ୍ଥାନକୁ ସ୍ୱାଗତ କରିବା ପାଇଁ ଉତ୍ସାହିତ ସାରା ଦେଶ । ମହାରାଷ୍ଟ୍ର ପୁଣେରେ ଏକାଠି ରାମରକ୍ଷା ସ୍ତୋତ୍ର ପାଠ କରିଛନ୍ତି ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁ । 

India Baijayant Panda Ayodhya Ram Mandir Baleswar
Advertisment
Advertisment