• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆର୍ଥିକ ଅନିୟମିତତାର ଗନ୍ତାଘର ପାଲଟିଛି କି ଓମ୍ଫେଡ୍ ? ନଜର ପକାନ୍ତୁ ୨୦୧୩-୧୪ରୁ ୨୦୧୭-୧୮ ଆର୍ଥିକ ବର୍ଷର ଖର୍ଚ୍ଚକୁ ନେଇ ମାର୍ଚ୍ଚ ୧୧ ୨୦୨୦ରେ ଆସିଥିବା ବିଭାଗୀୟ ଅଡିଟ୍‌ର ଏ ରିପୋର୍ଟ ଉପରେ । ଏଥିରେ ସ୍ପଷ୍ଚ ଦର୍ଶାଯାଇଛି ଯେ ଏଇ ୪ ବର୍ଷରେ ୨୦୭ କୋଟି ୪୪ ଲକ୍ଷ ଟଙ୍କାର ବଡ଼ ହେରାଫେରୀ ହୋଇଛି । କେଉଁଠି ମିଛ ବିନିଯୋଗ ପ୍ରମାଣପତ୍ର ଦେଇ, ତ କେଉଁଠି ବିନା ଅନୁମୋଦନରେ ଗୋଟିଏ କାମ ପାଇଁ ଆସୁଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରି ଶହ ଶହ କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ହେରଫେର ହୋଇଛି ଏବଂ ଯାହାର ହିସାବ ଓମ୍ଫେଡ୍ ପାଖରେ ନଥିବା ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି ।

ସବୁଠାରୁ ବଡ଼ କଥା ହେଉଛି ଯେଉଁ ଅନିୟମିତତାକୁ ବିଭାଗୀୟ ଅଡିଟ୍ ଧରିଲା, ବିଭାଗୀୟ ତଦନ୍ତ କିନ୍ତୁ ସେଭଳି କିଛି ହୋଇନାହିଁ ବୋଲି କହି ଏଥିପାଇଁ ଦାୟୀ ଅଧିକାରୀଙ୍କୁ କ୍ଲିନ୍‌ଚିଟ୍‌ ଦେଇଦେଲା । ଇଏ ହେଉଛି ସେଇ କ୍ଲିନ୍‌ଚିଟ୍‌ ରିପୋର୍ଟ, ଆଉ ଯାହା ବିରୁଦ୍ଧରେ ଜଗନ୍ନାଥ ସେନା ପକ୍ଷରୁ ଲୋକାୟୁକ୍ତରେ ଅଭିଯୋଗ ପରେ, ଏବେ ଏଇ ବଡ଼ ଅନିୟମିତତାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଲୋକାୟୁକ୍ତ ୩ ମାସ ଭିତରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି ।

କେବଳ ସେତିକି ନୁହେଁ ଏସବୁ ଅନିୟମିତତା ପାଇଁ ତତ୍‌କାଳୀନ ଜିଏମ୍ ଜେ.ବି ମହାପାତ୍ର, ମାର୍କେଟିଂ ଏଚଆର୍‌ ବସନ୍ତ ମିଶ୍ର ଓ ଏବେକାର ଜିଏମ୍ ଫାଇନାନ୍ସ ସୁରେଶ ଅଲଟିଆଙ୍କ ଭଳି କିଛି ଅଧିକାରୀଙ୍କୁ ଦାୟୀ କରି ସେମାନଙ୍କଠାରୁ ୩୦ କୋଟି ୬୫ ଲକ୍ଷ ଟଙ୍କା ଆଦାୟ ପାଇଁ ଅଡିଟ୍ ରିପୋର୍ଟରେ କୁହାଯାଇଥିଲା । ହେଲେ ଏତେ ସବୁ ସତ୍ତ୍ୱେ ବିଭାଗୀୟ ତଦନ୍ତ ବେଳେ ଏସବୁ ଅନିୟମିତତା କେମିତି ସାମ୍ନାକୁ ଆସିଲାନି। ୨୦୭ କୋଟି କୁଆଡ଼େ ଗଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିଲାବେଳେ ଏପରି ସମସ୍ତ ଅଭିଯୋଗ ଓ ଅଡିଟ ରିପୋର୍ଟକୁ ମିଛ ବୋଲି କହିଛନ୍ତି ପୂର୍ବତନ ଓଏମଫେଡ୍ ଜିଏମ୍ ଜେ.ବି. ମହାପାତ୍ର ଓ ଓଏମଫେଡ୍, ମାର୍କେଟିଂ ଏଚ୍ଆର ବସନ୍ତ ମିଶ୍ର ।

ପୂର୍ବରୁ ପଲିଥିନ୍ କିଣା ଓ ବିଜ୍ଞାପନକୁ ନେଇ ଦୁର୍ନୀତି ପରେ ଏବେ ପୁଣି ୨୦୭ କୋଟି ଟଙ୍କାର ଅନିୟମିତତାକୁ ନେଇ ଚର୍ଚ୍ଚାରେ ଓମଫେଡ । ତେବେ ବଡ଼ କଥା ହେଉଛି ଏବେ ୨୦୭ କୋଟି ଟଙ୍କାର ଏତେ ବଡ଼ ଅନିୟମିତତାକୁ ଉଜାଗର କରିଥିବା ଅଡିଟ୍ ରିପୋର୍ଟରେ କିନ୍ତୁ କୌଣସି ବି ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କ ସଂପୃକ୍ତି ସାମନାକୁ ଆସିନି । ତେଣୁ କ୍ରାଇମବ୍ରାଞ୍ଚ ତଦନ୍ତରେ ବାସ୍ତବିକ ସତ ପଦାକୁ ଆସି ପାରୁଛି କି ନାହିଁ, ତାଉପରେ ଏବେ ସମସ୍ତଙ୍କ ନଜର ରହଛି ।

ରିପୋର୍ଟର- ଅର୍ଚ୍ଚନା ଶତପଥୀ ଓ ସ୍ୱାତୀ ଜେନା