• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ମାତ୍ର ୨୪ ଘଣ୍ଟାର ବ୍ୟବଧାନରେ ବଦଳିଗଲା ଦୃଶ୍ୟପଟ, ଓଲଟପାଲଟ ହୋଇଗଲା ସବୁକିଛି । କାଲି ଯିଏ ସହକର୍ମୀ ଓ ଅଧିକାରୀଙ୍କ ଗହଣରେ ଥିଲେ, ଆଜି କିନ୍ତୁ ବିଦାୟ ନେଇଗଲେ ସବୁଦିନ ପାଇଁ। ଗାଙ୍ଗପୁର ଥାନା ଆଇଆଇସି ସ୍ୱର୍ଗତ ଦେବକୁମାର ଗମାଙ୍ଗୋଙ୍କୁ ଆଜି ଦିଆଯାଇଛି ଗାର୍ଡ ଅଫ ହନର୍। ଶେଷ ସାଲ୍ୟୁଟ୍ ଜଣାଇଛି ପୋଲିସ।

ରାୟଗଡ଼ା ଜିଲ୍ଲାର ଯେଉଁ ଗାଁରେ ଜନ୍ମିତ ଦେବକୁମାର, ସେହି ଗାଁ ଏଦଲୁବାଲ୍ସାରେ ଦିଆଯାଇଛି ଅନ୍ତିମ ବିଦାୟ। ଗାଁ ଭାଇ, ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ କରାଯାଇଛି ଅନ୍ତିମ ସତ୍କାର। ହେଲେ ତାଙ୍କ ଅବର୍ତ୍ତମାନରେ କିନ୍ତୁ ଖୋଜାପଡ଼ିଛି ଅନେକ ଅସମାହିତ ପ୍ରଶ୍ନର ଉତ୍ତର।

ବୃଦ୍ଧା ମା’ ମନରେ ଉଙ୍କି ମାରୁଛି ନାନା ଆଶଙ୍କା। ଗଣମାଧ୍ୟମକୁ ବୟାନ ଦେଇ ଦେବକୁମାରଙ୍କ ମା’ ପୁଷ୍ପାଞ୍ଜଳି ଅଘଟଣ ସମୟର କିଛି ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ଥ୍ରୀ-ଷ୍ଟାର ଥିବା ୨ ଅଧିକାରୀ ସରକାରୀ କ୍ୱାଟର୍ସକୁ ଆସିଥିଲେ। ପୁଅ ଦେବକୁମାର ସହ ଡାଇନିଂ ଟେବୁଲ୍‌ରେ ବସି ଖିଆପିଆ କଲେ ଆଉ ବେଡ୍‌ରୁମକୁ ଆସିଲେ। ସେହି ସମୟରେ ବାଥ୍‌ରୁମ୍ ଯାଇଥିଲେ ପୁଷ୍ପାଞ୍ଜଳି। ଆଉ ବାଥରୁମ୍‌ରେ ଥିବାବେଳେ ହଠାତ ଗୁଳି ଶବ୍ଦ ଶୁଣି ଦୌଡିଆସିଥିଲେ। ସେତିକି ବେଳକୁ ସବୁକିଛି ଘଟିସାରିଥିଲା ବୋଲି ସେ କହିଛନ୍ତି।

ଶୁକ୍ରବାର, ଦିନ ପ୍ରାୟ ୨ଟା ବେଳେ ଥାନା ପରିସର ସରକାରୀ କ୍ୱାର୍ଟସରେ ଗୁଳି ଫୁଟି ଗୁରୁତର ହୋଇପଡ଼ିଥିଲେ ଆଇଆଇସି ଦେବ କୁମାର ଗମାଙ୍ଗୋ। କୁହାଯାଉଛି ଯେ ସେହି ସମୟରେ ତାଙ୍କ କ୍ୱାଟର୍ସରେ ଉପସ୍ଥିତ ଥିଲେ ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଭଞ୍ଜନଗର ଥାନା ଅଧିକାରୀ ଧିରେଶ ଦାସ। ଉଭୟ ତାଙ୍କୁ ଗାଙ୍ଗପୁର ମେଡିକାଲ୍‌ ଓ ପରେ ଆସ୍କା ମେଡ଼ିକାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଗଞ୍ଜାମ ଏସିପି ବ୍ରିଜେଶ ରାୟ ବି ମେଡିକାଲରେ ପହଞ୍ଚିଥିଲେ। ଏସିପି କହିଥିଲେ ଯେ ନିଜ ସର୍ଭିସ୍ ପିସ୍ତଲ ଗୁଳି ହିଁ IICଙ୍କ ଦେହରେ ବାଜିଛି। ତା’ସହ କହିଥିଲେ, ଦେବକୁମାର ମାନସିକ ଦୁଶ୍ଚିନ୍ତାରେ ଥିଲେ। ତେବେ ଦେବ କୁମାରଙ୍କ କ’ଣ ଥିଲା ଦୁଶ୍ଚିନ୍ତା ? କାହା ଚାପରେ ଥିଲେ ଦେବ କୁମାର ?

ତେବେ ନବରଙ୍ଗପୁର ଜିଲ୍ଲା ପୋଲିସର ସ୍ପେଶାଲ ବ୍ରାଞ୍ଚ୍‌ ଇନିସ୍ପେକ୍ଟର ଥିବା ପତ୍ନୀ କିରଣ ମହାନ୍ତି କିନ୍ତୁ ମାନସିକ ଦୁଶ୍ଚିନ୍ତା କଥାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଗାଙ୍ଗପୁର ଥାନାକୁ IIC ଭାବେ ପୋଷ୍ଟିଂ ହେବାପରେ ସେ ଖୁସିରେ ଥିଲେ। କିନ୍ତୁ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନରେ କାମ କରିସାରି ସେ ଛୁଟି ନେବାକୁ ଚାହୁଁଥିଲେ। କିନ୍ତୁ ଏନେଇ ଅନୁମତି ମିଳି ନଥିଲା ବୋଲି ସେ କହିଛନ୍ତି।

ପତ୍ନୀଙ୍କ ଏଭଳି ବୟାନ ପରେ ଘନଉଛି ଦେବକୁମାରଙ୍କ ମୃତ୍ୟୁ ରହସ୍ୟ। ଯଦି ମାନସିକ ଚାପ ନ ଥିଲା ତେବେ କେମିତି ଘଟିଲା ଅଘଟଣ ? ଅଣ୍ଟା ତଳକୁ କଭର୍‌ରେ ରହୁଥିବା ରିଭଲଭରଟି ସବୁବେଳେ ତଳମୁହାଁ ଥିବାବେଳେ କେମିତି ପେଟରେ ବାଜିଲା ଗୁଳି ? ଅଟୋମେଟିକ୍ ସର୍ଭିସ୍‌ ରିଭଲଭରକୁ କକ୍ କଲାପରେ ଟ୍ରିଗର ଦବାଯାଇଥାଏ। ତେବେ ପୂର୍ବରୁ କାହିଁକି କକ୍ କରାଯାଇଥିଲା ରିଭଲଭର୍ ସେନେଇ ଉଠିଛି ପଶ୍ନବାଚୀ।

ଦେବ କୁମାର ଯଦି ଆତ୍ମହତ୍ୟା କରିଥିବେ, ତେବେ ଉପସ୍ଥିତ ଥିବା ଅନ୍ୟ ଅଧିକାରୀ କାହିଁକି ରୋକିଲେନି ? ଏବେ ଏଭଳି ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ଗଂଜାମ ଏସିପି କହିଛନ୍ତି, ଦେବକୁମାର ଅସୁସ୍ଥ ଥିବାରୁ ତାଙ୍କ ପରିବାର ଲୋକେ ଜଣାଇବା ପରେ ଭଂଜନଗର ଏସ୍‌ଡିପିଓ ଏବଂ ଅଆଇଆଇସି ଯାଇଥିଲେ ତାଙ୍କ ଘରକୁ। ତଥାପି ପୋଲିସ ସବୁ ଦିଗକୁ ଧରି ତଦନ୍ତ କରୁଛି।

(ରିପୋର୍ଟ: ଗୁଣୁପୁରରୁ ଇନ୍ଦ୍ରଜିତ ପଣ୍ଡା, ଭଂଜନଗରରୁ ରାଜେଶ ପଣ୍ଡା ଏବଂ ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା)