• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁଲ ସିଗନାଲିଂ ପାଇଁ ଘଟିଗଲା ବାହାନଗା ଟ୍ରେନ ଟ୍ରାଜେଡି। କମିଶନର ଅଫ ରେଲୱେ ସେଫ୍ଟି ବା CRS ରେଳ ବିଭାଗରେ ଦାଖଲ କରିଥିବା ଏହାର ତଦନ୍ତ ରିପୋର୍ଟରେ, ଦୁର୍ଘଟଣା ପାଇଁ ମାନବୀୟ ତ୍ରୁଟିକୁ ଏକ ପ୍ରମୁଖ କାରଣ ଭାବେ ଦର୍ଶାଇଛି। ଏପରିକି, ଶେଷ ମୂହୁର୍ତ୍ତରେ ଷ୍ଟେସନ ମାଷ୍ଟର ସତର୍କ କରାଇଥିଲେ ଏତେବଡ଼ ଦୁର୍ଘଟଣାକୁ ଏଡ଼ାଯାଇ ପାରିଥାନ୍ତା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ଗୋଟିଏ ନୁହେଁ ସିଗନାଲିଂ ଓ ଟେଲି କମ୍ୟୁନିକେଶନ୍ ବିଭାଗର ବିଭିନ୍ନ ସ୍ତରରେ ଥିବା ତ୍ରୁଟିର ବି ଉଜାଗର କରିଛି ଏହି ରିପୋର୍ଟ।

ଷ୍ଟେସନ ମାଷ୍ଟର ସତର୍କ ହୋଇଥିଲେ, ହୁଏତ ଟଳି ଯାଇଥାନ୍ତା ବାହାନଗା ଟ୍ରେନ୍ ଟ୍ରାଜେଡି ! ବଞ୍ଚି ଯାଇଥାନ୍ତା 294 ଯାତ୍ରୀଙ୍କ ଜୀବନ ! ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ପରେ ରେଲୱେ ସୁରକ୍ଷା କମିଶନର ରେଳବିଭାଗକୁ ଦେଇଥିବା ଇଏ ସେଇ ତଦନ୍ତ ରିପୋର୍ଟ, ଯେଉଁଥିରେ ରହିଛି ଭାରତ ଇତିହାସର ଅନ୍ୟତମ ବଡ଼ ରେଳ ଦୁର୍ଘଟଣା ପଛର ସାଂଘାତିକ ସତ। ରିପୋର୍ଟରେ ସିଗନାଲିଂ ଓ ଟେଲିକମ୍ୟୁନିକେଶନ ବିଭାଗର ବିଭିନ୍ନ ସ୍ତରରେ ତ୍ରୁଟିକୁ ଦାୟୀ କରାଯାଇଛି। ଏଥିରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଜୁନ ୨ ତାରିଖ ଦିନ ଦୁର୍ଘଟଣା ଘଟିବା ପୂର୍ବରୁ ସିଗନାଲରେ ବାରମ୍ବାର ଅସ୍ବାଭାବିକ ବ୍ୟବହାର ଦେଖିବାକୁ ମିଳିଥିଲା। ଯେଉଁ କ୍ରସ ଓଭର ପଏଣ୍ଟରେ କରମଣ୍ଡଳ ଏକ୍ସପ୍ରେସ ଭୁଲବଶତଃ ଲୁପଲାଇନକୁ ଆସି ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା, ଷ୍ଟେସନ ମାଷ୍ଟର ଚାହିଁଥିଲେ ତାକୁ ଏଡ଼ାଇ ପାରିଥାନ୍ତେ।

ଅଧିକ ପଢ଼ନ୍ତୁ: ବାହାନଗା ଦୁର୍ଘଟଣାର ସାଂଘାତିକ ସତ:ଷ୍ଟେସନ ମାଷ୍ଟର ଦାୟୀ !!

ସାଧାରଣତଃ ଇଣ୍ଟରଲକିଂ ସିଷ୍ଟମରେ ସୁଇଚ ଅନ୍ କରିବା ପରେ ସିଗନାଲର ଷ୍ଟାଟସରେ ପରିବର୍ତ୍ତନ ପାଇଁ ପାଖାପାଖି 14 ସେକେଣ୍ଡ ଲାଗିଥାଏ। ତେବେ ଘଟଣା ଦିନ ସିଗନାଲରେ ଅନ୍ତତଃ ଦୁଇଟି ଅସ୍ବାଭାବିକତା ଦେଖା ଦେଇଥିଲା। ପ୍ରଥମେ ଅପରାହ୍ନ 4ଟା 22ରେ ଯେତେବେଳେ କ୍ରସଓଭରକୁ ରିଭର୍ସରୁ ନର୍ମାଲକୁ ଅଣାଯାଇଥିଲା ତାହା ଅସ୍ବାଭାବିକ ଭାବେ 37 ସେକେଣ୍ଡ  ସମୟ ନେଇଥିଲା। କିନ୍ତୁ ସଂଧ୍ୟା 6ଟା 34ରେ ପୁଣି ରିଭର୍ସରୁ ନର୍ମାଲ ପାଇଁ ଇଣ୍ଡିଭିଜୁଆଲ କମାଣ୍ଡ ଦିଆଯିବା ବେଳେ ତାହା ତତ୍କ୍ଷଣାତ୍ ସିଗନାଲ ବଦଳାଇଥିଲା। ଯାହାକି ସବୁଠୁ ଅସ୍ବାଭାବିକ ଥିଲା। ହେଲେ ସେତେବେଳେ ଯଦି ଏ ଅସ୍ବାଭାବିକତାକୁ ଗୁରୁତର ସହ ସହ ନିଆଯାଇ ସିଗନାଲ ଷ୍ଟାଫଙ୍କୁ ଆଲର୍ଟ କରାଯାଇଥାନ୍ତା, ତାହେଲେ ଦୁର୍ଘଟଣାକୁ ରୋକାଯାଇ ପାରିଥାନ୍ତା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ରିପୋର୍ଟରେ ଟ୍ରାକରେ କୌଣସି ତ୍ରୁଟି ନଥିବା ବିଷୟ ଉଲ୍ଲେଖ ରହିଥିଲା ବେଳେ ବାହାନଗା ଷ୍ଟେସନରେ ଆଧୁନିକୀକରଣକୁ ଗୁରୁତ୍ବ ଦିଆନଯିବା ପ୍ରସଙ୍ଗକୁ ଉଜାଗର କରିଛନ୍ତି ରେଲୱେ ସୁରକ୍ଷା କମିଶନର। ଏଥିରେ ଦର୍ଶାଯାଇଛି 2018ରେ ବାହାନଗା ଷ୍ଟେସନର ସିଗନାଲ ସର୍କିଟ୍ ପଏଣ୍ଟ ବଦଳିଥିଲା। କିନ୍ତୁ ସେତେବେଳେ ଏହା ରେକର୍ଡଭୁକ୍ତ କରାଯାଇ ନଥିବାରୁ ଏହି ପରିବର୍ତ୍ତନ, ୱେୟାରିଂ ଡାଇଗ୍ରାମରେ ଦୃଶ୍ୟମାନ ହେଉ ନଥିଲା। ଦୁର୍ଘଟଣା ଦିନ ସିଗନାଲ ଓ ଟେଲିକମ୍ ଷ୍ଟାଫ୍ ଗୁରୁତର ତ୍ରୁଟି କରିଥିଲେ। ଯାହାଫଳରେ ଗ୍ରାଉଣ୍ଡ ଓ ସିଗନାଲ ସିଷ୍ଟମରେ ମିସ୍ ମ୍ୟାଚରୁ ଦୁର୍ଘଟଣା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ସିଆରଏସ ରିପୋର୍ଟରେ କେବଳ ଟେକ୍ନିକାଲ ତ୍ରୁଟି ସଂପର୍କରେ ଉଲ୍ଲେଖ ଥିବା ବେଳେ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ନିଆଯିବା ପୂର୍ବରୁ, ସିବିଆଇ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସିଆରଏସର ଏହି ତଦନ୍ତ ରିପୋର୍ଟରେ ଆଗକୁ ଏଭଳି ଦୁର୍ଘଟଣାକୁ ଏଡ଼ାଇବାକୁ ବିଭାଗ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯିବା ଉଚିତ୍ ସେ ନେଇ ମଧ୍ୟ ପରାମର୍ଶ ଦିଆଯାଇଛି।   ଜୁନ ୨ର ଏଇ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୪ରେ ପହଞ୍ଚିଥିଲା ବେଳେ ଏବେ ବି ୫୦ରୁ ଅଧିକ ଶବ କାହାର ବୋଲି ଜଣାପଡୁନି।

  • Reported by:
  • RASHMIRANJAN DAS , KAPILENDRA PRADHAN