• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଇରଙ୍ଗପୁରରୁ ରାଇସିନା ହିଲ୍ସ । ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ଦେଶର ସର୍ବୋଚ୍ଚ ପଦବୀ । ସେ ଏବେ ଠାରୁ ଦିଲ୍ଲୀର ରାଇସିନା ହିଲ୍ସରେ ଥିବା ରାଷ୍ଟ୍ରପତି ଭବନରେ ଅବସ୍ଥାନ କରିବେ । ୩୨୦ ଏକର ବିଶିଷ୍ଟ ଜମିରେ ତିଆରି ହୋଇଥିବା ଭବନରେ ରହିବେ ଦ୍ରୌପଦୀ ମୁର୍ମୁ  । ରାଷ୍ଟ୍ରପତି ଭବନର ନିର୍ମାଣରେ ଲୁହାର ଖୁବ୍‌ କମ୍‌ ବ୍ୟବହାର ହୋଇଛି ।

ଦ୍ରୌପଦୀ ମୁର୍ମୁଙ୍କୁ କେତେ ଦରମା ମିଳିବ ?

୨୦୧୮ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କୁ ପ୍ରତି ମାସରେ ୧.୫୦ ଲକ୍ଷ ଟଙ୍କା ଦରମା ପ୍ରଦାନ କରାଯାଉଥିଲା । କିନ୍ତୁ ୨୦୧୮ରେ ରାଷ୍ଟ୍ରପତିଙ୍କ ଦରମା ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ରାଷ୍ଟ୍ରପତିଙ୍କୁ ମାଗଣା ଚିକିତ୍ସା, ଟେଲିଫୋନ୍ ବିଲ୍, ଗୃହ, ବିଦ୍ୟୁତ୍ ସହିତ ଅନେକ ଭତ୍ତା ମଧ୍ୟ ମିଳିଥାଏ ।

- ରାଷ୍ଟ୍ରପତିଙ୍କ ଯିବାଆସିବା ପାଇଁ Mercedes-Benz S 600 Pullman ଗାଡି ପ୍ରଦାନ କରାଯାଇଥାଏ । ସୁରକ୍ଷା ପାଇଁ ସ୍ୱତନ୍ତ୍ର ଗାର୍ଡ ମୁତୟନ ଥାଆନ୍ତି, ଯାହାକୁ ପ୍ରେସିଡେନ୍ସିଆଲ ବଡିଗାର୍ଡ କୁହାଯାଏ । ରାଷ୍ଟ୍ରପତି ଅବସର ନେବା ସମୟରେ ଅଧା ବେତନ ଅର୍ଥାତ୍ ୨.୫ ଲକ୍ଷ ଟଙ୍କା ପେନସନ୍‌ ପାଇଥା’ନ୍ତି । ଏହା ସହିତ ଗୋଟିଏ ବଙ୍ଗଳା (ଯାହାର ଭଡା ଆଦାୟ କରାଯାଏ ନାହିଁ), ଦୁଇଟି ମୋବାଇଲ୍ ଫୋନ୍ ଏବଂ ଆଜୀବନ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇଥାଏ । ସେହିପରି ରାଷ୍ଟ୍ରପତିଙ୍କୁ ଜଣେ ସହଯୋଗୀଙ୍କ ସହ ଟ୍ରେନ୍ କିମ୍ବା ବିମାନ ଯୋଗେ ଯାତ୍ରା କରିବାର ସୁବିଧା ମିଳିଥାଏ ।

୩୪୦ କୋଠରୀ ବିଶିଷ୍ଟ ଭବନରେ ରୁହନ୍ତି ରାଷ୍ଟ୍ରପତି

  • ରାଷ୍ଟ୍ରପତି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ରୁହନ୍ତି । ରାଷ୍ଟ୍ରପତି ଭବନକୁ ବ୍ରିଟିଶ ଭାଇସରୟଙ୍କ ରହଣୀ ପାଇଁ ତିଆରି କରାଯାଇଥିଲା । ଏହାକୁ ତିଆରି କରିବାକୁ ମୋଟ୍ ୧୭ ବର୍ଷ ସମୟ ଲାଗିଲା । ୧୯୨୯ ରେ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିଲା । ଏହି କୋଠାଟି ଏଡୱାର୍ଡ ଲୁଟିୟନ୍ସ ଏବଂ ହରବର୍ଟ ବେକରଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିଲା ।
  • ୩୨୦ ଏକର ଜମିରେ ତିଆରି ହୋଇଛି ରାଷ୍ଟ୍ରପତି ଭବନ । ଚାରି ମହଲା କୋଠା ବିଶିଷ୍ଟ କୋଠାରେ ମୋଟ୍‌ ୩୪୦ କୋଠରୀ ରହିଛି । ରାଷ୍ଟ୍ରପତି ଭବନ ନିର୍ମାଣ ପାଇଁ ପ୍ରାୟ ୪୫ ଲକ୍ଷ ଇଟା ବ୍ୟବହାର କରାଯାଇଥିଲା । ଏଠାରେ ରାଷ୍ଟ୍ରପତି ଭବନ କୋଠା ବ୍ୟତୀତ ମୋଗଲ ଗାର୍ଡେନ୍ ଏବଂ କର୍ମଚାରୀଙ୍କ ପାଇଁ ଘର ମଧ୍ୟ ରହିଛି ।
  • ରାଷ୍ଟ୍ରପତି ଭବନରେ ମୋଟ୍ ୭୫୦ କର୍ମଚାରୀ କାମ କରନ୍ତି । ସେଥି ମଧ୍ୟରୁ ୨୩୫ ଜଣ ରାଷ୍ଟ୍ରପତିଙ୍କ ଅଫିସରେ କାର୍ଯ୍ୟ କରନ୍ତି ।
  • ରାଷ୍ଟ୍ରପତି ଭବନର ସବୁଠାରୁ ବଡ ଆକର୍ଷଣ ହେଉଛି ମୋଗଲ ଗାର୍ଡେନ୍ । ଏହା ୧୫ ଏକର ପର୍ଯ୍ୟନ୍ତ ବ୍ୟାପିଛି । ପ୍ରତିବର୍ଷ ସାଧାରଣ ଜନତାଙ୍କ ପାଇଁ ମୋଗଲ ଗାର୍ଡେନ୍ ଖୋଲାଯାଏ । ଏଥିରେ ଗଛ ଲଗାଇବା କାର୍ଯ୍ୟ ୧୯୨୮ ମସିହାରେ ଆରମ୍ଭ ହୋଇଥିଲା, ଯାହାକି ଏକ ବର୍ଷ ଧରି ଚାଲିଥିଲା ।

ରାଷ୍ଟ୍ରପତିଙ୍କ କେଉଁ କ୍ଷମତା ରହିଛି ?

  • କୁହାଯାଏ ରାଷ୍ଟ୍ରପତି ନାମକୁ ମାତ୍ର ଶାସନ କରନ୍ତି । ସମସ୍ତ କ୍ଷମତା ଓ ଅଧିକାର ପ୍ରଧାନମନ୍ତ୍ରୀଙ୍କ ପାଖରେ ଥାଏ । ତେବେ ଏପରି ଧାରଣା ସମ୍ପୂର୍ଣ୍ଣ ଭୁଲ୍‌ । ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନିଜସ୍ୱ କ୍ଷେତ୍ର ରହିଛି ।
  • ରାଷ୍ଟ୍ରପତିଙ୍କ ମୁଖ୍ୟ ଦାୟିତ୍ୱ ହେଉଛି ସମ୍ବିଧାନର ସୁରକ୍ଷା ଓ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା । ତାଙ୍କ ଅନୁମୋଦନ ବିନା କୌଣସି ବିଲ୍ ପାସ୍ ହୁଏନାହିଁ । ରାଷ୍ଟ୍ରପତି ମନି ବିଲ୍ ବ୍ୟତୀତ ପୁନର୍ବିଚାର ପାଇଁ ଯେକୌଣସି ବିଲକୁ ପଠାଇ ପାରିବେ । ରାଷ୍ଟ୍ରପତି ହେଉଛନ୍ତି ତିନି ସେନାର ସୁପ୍ରିମୋ କମାଣ୍ଡର ।
  • ରାଷ୍ଟ୍ରପତିଙ୍କ ପାଖରେ ଅମାପ କ୍ଷମତା ଅଛି । ଧାରା ୭୨ ଅନୁଯାୟୀ ରାଷ୍ଟ୍ରପତି, କୌଣସି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଡକୁ କ୍ଷମା, ସ୍ଥଗିତ କିମ୍ବା ହ୍ରାସ କରିପାରିବେ । ମୃତ୍ୟୁଦଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ନିଷ୍ପତ୍ତି ନେଇପାରିବେ ।
  • ରାଷ୍ଟ୍ରପତି ଭାରତର ପ୍ରଧାନ ବିଚାରପତି, ରାଜ୍ୟ ହାଇକୋର୍ଟର ବିଚାରପତି, ରାଜ୍ୟପାଳ, ନିର୍ବାଚନ କମିଶନର ଏବଂ ରାଷ୍ଟ୍ରଦୂତଙ୍କୁ ମଧ୍ୟ ନିଯୁକ୍ତି ଦେଇଥାଆନ୍ତି ।
  • ଧାରା ୩୫୨ ଅନୁଯାୟୀ, ଯୁଦ୍ଧ କିମ୍ବା ବାହ୍ୟ ଆକ୍ରୋଶ କିମ୍ବା ସଶସ୍ତ୍ର ବିଦ୍ରୋହ ଘଟଣାରେ ରାଷ୍ଟ୍ରପତି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରିବେ ।
  • କୌଣସି ରାଜ୍ୟରେ ସାମ୍ବିଧାନିକ ସ୍ଥିତି ଅଣାୟତ ହେଲେ, ସେଠାରେ ରାଷ୍ଟ୍ରପତି ନିୟମ ଲାଗୁ କରିବା ପାଇଁ ଧାରା ୩୫୬ ବ୍ୟବହାର କରିପାରିବେ ।
  • ଧାରା ୩୬୦ଅନୁଯାୟୀ ଦେଶ କିମ୍ବା କୌଣସି ରାଜ୍ୟ କିମ୍ବା କୌଣସି ଅଞ୍ଚଳରେ ଆର୍ଥିକ ସଙ୍କଟ ଦେଖାଦେଲେ, ରାଷ୍ଟ୍ରପତି ସେଠାରେ ଜରୁରୀକାଳୀନ ଆର୍ଥିକ ପରିସ୍ଥିତି ଘୋଷଣା କରିପାରିବେ।
  • ଧାରା ୭୫ ଅନୁଯାୟୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ପାଇଥାଆନ୍ତି । ସମସ୍ତ ଆନ୍ତର୍ଜାତୀୟ ଚୁକ୍ତିନାମା ରାଷ୍ଟ୍ରପତିଙ୍କ ନାମରେ ହିଁ ରହିଥାଏ ।
  • ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ହିଁ କୌଣସି ବିଲ୍ ଆଇନରେ ପରିଣତ ହୋଇଯାଏ । ରାଷ୍ଟ୍ରପତି ଚାହିଁଲେ ସେହି ବିଲ୍ କୁ  କିଛି ସମୟ ପାଇଁ ବନ୍ଦ କରିପାରିବେ କିମ୍ବା ପୁନର୍ବିଚାର ପାଇଁ ପଠାଇ ପାରିବେ । ଯଦି ଏହି ବିଲ୍ ଦ୍ୱିତୀୟ ଥର ପାଇଁ ସଂସଦରେ ପାରିତ ହୁଏ, ତେବେ ରାଷ୍ଟ୍ରପତିଙ୍କୁ ସେଥିରେ ଦସ୍ତଖତ କରିବାକୁ ପଡିବ ।