/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696774925.jpg)
Odisha Govt
ଆଦିବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ତା ଭୋଟ୍ ପାଇବାକୁ ଭେଳିକି । ଆଦିବାସୀ ବହୁଳ ଜିଲ୍ଲାର ବିକାଶ ଲାଗି ସରକାର ୨୦୧୭ରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଢିଥିଲେ । ଏଥିରୁ ଆଦିବାସୀ କେତେ ଉପକୃତ ହୋଇଛନ୍ତି ତାର କୌଣସି ହିସାବ ନାହିଁ, ତେବେ ନିର୍ବାଚନ ପୂର୍ବରୁ ପୁଣି ଥୋପ ପକାଇଛନ୍ତି ସରକାର । ଅନୁଦାନ ଓ ଅତିରିକ୍ତ ଅନୁଦାନ ବାବଦକୁ ଘୋଷଣା କରିଛନ୍ତି ୩୫୧ କୋଟି ଟଙ୍କା । ହେଲେ ଟଙ୍କା ଖର୍ଚ୍ଚ ଲାଗି ଅଧିକାଂଶ ଜିଲ୍ଲାରେ ଭିତ୍ତିଭୂମି ନଥିବାରୁ ସରକାରଙ୍କ ଘୋଷଣା କେବଳ ଭୋଟ ପାଇଁ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ବିଜେଡି ଏହାର ଜବାବ ରଖିଛି ।
ବୈଠକରେ ସଚଳ, ଗ୍ରାଉଣ୍ଡରେ ଅଚଳ । ଭିସିରେ ବୈଠକ କରି ଘୋଷଣା, କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି । କୋଟି କୋଟିରେ ଅର୍ଥ ଶ୍ରାଦ୍ଧ ହେଲେ ଆଦିବାସୀଙ୍କ ବିକାଶର ଚିହ୍ନବର୍ଣ୍ଣ ବି ନାହିଁ । ୯ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଚଳିତ ବର୍ଷ ୩୫୧ କୋଟି ଟଙ୍କା ଅନୁଦାନକୁ ମଞ୍ଜୁର କରିଛନ୍ତି ସରକାର । ତେବେ କେମିତି ଖର୍ଚ୍ଚ ହେବ ଏହି ଟଙ୍କା । କେଉଁ କେଉଁ ପ୍ରକଳ୍ପରେ ହେବ ବିନିଯୋଗ ଓ ଏଥିରୁ କି ଲାଭ ପାଇବେ ଆଦିବାସୀ ତାକୁ ନେଇ ଉଠିଛି ପ୍ରଶ୍ନ । ବାସ୍ତବ ସ୍ଥିତି ଦେଖିଲେ ଆପଣ ବି ବୁଝିଯିବେ । କୋରାପୁଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟଳୟ । ଜଣେ ପ୍ରକଳ୍ପ ସଂଯୋଜକ ଓ ଜଣେ ପିଅନରେ ଚାଲିଛି ଅଫିସ । ୨୦୧୯ ରୁ ୨୦୨୩ ଯାଏଁ ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲା । କିଛି ମାସ ହେଲା ଏହାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ସରକାର । ତେଣୁ ଚଳିତ ବର୍ଷ ଜିଲ୍ଲା ବରାଦ ହୋଇଥିବା ୨୧ କୋଟି ଟଙ୍କାର ସଦୂପଯୋଗ ହୋଇପାକରିବା ନେଇ ଲୋକଙ୍କ ମନରେ ସନ୍ଦେହ । ମାଲକାନଗିରିର ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟରେ ବି ଦୁଇ ଜଣ କିରାଣି ଓ ଜଣେ ପିଅନ । ତେଣୁ ସାଢେ ଦଶ କୋଟି ଟଙ୍କାର ଆସିବାକୁ ଥିବା ପ୍ରକଳ୍ପ ଏବଂ କାର୍ଯ୍ୟକ୍ରମକୁ କେମିତି ପରିଚାଳନା କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ ।
୨୦୧୭ରେ ଆଦିବାସୀ ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ ସରକାର । ହେଲେ ନିର୍ବାଚନ ଜିତିବା ପରେ ଏସଡିସିକୁ ସରକାର ଭୁଲିଗଲେ । ସେବେଠୁ ଅନେକ ଜିଲ୍ଲା ଏସଡିସି ଅଫିସରେ ତାଲା ଝୁଲୁଥିଲା । ଏହାସତ୍ତ୍ୱେ ଗତ ଜୁନ ମାସରେ ଆଉ ୧୪ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ନେଇ ସରକାର ଘୋଷଣା କରିଥିଲେ । ଏଯାଏଁ ଅନେକ ଜିଲ୍ଲାରେ ଏସଡିସି ଗଠନ ପ୍ରକ୍ରିୟା ଆରମ୍ଭ ହିଁ ହୋଇନାହିଁ । ଏଭଳି ସ୍ଥିତିରେ ହଠାତ୍ ଅନୁଦାନ ସହ ଅତିରିକ୍ତ ଅନୁଦାନ ଘୋଷଣାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । କେବଳ ଭୋଟ ପାଇବାକୁ ଏହା ସରକାର ମସୁଧା ବୋଲି କହିଛନ୍ତି ବିରୋଧୀ ।
ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି ଓ ଐତିହକୁ ବଞ୍ଚାଇ ରଖିବା ଓ ସେମାନଙ୍କୁ ସାମାଜିକ ମୁଖ୍ୟସ୍ରୋତକୁ ଆଣିବା ଲାଗି ସରକାର ଏସଡିସି ଗଠନ କରିଥିଲେ । ତେବେ ଏହାଦ୍ୱାରା ଆଦିବାସୀ କେତେ ଉପକୃତ ହୋଇଛନ୍ତି ତାର ହିସାବ କାହା ପାଖରେ ନଥିବା ବେଳେ ଲଲିପପ ଦେଇ କିଭଳି ଭୋଟ ନେଇ ହୁଏ ତାହା ଏହି ଯୋଜନା ତାର ନମୁନା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)