• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦ୍ୱିତୀୟ ଦିନରେ ଇସ୍ରାଏଲ୍-ପାଲେଷ୍ଟାଇନ ମହାଯୁଦ୍ଧ । ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସର ଅତର୍କିତ ଆକ୍ରମଣ ପରେ ରକ୍ତମୁଖା ଇସ୍ରାଏଲ୍ । ହମାସ୍ ଆତଙ୍କୀ ଆଡ୍ଡା ଗୁଡ଼ିକୁ ଖୋଜି ଖୋଜି ବୋମା ବର୍ଷଣ କରୁଛି ଇସ୍ରାଏଲ ସେନା । ରୁଷ-ୟୁକ୍ରେନ ଯୁଦ୍ଧ ଏବେବି ଜାରି ରହିଥିବାବେଳେ, ମଧ୍ୟପ୍ରାଚ୍ୟ ସ୍ଥିତି ବିଶ୍ୱ ପାଇଁ ନୂଆ ସଂକଟ ଭାବେ ଉଭା ହୋଇଛି ।

ଗୁଳିଗୋଳାର କାନଫଟା ଗର୍ଜନ ତ ଅନେକ ଶୁଣିଥିବେ ହେଲେ ଶୁଣିଛନ୍ତି କି ଯୁଦ୍ଧର ଘନଘଟା ଭିତରେ ନିରବୀ ଯାଉଥିବା ଭୀତତ୍ରସ୍ତ ମଣିଷର କାନ୍ଦ । ଶୁଣିଛନ୍ତି କି ଖୁସି ମନାଇବାକୁ ଆସି ଅପହୃତ ହେଉଥିବା ଯୁବତୀର 'ବଞ୍ଚାଅ ବଞ୍ଚାଅ' ଚିତ୍କାର । ଇଏ ଏକ ହତଭାଗା ଇସ୍ରାଏଲି ପରିବାର । ହମାସ୍ ଆତଙ୍କୀମାନେ ଏମାନଙ୍କର ବଡ଼ ଝିଅକୁ ଆଖିସାମ୍ନାରେ ଗୁଳି କରି ହତ୍ୟା କରିବା ପରେ, କାନ୍ଦିବାକୁ ଡରୁଛନ୍ତି କୁନି ପୁଅ-ଝିଅ । ବନ୍ଧୁକ ମୁନରେ ବନ୍ଧକ ଅଛନ୍ତି ଏଭଳି ଶତାଧିକ ପରିବାର ।

ଆଉ ଇଏ ଜଣେ ଇସ୍ରାଏଲୀ ଯୁବତୀ ନୋଆ । ହମାସ୍ ଆତଙ୍କୀମାନେ ଏକ ମ୍ୟୁଜିକ ଫେଷ୍ଟିଭାଲରେ ଆଖିବୁଜା ଗୁଳି ଚଳାଇବା ପରେ, ତାଙ୍କୁ ଗାଜାକୁ ଅପହରଣ କରିନେଇଛନ୍ତି । ଭାଇରାଲ୍ ଭିଡିଓରେ ସେ କାକୁତିମୀନତି କରୁଛନ୍ତି ମୋତେ ମାରନି, ମୋତେ ମାରନି । ଖାଲି ଇସ୍ରାଏଲୀ ନୁହଁନ୍ତି, ହମାସ୍ ବିରୋଧରେ ଇସ୍ରାଏଲ୍ ସେନାର ଜବାବୀ ହମଲାରେ, ୪ଶହରୁ ଅଧିକ ପାଲେଷ୍ଟାଇନ ସାଧାରଣ ନାଗରିକଙ୍କର ବି ଜୀବନ ଯାଇଛି । ସେମାନଙ୍କ ମଧ୍ୟରେ ଅନେକ ନିଷ୍ପାପ ଶିଶୁ ବି ବଳି ପଡ଼ିଛନ୍ତି, ଯେଉଁମାନେ କି ଶତ୍ରୁତା କ’ଣ ଜାଣନ୍ତିନି, ଯୁଦ୍ଧର ଧାର୍ ଧାରନ୍ତିନି ।

୧୯୭୩ ମସିହା ଅକ୍ଟୋବର ୬ । ଇସ୍ରାଏଲ ଓ ଆରବ ଦେଶଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ୟମ୍ କିପ୍ପୁର ଯୁଦ୍ଧ । ଏହାର ଠିକ୍ ୫୦ ବର୍ଷ ପରେ ଗତକାଲିର ଦିନକୁ ଆକ୍ରମଣ ପାଇଁ ବାଛିଥିଲେ ହମାସ୍ ଆତଙ୍କୀ । ୨୦ ମିନିଟ ଭିତରେ ହମାସର ୫ହଜାର ରକେଟ୍ ମାଡ଼କୁ, ଇସ୍ରାଏଲର ବହୁଚର୍ଚ୍ଚିତ ଆଇରନ୍ ଡୋମ୍ ସିଷ୍ଟମ ବି ରୋକିପାରିନଥିଲା । ଇସ୍ରାଏଲର ବିଭିନ୍ନ ଜନବହୁଳ ଇଲାକାରେ ଆକାଶମାର୍ଗରୁ ଅତର୍କିତ ଆକ୍ରମଣ ସହ ଅନୁପ୍ରବେଶ କରିଥିଲେ ଆତଙ୍କୀ ।

ହେଲେ ଆଜି ଗାଜା ପଟ୍ଟି ସମେତ ପାଲେଷ୍ଟାଇନର ବିଭିନ୍ନ ଅଞ୍ଚଳରେ ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ରକ୍ତମୁଖା ଇସ୍ରାଏଲ୍ । ବଦଲା ନେବାକୁ ଆରମ୍ଭ ହୋଇଛି ଅପରେସନ୍ ଆଇରନ୍ ସୋର୍ଡ । ଯାହାର ପରିଣାମ ଆପଣଙ୍କ ଆଖି ସାମ୍ନାରେ । ଦୁଇ ଦିନ ଭିତରେ ଧ୍ୱଂସସ୍ତୁପ ପାଲଟିଲାଣି ଗାଜାର ଅନେକ ଅଞ୍ଚଳ । ଧୂଳିସାତ୍ ଅଟ୍ଟାଳିକା, ମାଟିରେ ଲୋଟୁଛି ପ୍ରାର୍ଥନାସ୍ଥଳୀ । ଶ୍ମଶାନର ନିରବତାକୁ ଚିରି ହୃତସ୍ପନ୍ଦନ ବଢ଼ାଇ ଦେଉଛି ଘନଘନ ଏୟାରଷ୍ଟ୍ରାଇକ୍ । ଉଭୟ ପକ୍ଷରୁ ୭୦୦ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ, ୩ହଜାରରୁ ଅଧିକ ଆହତ ହୋଇଛନ୍ତି ।

ଏହି ଯୁଦ୍ଧରେ ଇସ୍ରାଏଲକୁ ଭାରତ ସମର୍ଥନ କରିଥିବା ବେଳେ, ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷା ପ୍ରଟୋକଲ୍ ମାନିବାକୁ ଓ ଅତି ଜରୁରୀ ନଥିଲେ ଘରୁ ନବାହାରିବାକୁ ସତର୍କ କରିଛନ୍ତି ଭାରତ ସରକାର । ଇସ୍ରାଏଲ୍ ତେଲଅଭିଭ୍‌କୁ ଅକ୍ଟୋବର ୧୪ ଯାଏଁ ବିମାନସେବା ବାତିଲ ଘୋଷଣା କରିବା ସହିତ ସେଠାରୁ ନିଜର ସମସ୍ତ ପାଇଲଟ୍ ଓ କ୍ରୁଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଏୟାରଇଣ୍ଡିଆ । ଏପଟେ ଇସ୍ରାଏଲରେ ଫସିଥିବା ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚା ଭାରତୀୟ ଦୂତାବାସ ସହାୟତାରେ ସ୍ୱତନ୍ତ୍ର ବିମାନ ଯୋଗେ ମୁମ୍ବାଇରେ ପହଞ୍ଚିଛନ୍ତି ।

ଋଷ-ୟୁକ୍ରେନ ଯୁଦ୍ଧ ଦେଢ଼ ବର୍ଷ ହେଲା ଜାରି ରହିଥିବା ବେଳେ, ପୁଣି ମହାଯୁଦ୍ଧକୁ ଓହ୍ଲାଇଛନ୍ତି ମଧ୍ୟପ୍ରାଚ୍ୟର ଦୁଇ ପୁରୁଣା ଶତ୍ରୁ ପଡ଼ୋଶୀ ପାଲେଷ୍ଟାଇନ ଓ ଇସ୍ରାଏଲ୍ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ, ଖ୍ୟାତନାମା ଫ୍ରାନ୍ସ ଭବିଷ୍ୟଦ୍ରଷ୍ଟା ନଷ୍ଟ୍ରାଡମସଙ୍କ ଆଉ ଏକ ଭବିଷ୍ୟବାଣୀ ସତ ହେବ କି ? କାରଣ ସେ ୪୫୦ ବର୍ଷ ତଳେ ଲେଖିଥିଲେ ଯେ, ୨୦୨୩ରେ ତୃତୀୟ ବିଶ୍ୱଯୁଦ୍ଧ ହେବ ।