• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Kausik Mohapatra

ପଞ୍ଚଭୂତରେ ବିଲୀନ ହେଲେ ପୁରୀ ମାଟିର ଟାଣୁଆ ନେତା ମହେଶ୍ୱର ମହାନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ଗାର୍ଡ ଅଫ୍ ଅନର ପରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି। ବଡ଼ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ମହେଶ୍ୱରଙ୍କ ସଂପର୍କୀୟ, ବହୁ ରାଜନେତା, ବିଶିଷ୍ଟ ବ୍ୟକ୍ତିଙ୍କ ସହ ତାଙ୍କର ଶହ ଶହ ଶୁଭେଚ୍ଛୁ ଓ ସମର୍ଥକ ଏବଂ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ। ଆଜି ଭୋରରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଏହାପରେ ତାଙ୍କ ମୃତଦେହକୁ ପୁରୀକୁ ନେବା ବେଳେ ଶବାଧାର ପଛେ ପଛେ ଦେଖିବାକୁ ମିଳିଥିଲା ଜନସମୁଦ୍ର ।

ଦିନଥିଲା ମହେଶ୍ୱରଙ୍କ ସ୍କୁଟର ଶବ୍ଦକୁ କାନେଇ ରହୁଥିଲେ ସମର୍ଥକ । ଦିନେ ଯେଉଁ ସାହିକୁ ଅଳିଅର୍ଦ୍ଦଳି ନେଇ ଧାଉଁ ଆସୁଥିଲେ ସାଧାରଣ ଲୋକ, ଆଜି ସେହି ସାହିକୁ ଶେଷଥର ପାଇଁ ଆଖି ପୂରେଇ ଦେଖିବାକୁ ଲୋକାରଣ୍ୟ ପୁରୀ ସହରର କୁମୁଟିସାହି । ଏହି ସାହିରେ ଦିବଂଗତ ରାଜନେତା ମହେଶ୍ୱର ମହାନ୍ତିଙ୍କ ବାସଭବନ। ସେଠାରେ ମହେଶ୍ୱରଙ୍କ ପାର୍ଥିବ ଶରୀର ପହଞ୍ଚିବା କ୍ଷଣି ଲୁହରେ ଭିଜିଥିଲା ପୂରା ଅଞ୍ଚଳ। ତାଙ୍କୁ ଶେଷଥର ପାଇଁ ଟିକେ ଆଉଁସି ଦେବାକୁ ଗହଳିକୁ କାଟି ଧାଇଁ ଆସିଥିଲେ ତାଙ୍କ ଧର୍ମପତ୍ନୀ। ଖାଲି ପତ୍ନୀ କି ପଡ଼ୋଶୀ ପ୍ରିୟଜନ ନୁହଁନ୍ତି ପ୍ରିୟ ବାବୁଭାଇଙ୍କ ଶେଷଦର୍ଶନ ପାଇଁ ଦେଖିବାକୁ ମିଳିଥିଲା ହଜାର ହଜାର ସମର୍ଥକଙ୍କ ଆତୁରତା। ପିପିଲି, ସତ୍ୟବାଦୀ, ଚନ୍ଦନପୁରଠୁ ପୁରୀ ସହର ଯାଏଁ ସବୁଠି ଛକ ଛକରେ ସ୍ୱର୍ଗରଥକୁ ରୋକି ଲୋକେ ଦେଇଥିଲେ ଶେଷ ଶ୍ରଦ୍ଧାଞ୍ଜଳି ।

ଗତ ୧ ତାରିଖରେ ଅସୁସ୍ଥ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମହେଶ୍ୱର ମହାନ୍ତିଙ୍କର ଆଜି ଭୋରରୁ ବ୍ରେନ ଷ୍ଟ୍ରୋକରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କ ମରଶରୀରକୁ ପ୍ରଥମେ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନକୁ ନିଆଯାଇଥିଲା। ସେଠାରେ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ମୃତଦେହକୁ ପୁରୀ ନିଆଯାଇଥିଲା । ପୁରୀ ଜିଲ୍ଲା ବିଜେଡି ଅଫିସ୍ ଓ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ଶେଷଦର୍ଶନ ପରେ ବଡ଼ଦାଣ୍ଡ ଓ ସିଂହଦ୍ୱାର ସାମ୍ନା ଦେଇ ମରଶରୀର ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା।

ଜନତା ଦଳରୁ ରାଜନୀତି ଆରମ୍ଭ କରି ପରେ ବିଜେଡିକୁ ଆସିଥିଲେ ମହେଶ୍ୱର ମହାନ୍ତି। ୧୯୯୫ରୁ ୨୦୧୯ ଯାଏଁ ପୁରୀରୁ ଲଗାତାର ୫ଥର ବିଧାୟକ, ପଞ୍ଚାୟତିରାଜ, ରାଜସ୍ୱ, ଆଇନ, ପର୍ଯ୍ୟଟନ ଏବଂ ଯୋଜନା ଓ ସଂଯୋଜନ ଭଳି ୫ଟି ବିଭାଗର ମନ୍ତ୍ରୀ ଥିଲେ ମହେଶ୍ୱର। ୨୦୦୪ରୁ ୨୦୦୮ ଯାଏଁ ବିଧାନସଭାର ବାଚସ୍ପତି ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ୨୬ ଫେବ୍ରୁଆରୀ ୧୯୫୬ରେ ଜନ୍ମଗ୍ରହଣ କରିଥିବା ମହେଶ୍ୱରଙ୍କ ପଲିଟିକାଲ୍ କ୍ୟାରିୟର ଆରମ୍ଭ ହୋଇଥିଲା ଛାତ୍ର ରାଜନୀତିରୁ। ୧୯୭୩ରେ ସେ ବନିଥିଲେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ର ସଂସଦର ସାଧାରଣ ସମ୍ପାଦକ । ୧୯୭୮ରେ ପୁରୀ ମ୍ୟୁନିସପାଲିଟି କାଉନସିଲର ଏବଂ ୧୯୮୫ ରୁ ୯୦ ଓ ୧୯୯୨ ରୁ ୯୫ ପର୍ଯ୍ୟନ୍ତ ସେ ଥିଲେ ଚେୟାରମ୍ୟାନ।

ଘରେ ମହେଶ୍ୱରଙ୍କ ହାତରୁ କ୍ଷୀର-ବିସ୍କୁଟ ଖାଇବାକୁ ଝୁରୁଛି ତାଙ୍କ ପ୍ରିୟ କୁକୁର ମ୍ୟାକ୍ସ। ୪ ଦିନ ହେଲା ସେ ଖାଇବା ଛୁଇଁନି ବୋଲି କୋହଭରା କଣ୍ଠରେ କହିଥିଲେ କୁକୁରର କେୟାର ଟେକର୍ । ଅନ୍ୟପଟେ କୋହ ସମ୍ଭାଳି ନପାରି ଭୋ ଭୋ ହୋଇ କାନ୍ଦୁଛନ୍ତି ଡ୍ରାଇଭର ଭୀମ ।