• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିବାହ ସତରେ ଏମିତି ବି ହେବ, କେହି କେବେ ଭାବି ନଥିବେ । ମଂଚ ଉପରେ ଚାଲିଥିଲା ମହୋତ୍ସବ । ଆଉ ତାରି ଭିତରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଆଦିବାସୀ ପରମ୍ପରା ଅନୁସାରେ ସଂପନ୍ନ ହୋଇଯାଇଛି ଏକ ନିଆରା ବାହାଘର । ଦର୍ଶକ ଭାବୁଥିଲେ, ଏହା କୌଣସି ଏକ ଅଭିନୟ, କିନ୍ତୁ ସତରେ ସେଠି ଏକାଠି ହୋଇଥିଲେ ଦୁଇ ପ୍ରେମ ପକ୍ଷୀ, ବନି ଯାଇଥିଲେ ସାତ ଜନ୍ମର ସାଥୀ ।

ବିବାହ..ସାତ ଜନ୍ମର ସାଥୀ ଭାବେ ପରସ୍ପରକୁ ଆପଣାଇବା । ବିବାହ..ନିଜ ଜୀବନଠୁ ଅଧିକ ଭଲ ପାଇବାର ପ୍ରତିଶ୍ରୁତି । ବିବାହ..ସବୁବେଳେ ସବୁ ପରିସ୍ଥିତିରେ ସାଥୀ ହେବାର ଆହ୍ୱାନ । ପରିବାର ପ୍ରିୟଜନ ସମ୍ପର୍କୀୟଙ୍କୁ ନେଇ ହେଉଥିବା ବିବାହ ତ ଆପଣ ମାନେ ଦେଖିଥିବେ ହେଲେ ୟେ ଏମିତି ବିବାହ ଯାହା ବୋଧେ ପ୍ରଥମ, ଯାହା ବୋଧେ ଅନନ୍ୟ ।

ବାରିପଦାରେ ଚାଲିଥିଲା ମୟୂରଭଞ୍ଜ ମହୋତ୍ସବ । ମଂଚ ତଳେ ଥିଲେ ଶହ ଶହ ଦର୍ଶକ, ମଞ୍ଚ ଉପରେ ଚାଲିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ବର-କନ୍ୟା ବିବାହ କରୁଥିଲେ, ଲୋକେ ଭାବୁଥିଲେ ଏସବୁ ଯେମିତି ଅଭିନୟ, ପୂର୍ବ ବର୍ଷ ଭଳି କଳାକାର ସ୍ୱାମୀ-ସ୍ତ୍ରୀର ଅଭିନୟ କରୁଛନ୍ତି । ହେଲେ କିଏ ଜାଣିଥିଲା ଯେ ଏଠି ରାଜେନ୍ ନିଜ ପ୍ରିୟତମା ଗୋଲାପୀଙ୍କୁ ସତ ସତିକା ବିବାହ କରୁଛନ୍ତି । ଏସବୁ ଥିଲା ଯେମିତି ସ୍ୱପ୍ନ ଭଳି । ଆଖି ଆଗରେ ଯାହା ଘଟୁଥିଲା ତାହା ସମସ୍ତଙ୍କ ମନ ଜିଣିଥିଲା ।

ଆଦିବାସୀ ପରମ୍ପରା ଅନୁସାରେ ବନ୍ଧୁଙ୍କ କାନ୍ଧରେ ରାଜେନ ମଣ୍ଡପକୁ ପହଞ୍ଚିଥିଲେ । ଗୋଲାପୀଙ୍କୁ ବି ଟୋକେଇରେ ଆଣିଥିଲେ । ଆଗରେ ଥିଲେ ଆଦିବାସୀଙ୍କ ପୁରୋହିତ୍ ମାଝୀ ହାଡାମ୍, ପାଖରେ ଥିଲେ ଦୁଇ ପକ୍ଷର ସମ୍ପର୍କୀୟ । ସାକ୍ଷୀ ରହିଥିଲେ ହଜାର ହଜାର ଦର୍ଶକ । ବାଜା ବାଜିଥିଲା ଆଉ ତା ତାଳେ ତାଳେ ଆଦିବାସୀ ପରମ୍ପରା ଅନୁସାରେ ଗୋଲାପୀଙ୍କୁ ସିନ୍ଦୂର ପିନ୍ଧାଇଥିଲେ ।

ଉଭୟଙ୍କ ସମ୍ପର୍କ ଯେତେ ପୁରୁଣା ସେତେ ନିବିଡ଼ । କୁଳିଅଣା ବ୍ଲକର ମୁଣ୍ଡାକଟା ଗାଁର ଏଇ ଆଜବେଷ୍ଟର୍ ଘରେ ରାଜେନ୍ ରୁହନ୍ତି । ଆର୍ଥିକ ଅବସ୍ଥା ଭଲ ନଥିବାରୁ ବିବାହ କରିପାରୁନଥିଲେ । କିନ୍ତୁ ସେମାନଙ୍କ ପାଇଁ ଏହି ଅବସର  ଆଣି ଦେଇଥିଲା ମୟୂରଭଞ୍ଜ ମହୋତ୍ସବା । ମହୋତ୍ସବରେ ଲାଇଭ୍ ମ୍ୟାରେଜ୍ ରାଜେନ ଓ ଗୋଲାପୀଙ୍କ ଜୀବନକୁ ଦେଇଛି ନୂଆ ପରିଚୟ ।

  • Reported by:
  • MANIK Lal PANI