• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାଧାରଣ ନିର୍ବାଚନ ପୂର୍ବରୁ ମନମୋହନଙ୍କୁ ଗୁରୁଦାୟିତ୍ୱ । ହାତରେ ସମୟ କମ୍, ଚ୍ୟାଲେଞ୍ଜ କିନ୍ତୁ ଢେର୍ ଅଧିକ । ଗୋଟିଏ ପଟେ ସଂଗଠନକୁ ସୁଦୃଢ଼ କରିବାର ଆହ୍ୱାନ, ଅନ୍ୟପଟେ ରାଜ୍ୟରେ ୫-୫ ଥର ଜିତିଥିବା ବିଜେଡିକୁ ଶାସନ ଗାଦିରୁ ହଟାଇବାର ଚ୍ୟାଲେଞ୍ଜ୍ । କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସହ ମିଶି ମନମୋହନ ରାଜ୍ୟରେ କେତେ ପଦ୍ମ ଫୁଟାଇ ପାରିବେ ତାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆସନ୍ତୁ ଦେଖିବା ନୂଆ ସଭାପତିଙ୍କ ଆଗରେ ରହିବ କି କି ଚ୍ୟାଲେଞ୍ଜ୍ ।

ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ରାଜ୍ୟ ବିଜେପି ସଭାପତି । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନ ହେଲେ ନୂଆ ମଙ୍ଗୁଆଳ । ବରିଷ୍ଠ ନେତା ମନମୋହନଙ୍କ ଉପରେ ପୁଣି ଥରେ ଭରସା କଲା ବିଜେପି । ତେବେ କାହିଁକି ମନମୋହନଙ୍କ ଉପରେ ଆସ୍ଥା ପ୍ରକଟ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ?

କୁହାଯାଉଛି ଆଭିମୁଖ୍ୟରେ ଆଗ୍ରେସିଭ୍, ବିଜେଡି ସରକାରର କଟ୍ଟର ବିରୋଧୀ, ଉପକୂଳ ଓଡ଼ିଶାର ସବୁଠୁ ଅଭିଜ୍ଞ ନେତା, ତୃଣମୂଳ ସ୍ତରର କର୍ମୀଙ୍କ ସହ ଯୋଡ଼ି ହୋଇ ରହିବା, ପଛୁଆ ବର୍ଗର ପ୍ରତିନିଧିତ୍ୱ, ବଡ଼ କଥା ହେଲା, ନୂଆ-ପୁରୁଣା ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି ଚାଲିବାର କଳା ମନମୋହନଙ୍କୁ ମଙ୍ଗୁଆଳ କରିବାରେ ସହାୟକ ହୋଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ମାସ ତଳେ ଧାମନଗର ଉପନିର୍ବାଚନରେ ମନମୋହନଙ୍କ ଷ୍ଟ୍ରାଟେଜିରେ ମାତ୍ ଖାଇଥିଲା ବିଜେଡି । ଏବେ ଦେଖିବା ମନମୋହନଙ୍କ ଆଗରେ କଣ ରହିବ ୫ ବଡ଼ ଚ୍ୟାଲେଞ୍ଜ୍ ।

ଚ୍ୟାଲେଞ୍ଜ ୧: ନିର୍ବାଚନ ପୂର୍ବରୁ ଦଳରେ କୋଣଠେସା ନେତାଙ୍କୁ ଏକାଠି କରି ଲଢ଼ିବା

ଚ୍ୟାଲେଞ୍ଜ ୨: ବୁଥ୍, ଶକ୍ତିକେନ୍ଦ୍ର ଓ ମଣ୍ଡଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଜଭୁତ୍ କରିବା

ଚ୍ୟାଲେଞ୍ଜ ୩: ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ମାହୋଲ ବନାଇବା

ଚ୍ୟାଲେଞ୍ଜ ୪: ମୋଦି ସରକାରଙ୍କ ଯୋଜନାକୁ ସଫଳତାର ସହ ଲୋକଙ୍କ ପାଖରେ ପହଞ୍ଚାଇବା

ଚ୍ୟାଲେଞ୍ଜ ୫: ଉପକୂଳ ଓଡ଼ିଶାରେ ଶଙ୍ଖକୁ ମାତ୍ ଦେଇ ଅଧିକରୁ ଅଧିକ ପଦ୍ମ ଫୁଟାଇବା

୨୦୨୪ରେ କ୍ଷମତା ଦଖଲ ପାଇଁ ବିଜେପି ଫୋକସରେ ରହିଛି ଓଡ଼ିଶା । ଡି. ପୁରନ୍ଦେଶ୍ୱରୀ ରାଜ୍ୟ ବିଜେପି ପ୍ରଭାରୀ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦଳର ବଡ଼ ରଣନୀତିକାର କୁହାଯାଉଥିବା ସୁନିଲ ବଂଶଲଙ୍କୁ କ୍ଷେତ୍ରୀୟ ପ୍ରଭାରୀ କରାଗଲା । ସେହିପରି ପ୍ରଦୀପ୍ତ ନାୟକଙ୍କ ସ୍ଥାନରେ ଅଭିଜ୍ଞ ଜୟ ନାରାୟଣ ମିଶ୍ରଙ୍କୁ ଦିଆଗଲା ବିରୋଧୀ ଦଳ ନେତା ପଦବୀ ।

ଏବେ ପୁଣି ସମୀରଙ୍କ ସ୍ଥାନରେ ମନମୋହନଙ୍କୁ ସଭାପତି ଦାୟିତ୍ୱ ଦେଇ ନିର୍ବାଚନ ପୂର୍ବରୁ ଦଳ ନିଜର ଷ୍ଟ୍ରାଟେଜି ଏକ ପ୍ରକାର ସ୍ପଷ୍ଟ କରିଛି । ବଂଶଲ-ଜୟନାରାୟଣ-ମନମୋହନ ଏହି ତିନି ନେତାଙ୍କ ନେତୃତ୍ୱରେ ଦଳ ମୈଦାନକୁ ଓହ୍ଲାଇବ ବୋଲି କୁହାଯାଉଛି । ହେଲେ ବିଜେଡି କହିଛି ସଭାପତି ପରିବର୍ତ୍ତନ ହେଲେ କିଛି ପ୍ରଭାବ ପଡ଼ିବ ନାହିଁ ।

ଏବିଭିପି ଓ RSS ବ୍ୟାକଗ୍ରାଉଣ୍ଡରୁ ଆସିଥିବା ମନମୋହନ ୧୯୯୯ରୁ ୨୦୦୦ ଓ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ବେଶ୍ ସଫଳତାର ସହ ତୁଲାଇଥିଲେ । ତାଙ୍କ ସମୟରେ ବିଜେପି-ବିଜେଡି ମେଣ୍ଟ କରି ଲଢ଼ିବା ସହ ଓଡ଼ିଶାରେ କ୍ଷମତାକୁ ଆସିଥିଲା । ୨୦୦୦ରେ ରାଜ୍ୟସଭାକୁ ଯାଇଥିଲେ ମନମୋହନ ।

ଆଉ ୨୦୦୪ରେ ବିଧାୟକ ହୋଇ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏଭଳି ଜଣେ ଅଭିଜ୍ଞ ନେତାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ଦେଖିବାର କଥା ମନମୋହନ ରାଜ୍ୟ ବିଜେପିକୁ କିଭଳି ନୂଆ ଦିଶା ଦେଉଛନ୍ତି ।

ଭଦ୍ରକରୁ ପାର୍ଥସାରଥୀ ନାୟକ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି